ନୂଆପଡ଼ା: ମାନସିକତାକୁ ଦୁର୍ବଳ କରିପାରିନି ଅର୍ଥାଭାବ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ବେଶ୍ ଭଲଭାବେ ବୁଝି ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ଜଣେ ୧୮ବର୍ଷିୟା ଯୁବତୀ । ଭବିଷ୍ୟତ ଚିନ୍ତା, ପରିବାରର ଦାୟିତ୍ୱ ଓ କାମର ବୋଝ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ଭାରସାମ୍ୟ ରକ୍ଷା କରିପାରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛି ।
କୋମନା ବ୍ଲକ ନୂଆଗାଁର ପଦ୍ମିନୀ ରଣା । ୧୮ବର୍ଷ ତଳେ ପିତା ଘନଶ୍ୟାମ ରଣାଙ୍କ ଦେହାନ୍ତ ହୋଇଥିଲା । ଦୁଇ ଭଉଣୀଙ୍କ ବିବାହ ମଧ୍ୟ ସରିଛି । ଏବେ ଘରେ ଅଛନ୍ତି ବୃଦ୍ଧା ମା’ । ବାର୍ଦ୍ଧକ୍ୟ ଯୋଗୁଁ ମା’ ଏବେ କାମ କରିବାକୁ ସକ୍ଷମ ନାହାନ୍ତି । ବିଧବା ଭତ୍ତା ସାଙ୍ଗକୁ ୧୦କି.ଗ୍ରା ଚାଉଳ ମିଳୁଛି । ଯେଉଁଥିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଏଥିରେ ପଦ୍ମିନୀ ସାଜିଛନ୍ତି ରାଜମିସ୍ତ୍ରୀ । ପାଠପଢ଼ା ପ୍ରତି ଅହେତୁକ ଆଗ୍ରହ ରହିଛି । ଏଥିପାଇଁ ବୁଦ୍ଧୀକୋମନା କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ିବା ସହ ରାଜମିସ୍ତ୍ରୀ କାମ କରିବାକୁ ସେ ଲଜ୍ୟାବୋଧ କରିନାହାନ୍ତି । ଅନ୍ୟପଟେ ତାଙ୍କର କାମ କରିବାର ଶୈଳୀକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି ।
ସ୍ୱାବଲମ୍ବୀ ତଥା ସ୍ୱାଭିମାନୀ ପଦ୍ମିନୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନଠାରୁ ମିଳିଛି ସହାୟତାର ପ୍ରତିଶ୍ରୁତି । ତେବେ ଦାବି ଓ ସହାୟତାର ପ୍ରତିଶ୍ରୁତି ମଧ୍ୟରେ ଧନ୍ଦି ନହୋଇ ପଦ୍ମିନୀ ଦିନରେ କାମ କରିବା ସହ ରାତିରେ ପାଠପଢ଼ାକୁ ଗୁରୁତ୍ୱ ଦେଇଥାନ୍ତି ।
Comments are closed.