ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଦ୍ୱ ସମୟରେ ସେ ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତା ଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।
ସ୍ଵାତି ଲଗ୍ନରେ ବର୍ଷା, ସ୍ୱଗତୋକ୍ତି, ସ୍ୱରବର୍ଣ୍ଣ , ସ୍ବପ୍ନ ପାଖାପାଖି ପ୍ରଭୁତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
କବି ସୁରେଶ କୁମାର ନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
କବିତା ଶବ୍ଦର ବ୍ଯାଖ୍ଯା କେମିତି କରିବେ ?
କବିତା !! କବିତା ତ ଚିରକାଳ ଦୁଇ ତୃତୀୟାଂଶ ହୀମସ୍ରୋତରେ ବୁଡି ରହିଥିବା ଭାସମାନ ବରଫଭେଳା , ବଖାଣେ ଯେତିକି , ତା ଠାରୁ ଢେର ବେଶୀ କରେ ସ୍ବଗତୋକ୍ତି । କବିତାକୁ ସର୍ବୋତ୍ତଭାବେ ବ୍ଯାଖ୍ଯା କରିହୁଏନି କି ବୁଝି ବି ହୁଏନି କାରଣ କବିତା ସମସ୍ତଙ୍କୁ ବ୍ଯାଖା କରେ , ସମସ୍ତଙ୍କୁ ବୁଝିପାରେ ଓ ସବୁକିଛି ବୁଝେଇଦିଏ । ମୋତେ ଛୁଉଁ ମୋତେ ଛୁଉଁ କହି ଏଇ ଦିଶେ ପୁଣି ଏଇ ଲୁଚିଯାଏ ହେଲେ ଅଲକ୍ଷ୍ୟରେ ସମସ୍ତଙ୍କୁ କିନ୍ତୁ ଛୁଇଁଦେଉଥାଏ । କବିତାକୁ ସମସ୍ତେ ଶୁଣିପାରନ୍ତି ନାହିଁ , ଦେଖିପାରନ୍ତି ନାହିଁ , ସେ କିନ୍ତୁ ସମସ୍ତଙ୍କୁ ଧୈର୍ଯ୍ୟର ସହ ଶୁଣେ , ସମସ୍ତଙ୍କୁ ନିରେଖି ଦେଖେ , ପରଖେ , କଷଟି ପଥରରେ କଷେ । ସ୍ଥୃଳ ସାଧାରଣ ଦିଶୁଥିବା ବ୍ଯକ୍ତି , ବସ୍ତୁ ଓ ବକ୍ତବ୍ୟ ଭିତରେ ଲୁଚିଥିବା ଅସାଧାରଣତ୍ବ ଉପରୁ ପରଦା ହଟାଏ । ଶହେଟି ମିଛ ଭିତରୁ ଗୋଟିଏ ସତ ଓ ଶହେଟି ସତ ଭିତରେ ଲୁଚିଥିବା ଏକମାତ୍ର ମିଛକୁ ଚିହ୍ନେଇଦିଏ । ଶବ୍ଦର ବିଚିତ୍ରବର୍ଣ୍ଣା ପୋଷାକ ପିନ୍ଧି କେତେବେଳେ ଈଶ୍ବରଙ୍କ ପରି ତ କେବେ ବିଦୁଷକ ଭଳି ନିଜକୁ ପ୍ରକଟିତ କରୁଥାଏ । ଏଇନେ ରାଜାଝିଅ ହାତରେ ସୁନାର କୁଲେଇ ହୋଇ ଝଟକୁଥିବ ତ ଆରଘଡିକି ଯୋଗୀ ହାତର ଭଙ୍ଗାଥାଳ ପରି କରୁଣ ଦିଶୁଥିବ । କବିତା ଏକ ଉଚ୍ଛ୍ବାସ , ଏକ ନିଶା , ଗୋଟେ ଝୁଙ୍କ୍ । ନିଆରା ପାଗଲପଣ, ଦେଖୁଦେଖୁ ଭାଙ୍ଗିଯାଉଥିବା ଏକ ଚେତନାଶ୍ରୟୀ ସ୍ବପ୍ନ , ଅନ୍ଧାର ଭିତରେ ଛୁପିଥିବା ଆଲୋକର କାବ୍ଯିକ ରୂପ । ନିଜ ମନର , ହୃଦୟର , ଇନ୍ଦ୍ରିୟାନୁଭୂତିର , ଅନୁଭବ ଅଭିଜ୍ଞତା ଓ ଉପଲବ୍ଧିତାର ସମ୍ଭ୍ରାନ୍ତ କଳାତ୍ମକ ଉଚ୍ଚାରଣ ।
ବିନା କାରଣରେ ଉଚ୍ଚାଟିତ ଓ ଅନ୍ଯମନସ୍କ କରଉଥିବା , ହସୁହସୁ କାନ୍ଦି ପକଉଥିବା , ଋତୁମାନଙ୍କ ଭଳି ରୂପ ବଦଳଉଥିବା , ସାରାରାତି ନିଦ ଚୋରେଇ ଆଖିତଳେ କଳାଦାଗ ପକଉଥିବା ଏକ ରହସ୍ଯମୟୀ ନାରୀଟିଏ ଭଳି କବିତା । ଥିବ ଥିବ ଅଚାନକ୍ ପ୍ରିୟତମ କହି ଆଲିଙ୍ଗନ ମୁଦ୍ରାରେ ଜଡେଇ ଧରିବ , ତାକୁ କାଗଜ କଲମର ଶ୍ଯାମଳ କୁଞ୍ଜକୁ ଆମନ୍ତ୍ରିଲା ବେଳକୁ ଆଉ କାହା କେଳିପଲଙ୍କରେ ଅଭିସାରିକା ହୋଇ ବସିଥିବ ଓ ଆଡଆଖିରେ ବି ଚାହୁଁନଥିବ । କେଇଦିନ ପରେ ଦିନେ ଆସି ଛାତିର ଦରଜା ଖଡ୍ ଖଡ୍ କରି ବୀଣାଜିଣା କଣ୍ଠରେ ମୋ ନାଁ ଧରି ଡାକିବ , ହେଲେ ଏଭଳି କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଯେ , ତାକୁ ମୋ ଫାଟକ ନିକଟରେ ଦେଖିବାମାତ୍ରେ ନିକଟ ଅତୀତର ଧୋକ୍କା ଖାଇଥିବାର ଯନ୍ତ୍ରଣାକୁ ଭୁଲି ମୁଁ ପୁନଶ୍ଚ ଖୋଲିଦିଏ ମୋ ଛାତିର ଦରଜା । ସାମ୍ରାଜ୍ଞୀ ଭଳି ଆଦେଶୁଥାଏ ମତେ , ମୁଁ ତା ଆଗରେ ନତଜାନୁ ହୋଇ କିଙ୍କର ଭଳି ତାର ଚିତ୍ରପଟ ଆଙ୍କୁଥାଏ କାଗଜ କଲମରେ । କବିତାକୁ କ’ଣ ବଖାଣି ହୁଏ ? ସେ ତ ସବୁ ବଖାଣର ସାରାଂଶ ।
ରୀତିଯୁଗର କବିତା ଓ ଏବେର କବିତା ଭିତରେ କ’ଣ ପରିବର୍ତ୍ତନ ଘଟିଛି ?
ଚର୍ଯ୍ଯାଗୀତିକା , ଶୈବ ସାହିତ୍ୟ , ନାଥ ସାହିତ୍ୟ , ସାରଳା ଦାସ , ପଞ୍ଚସଖା ସାହିତ୍ୟ ଅତିକ୍ରମ କରି ଆଧୁନିକ ସାହିତ୍ୟ ପାଖରେ ପହଞ୍ଚିବା ରାସ୍ତାରେ ବାଟରେ ପଡେ ବର୍ଣ୍ଣାଢ଼୍ଯ ଶବ୍ଦାଡମ୍ବରରେ ଝଲମଲ , ଆଖି ଫେରେଇ ହେଉନଥିବା ଏକ ଆକର୍ଷଣୀୟ ସ୍ଥାପତ୍ୟ , ରୀତିଯୁଗ ସାହିତ୍ୟ, ଯାହାର ପ୍ରଣମ୍ଯ ଉଦ୍ ଗାତା ଭାବେ ସର୍ବାଗ୍ରେ ଦିଶନ୍ତି ଅସପତ୍ନ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ , ଦୀନକୃଷ୍ଣ, ଅଭିମନ୍ୟୁ ,ଓ ଟିକିଏ ପରେ କବିସୂର୍ଯ୍ୟ ବଳଦେବ ରଥ ।
ରାଧାନାଥଙ୍କ ଠାରୁ ଆଧୁନିକ ସାହିତ୍ୟର ନଦୀ ଯଦି ପ୍ରବାହିତ ବୋଲି କୁହାଯାଏ , ତାହା କାଳକ୍ରମେ ଶାଖା ପ୍ରଶାଖା ମେଲେଇ ପ୍ରଗତିଶୀଳ ସାହିତ୍ୟ , ସବୁଜ ସାହିତ୍ୟର ସବୁଜିମା ଖେଳେଇ ଚିରସ୍ରୋତା ସ୍ରୋତସ୍ବିନୀ ହୋଇ ବହିଚାଲିଛି ସଚ୍ଚି ରାଉତରାୟଙ୍କ ଯାଏ ।।କହିରଖେ , ପ୍ରତି ଯୁଗର ସାହିତ୍ୟ ସେଇ କାଳ ପାଇଁ ଆଧୁନିକ । ଚର୍ଯ୍ଯାଗୀତିକା ଅପେକ୍ଷା ପଞ୍ଚସଖା ସାହିତ୍ୟ ଅଧିକ ଆଧୁନିକ , ତା ଠାରୁ ରୀତିଯୁଗର ସାହିତ୍ୟ ଆଧୁନିକତ୍ତୋର , ରୀତି ଅପେକ୍ଷା ଏବର ସାହିତ୍ୟ ଉତ୍ତର ଆଧୁନିକ । ଯୁଗାବ୍ଦୀର ପ୍ରଭାବରେ କ୍ରମଃବିକାଶୋନ୍ମୁଖୀ ମଣିଷର ଚେତନାରେ ପରିବର୍ତ୍ତନ ଘଟିବା ଏକ ସ୍ବାଭାବିକ ପ୍ରକ୍ରିୟା । ରୀତିଯୁଗର ସାମାଜିକ ସ୍ଥିତି , ଚଳଣି , ପରିବବେଶ , ନିଘଞ୍ଚ ଅନାଘ୍ରାତ ଅରଣ୍ୟ , ବନସ୍ପତି , ବନ୍ଧନହୀନ ପ୍ରବହମାନ ସ୍ରୋତସ୍ବିନୀମାନଙ୍କର ଛନ୍ଦାୟିତ ଗତି , ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର କୃତ୍ରିମ ପ୍ରସାଧନ ରହିତ ହଳଦୀ ଚନ୍ଦନ ମଖା ନିଟୋଳ ଯୌବନା ନାରୀ ଓ ସର୍ବୋପରି ଅଧ୍ଯାତ୍ମ ଥିଲା ରୀତିଯୁଗ ସାହିତ୍ଯିକମାନଙ୍କର ଭାବଭୂମି । ସଂସ୍କୃତ ଭାଷାରେ ଲିଖିତ ହିନ୍ଦୁଶାସ୍ତ୍ରର ବେଦ ବେଦାନ୍ତ , ପୁରାଣ ଉପନିଷଦର ତାତ୍ତ୍ବିକ ଦର୍ଶନରେ ପ୍ରଶିକ୍ଷିତ ତତ୍କାଳୀନ କବିକୁଳ ନିଜ ଅନ୍ତର୍ଲୋକର ଅଭିବ୍ଯକ୍ତିକୁ କାବ୍ଯାୟନ କରୁଥିଲେ ଛାନ୍ଦ , ଉପମା , ରାଗ , ଅଳଙ୍କାର , ଯତି , ଯମକ ଓ ଅନୁପ୍ରାସରେ। କବିତ୍ବ ଓ ପାଣ୍ଡିତ୍ବର ଏକ ମନ୍ଦ୍ର ମଧୁର ସ୍ବର ଥିଲା ରୀତିଯୁଗ ସାହିତ୍ୟ ।
ଏବର ସାହିତ୍ୟ ବିଚିତ୍ରବର୍ଣ୍ଣା । ଅଭିବ୍ଯକ୍ତି ତ ସମାନ ହେଲେ ପ୍ରକାଶଭଙ୍ଗୀରେ ଅନେକ ତଫାତ୍ । ରୂପକ , ଚିତ୍ରକଳ୍ପ , ମେଟାଫର , ବାଦ , ବିମ୍ବ ସର୍ବୋପରି ପ୍ରଚଳିତ ଶଗଡ଼ଗୁଳାରୁ ବାହାରି ନିଜକୂ ନୂଆଢ଼ଙ୍ଗରେ ପ୍ରକାଶିବା ଯେତିକି ହୃଦୟଗ୍ରାହୀ ସେତିକି ଆଶ୍ଚର୍ଯ୍ୟ ଚକିତ । ଛନ୍ଦ ନାହିଁ , ସ୍ବର ନାହିଁ , ଗଦ୍ଯ ଭଳି ତଳକୁ ତଳ ଧାଡିରେ ଲେଖା ହୋଇଥିବ , ଗାଇହେଉନଥିବ କିନ୍ତ ଗଭୀର ଆତ୍ମକଥନଟିଏ ଥିବ । କାହୁଁ ଆସି ହତାଶା, ଶୂନ୍ଯତା , ନିଃସଙ୍ଗତା , ଯନ୍ତ୍ରଣା ଓ ମୃତ୍ୟୁଚେତନା ପଶି ଆସୁଥିବ ,ପାଠକ ବୁଝି ନ ପାରିଲେ ପାଠକର ଚେତନା ଆଲୋକିତ ନୁହେଁ ବୋଲି ଦୋଷ ଦେଇ ବରଂ ଯୁକ୍ତି ରଖାଯାଉଥିବ ଯେ କ’ଣ କୁହାଯାଇଛି ଉପରେ ଗୁରୁତ୍ବ ନଦେଇ କିପରି କୁହାଯାଇଛି ଦେଖ , ପଢ , ହେଜ । କାବ୍ଯନାୟକ ନାୟିକାମାନେ ସର୍ବଦା ବିମର୍ଷ ଦିଶୁଥିବେ , ଏଇମାତ୍ର କାନ୍ଦିସାରିଥିବା ଭଳି ଉଦାସ ଆଖି , ଏ ପୃଥିବୀ ସେମାନଙ୍କୁ ଅର୍ଥହୀନ ଲାଗୁଥିବ , କାହାଉପରେ ଆସ୍ଥା , ଭରସା କି ବିଶ୍ବାସ ନଥିବ , ପାପ ପୁଣ୍ଯର ବିଚାର ମୂଲ୍ଯହୀନ ବୋଲି ସନ୍ଦେଶ ଥିବ । ପାରମ୍ପାରିକ ସୌନ୍ଦର୍ଯ୍ୟତତ୍ତ୍ବ ବଦଳରେ ସମକାଳୀନତାର ଯୁକ୍ତିସିଦ୍ଧ ଉପସ୍ଥାପନା ହେଉଛି ଏବର କବିତାର ଚିତ୍ରଶାଳା । ଆଧୁନିକ କବିତାରେ ଅଛି ଜୀବନର ରହସ୍ୟ , ରୀତିଯୁଗ କବିତାରେ ଶବ୍ଦର ରହସ୍ୟ ।
ଶେଷରେ କହିବି , ରୀତିଯୁଗର ଲାବଣ୍ୟବତୀ ଓ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଆଜି ସଚ୍ଚି ରାଉତରାୟ ଓ ଗୁରୁପ୍ରସାଦ ମହାନ୍ତିଙ୍କ ଦ୍ରଷ୍ଟାପଣରେ ଅଳକା ସାନ୍ଯାଲ ଓ ପ୍ରତିମା ନାୟକ ଭାବେ ଅନୁଭବିତ ହୁଅନ୍ତି ଢିଲା ପାଇଜାମାର ଅମରାବତୀରେ । ଦୃଷ୍ଟିକୋଣର ତଫାତ୍ ଯାହା ।
କବିତା ଲେଖିବା ଓ କବି ବୋଲି ସ୍ଵୀକୃତି ପାଇବା ପର୍ଯ୍ୟନ୍ତ ଯାତ୍ରା ବିଷୟରେ କିଛି କୁହନ୍ତୁ ।
କାବ୍ଯବୋଧ ଥିବା ହେତୁ କିଛି କବିତା ଲେଖିଛି ହଁ , କିନ୍ତୁ କବି ବୋଲି ସ୍ବୀକୃତି ପାଇଛି କି ନା , ମୁଁ ଜାଣେନା କି ଜାଣିବାକୁ ଚାହିଁବିନି । ତାହା ପାଠକଙ୍କ ଦୃଷ୍ଟିଭଙ୍ଗୀ ଓ ବିଚାର ଧାରାର କଥା । ମୋ ବ୍ଯବହାରିକ ଜୀବନରେ ଗୋଟେ ଦିନ ଭିତରେ ଯାହା ଯାହା କୁହେ , କ୍ଷୀରବାଲା ଠାରୁ କ୍ଷମତାପ୍ରାପ୍ତ ଅଧିକାରୀ ପର୍ଯ୍ଯନ୍ତ ଯାହାଯାହାଙ୍କ ସହ ନିଜକୁ ଶବ୍ଦ ମାଧ୍ୟମରେ ବାଣ୍ଟେ , ଲାଗେ ଯାହା କହିବାପାଇଁ ନିଜ ଭିତରୁ ଅନ୍ତର୍ନିଦେଶ ଆସୁଥିଲା , ତାହା ମୁଁ କହିପାରିଲିନାହିଁ କିମ୍ବା କହିବାକୁ ଉପଯୁକ୍ତ ସ୍ଥାନ କାଳ ପାତ୍ର ପାଇଲିନାହିଁ । ସେଇ ନ କହିପାରିଥିବା ଅସହାୟ ବିବଶପଣ ମୋତେ କିଛି ଲେଖିବାକୁ ପ୍ରଚୋଦିତ କରେ । ଲେଖିସାରିବା ପରେ ତାହା ମୋତେ କବିତା କବିତା ଦିଶେ । ହେଲେ କବିଟିଏ ବୋଲି ମୁଁ ନିଜକୁ କେବେ ପ୍ରତିପାଦିତ କରିବାର ଧୃଷ୍ଟତା କରିନାହିଁ । ମୁଁ ଡରକୁଳା ସଲ୍ଲଜ କବିତା ଲେଖକଟିଏ ମାତ୍ର । କବିଟିଏର ସ୍ବୀକୃତି ପାଇବା କେତେଜଣଙ୍କ ଭାଗ୍ଯରେ ଥାଏ ? ଆଚରଣରେ, ଉଚ୍ଚାରଣରେ , ଅନ୍ତଃକରଣରେ , ଜୀବନଶୈଳୀରେ କବିଟିଏ ଭଳି ବଞ୍ଚିବା ତ କେତେଜନ୍ମର ପୁଣ୍ଯଫଳ । କବି ମାତ୍ରେ ଇ ଋଷି । ମୋର ସେ ତପସାଧନା କାହିଁ ?
ହୋଇଯାଏ , ନିଜ ଅଜାଣତରେ ଗୋଟେ ପାଠକୀୟ ପରିମଣ୍ଡଳ ସୃଷ୍ଟିହୋଇଯାଏ । କିଛି ଶୁଭେଚ୍ଛା, ସୁକାମନା , ଆଶୀର୍ବାଦ , ଶ୍ରଦ୍ଧା ସମ୍ମାନ ମିଳିଲେ , ନିଜ ଉପରେ ପ୍ରତ୍ଯୟ ସହିତ ସନ୍ଦେହ ବି ଆସେ । ନିହାତି ମାମୁଲି ଓ ଅନାର୍କଷଣୀୟ ଲାଗୁଥିବା ମୋ ବ୍ଯକ୍ତି ସତ୍ତା ଭିତରେ ଜଣେ ସୃଜନ ମଣିଷଟିଏ ଅଛି ସତରେ ? କବିତାରେ କ’ଣ କିଏ ସ୍ବୀକୃତି ପାଇଲାଣି ନା କବି ଭାବରେ ? ବିଶ୍ବରୂପକୁ କ’ଣ ଖାଲି ଆଖିରେ ସିଧାସଳଖ ଦେଖିହୁଏ ନା ବଖାଣି ହୁଏ ? କବିତା ଏକ ଅସରନ୍ତି ଯାତ୍ରା । ଅନତିକ୍ରମ୍ଯ ଦୂରତ୍ୱ । ସହକବିମାନଙ୍କ ମାନସପଟରେ ରହିବା , କିଛି ପାଠକଙ୍କ ପ୍ରିୟଭାଜନ ହେବା , କିଛି ସମ୍ଭ୍ରାନ୍ତ ଅନୁଷ୍ଠାନରୁ ମାନପତ୍ର ଓ ଉତ୍ତରୀୟ କେଇଟି ପାଇବାକୁ କବିତ୍ବର ସ୍ବୀକୃତି କୁହାଯାଏ ? କେଜାଣି ।?
ଓଡ଼ିଆ ସାହିତ୍ୟରେ କବିତା ଅପେକ୍ଷା ଗଳ୍ପର ପ୍ରଭାବ ଅଧିକବୋଲି କୁହାଯାଏ , ସେ ବିଷୟରେ କଣ କହିବେ ?
ଏ ପ୍ରଶ୍ନଟି ବିବାଦୀୟ ବୋଲି ନକହିଲେ ବି ଯୁକ୍ତିସିଦ୍ଧ ବୋଲି କହିହେଉନାହିଁ । କବିତା,ଗଳ୍ପ ,ଉପନ୍ୟାସ,ନାଟକ ,ପ୍ରବନ୍ଧ, ସମାଲୋଚନା , ଲଳିତ ନିବନ୍ଧ, ଫିଚର୍ , ଭ୍ରମଣକାହାଣୀ , ଆତ୍ମକାହାଣୀ ଭଳି ଅନେକ ବିଭବରେ ଜାଜ୍ଜୁଲ୍ଯ ସାହିତ୍ୟର କଳେବର । ପ୍ରତ୍ଯକଟି ବିଭାଗ ନିଜସ୍ବ ଗରିମାରେ ଗରୀୟାନ । ସବୁ ସୃଜନର ଅଂଶବିଶେଷ । କେହି ତୁଳନାତ୍ମକ ଭାବେ କାହାଠାରୁ ବେଶୀ ପ୍ରଭାବଶାଳୀ ନୁହନ୍ତି କି ନ୍ଯୁନ ନୁହନ୍ତି । ପାଠକୀୟ ଆଦୃତି ହିଁ ସ୍ଥୂଳଭାବେ କାହାକୁ କମ୍ ବେଶୀ ଲୋକପ୍ରିୟ କରେଇଥାଏ । ଯିଏ ଯେତେ ସୂକ୍ଷ୍ମ , ତା’ର ପାଠକସଂଖ୍ଯା ସେତେ କମ୍ । ସାହିତ୍ୟ ଯେ ଗୋଟେ ମନନଶୀଳ କଳା , ପାଠକେ ଏତେ ଝିନଝଟକୁ କାହିଁକି ପଶିବେ ? ଅଧିକାଂଶ ପାଠକଙ୍କୁ ଲୋଡା ମନୋରଞ୍ଜନ , ଆଳସ୍ଯ ସମୟକୁ ଅତିବାହିତ କରିବାର ଗୋଟେ ସହଜିଆ ମାଧ୍ୟମ ।
କବିତା ଯେ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବର କିୟଦଂଶ ମାତ୍ର , ଯାହା ଶିହରଣ ଭଳି ଅନୁଭବଟେ ଦେଇ କୁଆଡେ ଲୁଚିଯାଏ , ଯେତେ ଧରିବାକୁ ଚାହିଁଲେ ବି ଧରିହୁଏନି ( ଏପରିକି ସ୍ବୟଂ କବିକୁ ମଧ୍ୟ ) ଅଥଚ ସେଇ ନିକଟରେ ଥାଏ । ସୁସୁମ୍ନା ଦେଇ କୁଣ୍ଡଳିନୀ ଭଳି କିଛିଗୋଟେ ଊର୍ଦ୍ଧ୍ବଗାମୀ ହେଉଥାଏ , ସହସ୍ରାରରେ ପହଞ୍ଚିବା ଆଗରୁ ପୁଣି ମୂଳାଧାରରେ ବିଲୀନ ହୋଇଯାଏ । କେତେ ପାଠକ ଏଇ ମନସ୍ତତ୍ତ୍ବରେ ପଢନ୍ତି କବିତା ?
ସର୍ବୋପରି ଛନ୍ଦର ଉଦାତ୍ତ ଉଚ୍ଚାରଣ । କବିତାର କେତେ ଶତାବ୍ଦୀ ପରେ ଆସିଚି ଗଦ୍ଯସାହିତ୍ଯ । ବ୍ରଜନାଥ ବଡଜେନାଙ୍କ ଠାରୁ ଯଦି ଧରିନିଆଯାଏ , ପ୍ରାୟତଃ ବ୍ଯାସକଵି ଫକୀରମୋହନଙ୍କ ସମୟରୁ ହିଁ ଅଣ୍ଟାସଳଖି ସଳଖ ଚାଲିବାର ଦମ୍ଭ ଦେଖେଇଲା ଗଳ୍ପ ସାହିତ୍ୟ । ତା’ର ବହୁପୂର୍ବରୁ କବିତା ତା ଚମ୍ପକବରଣା ରୂପରେ ବିମୋହିତ କରିସାରିଥିଲା ବୃହତ୍ତର ପାଠକ ସମାଜ ।
ଗଳ୍ପ , ନଦୀବନ୍ଧ ଯୋଜନାର ଏକ ବୃହତ୍ ସୁଦୃଶ୍ଯ ଜଳଭଣ୍ଡାର ହୋଇପାରେ , କବିତା କିନ୍ତୁ ଶରତର ଛାଇଢଙ୍କା ଶୀତଳ ସ୍ବଚ୍ଛ କାଚକେନ୍ଦୁ ଜଳଧାରର ଶାଶ୍ବତ ପ୍ରବହମାନ ନଦୀଟିଏ । ପଢିଦେଲେ ବିବଶ ମୁହ୍ଯମାନ , ଛୁଇଁଗଲେ ରୋମାଞ୍ଚ ଓ ଶିହରଣ । ଗଳ୍ପ ମସ୍ତିଷ୍କରେ ସ୍ଥାନ ନେଇପାରେ , କବିତା କିନ୍ତୁ ରୃହେ ଛାତିରେ , ହୃତପିଣ୍ଡରେ । ସେଇଥିଲାଗି କୁହାଯାଇଛି , ଧାଡିଏ କବିତାର ବିଶଲ୍ଯକରଣୀ ପାଇଁ ଗାଡିଏ ଗଳ୍ପର ଗନ୍ଧମାର୍ଦ୍ଦନ ବୋହିବାକୁ ପଡେ ।
ଆପଣଙ୍କ ନିତିଦିନିଆ ଜୀବନରେ ସାହିତ୍ୟ କେଉଁ ପ୍ରକାରର ଭିନ୍ନତା ସୃଷ୍ଟିକରିଛି ?
ନିତିଦିନିଆ ଜୀବନ ସ୍ଥୂଳଜଗତର ଦାୟିତ୍ୱ ,କର୍ତ୍ତବ୍ୟ , ଅଙ୍ଗୀକାର , ମାୟା ମୋହର ଜୈବଧର୍ମ ପାଳନ କରୁଥିବା ଏକ ଗୃହପାଳିତର ଜୀବନ । ଗଡ୍ଡାଳିକା ଭାବେ ବଞ୍ଚିଯାଇ ମୁଁ ଆଶ୍ବସ୍ତ , ସୁରକ୍ଷିତ ଓ ସୁଖୀ (?) ବୋଲି ଏକ ମୁଖାପିନ୍ଧା ଗାର୍ହସ୍ଥ୍ଯର ତୁଚ୍ଛା ଆସ୍ଫାଳନ । ଚେତନାର କୋଉ ନିଭୃତ କୋଣରେ କିନ୍ତୁ ଲୁଚିଥାଏ, ମୋତେ ମୋ ଠାରୁ ଅଲଗା କରିବାର ଏକ ଅଦ୍ଭୁତ ଶକ୍ତି । ଯିଏ ଏ ଜାଗତିକ ସଂସାରୀପଣକୁ ତୁଚ୍ଛାଦ ପିତୁଚ୍ଛ ବୋଲି ପ୍ରବର୍ତ୍ତଉଥାଏ । ମନବୋଧ ଚଉତିଶା କି ଟୀକା ଗୋବିନ୍ଦଚନ୍ଦ୍ର ଶୁଣଉଥାଏ । ଯୌବନର ଉଦ୍ଦାମତା , ଦାପ୍ତରିକ ଗାମ୍ଭିର୍ଯ୍ଯତା , ଠୁଳ ସମ୍ପଦର ଅସାରତା ସର୍ବୋପରି ଜୀବନର କ୍ଷଣଭଙ୍ଗୁରତା ବିଷୟରେ ମୋତେ ସଚେତନ କରଉଥାଏ । ତାହା ବୋଧହୁଏ ମୋ ସୃଜନ ମନସ୍କତା , ସାହିତ୍ୟାନୁରାଗ । ସାହିତ୍ୟ ମୋତେ ଶିଖାଇଛି ନମ୍ରତା , ଉଦାରତା , କ୍ଷମା କରୁଣା ଓ ବିନୟୀଭାବ । ମୋ ଚେତନାର ଚଉସୀମାରୁ ସଫାକରିଛି ଅନ୍ଧକାରର ଅଳନ୍ଧୁ , ମନରୁ ହିଂସା ଦ୍ବେଷ ଓ କ୍ରୂରତା , ହୃଦୟରେ ଭରିଦେଇଛି ପ୍ରେମ , ପ୍ରାର୍ଥନା ଓ ପରିଶୁଦ୍ଧତା । ସାହିତ୍ୟ ମୋ ଜୀବନକୁ ପୁନର୍ଗଠିତ କରି ସତ୍ଯାନ୍ବୁଷଣରେ ପରିଧାବିତ କରିଛି । ପରିବ୍ଯାପ୍ତ କରିଛି । ଈଶ୍ବରାଭିମୁଖୀ କରିଛି , ସତ୍ୟ ସନ୍ଧାନୀ କରିଛି । ସାହିତ୍ୟ ମୋତେ ମୋ ଠାରୁ ନିର୍ବାସିତ କରି ଚିର ବସନ୍ତ ବିରାଜୁଥିବା ନିର୍ଜନ ଦ୍ବୀପରେ ଅବସ୍ଥାପିତ କରିଛି ।
ଆପଣଙ୍କ କବିତାରେ ଉତ୍ତର ଆଧୁନିକତାର ସ୍ବର କେତେ ଗଭୀର ବୋଲି ଆପଣ ଭାବନ୍ତି ?
ନିଜ ବିଷୟରେ ରଚନା ଲେଖିବାଠାରୁ ଅସୁସ୍ଥ ପରମ୍ପରା ଆଉ କିଛି ନାହିଁ । ଯାହା ପାଠକମାନଙ୍କ ପାଠ୍ଯକ୍ରମ , ମୁଁ ସେଥିରେ ମୁଣ୍ଡ ପୁରେଇବି କିଆଁ ? ମୁଁ ଏତିକି ଜାଣିଛି , ଆଧୁନିକ କାଳରେ ଜନ୍ମଗ୍ରହଣ କରିଥିବା ସବୁ ମଣିଷ ଯେମିତି ଆଧୁନିକ ନୁହନ୍ତି , ଆଧୁନିକ କାଳଖଣ୍ଡରେ ଲିଖିତ ସବୁ କବିତା ମଧ୍ୟ ଆଧୁନିକ ନୁହେଁ । ଆଧୁନିକୋତ୍ତୋର ତ ପରକଥା । ମୋ କବିତା କେତେ ଉତ୍ତର ଆଧୁନିକ କହିବା ଆଗରୁ କହିରଖେ , ଆମେ ଭାରତୀୟ ଅବା ଉତ୍କଳୀୟମାନେ ଆଜି ବି ସୂର୍ଯ୍ୟପୂଜା କରୁ ଯଦିଓ ଆମେ ଜାଣୁ ସୂର୍ଯ୍ୟ ଏକ ତେଜସ୍କ୍ରିୟ ଉଜ୍ଜଳପିଣ୍ଡ , ଚନ୍ଦ୍ର ଏକ ଉପଗ୍ରହ ଆମ ଶ୍ଯାମଳ ଗ୍ରହର , ଧୂଳି ଧୂଆଁର ଏକ ଶୁଷ୍କ ପତିତ ଇଲାକା (ଜଳଉତ୍ସର ପ୍ରମାଣ ମିଳିଛି କାଳେ) , ଆମେ କିନ୍ତୁ ପୂଜାର୍ଚ୍ଚନା କରୁ । ଅନ୍ଯ ଗ୍ରହ ନକ୍ଷତ୍ରର ସୁଦୃଷ୍ଟିରେ ରହିବାକୁ ଜ୍ୟୋତିଷ ଶାସ୍ତ୍ରର ଆଶ୍ରା ନେଉ । ଆମେ କେତେ ଆଧୁନିକ ସତରେ ? ମୋ କବିତାରେ ତ ମୁଁ ମୋ ଜାତିର , ମୋ ମାଟିର ସ୍ବର୍ଣ୍ଣାଭ ଐତିହ୍ୟ, ପରମ୍ପରା ଓ ଦୀର୍ଘ ସାଂସ୍କୃତିକ ମୂଲ୍ଯବୋଧର କଥା କୁହେ । ମିଥର ବ୍ଯବହାର ବହୁଳଭାବେ ପ୍ରୟୋଗ କରେ । ଆଧୁନିକତା ଗୋଟେ ଦୃଷିକୋଣ , ଗୋଟେ ସଙ୍କେତ , କେଜାଣି ବିଜ୍ଞ ପାଠକମାନେ ତାହା ଅନୁଭବ କରନ୍ତି କି ନାହିଁ ?
ଓଡ଼ିଆ ସାହିତ୍ୟ ଏକାଡେମୀର ଜଣେ ସଦସ୍ୟ ଭାବେ ଆପଣ ଅନେକ ଗୁରୁଦାୟିତ୍ୱରେ ଥିବେ । ସେ ବିଷୟରେ କିଛି କହିବେ ।
ହଁ , ସାହିତ୍ୟ ଏକାଡେମୀର ମୁଁ ଜଣେ ନିର୍ବାଚିତ ସଦସ୍ୟ । ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର , ପ୍ରସାର , ବିକାଶ ଲାଗି ନିରନ୍ତର ପ୍ରଚେଷ୍ଟା ଓ ନିଷ୍ପକ୍ଷ ବିଚାରବୋଧରେ ପ୍ରତିଭାଚୟନ କରି ଯୋଗ୍ଯ ସାରସ୍ଵତ ସାଧକମାନଙ୍କୁ ସମ୍ମାନ ଓ ପୁରସ୍କୃତ କରିବା ସାହିତ୍ୟ ଏକାଡେମୀର ପ୍ରମୁଖ କର୍ତ୍ତବ୍ୟ । ସାହିତ୍ୟ ଏକାଡେମୀ ଏକ ସହଭାଗିତା ଓ ସମଭାଗିତା ଅନୁଷ୍ଠାନ । ଘଟଣାଚକ୍ରରେ ମୁଁ ଏକାଡେମୀରେ ପଶିଯାଇଛି । ଗୁରୁଦାୟିତ୍ୱ ଆଉ କ’ଣ ? ମୁଁ ସାଧାରଣ ସଦସ୍ଯଟିଏ ମାତ୍ର । ଗୁରୁଦାୟିତ୍ୱ ବହନ କରନ୍ତି ସଭାପତି, ସଚିବ , ନିର୍ଦ୍ଦେଶକ ଓ କାର୍ଯ୍ୟକାରୀ ପରିଷଦର ସଦସ୍ୟବୃନ୍ଦ , ସେମାନଙ୍କ ନିଷ୍ପତ୍ତି ଆମ ସାଧାରଣ ପରିଷଦମାନଙ୍କ ଦ୍ବାରା ପାରିତ ହୋଇଥାଏ । ଏହା ହିଁ ବିଧିବ୍ଯବସ୍ଥା । ଅନ୍ଯ ଅର୍ଥରେ କହିଲେ , ଦାୟିତ୍ବ କେହି କାହାକୁ ଦିଏ ନାହିଁ ; ଏହା କର୍ମ ପ୍ରବଣତାର ଏକ ମାନସିକତା । କାର୍ଯ୍ୟ କରିବାର ଆଗ୍ରହ ଓ ଦକ୍ଷତା ଥିଲେ , ଦାୟିତ୍ବ ପିଠିରେ ନାଉ ହୁଏ । ମୋ ସୀମିତ ସ୍ବାଧୀନତା ଓ ସାମର୍ଥ୍ଯାନୁଯାୟୀ ମୁଁ ମୋ କର୍ତ୍ତବ୍ୟ କରୁଛି । ଏକାଡେମୀ ଯେବେ ଯେଉଁ ଦାୟିତ୍ୱ ଦେଇଛି ଓ ଭବିଷ୍ୟତରେ ଦେବ , ପୂର୍ଣ୍ଣପ୍ରାଣରେ ସମ୍ପାଦିଛି ଓ ସମ୍ପାଦିବାକୁ ନିଜ ଅନ୍ତରାତ୍ମା ପାଖରେ ପ୍ରତିଶ୍ରୁତିବଦ୍ଧ ।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?
କେତେ ବା ସୃଷ୍ଟି ମୋର ? କେତେ ବା ମୋର ସାହିତ୍ୟ ସାଧନା ? ସାହିତ୍ୟ ପାରାବାରର ବେଳାଭୂମି କଡରେ ଭଙ୍ଗା ଚାଳିଆ ଛାଇରେ ବସି ମୁଁ ନିର୍ନିମେଷ ନୟନରେ ଦେଖିଆସୁଚି କେତେ କେତେ ପ୍ରତିଭାଧର ସାଧକମାନଙ୍କ ସୃଜନର ମନ୍ଦ୍ରମଧୁର ଢେଉର ବିଚିତ୍ରବର୍ଣ୍ଣା ସମର୍ପିତ ରୂପ । ୨୫ ବର୍ଷର ସାଧନା(?) ଭିତରେ ମାତ୍ର ୪ ଟି ପ୍ରକାଶିତ ସଂକଳନ , ଅପ୍ରକାଶିତ ପାଣ୍ଡୁଲିପି ତ ପ୍ରାମାଣିକ ଚିତ୍ର ନୁହେଁ ନା । ସ୍ବାତୀ ଲଗ୍ନରେ ବର୍ଷା , ସ୍ବଗତୋକ୍ତି , ସ୍ବରବର୍ଣ୍ଣ ଓ ସ୍ବପ୍ନ ପାଖାପାଖି ନାମରେ ଏ ମାନସ ସନ୍ତାନମାନେ ମୋତେ ବିଭିନୁ କାରଣରୁ ସମାନ ଦିଶନ୍ତି । ପରୀକ୍ଷା ପ୍ରଶ୍ନର ଉତ୍ତର ଭଳି ଯଦି କୁହେ , ତେବେ ମୁଁ ସ୍ବରବର୍ଣ୍ଣ ଓ ସ୍ବପ୍ନ ପାଖାପାଖିର ନାଁ ନେବି ।
ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହେବା ଉଚିତ ?
ଭାଷାଭିତ୍ତିରେ ଗଠନ ହୋଇଥିବା ଭାରତର ପ୍ରଥମ ରାଜ୍ଯ, ଶାସ୍ତ୍ରୀୟ ମାନ୍ଯତା ପାଇଥିବା ଅନ୍ଯତମ ମର୍ଯ୍ୟାଦାବନ୍ତ ଭାଷା ସାହିତ୍ୟର ଉନ୍ନତୀକରଣ ଆବଶ୍ଯକ ପଡିଲାଣି କି ? ଯିଏ ସ୍ବୟଂ ସମ୍ପୂର୍ଣ୍ଣ ଶିଖରରେ ଯେଉଁ ଭାଷାର ଅବସ୍ଥାନ , ତା’ର ଆଉ ପୁନର୍ଗଠନ କରି ଉନ୍ନତି ଆଣିବା ଆବଶ୍ୟକ ପଡୁନି । ମୋ ଭାଷା ସାହିତ୍ୟର ଯେଉଁ ସ୍ବର୍ଣ୍ଣାଭ ପ୍ରାଚୀନ ଐତିହ୍ୟ ଓ ଇତିହାସ ଅଛି , ତା’ର ପନ୍ଦର ଶତାଂଶ ବି ଆମେ ବ୍ଯବହାର କରିପାରିନୁ । ବିଡମ୍ବନା, ଅନ୍ଯ ଦେଶର ମିଶ୍ରିତ ଭାଷାର ହନୁକରଣ କରି ଆମେ ନିଜ ମାତୃଭାଷାର ଅବମାନନା କରୁଛୁ । ସୋସିଆଲ ମେଡିଆରେ ଯେଉଁ ଓଡ଼ିଆ ଶବ୍ଦ ଆଙ୍କରରମାନେ ବ୍ଯବହାର କରୁଛନ୍ତି , ଏ କୋଉ ଦେଶର ଭାଷା ବୋଲି ମୁଁ ସନ୍ଦେହରେ ପଡିଯାଏ । ଦ୍ବିତୀୟତଃ ଭାଷା ସାହିତ୍ୟ ରକ୍ଷା କରିବାର ଦାୟିତ୍ୱ କ’ଣ କେବଳ କବି ଲେଖକମାନଙ୍କର ଏକଚାଟିଆ ଅଙ୍ଗୀକାର ? ଆଉ କେହି ଓଡ଼ିଆ କହୁନାହାନ୍ତି ? ଡାକ୍ତର, ଯନ୍ତ୍ରୀ , ମନ୍ତ୍ରୀ , ଓକିଲ , ଚାକିରିଆ , ବ୍ଯବସାୟୀ , ଶିକ୍ଷକ ,ଶ୍ରମିକ ଇତ୍ୟାଦି କାହାର ଦାୟିତ୍ୱ ନାହିଁ ? କେବଳ କବି ଲେଖକଙ୍କୁ ଏ ପ୍ରଶ୍ନର କାଠଗଡାରେ ଜେରା କରାଯାଏ କାହିଁକି ? ବିଚରାମାନେ ତ ନିଜ ସାମର୍ଥ୍ୟ ଅନୁଯାୟୀ ଆମ ଭାଷା ସାହିତ୍ୟର ମାନବୃଦ୍ଧି କରିବାପାଇଁ ଉଦୟାସ୍ତ ଲାଗିଛନ୍ତି । ଅନୁଦିତ କରି ଅନ୍ଯରାଜ୍ଯରେ ଆମ ସାହିତ୍ୟର ଭାସ୍କର୍ଯ୍ୟ ଓ ଗୁଣବତ୍ତାର ପରିଚୟ ସୃଷ୍ଟି କରିବା ସହିତ ପରାକାଷ୍ଠା ବି ଦେଖଉଛନ୍ତି , ସବୁ ତର୍ଜନୀ ତାଙ୍କ ଆଡକୁ କାହିଁକି ? ଲାଗେ , ଯେଉଁଦିନ ଏ ପୃଥିବୀର ସମସ୍ତ ମୋବାଇଲ୍ ଟାଓ୍ବାର ଅଚଳ ହୋଇଯିବ , ତା’ର ବର୍ଷେ ଦୁଇବର୍ଷ ଭିତରେ କେବଳ ଆମ ଭାଷା ସାହିତ୍ୟ ନୁହେଁ , ସବୁ ଦେଶର ଭାଷାରେ ସ୍ବତଃ ଉନ୍ନତି ଆସିଯିବ । ସମସ୍ତେ ପୁଣି ବହିପାଖକୁ ଫେରିବେ , ନିଜ ଭାଷା ପଢିବେ , ଶିଖିବେ , ଶୁଦ୍ଧ ଉଚ୍ଚାରଣ କରିବେ । ଏ ପ୍ରଶ୍ନର ଆଉ ପୁନରାବୃତ୍ତି ଘଟିବ ନାହିଁ । କେବଳ ଗ୍ରହଣଶୀଳ ହୃଦୟରେ ନିଜ ଭାଷାକୁ ଭଲପାଇଲେ ଆପଣାଛାଏଁ ଉଜ୍ଜ୍ୱଳି ଉଠିବ । ମୋ ଭାଷା ମୋ ପରିଚୟ , ମୋ ସ୍ବାଭିମାନ , କେବଳ ଏତିକି ବିନମ୍ର ଯତ୍ନବାନ ହେଲେ , ମୋ ମାତୃଭାଷା ମାଆ ମାଆ ଦିଶିବ ।
Comments are closed.