Latest Odisha News

BREAKING NEWS

ଗ୍ୟାସ୍ ସିଲିଣ୍ଡରରେ ଫସିଲା ନାଗ, ଫଣା ଟେକି ଗର୍ଜନ କରୁଥିଲା

କଟକ: ରୋଷେଇ ଘରେ ଗ୍ୟାସ ସିଲିଣ୍ଡରରେ ଚାପି ହୋଇ ଫସିଲା ସାପ । ବାହାରିବାକୁ ଚେଷ୍ଟା କରିଥିଲେ ବି ମୁକୁଳି ପାରିଲା ନାହିଁ । ସାପର ଲାଞ୍ଚ ସିଲିଣ୍ଡର ତଳେ ଚାପି ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀ ଢ଼ଅଂସର ପଞ୍ଚାୟତର ରତ୍ନାକର ସାହୁଙ୍କ ଘରେ ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ରୋଷେଇ ଘରକୁ ଖାଇବା ଆଣିବା ପାଇଁ ଯାଇଥିଲେ ରତ୍ନାକରଙ୍କ ମାଆ । ସେତେବେଳେ ହଠାତ ଗ୍ୟାସ ସିଲିଣ୍ଡର ଟାଙ୍କି ତଳୁ ଏକ ନାଗ ସାପ ସୁ ସୁ ଗର୍ଜନ କରୁଥିବା ଦେଖିଥିଲେ । ଏପରିକି ତାଙ୍କୁ ଚୋଟ ମାରିବାକୁ ଉଦ୍ୟମ କରିଥିଲା । ଭୟରେ ସେ ଘର ବାହାରକୁ ଆସି ଅନ୍ୟମାନଙ୍କୁ ଜଣାଇଥିଲେ ।
ଘର ଲୋକ ଦେଖିଥିଲେ ସିଲିଣ୍ଡରରେ ଚାପି ହୋଇଯାଇଛି ସାପର ଲାଞ୍ଜ । ସାପ ଦେଖିବାକୁ ରତ୍ନାକରଙ୍କ ଘରେ ଗାଁ ଲୋକଙ୍କ ଭିଡ ହେଲା । ସାପ ଫଣା ଟେକି ରହିଥିବାରୁ କେହି ସିଲିଣ୍ଡରକୁ ହଟାଇବା ପାଇଁ ସାହାସ ଜୁଟାଇ ପାରି ନଥିଲେ । ଖବର ପାଇଁ ସେଠାରେ ପହଞ୍ଚିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ।
ରାତି ପ୍ରାୟ ସାଢ଼େ ୧୦ଟାରେ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଅମିତ ସାହୁ ପହଞ୍ଚିଥିଲେ । ପ୍ରଥମେ ଲୋକଙ୍କୁ ସେଠାରୁ ବାହାର କରାଯାଇଥିଲା । ତାପରେ ଆରମ୍ଭ ହୋଇଥିଲା ଅପରେସନ୍ ନାଗରାଜ । ସାପ ଫଣା ଟେକି ରହିଥିବାରୁ ତାର ଲାଞ୍ଜକୁ ଧରିବା କଷ୍ଟକର ହୋଇଥିଲା । ଫଳରେ ମୁଣ୍ଡକୁ ସ୍ନେକ ହୁକ୍ ସାହାଯ୍ୟରେ ଚାପି ଧରିବା ପରେ ଗ୍ୟାସ ସିଲିଣ୍ଡରକୁ ଧୀରେ ଧୀରେ ହଟାଇବା ପରେ ବାହାରିଥିଲା ସାପ ।
ସାପଟିକୁ ଉଦ୍ଧାର କରି ରୋଷେଇ ଘରୁ ବାହାରକୁ ଆଣିଥିଲେ ଲଳିତ । ସିଲିଣ୍ଡର ଚାପି ହୋଇଥିବା ଜାଗାରେ କ୍ଷତ ହୋଇଛି କି ନାହିଁ ଭଲ ଭାବରେ ପରଖିଥିଲେ । କୌଣସି ବାହ୍ୟ କ୍ଷତର ଚିହ୍ନ ନଥିଲା । ସାପଟି ତଳେ ଠିକରେ ଚଳପ୍ରଚଳ କରି ପାରୁଥିଲା । ଏହାପରେ ତାକୁ ଗାଁଠାରୁ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଥିଲା । ସାପଟିର ଲମ୍ବ ୪ ଫୁଟ୍ ହେବ ।

Comments are closed.