ଭୁବନେଶ୍ୱର: ଅଭିଜ୍ଞତା, ବରିଷ୍ଠତା ନା କାର୍ଯ୍ୟଦକ୍ଷତା । କାହାକୁ ମାନକ କରି ନିଯୁକ୍ତ ହେବେ ନୂଆ ଡିଜି? କାହା ନାଁରେ ବାଜିବ ମୋହର? କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି, ସେନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । କାରଣ ଆସନ୍ତାକାଲି ଅର୍ଥାତ୍ ୩୦ ନଭେମ୍ବର ସୋମବାର ସରୁଛି ବର୍ତ୍ତମାନର ଡିଜିପି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ । ତେଣୁ ପରବର୍ତ୍ତୀ ଡିଜି କିଏ ହେବେ ସେନେଇ ଚର୍ଚ୍ଚା ସମାଲୋଚନା । ପୂର୍ଣ୍ଣକାଳୀନ ନା ଅନ୍ତରୀଣ ଡିଜିପି ନିଯୁକ୍ତ ହେବେ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି । ଡିଜିପି ନିଯୁକ୍ତିକୁ ନେଇ ସସପେନ୍ସ ହଟୁନଥିବା ବେଳେ ସେପଟେ ବିନୟତୋଷ ମିଶ୍ରଙ୍କୁ କିନ୍ତୁ ଅବସର ପାଇଁ ଗୃହ ବିଭାଗ ପକ୍ଷରୁ ଅନୁମତି ମିଳିସାରିଛି । ତେଣୁ ନୂଆ ଡିଜିପି ନିଯୁକ୍ତି ନେଇ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ସମ୍ଭବତଃ ଆଜି କିମ୍ବା ଆସନ୍ତାକାଲି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ କାମଚଳା ଡିଜିପି ଭାବେ ମିଳିପାରେ ଦାୟିତ୍ୱ । ଗତ ସେପ୍ଟେମ୍ବର ୨୯ରେ ଡିଜିପି ଚୟନ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏଯାଏ ରାୟ ପ୍ରକାଶ ପାଇନଥିବାରୁ ବୋଧହୁଏ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତିରେ ବିଳମ୍ବ ହୋଇପାରେ । ତେଣୁ କାମଚଳା ବା ଅନ୍ତରୀଣ ଡିଜିପି ଭାବେ ମିଳିପାରେ ଦାୟିତ୍ୱ ।
ସେପଟେ ଡିଜିପି ରେସରେ ଅଛନ୍ତି ୪ଜଣ ବରିଷ୍ଠ ଆଇପିଏସ୍ । ଅଗ୍ନିଶମ ଡିଜି ଭାବେ ଦାୟିତ୍ୱରେ ଥିବା ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ଥିବା ଆର.ପି କୋଚେ, ୧୯୯୪ ବ୍ୟାଚର ସଂଜୀବ ପଣ୍ଡା ଓ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବା ଯଶୋବନ୍ତ ଜେଠୱା । ତେବେ ଆର.ପି କୋଚେଙ୍କୁ କାମଚଳା ଡିଜି ଭାବେ ଦାୟିତ୍ୱ ମିଳିପାରେ ବୋଲି ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । କେବଳ ଅପେକ୍ଷା ସରକାରୀ ଘୋଷଣାକୁ ।
