Latest Odisha News

BREAKING NEWS

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନର ସବୁ ମନ୍ତ୍ରୀ ଦେଲେ ଇସ୍ତଫା

ଜୟପୁର : ଆସନ୍ତାକାଲି ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ଗଠନ କରିବ ନୂଆ ମନ୍ତ୍ରିମଣ୍ଡଳ । ହେଲେ ଏହା ପୂର୍ବରୁ ଆଜି ସବୁ ମନ୍ତ୍ରୀ ନିଜ ପଦରୁ ଦେଇଛନ୍ତି ଇସ୍ତଫା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟକୁ ସମସ୍ତେ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ମନ୍ତ୍ରୀମାନେ ଇସ୍ତଫା ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ୟାବିନେଟ ବୈଠକ ଡାକିଥିଲେ । ବୈଠକ ପରେ ସବୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆସନ୍ତାକାଲି ରାଜଭବନରେ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ନେବେ ।

ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତାକୁ ନେଇ ଏକ ପକାର ଛକାପଞ୍ଝା ଲାଗି ରହିଥିଲା । ଏପରିକି ମନ୍ତ୍ରିମଣ୍ଡଳରେ ବିଭାଗକୁ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା । ଏହାସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ସେହିପରି ସଚିନ ପାଇଲଟ ମଧ୍ୟ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ । ତେବେ ରାଜସ୍ଥାନରେ ବଢୁଥିବା ଦଳୀୟ କନ୍ଦଳକୁ ଦୂର କରିବା ପାଇଁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ଅନୁମତି ଦେଇଥିଲେ ସୋନିଆ ଗାନ୍ଧି । ଆଜି ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ଥିବା ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ସଚିନ ପାଇଲଟଙ୍କ ସହଯୋଗୀଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି ।

Comments are closed.