ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୫
ମୂଳ ଉର୍ଦ୍ଦୁ: ରାଜୀନ୍ଦର ସିଂହ ବେଦୀ
‘ଲାଜକୁଳି ଲତା ସିଏ, ଛୁଅନାହିଁ ତାକୁ କେହି, ଲାଜରେ ଦେବ ସେ ଆଖିବୁଜି ଅକାଳରେ ଯିବ ହଜି । ପଞ୍ଜାବୀ ଲୋକଗୀତ ବିଭାଜନର ଦଙ୍ଗା ଶେଷରେ ଥମିଗଲା । ହଜାର ହଜାର ଲୋକ ପୁଣି ଭାଇଭାଇ ବୋଲି ପରସ୍ପର ସହ ହାତ ମିଳାଇଲେ । ପାପୁଲିରେ ଲାଗିଥିବା ରକ୍ତକୁ ଧୋଇନେଲେ, ଶରୀରରେ ଲାଗିଥିବା ମଇଳାକୁ ସଫା କରି ପକାଇଲେ । ଯେଉଁମାନେ ଏପରି ରକ୍ତପାତରେ ମରି ନ ଥିଲେ କିନ୍ତୁ ସର୍ବସ୍ୱ ହରାଇ କାଙ୍ଗାଳ ପାଲଟିଥିଲେ, ସେମାନଙ୍କ ହୃଦୟ ଦୁଃଖରେ ଭରି ଯାଇଥିଲା । ଏବେ ସେଇମାନଙ୍କ ସୁରକ୍ଷା ଓ ଥଇଥାନପାଇଁ ସମସ୍ତେ ପୁଣି ଥରେ ଅଣ୍ଟା ଭିଡ଼ିଲେ ।
ପ୍ରତି ଗଳିରେ, ପ୍ରତି ଅଞ୍ଚଳରେ ‘ଥଇଥାନ’ କମିଟିମାନ ଗଠନ କରାଯାଇଥିଲା । ପ୍ରଥମେ ପ୍ରଥମେ ଲୋକମାନଙ୍କ ମନରେ ପ୍ରବଳ ଉତ୍ସାହ, ଉଦ୍ଦୀପନା ପ୍ରକାଶ ପାଇଲା । ‘ଉଦବାସ୍ତୁମାନଙ୍କପାଇଁ ବ୍ୟବସାୟ କାର୍ଯ୍ୟକ୍ରମ’, ‘ଶରଣାର୍ଥୀମାନଙ୍କପାଇଁ ଭୂମି ଯୋଜନା’, ‘ବାସହୀନଙ୍କପାଇଁ ଘର ଯୋଗାଣ’ଏମିତିି କେତେ କ’ଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । କିନ୍ତୁ ଗୋଟିଏ କଥାକୁ ସମସ୍ତେ ଭୁଲି ଯାଇଥିଲେ । ଯେଉଁସବୁ ମହିଳାମାନଙ୍କୁ ଅପହରଣ କରାଯାଇ, ସେମାନଙ୍କ ପ୍ରତି ବଳାତ୍କାର କରାଯାଇଥିଲା, ସେମାନଙ୍କୁ କିପରି ଭାବେ ଥଇଥାନ କରାଯିବ ସେଥିଲାଗି କିଛି ହେଲେ ଯୋଜନା ଆରମ୍ଭ ହୋଇ ନ ଥିଲା । ଅବଶ୍ୟ କେହି କେହି ସ୍ଲୋଗାନମାନ ଦେଇଥିଲେ, ‘ସେମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କର, ସେମାନଙ୍କ ନିଜ ହୃଦୟରେ ସ୍ଥାନ ଦିଅ ।’ ହେଲେ ନାରାୟଣ ବାବାଙ୍କ ମନ୍ଦିରର ପୂଜକମାନେ ଏପରି କାର୍ଯ୍ୟକ୍ରମକୁ ଘୋର ବିରୋଧ କରୁଥିଲେ । ଏପରିକି କିଛି ଭଦ୍ରଲୋକ ଓ ରକ୍ଷଣଶୀଳ ଲୋକ ଏପରି ସ୍ଲୋଗାନକୁ ଆଦୌ ପସନ୍ଦ କରୁ ନଥିଲେ ।
ନାରାୟଣ ବାବା ମନ୍ଦିର ପାଖକୁ ଲାଗି ‘ମୋହଲ୍ଲା ସାକୁର’ର ପ୍ରତିବେଶୀମାନେ ଏପରି ନିୟମକୁ କାର୍ଯ୍ୟକାରୀ କରିବା ସକାଶେ ଗୋଟିଏ କମିଟ ଗଠନ କଲେ । ଏ କମିଟିର ସେକ୍ରେଟାରୀ ଭାବେ ବାବୁ ସୁନ୍ଦରଲାଲଙ୍କୁ ନିର୍ବାଚିତ କରାଗଲା । ତାଙ୍କୁ ଏଗାର ଜଣ ସଦସ୍ୟ ସମର୍ଥନ କଲେ । ସର୍ଦାର ସା’ବ ସେ ଇଲାକାର ଜଣେ ଜଣାଶୁଣା ଓକିଲ । ଚୌକି କଲାନର ସିଏ ଜଣେ ପୁରୁଣା ଆବେଦନକାରୀ । ତାଙ୍କ କହିବା କଥା ଅନୁସାରେ, ସୁନ୍ଦରଲାଲଙ୍କ ଠାରୁ ଅଧିକ ଆଗ୍ରହ ଓ ନିଷ୍ଠାର ସହ ଅନ୍ୟ କେହି ଏ କାର୍ଯ୍ୟ ସମ୍ପାଦନ କରିପାରିବେ ନାହିଁ । କାରଣ, ତାଙ୍କ ନିଜ ପତ୍ନୀଙ୍କୁ କେହି ଅଟକ ରଖିଥିଲେ ଯେ ପର୍ଯ୍ୟନ୍ତ ତାଙ୍କୁ ଖୋଜା ଚାଲିଥିଲା । ତାଙ୍କ ପତ୍ନୀଙ୍କ ନାଁ ଲାଜୋ- ଲାଜବନ୍ତୀ ।
ପ୍ରତିଦିନ ସକାଳେ ସୁନ୍ଦରଲାଲ, ରସାଲୁ, ନେକି ରାମ୍ ଓ ଅନ୍ୟ କେଇଜଣ ସହରର ରାସ୍ତା ଉପରେ ପଟୁଆରଟିଏ ବାହାର କରନ୍ତି । କେତେପ୍ରକାର ପ୍ରାର୍ଥନା ଓ ଲୋକଗୀତ ବୋଲନ୍ତି । ଯେତେବେଳେ ସେମାନେ ଗୀତ ବୋଲନ୍ତି- ‘ଲାଜକୁଳି ଲତା ସିଏ/ ଛୁଅନାହିଁ ତାକୁ କେହି/ ଲାଜରେ ସେ ଦେବ ଆଖିବୁଜି/ ଅକାଳରେ ଯିବ ହଜି’, ସୁନ୍ଦରଲାଲଙ୍କ କଣ୍ଠ ଆପେ ଆପେ ବାଷ୍ପରୁଦ୍ଧ ହୋଇଯାଏ ଓ ତାଙ୍କ ଆଖିରେ ଲୁହ ଭରିଯାଏ । ସିଏ ଏଥର କେବଳ ପଟୁଆରରେ ନୀରବରେ ଚାଲନ୍ତି ସତ କିନ୍ତୁ ତାଙ୍କ ମନ ଅନ୍ୟ କେଉଁଠି ଥାଏ । ସେ ମନେ ମନେ ଲାଜବନ୍ତୀ ଏବେ କେଉଁଠି ଅଛି, କେମିତି ଅଛି, ସେଇକଥା ଚିନ୍ତା କରିଚାଲନ୍ତି ।
ଲାଜବନ୍ତୀ କ’ଣ ତାଙ୍କ କଥା ଭାବୁଥିବ,ସେ ଆଉ ତାକୁ ଦେଖିପାରିବେ କି ନାହିଁ, ଏକଥା ଭାବିବା ମାତ୍ରେ ତାଙ୍କ ମନ ଅଧୀର ହୋଇଉଠେ । ପଥୁରିଆ, ଟାଣ ରାସ୍ତା ଉପରେ ତାଙ୍କ ପାଦ ଏଣେ ତେଣେ ହୋଇ ପଡ଼େ । କିନ୍ତୁ କିଛି ଦିନ ପରେ ଏମିତି ସମୟ ଆସିଲା ଯେତେବେଳେ ସୁନ୍ଦରଲାଲ ଆଉ ଲାଜବନ୍ତୀ କଥା ଏତିକି ଉତ୍କଣ୍ଠାର ସହ ଭାବିବାକୁ ଅବସର ପାଇଲେନି । ନିଜ ମନର ଦୁଃଖ ଲାଘବ କରିବା ସକାଶେ ସିଏ ଅନ୍ୟମାନଙ୍କ ଦୁଃଖ ଦୁର୍ଦ୍ଦଶାରେ ସମଦୁଃଖୀ ହେବାକୁ ଆରମ୍ଭ କଲେ । ଅନ୍ୟମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କଲେ ।
ଅନ୍ୟମାନଙ୍କ କାମରେ ନିଜକୁ ନିମଜ୍ଜିତ କଲେ ସୁଦ୍ଧା ବେଳେବେଳେ ତାଙ୍କ ମନକୁ ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରେ- ମଣିଷ ଜୀବନ ସତରେ ପାଣିଫୋଟକାଟିଏ ପରି! କିଏ ଟାଣିକରି କଥା ପଦେ କହିଦେଲେ ମନ ଦୁଃଖରେ ଭରିଯାଉଛି । ସତରେ ଲାଜକୁଳି ଲତା ଠାରୁ ଆହୁରି ସୂକ୍ଷ୍ମ, ଆହୁରି ସ୍ପର୍ଶକାତର । କାହାର ଛାଇ ପଡ଼ିଲେ ବି ସିଏ ଡରିଯାଏ, ମଉଳି ପଡ଼େ । ସୁନ୍ଦରଲାଲଙ୍କର ମନେପଡ଼ିଲା, ପାଖରେ ଥିବାବେଳେ ଲାଜବନ୍ତୀ ପ୍ରତି ସିଏ କେତେ ହତାଦର କରିନାହାନ୍ତି! ଏମିତି କାଇଁକି ବସିଛୁ, ଏମିତି କାଇଁକି ଚାହିଁଛୁ , ଏମିତି ଫୋପଡ଼ା କଚଡ଼ା କରି କାଇଁକି ଖାଇବାକୁ ଦେଲୁ ବୋଲି କହି ସିଏ ତାକୁ ଅନେକଥର ମାଡ଼ ବି ମାରିଛନ୍ତି ।
ବିଚାରୀ ଲାଜବନ୍ତୀ, ଗାଉଁଲି ଝିଅଟିଏ । ଦେଖିବାକୁ ଯେମିତି ସାଦାସିଧା, ସେମିତି ନରମ । କୃଶାଙ୍ଗୀ କିନ୍ତୁ କଅଁଳ ଲତାଟିଏ ପରି ବେଶ୍ ସତେଜ ଓ କର୍ମଚଞ୍ଚଳ । ସୂର୍ଯ୍ୟକିରଣରେ ସତେ କି ତା’ଚର୍ମ ଆହୁରି ଉଜ୍ଜ୍ୱଳ ଦିଶେ । ସଦା ଚଳଚଞ୍ଚଳ ଓ ହସହସ ମୁହଁ । ଚାଲିଲେ ଲାଗେ ଯେମିତି ପଦ୍ମପଦ୍ର ଉପରେ ଶିଶିର ବିନ୍ଦୁଟିଏ ଢଳଢଳ ହେଉଛି । ସୁନ୍ଦରଲାଲ ଯେଉଁଦିନ ପ୍ରଥମେ ତାକୁ ଦେଖିଥିଲେ, ମନେମନେ ଭାବିଥିଲେ, ତା’ଘରର ଦୁଃଖକଷ୍ଟ ସହ ଲାଜବନ୍ତୀ ନିଜକୁ ଖାପ ଖୁଆଇ ପାରିବ ନାହିଁ । ସୁନ୍ଦରଲାଲ ନିଜେ ଦେଖିବାକୁ ଯେମିତି ଡେଙ୍ଗା ଚଉଡ଼ା, ସେମିତି ହୃଷ୍ଟପୁଷ୍ଟ । କିନ୍ତୁ, ପରେ ସେ ଅନୁଭବ କରିଥିଲେ ଯେ ତାଙ୍କ ଘରର ଦୁଃଖକଷ୍ଟ, କାମଧନ୍ଦା ଏପରିକି ତା’ର ଗାଳିଗୁଲଜ ଓ ମାଡ଼କୁ ସୁଦ୍ଧା ଲାଜବନ୍ତୀ ସମ୍ଭାଳି ନେଇପାରିବ ।
ବେଳେବେଳେ ସିଏ ତାକୁ ଅତି ନୃଶଂସଭାବେ ପିଟୁଥିଲେ । ଏପରିକି ମାରିଲାବେଳେ ସୁନ୍ଦରଲାଲ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ଏପରି ମାଡ଼ ଖାଇ, ଗାଳିଗୁଲଜ ସହି କେହି ରହି ପାରିବେନି । କିନ୍ତୁ ଲାଜବନ୍ତୀ ଏସବୁ ରାଗରୋଷ, ମାରଧର, ଗାଳି ଗୁଲଜକୁ ଭୁଲିଯାଏ । ମନରୁ ପୋଛି ପକାଏ । ଏମତିକି, ସୁନ୍ଦରଲାଲ ଯେଉଁଦିନ ତାକୁ ନିର୍ଦ୍ଦୟ ଭାବେ ବାଡ଼ାନ୍ତି, ଲାଜବନ୍ତୀ ହସି ହସି ସୁନ୍ଦରଲାଲଙ୍କ ମୁହଁକୁ ଚାହେଁ । ମୁରୁକି ହସି ସୁନ୍ଦରଲାଲାର ବେକରେ ନିଜର ଦୁଇ ହାତକୁ ଗଳାଇ ସ୍ନେହରେ କହେ, ‘ତୁମେ ଯଦି ଆଉ ଥରେ ମୋ ଉପରକୁ ହାତ ଉଠେଇବ, ତା’ହେଲେ ମୁଁ ତୁମ ସାଙ୍ଗରେ ଜମ୍ମା କଥା ହେବିନି ।’
ସିଏ ଯେ ମାଡ଼ କଥା ଭୁଲିଯାଇଛି ଓ ମନରେ ଧରିନି ସେଥିରୁ ସ୍ପଷ୍ଟ ବୁଝାପଡ଼େ । ଗାଆଁରୁ ଅନ୍ୟ ଝିଅବୋହୂଙ୍କ ଭଳିଆ ତାକୁ ବି ଜଣାଥିଲା ଯେ ସବୁ ସ୍ୱାମୀ ସେମାନଙ୍କ ପତ୍ନୀମାନଙ୍କୁ ମାରଧର କରନ୍ତି । ସତ କଥା, ଯଦି କେହି ସ୍ୱାମୀ ତାଙ୍କ ପତ୍ନୀଙ୍କୁ ସ୍ୱାଧୀନତା ଦେଲା ଓ ଆକଟରେ ନ ରଖିଲା, ତା’ହେଲେ ସିଏ ସ୍ତ୍ରୀ ନିଶ୍ଚୟ ତା’ ସ୍ୱାମୀର ନାକ ଦିନେ ନା ଦିନେ କାଟିବ । ଅନ୍ୟ ଲୋକମାନେ ବି କଥାବାର୍ତ୍ତା ହେବେ, ‘ଆରେ, କି ଭଳିଆ ଲୋକ? ନିଜ ଭାରିଯାକୁ ସୁଦ୍ଧା ଆୟତ୍ତରେ ରଖି ପାରୁନି!’ ସମାଜର ରୀତିନୀତି ଓ ଚଳଣି ହେଲା ଏଇଆ- ସ୍ୱାମୀମାନେ ସେମାନଙ୍କ ପତ୍ନୀମାନଙ୍କୁ ମାରଧର କରି ଡ଼ରାଇ ଧମକାଇ ରଖିବେ । ଏଇ କଥା ତ ସେମାନଙ୍କ ଲୋକଗୀତରେ କେଉଁକାଳୁ ରହିଆସିଛି ।
ଲାଜୋ ନିଜେ ତ ଗୀତ ଗାଏ: ‘ମୁଁ ସହରୀ ପୁଅକୁ ହେବିନି ବାହା / ତା’ପାଦରେ ପରା ଓଜନ ଜୋତା/ ମୋ ବେକକୁ ଦେବ ଭାଙ୍ଗି …’ ଗୀତ କଥା ନିଆରା । ଲାଜବନ୍ତୀ କିନ୍ତୁ ଯେଉଁଦିନ ସହରୀ ପୁଅକୁ ଦେଖିଥିଲା, ତା’ପ୍ରେମରେ ମୁହୂର୍ତ୍ତକ ଭିତରେ ପଡ଼ି ଯାଇଥିଲା । ଆଉ ସେ ପୁଅଟି ଥିଲେ ସୁନ୍ଦରଲାଲ । ଲାଜବନ୍ତୀର ଭଉଣୀ ବାହାଘର ବେଳେ ବରଯାତ୍ରୀଙ୍କ ସାଥିରେ ମିଶି ସୁନ୍ଦରଲାଲ ତାଙ୍କ ଗାଁକୁ ଆସିଥିଲେ। ସୁନ୍ଦରଲାଲଙ୍କର ଲାଜବନ୍ତୀ ଉପରେ ନଜର ପଡ଼ିବାମାତ୍ରେ ସିଏ ବର କାନରେ ଚୁପିଚୁପି କହିଥିଲା,‘ଆଃ! ତୋ ଶାଳୀରତ୍ନଟି କି ସୁନ୍ଦରୀ ସାଙ୍ଗ! ତୋ ସ୍ତ୍ରୀ ବି ସେମିତି ସୁନ୍ଦରୀ ହୋଇଥିବ…!’ ଲାଜବନ୍ତୀ ସୁନ୍ଦରଲାଲର କଥାକୁ ଶୁଣି ପାରିଥିଲା । କିନ୍ତୁ ସିଏ ଭୁଲି ଯାଇଥିଲା ଯେ ସୁନ୍ଦରଲାଲଙ୍କ ଜୋତାହଳକ କେତେ ଓଜନିଆ, ଆଉ ତାଙ୍କ ବେକଟା କେଡ଼େ ସରୁ!
ସକାଳେ ପଟ୍ରୁଆରରେ ଯାଉଥିବା ଲୋକମାନଙ୍କ କଣ୍ଠରୁ ଯେତେବେଳେ ସୁନ୍ଦରଲାଲ ଲାଜବନ୍ତୀ ଲୋକଗୀତ ଶୁଣନ୍ତି ତାଙ୍କ ମନ ଦୁଃଖରେ ଭରିଯାଏ । ତାଙ୍କର ନିଜ ପତ୍ନୀଙ୍କ କଥା ମନେପଡ଼େ । ସେ ମନେ ମନେ କହିହୁଅନ୍ତି, ‘ମୁଁ ଯଦି ଥରେ ତାକୁ ପାଆନ୍ତି, ଥରେ ଯଦି ସେ ମୋର ଦେଖାହୁଅନ୍ତା… ତା’ହେଲେ ତାକୁ ସସମ୍ମାନ ମୋ ହୃଦୟରେ ସ୍ଥାନ ଦିଅନ୍ତି ।… ସମସ୍ତଙ୍କୁ ବୁଲିବୁଲି କହନ୍ତି, ଯେଉଁ ଲୋକମାନେ ଅଟକ ଥିଲେ ଅବା ଯାହାଙ୍କୁ ଜୋର ଜବରଦସ୍ତ ଅଟକ ରଖାଯାଇଥିଲା, ସେମାନେ ସମସ୍ତେ ନିରୀହ । ହଁ, ସେମାନେ ଅତ୍ୟାଚାରର ଶିକାର ଅବଶ୍ୟ ହୋଇଛନ୍ତି, ଦଙ୍ଗାକାରୀଙ୍କ କ୍ରୋଧ ଓ ଆଶକ୍ତିର ଶିକାର ନିଶ୍ଚିତ ଭାବେ ହୋଇଛନ୍ତି… କିନ୍ତୁ ସମାଜ ଯଦି ସେମାନଙ୍କୁ ଗ୍ରହଣ କରିବାକୁ କୁଣ୍ଠା କରେ, ସେମାନଙ୍କ ଥଇଥାନ ଲାଗି ବ୍ୟବସ୍ଥା ନ କରେ… ତା’ହେଲେ ସିଏ ସମାଜ ଏକ ଅଭିଶପ୍ତ ସମାଜ, ଏକ ଖଳ ସମାଜ ବୋଲି ଗ୍ରହଣ କରିନେବାକୁ ହେବ । ଏଭଳି ସମାଜକୁ ଭାଙ୍ଗି ନଷ୍ଟ କରିଦେବା ଉଚିତ… ।’
ଏଭଳି ଝିଅବୋହୂଙ୍କୁ ନିଜ ପରିବାରକୁ ଫେରାଇ ନେବା ସପକ୍ଷରେ ସୁନ୍ଦରଲାଲ ଘଣ୍ଟା ଘଣ୍ଟା ଯୁକ୍ତି ବାଢ଼ନ୍ତି । ସେମାନଙ୍କୁ ପୁଣି ଥରେ ମା’,ଝିଅ, ବୋହୂ କିମ୍ବା ଉଭଣୀର ସମ୍ମାନ ଦେବା ସପକ୍ଷରେ ମତ ଦିଅନ୍ତି । ଲୋକମାନଙ୍କୁ ଆହ୍ୱାନ ଜଣାଇଲାଭଳି ସେ କହନ୍ତି, ‘ସେସବୁ କଥା ପ୍ରତି ଆଦୌ ଚିନ୍ତ କରନା । ସେମାନେ କେତେ ଦୁଃଖ, ନିର୍ଯାତନା ସହ୍ୟ କରି ନାହାନ୍ତି! ତେଣୁ ସେ ପୁରୁଣା କ୍ଷତକୁ ଉଖୁରାଇ ସେମାନଙ୍କ ମନରେ କଷ୍ଟ ଦିଅନା । ସେମାନଙ୍କ ମନଟି ଲାଜକୁଳି ଳତା ଠାରୁ ଆହୁରି ସ୍ପର୍ଶକାତର, କାଚ ଠାରୁ ଆହୁରି ଭଙ୍ଗୁର… ତାକୁ ଛୁଇଁଦେଲେ ସିଏ ମଉଳିଯିବ, ମରିଯିବ… ।’
ସେଭଳି ଅପହୃତା ମହିଳାମାନଙ୍କ ପୁନଃଥଇଥାନ ଲାଗି କମିଟିର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ନିମନ୍ତେ, ଏପରି କାମକୁ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ କରାଇବା ସକାଶେ, ସୁନ୍ଦରଲାଲ, ସହରର ରାଜରାସ୍ତାରେ ଅନେକ ପଟୁଆରର ଆୟୋଜନ କରାଇଥିଲେ । ପଟୁଆରରେ ସାମିଲ ହେଉଥିବା ଲୋକମାନେ ଅନେକ ଗୀତ ଗାଆନ୍ତି, ପ୍ରାର୍ଥନା ବୋଲନ୍ତି, ଲୋକଗୀତ ଆବୃତ୍ତି କରନ୍ତି । ସକାଳ ଚାରିଟା ଠାରୁ ପାଞ୍ଚଟା ପର୍ଯ୍ୟନ୍ତ ପଟୁଆର ବାହାର କରିବାର ଉପଯୁକ୍ତ ସମୟ । ସେତେବେଳେ ନା ରାସ୍ତାରେ ଲୋକଗହଳି ଥାଏ, ନା ବେଶୀ ଜନସମାଗମ ହୁଏ । ଏପରିକି ତନ୍ଦୁରଚୁଲା ପାଖରେ ଶୋଇ ଉଷୁମ ଟାଣୁଥିବା ବସ୍ତି କୁକୁରମାନେ ବି ଭୁକନ୍ତିନି । ସେତେବେଳେକୁ ଲୋକମାନେ ସୁଦ୍ଧା ସେମାନଙ୍କ କମ୍ବଳ ଭିତରୁ ବାହାରି ନ ଥିବେ କି ଖଟ ଛାଡ଼ି ନ ଥିବେ । ଆରାମରେ ପାହାନ୍ତିଆ ଗାଢ଼ ନିଦରେ ଶୋଇ ରହିଥିବେ । ପାଆନ୍ତିଆ ପଟୁଆରରେ ଗୀତବୋଲି ଯାଉଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ସେମାନେ ସେଇ ରେଜେଇ ତଳୁ ନିଦୁଆ ସ୍ୱରରେ କହନ୍ତି, ‘ଓଃ! ସେଇ ଗୀତ ପୁଣି ବୋଲି ବୋଲି ଏମାନେ ଚାଲିଛନ୍ତି!’
ପିଲାମାନେ ନିଦ ମଳମଳ ହୋଇ ମା’କୋଳ ଛାଡ଼ି ଉଠିପଡ଼ନ୍ତି ଓ ଶୁଣନ୍ତି ‘ସେମାନଙ୍କୁ ସମ୍ମାନ ଦିଅ । ସେମାନଙ୍କୁ ନିଜ ହୃଦୟରେ ସ୍ଥାନ ଦିଅ ।’ ମା’ମାନେ ପୁଣି ସେମାନଙ୍କୁ ଥାପୁଡ଼େଇ ଶୁଆଇ ପକାନ୍ତି । ଲୋକମାନେ ସୁନ୍ଦରଲାଲଙ୍କ ଏପରି ପ୍ରବଚନ ଓ ନିବେଦନ ସବୁଦିନ ଶୁଣି ଆସୁଥିଲେ । ବେଳେବେଳେ ଧୈର୍ଯ୍ୟର ସହ ଶୁଣନ୍ତି, ଆଉ ବେଳେବେଳେ ବିରକ୍ତି ପ୍ରକାଶ କରନ୍ତି । କିନ୍ତୁ ଯେଉଁମାନେ ଅତ୍ୟାଚାର, ବ୍ୟଭିଚାର ଓ ହିଂସାକୁ ଅଙ୍ଗେ ନିଭେଇ ସୀମାଡେଇଁ ପାକିସ୍ତାନରୁ ଆସି ଏଠାରେ ପହଞ୍ଚିଥିଲେ, ସେମାନଙ୍କୁ ସୁନ୍ଦରଲାଲଙ୍କ କଥା ଆଦୌ ଭଲ ଲାଗେନି । କାରଣ, ଏଇଭଳି କଥା ଶୁଣି ଶୁଣି ସେମାନେ ଫୁଲକୋବି ପରି ଶିଠା ପାଲଟି ଯାଇଥିଲେ । ସେମାନଙ୍କ ସ୍ୱାମୀମାନେ ସୁନ୍ଦରଲାଲଙ୍କ ଚାରିକଡ଼େ ନିଶ୍ଚଳ ଓ ଦୃଢ଼ ପ୍ରହରୀଭଳି ଠିଆ ହୋଇ ରହିଥାଆନ୍ତି । କିଛି ସମୟପରେ ସେମାନେ ସୁନ୍ଦରଲାଲଙ୍କ
ଆଡ଼ୁ ମୁହଁ ବୁଲେଇ ଏକମୁହାଁ ଚାଲନ୍ତି ଓ ଫେରିଯିବାବେଳେ ପଟୁଆରରେ ସାମିଲ ହୋଇଥିବା ଲୋକମାନଙ୍କ ଉପରେ ଅଭିଶାପ ବର୍ଷଣ କରନ୍ତି ।
ସକାଳୁ କାନରେ ପଡ଼ିଥିବା କଥା ଦିନସାରା କାନ ଭିତରେ ପ୍ରତିଧ୍ୱନିତ ହେଉଥାଏ । ଯିଏ ଏ କଥାର ମହତ୍ତ୍ୱ ବୁଝି ନ ପାରେ, ସିଏ ବି ନିସ୍ଫଳ ଯୁକ୍ତି କଲାଭଳି ସେଇ କଥା ପଦକୁ ଦୋହରାଇ ଚାଲେ । କାରଣ, ସେ ଏଇ ଲୋକମାନଙ୍କ କଥାକୁ ସ୍ମରଣ ରଖିଥାଏ । ଦିନସାରା ଯେକୌଣସି କାମ କଲାବେଳେ ସେଇ କଥା ପଦକ ଗୁଣୁଗୁଣୁ ହୋଇ ବୋଲିଚାଲେ । ଏପରି କଥା ଲୋକମାନଙ୍କ ମନରେ ଏଭଳି ଛାପ ପକାଇଥିଲା ଯେ ଯେତେବେଳେ କୁମାରୀ ମୃଦୁଳା ସରାଭାଇ ଭାରତ ଓ ପାକିସ୍ତାନ ଭିତରେ ଅପହୃତା ମହିଳାମାନଙ୍କୁ ଯେଝା ଯେଝା ଦେଶକୁ ପଠାଇବାର ବ୍ୟବସ୍ଥା କଲେ, ମୋହଲ୍ଲା ସାକୁରର କେଇଟି ପରିବାର ସେମାନଙ୍କ ଝିଅ ବୋହୂମାନଙ୍କୁ ପୁଣିଥରେ ଗ୍ରହଣ କରିବାକୁ ଆଗେଇ ଆସିଥିଲେ । ଏପରି ଅପହୃତା ନାରୀମାନଙ୍କୁ ସ୍ୱାଗତ ଜଣାଇବା ଲାଗି ସେମାନଙ୍କ ବନ୍ଧୁ ପରିଜନମାନେ ସହର ଉପକଣ୍ଠ ପର୍ଯ୍ୟନ୍ତ
ଯାଇଥିଲେ । ଆଉ କେହି କେହି ଚୌକି କଲାନ ପର୍ଯ୍ୟନ୍ତ ବି ପହଞ୍ଚିଥିଲେ । ପ୍ରଥମ ସାକ୍ଷାତରେ ଏପରି ମହିଳା ଓ ସେମାନଙ୍କ ପରିବାରବର୍ଗ ପରସ୍ପରକୁ ଅପରିତିତ ଲୋକଙ୍କ ପରି କେଇ ମିନିଟ୍ ପର୍ଯ୍ୟନ୍ତ ଚାହିଁ ରହିଥିଲେ । ତା’ପରେ ସେମାନଙ୍କ ମୁଣ୍ଡ ଲଜ୍ଜା ଓ ଦୁଃଖରେ ତଳକୁ କରି ନିଜ ନିଜ ଭଙ୍ଗା ଘରକୁ ଲେଉଟିଯାଇ, ପୁଣିଥରେ ନୂଆକରି ଜୀବନ ଆରମ୍ଭ କରିବାକୁ ଲାଗିଥିଲେ । ରସାଲୁ, ନେକି ରାମ୍ ଓ ସୁନ୍ଦରଲାଲ ସେମାନଙ୍କୁ ସ୍ଲୋଗାନ ଦେଇ ଉତ୍ସାହିତ କରିଥିଲେ: ‘ସୋହନଲାଲ ଜିନ୍ଦାବାଦ…!’, ‘ମହୀନ୍ଦର ସିଂହ ଅମର
ରହେ’ । ସେମାନଙ୍କ କଣ୍ଠସ୍ୱର ରୁଦ୍ଧ ହୋଇଯିବା ପର୍ଯ୍ୟନ୍ତ ସେମାନେ ଗଳାଫଟାଇ ଏକରି ଚିତ୍କାର ଛାଡ଼ି ଚାଲିଥିଲେ ।
ଏହି ଅପହୃତ ମହିଳାମାନଙ୍କ ମଧ୍ୟରେ ଏମିତି କିଛି ସ୍ତ୍ରୀଲୋକ ବି ଥିଲେ ଯେଉଁମାନଙ୍କ ସ୍ୱାମୀ, ପିତାମାତା, ଭାଇଭଉଣୀମାନେ ସେମାନଙ୍କୁ ଗ୍ରହଣ କରି ଘରକୁ ଫେରେଇ ନେବାକୁ ଆଦୌ ରାଜି ନ ଥିଲେ । ଏପରକି ସେମାନଙ୍କ ଆଡ଼କୁ ମୁହଁ ଫେରେଇ ଚାହିଁବାକୁ ସୁଦ୍ଧା ସେମାନେ ପ୍ରସ୍ତୁତ ନ ଥିଲେ । ସେମାନଙ୍କର ଓଲଟା ଯୁକ୍ତିଥିଲା- ‘ଏମାନେ ମରି ନ ଗଲେ କାହିଁକି ? ନିଜ ପରିବାରର, ନିଜା ବାପାମା’ଙ୍କ
ମାନସମ୍ମାନ ବଞ୍ଚାଇବାକୁ ଏମାନଙ୍କୁ କ’ଣ ବିଷ ଟିକିଏ ଖାଇବାକୁ ମିଳିଲାନି? ଯଦି ବିଷ ନ ମିଳିଲା, ଏମାନେ କୂଅପୋଖରୀକୁ ଡେଇଁ ନ ମଲେ କାହିଁକି? ଅଲାଜୁକୀଗୁଡ଼ାକ କୋଉଠିକାର! ପୁଣି ଜୀବନ ବଞ୍ଚେଇ ଆସି ମୁହଁ ଦେଖାଉଛନ୍ତି ! ନିଜ ମାନ ମର୍ଯ୍ୟାଦା ବଞ୍ଚାଇବା
ଲାଗି ଅତୀତରେ କେତେ ଯେ ନାରୀ ଜୀବନ ହାରିଛନ୍ତି, ତା’ର ସୀମା ନାହିଁ ।’ କିନ୍ତୁ ଏମାନେ କେତେ କଷ୍ଟ ସ୍ୱୀକାର କରି ଆସି ଏଠାରେ ପହଞ୍ଚିଥିଲେ ସେକଥା କେହି ବୁଝିପାରୁ ନ ଥିଲେ । ବୁଝିବାକୁ ପ୍ରସ୍ତୁତ ନ ଥିଲେ । ସେମାନେ ସାକ୍ଷାତ ମୃତ୍ୟୁକୁ ସାମ୍ନା କରିଥିଲେ । ଦଙ୍ଗା, ଲୁଟତରାଜ, ପୋଡ଼ାଜଳା, ବ୍ୟଭିଚାରର ମୁକାବିଲା କରିଥିଲେ । ତଥାପି ସେମାନେ ବଞ୍ଚିବାର ମୋହ ନେଇ ନିଜର ପ୍ରିୟଜନଙ୍କ
ନିକଟକୁ ଫେରି ଆସିଥିଲେ । ହେଲେ ସେମାନେ ଏପରି ଏକ ଦୁନିଆକୁ ଫେରି ଆସିଥିଲେ ଯେଉଁଠାରେ ନିଜର ପତି ପତ୍ନୀକୁ ସୁଦ୍ଧା ଚିହ୍ନିପାରୁ ନ ଥିଲା; ମାତାପିତା ନିଜ କନ୍ୟାକୁ ଚିହ୍ନିବାକୁ ପ୍ରସ୍ତୁତ ନ ଥିଲେ କି ଭଉଣୀକୁ ଘରକୁ ଫେରେଇ ନେବାକୁ ଭାଇ ସୁଦ୍ଧା ରାଜି ହେଉ ନ ଥିଲା ।
ଜଣେ ମହିଳାକୁ ଦେଖି ତା’ର ସ୍ୱାମୀ ତାକୁ ନ ଚିହ୍ନିପାରିବା ଭଳି ମୁହଁ ଘୂରାଇନେଲା । ସେ ବିଚାରୀ କିନ୍ତୁ ନିଜ ନାଁକୁ ବାରମ୍ବାର ଦୋହରାଇ ଚାଲିଥାଏ: ‘ସୁହାଗବତୀ… ସୁହାଗବତୀ!’ ଆଉ ଜଣେ ମହିଳା, ନିଜର ଭାଇକୁ ଲୋକଗହଳି ଭିତରେ ଦେଖି ଡାକ ଛାଡ଼ିଲା, ‘ଆରେ ବିହାରୀ, ଶେଷରେ ତୁ ବି ମୋତେ ଚିହ୍ନି ନ ପାରିବାର ଛଳନା କଲୁ ? ଆରେ, ତୋତେ ଏ କୋଳରେ କେତେ ନ କାଖେେଇଚି କିରେ!’ ବିହାରୀର ଇଚ୍ଛା ହେଉଥିଲା ଧାଇଁଯାଇ ଭଉଣୀକୁ କୁଣ୍ଢାଇ ଧରିବ । ହେଲେ, ନିଜ ବାପାମା’ଙ୍କ ଘୃଣା ଓ ତାଗିଦଭରା ଦୃଷ୍ଟିକୁ ଏଡ଼ାଇ ସେ ଆଗକୁ ପାଦ ବଢ଼ାଇ ପାରୁ ନ ଥାଏ । ବାପାମା’ ନିର୍ଦ୍ଦେଶ ଲାଗି ଚାହିଁ ରହିଥାନ୍ତି ନାରାୟଣ ବାବାଙ୍କୁ । ନାରାୟଣ ବାବା
ଆକାଶକୁ ଚାହିଁଲେ, ସତେ ଯେପରି ସେ ଭଗବାନଙ୍କ ଠାରୁ କିଛି ନିର୍ଦ୍ଦେଶ ଚାହୁଁଛନ୍ତି । କିନ୍ତୁ ଆକାଶ ଓ ସ୍ୱର୍ଗ କହିଲେ କେବଳ ଆମ ମନର ଭୟପୂର୍ଣ୍ଣ କଳ୍ପନାର ମାୟା ଛଡ଼ା ଆଉ କିଛି ନୁହେଁ । ଆମ ଦୃଷ୍ଟି କେବଳ ଅନନ୍ତ ମହାଶୂନ୍ୟ ପର୍ଯ୍ୟନ୍ତ ଲମ୍ବି ଚେନାଏ ଆକାଶକୁ ଦେଖିବା ହିଁ ସାର ହୁଏ ।
ମୃଦୁଳା ସରାଭାଇ ସୁଦୂର ପାକିସ୍ତାନରୁ ଟ୍ରକରେ ବସାଇ ଆଣିଥିବା ମହିଳାମାନଙ୍କ ମଧ୍ୟରୁ ଶେଷ ମହିଳା ଜଣକ ଟ୍ରକ୍ରୁ ଓହ୍ଲାଉଥିଲେ । ସୁନ୍ଦରଲାଲ ତା’ଆଡ଼କୁ ଚାହିଁ ରହିଥାଆନ୍ତି । ସେମାନଙ୍କ ଭିତରେ ଲାଜୋ ନ ଥିଲା । ନିଜର ଧୈର୍ଯ୍ୟ ଓ ଆତ୍ମସମ୍ମାନକୁ ଯଥାସମ୍ଭବ ସ୍ୱାଭାବିକ ଅବସ୍ଥାରେ ରଖି ସୁନ୍ଦରଲାଲ ପୁଣି କମିଟି କାମରେ ମନୋନିବେଶ କଲେ ।
ଏବେ କମିଟି ସଦସ୍ୟମାନେ ସକାଳ, ସନ୍ଧ୍ୟା ଦି’ବେଳା ସହରସାରା ପଟୁଆର ବାହାର କରୁଥିଲେ । ସହରର ବିଭିନ୍ନ ସ୍ଥାନରେ ସେମାନେ ଛୋଟ ଛୋଟ ସଭାସମିତିର ଆୟୋଜନ ବି କରୁଥାଆନ୍ତି । ଏସବୁ ସଭାରେ ବୁଢ଼ା ଓ ଧଇଁପେଲା ଓକିଲ, କାଲ୍କା ପ୍ରସାଦ ପ୍ରଥମେ ସୁଫି ଦୋହା ପଦେ ବୋଲି ଏକ ଦୀର୍ଘ ଭାଷଣ ଦିଅନ୍ତି । ତାଙ୍କ ପାଖରେ ରସାଲୁ, ପିକଦାନୀଟିଏ ଧରି ଠିଆ ହୋଇଥିବ । କାଲ୍କା ପ୍ରସାଦ ଭାଷଣ ଦେଲାବେଳେ ତାଙ୍କ ବିଚିତ୍ର କଣ୍ଠସ୍ୱରରେ ଲାଉଡସ୍ପିକରଟା ବି କେମିତି ଥରିଉଠୁଥିବ । ତାଙ୍କ ପରେ ଓକିଲ ନେକି ଚାନ୍ଦ୍ କିଛି
କହିବାକୁ ଉଠିବେ । ସିଏ ବି ତାଙ୍କର ଦୀର୍ଘ ଭାଷଣରେ ଶାସ୍ତ୍ର ପୁରାଣରୁ ଶ୍ଳୋକ, ପଦ୍ୟାଂଶସବୁ ଆବୃତ୍ତି କରି ଶୁଣାଇ ଚାଲିବେ । ତାଙ୍କ ଭାଷଣର ଏକମାତ୍ର ଉଦ୍ଦେଶ୍ୟ, ଉଦ୍ଧାର ପାଇଥିବାମହିଳାମାନଙ୍କୁ ସେମାନଙ୍କ ପରିବାରବର୍ଗ ଗ୍ରହଣ କରନ୍ତୁ । କିନ୍ତୁ ସେ ଏକଥା ଭଲଭାବେ ବୁଝାଇ କହିପାରନ୍ତି ନାହିଁ । ବରଂ,ସେ ଖୁବ୍ ଦୁର୍ବଳ ଯୁକ୍ତି ଦର୍ଶାଇ କଥାଟିକୁ ଅଧିକ ଗୋଳମାଳିଆ କରିପକାନ୍ତି ।
ଶେଷରେ ବାବୁ ସୁନ୍ଦରଲାଲ ଉଠନ୍ତି କିଛି କହିବାକୁ । କିନ୍ତୁ, ମାତ୍ର କେଇପଦ କହିବା ପରେ ସେ ଅଟକି ଯାଆନ୍ତି । ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । ଆଖିରୁ ଝରଝର ଲୁହ ଗଡ଼ିଆସେ । ଭାବାବେଗରେ ସେ ଅଗତ୍ୟା ସେଇଠି ବସିପଡ଼ନ୍ତି । ସାମ୍ନାରେ ବସିଥିବା ଦର୍ଶକମାନଙ୍କ ଭିତରେ ଏକ ବିଚିତ୍ର କୋଳାହଳ ସୃଷ୍ଟିହୁଏ । କିନ୍ତୁ ଏକଥା ସତ ଯେ ସୁନ୍ଦରଲାଲଙ୍କ ତୁଣ୍ଡର ସେଇ କେତୋଟି ଦରଦଭରା ବାକ୍ୟ ଉପସ୍ଥିତ ଜନତା ମନକୁ ଯେତିକି ପ୍ରଭାବିତ କରେ, କାଲକା ପ୍ରସାସଦଙ୍କ ସୁଫି ଦୋହା ତାହା କରିପାରେ ନାହିଁ । କିନ୍ତୁ ଏହାର ପ୍ରଭାବ ଅଧିକ ସମୟ ରହେନାହିଁ । ଲୋକମାନେ ତାଙ୍କ ସହ ମିଲି ଆଖିରୁ କେଇବୁନ୍ଦା ଲୁହ ଗଡ଼ାନ୍ତି, ଆଦର୍ଶବାଦ ପ୍ରଭାବ ସତେକି ସେମାନଙ୍କ ହୃଦୟକୁ ଦରଦଭରା କରିପକାଏ । ସେମାନେ ଉଦ୍ବୁଦ୍ଧ ହୋଇଉଠନ୍ତି ଓ ଘରକୁ ଫେରିବା ପରେ ସବୁକିଛି ପୁଣି ଭୁଲିଯାଆନ୍ତି । ସେମାନଙ୍କ ପରିବାରର ଝିଅ, ବୋହୂ କି ପତ୍ନୀ ଅବା ଉଭଣୀଙ୍କୁ ଘରକୁ ଲେଉଟି ଆସିବା କଥା ଚିନ୍ତା କଲାବେଳେ ସେମାନଙ୍କ ମନ ପୂର୍ବଭଳି ଶିଥିଳ ହୋଇଯାଏ… ।
ଦିନେ ସନ୍ଧ୍ୟାବେଳେ ପଟୁଆରରେ କମିଟି ସଦସ୍ୟମାନେ ବାହାରିଥିବାବେଳେ ସେମାନେ ଯାଇ ଏକ ମନ୍ଦିର ପାଖରେ ପହଞ୍ଚିଲେ । ଏ ଇଲାକାଟି ପରମ୍ପରାରେ ଗଭୀରବିଶ୍ୱାସୀ । ଧର୍ମନିଷ୍ଠ ଲୋକଙ୍କ ଇଲାକା ବୋଲି ସେମାନଙ୍କୁ ଜଣାଥିଲା । ଅଶ୍ୱତ୍ଥ ଗଛମୂଳ ପିଣ୍ଡିରେ ଏମାନଙ୍କର ଅଖଣ୍ଡ ବିଶ୍ୱାସ । ନାରାୟଣ ବାବା ରାମାୟଣର ଗୋଟିଏ ଅଧ୍ୟାୟ ପଢ଼ି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବୁଝାଉଥାଆନ୍ତି । ରଜକ କ୍ରୁଦ୍ଧହୋଇ ନିଜ ଘରୁ ତା’ର ପତ୍ନୀକୁ ତଡ଼ି ଦେଇଥାଏ ଓ କହୁଥାଏ ଯେ ସେ ରାଜା ରାମଚନ୍ଦ୍ର ନୁହେଁ । ରାମଚନ୍ଦ୍ର ନିଜର ପତ୍ନୀ ସୀତା ରାବଣପୁରରେ ବର୍ଷ ବର୍ଷ ଧରି ରହିବାପରେ ସୁଦ୍ଧା, ତାଙ୍କୁ ପୁଣି ନିଜ ପତ୍ନୀ ରୂପେ ଗ୍ରହଣକରି ଅଯୋଧ୍ୟା ରାଜଭବନରେ ରଖିଛନ୍ତି । ଏପରି ଅପବାଦକୁ ସହ୍ୟ କରି ନ ପାରି, ପ୍ରଭୁ ଶ୍ରୀରାମ ସୀତାଙ୍କ ପରି ସଦୀ ଓ ପତିବ୍ରତା ପତ୍ନୀଙ୍କୁ ବନବାସ ନିର୍ବାସନ ଦେଇଥିଲେ । ରାଜ
ଉଆସରେ ତାଙ୍କର ହିବାର କୌଣସି ଅôଧକାର ନାହିଁ ବୋଲି କହିଥିଲେ । ସେତେବେଳେ ଦେବୀ ସୀତା ଗର୍ଭବତୀ ଥାଆନ୍ତି । ଏହି ବିଷୟଟି ବୁଝାଇବାବେଳେ ନାରାୟଣ ବାବା କହୁଥିଲେ,‘ତାହା ହେଲା, ରାମରାଜ୍ୟର ନ୍ୟାୟ! ସେତେବେଳେ ଜଣେ ରଜକର କଥାକୁ ମଧ୍ୟ ରାଜା ରାମ ସମ୍ମାନ ଜଣାଇ ନିଜର ପ୍ରିୟତମା ପତ୍ନୀଙ୍କୁ ତ୍ୟାଗ କରିଥିଲେ ।’
ପଟୁଆରରେ ବାହାରିଥିବା କମିଟି ସଦସ୍ୟମାନେ ସେଠାରେ ଠିଆହୋଇ ରାମାୟଣ ପ୍ରବଚନ ଶୁଣିଲେ । ନାରାୟଣ ବାବାଙ୍କୁ ଶେଷ ପଦକ କଥା ସୁନ୍ଦରଲାଲଙ୍କ ମନରେ ଯେପରି ଏକ ଆକସ୍ମିକ ପ୍ରତିକ୍ରିୟା ସୃଷ୍ଟି କଲା । ସେ ହଠାତ୍ କହିଉଠିଲେ, ‘ଆମର ସେପରି ରାମରାଜ୍ୟ ଦରକାର ନାହିଁ,ବାବା ।’
ଉପସ୍ଥିତ ଭକ୍ତମଣ୍ଡଳୀ ସମବେତ କଣ୍ଠରେ କହିଉଠିଲେ,‘ଚୁପ୍ କର ପାଷାଣ୍ଡ!… ତୁ କିଏ?…ଚୁପ୍ କର୍… ।’
ସୁନ୍ଦରଲାଲ ଆଗକୁ ପାହୁଣ୍ଡେ ଆଗେଇ ଆସି କହିଲେ, ‘ମୁଁ କହିବି, ମୋତେ ଏପରି କଥା କହିବାକୁ କେହି ରୋକି ପାରିବେନି ।’
ପୁଣି ଥରେ ସମସ୍ତେ ପ୍ରତିବାଦ କଲାଭଳି ସ୍ୱରରେ କହିଲେ, ‘ବନ୍ଦ୍ କର…! ବନ୍ଦ୍ କର… ତୁମ ପ୍ରଳାପ । ତୁମକୁ ଏପରି କଥା କହିବାକୁ ଆମେ ସୁଯୋଗ ଦେବୁନି!’ ସେମାନଙ୍କ ଭିତରୁ ଆଉ କେହି ଜଣେ ଚିତ୍କାର ଛାଡ଼ିଲା, ‘ତୋତେ ଆମେ ଜୀବନରେ ମାରିଦେବୁୁ ।’
ନାରାୟଣ ବାବା ଧୀର ଅଥଚ ଗମ୍ଭୀର ସ୍ୱରରେ କହିଲେ, ‘ସୁନ୍ଦରଲାଲ, ତୁମର କ’ଣ ପୁରାଣ ଶାସ୍ତ୍ରର ପବିତ୍ର ପରମ୍ପରାରେ ବିଶ୍ୱାସ ନାହିଁ?’
ସୁନ୍ଦରଲାଲ ଉତ୍ତର ଦେଲେ, ‘କିନ୍ତୁ ମୁଁ ବୁଝି ପାରୁନି ଏ ରାମରାଜ୍ୟରେ ଜଣେ ରଜକର କଥା ଶୁଭୁଛି, ଅଥଚ ସୁନ୍ଦରଲାଲର କଥା ପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି!’
ଉପସ୍ଥିତ ସଜ୍ଜନମଣ୍ଡଳୀ ଭିତରୁ ଯେଉଁ ଲୋକଟି ସୁନ୍ଦରଲାଲଙ୍କୁ ମାରିଦେବ ବୋଲି ମୁହୂର୍ତ୍ତକ ଆଗରୁ ଧମକାଇଥିଲା, ଏବେ ସେ ସୁନ୍ଦରଲାଲଙ୍କ ବସିବା ଲାଗି କିଛି ସ୍ଥାନ ଛାଡ଼ିଦେଇ କହିଲା, ‘ତାଙ୍କୁ କହିବାକୁ ଦିଅ… ତାଙ୍କ କଥା ପ୍ରଥମେ ଶୁଣାଯାଉ…’ ରସାଳୁ ଓ ନେକି ରାମ ସୁନ୍ଦରଲାଲଙ୍କୁ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିବା ଲାଗି ବାରମ୍ବାର ଅନୁରୋଧ କଲେ । ସୁନ୍ଦରଲାଲ ଶେଷରେ ଆରମ୍ଭ କଲେ, ‘ପ୍ରଭୁ ଶ୍ରୀରାମ ଆମର ଦେବତା । କିନ୍ତୁ ବାବା, ଆପଣ ମୋତେ କୁହନ୍ତୁ, ରାମ କେବଳ ତାଙ୍କ ରାଜ୍ୟର ପ୍ରଜା, ଜଣେ ରଜକର କଥାକୁ ସତ୍ୟ ବୋଲି ଗ୍ରହଣ କରିଥିଲେ ଓ ତାଙ୍କ ପ୍ରିୟତମା ପତ୍ନୀଙ୍କ କଥାକୁ ସନ୍ଦେହ କରିଥିଲେ?’
ନାରାୟଣ ବାବା ତାଙ୍କର ଦୀର୍ଘ ଶ୍ମଶ୍ରୁକୁ ଧୀରେ ସାଉଁଳେଇ ଆଣୁ ଆଣୁ କହିଲେ, ‘ସୀତା ତାଙ୍କର ପତ୍ନୀ ସୁନ୍ଦରଲାଲ! ସେ କଥାର ଗୂଢ଼ ରହସ୍ୟ ତୁମେ ବୁଝି ପାରିବନି ।’
ସୁନ୍ଦରଲାଲ କହିଲେ, ‘ବାବା! ମାନୁଛି, ଏ ଦୁନିଆରେ ଅନେକ କଥା ଅଛି, ଯାହା ବୁଝିବା ମୋ ସାମର୍ଥ୍ୟ ବାହାରେ । ହଁ, ମୁଁ ବିଶ୍ୱାସ କରୁଛି, ରାମରାଜ୍ୟରେ ନିଜ ସ୍ୱାର୍ଥ ବିରୁଦ୍ଧରେ କେହି କେବେ କୌଣସି ଅପରାଧ ଘଟାଇ ପାରିବେନାହିଁ । କିନ୍ତୁ ମୁଁ ଭାବୁଛି, ନିଜକୁ ଯନ୍ତ୍ରଣାସିକ୍ତ କରିବା ଓ ଅନ୍ୟକୁ ଆଘାତ ପହଞ୍ଚାଇବା ଏକା ଭଳି ଅନ୍ୟାୟ । ଯେହେତୁ ସୀତାଙ୍କୁ ରାବଣ ଜୋର ଜବରଦସ୍ତ ନିଜ ରାଜ୍ୟରେ ରଖିଥିଲା, ପ୍ରଭୁ ରାମ ଆଜି ପର୍ଯ୍ୟନ୍ତ ସୁଦ୍ଧା ସୀତାଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କରିଛନ୍ତି । କିନ୍ତୁ ଏଥିରେ ସୀତାଙ୍କ ଅପରାଧ କେଉଁଠି ରହିଲା? ସେ କେଉଁ ପାପ ଲାଗି ଏପରି ଦଣ୍ଡ ଭୋଗ କରୁଛନ୍ତି? ସୀତା କ’ଣ,ଆଜିର ସମାଜରେ ଆମ ମା’ଭଣୀମାନେ ଯେପରି ହିଂସା ଓ
ପ୍ରତାରଣାର ଶିକାର ହେଉଛନ୍ତି, ସେଇଭଳି ଏକ ପରିସ୍ଥିତିର ଶରବ୍ୟ ହୋଇ ନ ଥିଲେ? ଏପରି ଘଟଣାରୁ ଆମେ ସୀତାଙ୍କ ସତୀତ୍ୱ ଓ ପବିତ୍ରତାକୁ ଅବିଶ୍ୱାସ କରିବା ନା ରାବଣର ଦୁଷ୍ଟପଣକୁ ନିନ୍ଦା କରିବା? ରାବଣ ଜଣେ ଅସୁର ଥିଲା… ତା’ର ଦଶଟି ମଣିଷ ମୁଣ୍ଡ ଥିଲା । କିନ୍ତୁ ତା’ର ସବୁଠୁ ବଡ଼ ମୁଣ୍ଡଟିଥିଲା ଏକ ଗଧର!… ପୁଣି ଥରେ ଆମ ଘରର ନିରୀହ ସୀତାମାନଙ୍କୁ ବାହାରକୁ ଫିଙ୍ଗି ଦିଆଯାଉଛି… ସେମାନେ ସୀତା… ଲାଜବନ୍ତୀ… ଓ ଆହୁରି ଅନେକ ନାଁରେ ଅଛନ୍ତି… ।’
ସୁନ୍ଦରଲାଲ ଆଉ କିଛି କହିପାରିଲେ ନାହିଁ । ଭାବାବେଗରେ ଅଧୀର ହୋଇ ସେ କଇଁକଇଁ ହୋଇ କାନ୍ଦି ଉଠିଲେ । ରସାଳୁ ଓ ନେକି ରାମ ନିଜ ନିଜର ଲାଲଝଣ୍ଡା ଓ ସ୍ଲୋଗାନମାନ ଧରି ପୁଣିଥରେ ଏକସ୍ୱରରେ ଚିତ୍କାର ଛାଡ଼ିଲେ, ‘ସୁନ୍ଦରଲାଲ, ଜିନ୍ଦାବାଦ!’ ପଟୁଆରରେ ଥିବା ଅନ୍ୟ କେହି ଜଣେ ଚିତ୍କାର କରିଉଠିଲା, ‘ମହାସତୀ ସୀତା, ଜିନ୍ଦାବାଦ!’ ପୁଣି ଅନ୍ୟ ଜଣେ ସ୍ଲୋଗାନ ଦେଲା, ‘ପ୍ରଭୁ ଶ୍ରୀରାମଚନ୍ଦ୍ରକୀ…’ ଚାରିଆଡ଼େ ଅବ୍ୟବସ୍ଥା, ବିଶୃଙ୍ଖଳା । ଅନେକ ଲୋକ ସେମାନଙ୍କୁ ଆୟତ୍ତ କରିବାକୁ ଡାକ ଛାଡ଼ୁଥାନ୍ତି, ‘ପାଟିତୁଣ୍ଡ ବନ୍ଦ୍ କର । ଧୈର୍ଯ୍ୟ ଧର!’
କିନ୍ତୁ ସେକଥା କାହାର କାନରେ ପଡ଼ୁ ନ ଥାଏ । ନାରାୟଣ ବାବା ମାସ ମାସ ଧରି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଯେଉଁ ଶିକ୍ଷା, ଯେଉଁ ଉପଦେଶମାନ ଦେଇଥିଲେ, ସେସବୁ ମୁହୂର୍ତ୍ତକ ଭିତରେ କେଉଁଆଡ଼େ ଫସର ଫାଟିଗଲା! ତାଙ୍କର ଅନେକ ଭକ୍ତ ଏବେ କାଲକା ପ୍ରସାଦ ଓ ହୁକୁମ ସିଂହଙ୍କ ନେତୃତ୍ୱାଧୀନ ପଟୁଆରରେ ସାମିଲ ହୋଇ ସାରିଥିଲେ । ଏ ଦୁଇଜଣ ବୟୋବୃଦ୍ଧ ବ୍ୟକ୍ତି ଏବେ ଭୂଇଁରେ ସେମାନଙ୍କ ବଙ୍କୁଲି ବାଡ଼ିକୁ ଠୁକେଇ ସ୍ଲୋଗାନ ଦେଇ ଆଗକୁ ମାଡ଼ି ଚାଲିଥାଆନ୍ତି । ସେମାନଙ୍କ ପଛେ ପଛେ ସୁନ୍ଦରଲାଲ ଓ ଆହୁରି ଅନେକ ଲୋକ । ସୁନ୍ଦରଲାଲଙ୍କ ଆଖିରେ ଲୁହ ଲହଡ଼ି ଭାଙ୍ଗୁଥାଏ । ଆଜି ଲାଜବନ୍ତୀଙ୍କ ବିଚ୍ଛେଦ ତାଙ୍କ ମନରେ ଏଭଳି ଦୁଃଖ ପହଞ୍ଚାଇଥିଲା ।
ପଟୁଆରରେ ସାମିଲ ଲୋକମାନେ ଗାଇ ଚାଲିଥାନ୍ତି: ‘ଲାଜକୁଳି ଲତା ସିଏ,ଛୁଅନାହିଁ ତାକୁ କେହି ଲାଜରେ ସେ ଦେବ ଆଖିବୁଜି,ଅକାଳରେ ଯିବ ହଜି ।’ ଲୋକମାନେ ପ୍ରବଳ ଉତ୍ସାହରେ ଗାଇ ଚାଲିଥାଆନ୍ତି । ସେମାନଙ୍କ ସମବେତ ସଙ୍ଗୀତ ଗଗନପବନ କମ୍ପାଇ ଦେଉଥାଏ । ସେତେବେଳକୁ ସୂର୍ଯ୍ୟ ସୁଦ୍ଧା ଉଇଁ ନ ଥାନ୍ତି । ମୋହଲ୍ଲା ସାକୁରର ୪୧୪ ନମ୍ବର ଘରେ ରହୁଥିବା ସେ ବିଧବା ମହିଳାଜଣକ ନିଜ ଶେଯରେ ହାତଗୋଡ଼ ଲମ୍ବାଇ କଡ଼ ଲେଉଟାଉଥାଆନ୍ତି । ସେତିକିବେଳେ ଲାଲଚାନ୍ଦ୍ ଦୌଡ଼ିଦୌଡ଼ି ଆସି ସୁନ୍ଦରଲାଲଙ୍କ ପାଖରେ ପହଞ୍ଚି , ଧଇଁସଇଁ ହୋଇ କହିଉଠିଲା, ‘ବଧେଇ ସୁନ୍ଦରଲାଲ, ତୁମକୁ ବଧେଇ ।’
ସୁନ୍ଦରଲାଲ ତାଙ୍କ ହୁକାଦାନିରେ କିଛି ତମ୍ବାଖୁ ପକାଉ ପକାଉ ପଚାରିଲେ, ‘କ’ଣପାଇଁ ବଧେଇ?’ ସୁନ୍ଦରଲାଲଙ୍କ ହାତରୁ ହୁକାଦାନିଟା ତଳେ ଖସିପଡ଼ିଲା ଓ ଖଇନି ସବୁ ତଳେ ବିଛେଇ ହୋଇପଡ଼ିଲା । ଲାଲଚାନ୍ଦର ହାତକୁ ଭିଡ଼ିଧରି ସେ ବେଶ୍ ଉତ୍ତେଜିତ କଣ୍ଠରେ ପଚାରିଲେ, ‘ତୁ ତାକୁ କେଉଁଠି ଦେଖିଲୁ? ଲାଲଚାନ୍ଦ ଠାରୁ ତତକ୍ଷଣାତ୍ ଉତ୍ତର ନ ପାଇ ସେ ତାକୁ କେଇଥର ଭିଡ଼ି ଝିଙ୍କି ପକାଇଲେ ।
‘ୱାଘା ବର୍ଡରଠାରେ ।’
ସୁନ୍ଦରଲାଲ ଲାଲଚାନ୍ଦର ହାତକୁ ଛାଡ଼ି ମନଦୁଃଖରେ କହିଲେ, ‘ସିଏ ଆଉ କିଏ ହୋଇଥିବ ।’ ଲାଲଚାନ୍ଦ କିନ୍ତୁ ନିଜ ଜିଦ୍ରେ ଅଟଳ । ସେ କହିଲା, ‘ନା ଭାଇ, ମୁଁ ନିଜ ଆଖିରେ ଲାଜୋ ଭାଉଜଙ୍କୁ ଦେଖିଚି…ମୁଁ କ’ଣ ତାଙ୍କୁ ଚିହ୍ନିନି?’
‘ତୁ କେମିତି ତାକୁ ଚିହ୍ନିବୁ? ଆଚ୍ଛା କହିଲୁ, ତା’ଦେହ ମୁହଁରେ ସେମିତି କିଛି ଚିହ୍ନ ଦେଖିଛୁ ?’
ତଳେ ବିଂଛି ହୋଇ ପଡ଼ିଥିବା ତମ୍ବାଖୁକୁ ଗୋଟେଇ ଚିଲମରେ ଭରୁଭରୁ ସୁନ୍ଦରଲାଲ ପୁଣି ଥରେ ଉତ୍କଣ୍ଠାର ସହ ପଚାରିଲେ, ‘ତା’ର ଚିବୁକରେ ଗୋଟିଏ ଛୋଟ ଚିତାକୁଟା ତିଳ ଚିହ୍ନ ଅଛି… ଆଉ ଗୋଟି ଚିତାକୁଟା ଚିହ୍ନ ଗାଲରେ…’ ‘ହଁ…, ହଁ… ଆଉ ତୃତୀୟ ଚିହ୍ନଟି କପାଳରେ!’ ସୁନ୍ଦରଲାଲ ଉତ୍କଣ୍ଠାରେ ସତେ ଯେମିତି ଚିତ୍କାର କରିଉଠିଲେ । ଏଥର ତାଙ୍କ ମନରେ ଆଉ କିଛି ସନ୍ଦେହ ନ ଥିଲା ଯେ ଲାଲଚାନ୍ଦ ଲାଜବନ୍ତୀକୁ ସତରେ ଦେଖିଛି ନା ନାହିଁ ।
ଏଥର ଲାଜବନ୍ତୀ ଶରୀରରେ ଥିବା ସବୁ ଚିତାକୁଟା ଚିହ୍ନକଥା ସେ ଗୋଟି ଗୋଟିକରି ମନେ ପକାଇବାରେ ଲାଗିଲେ । ପିଲାଦିନେ ଲାଜୋ ଏସବୁ ଚିତା କୁଟାଇଥିଲା । ଠିକ୍ ଲାଜକୁଳି ଲତାର ପତ୍ରରେ ଥିବା ଛୋଟ ଚୋଟ ସବୁଜ ଚିହ୍ନପରି । ଛୁଇଁଦେଲେ ସାଙ୍ଗେ ସାଙ୍ଗେ ବୁଜି ହୋଇଯିବ । ସୁନ୍ଦରଲାଲ ଯେତେବେଳେ ଲାଜୋର ସେ ଚିତାକୁ ଛୁଇଁବାକୁ ଯାଆନ୍ତି, ଲାଜବନ୍ତୀ ଲାଜରେ ଜଡ଼ସଡ଼ ହୋଇ ମୁହଁ ଲୁଚାଇନିଏ । ସତେ ଯେମିତି ସେସବୁ ଚିହ୍ନ ତା’ଶରୀରର ଗୋଟିଏ ଗୋଟିଏ ରହସ୍ୟ ଓ ତାକୁ ସେ ଗୁପ୍ତ ରଖିବାକୁ ଚାହେଁ ।
ସୁନ୍ଦରଲାଲଙ୍କ ଶରୀର ଆଶା ଓ ଆଶଙ୍କାରେ ଗୋଟାପଣେ ଥରି ଉଠୁଥିଲା । ଲାଜୋ ପାଇଁ ତାଙ୍କ ମନରେ ଥିବା ନିରୁତା ପ୍ରେମ ଓ ଆଶକ୍ତିରେ ଯେମିତି ଜଳିପୋଡ଼ି ଉଠୁଥିଲା ।!
ଲାଲଚାନ୍ଦର କାନ୍ଧ ଉପରେ ହାତ ଥାପି ସେ ପଚାରିଲେ, ‘ଲାଜୋ ୱାଘା ସୀମାନ୍ତରେ ପହଞ୍ଚିଲା କେମିତି?’ ଲାଲଚାନ୍ଦ କହିଲା, ‘ଭାରତ ଓ ପାକିସ୍ତାନ ଭିତରେ ସେଇଠି ପରା ନିଖୋଜ ହୋଇଥିବା ମହିଳାସବୁ ଅଦଳବଦଳ ହେଉଛନ୍ତି । ଏ ଦେଶରୁ ମିଳିଥିବା ମହିଳାମାନଙ୍କୁ ସେ ଦେଶ ପଠାଯାଉଛି ଓ ସେ ଦେଶରେ ଅଟକି ରହିଥିବା ମହିଳାମାନଙ୍କୁ ଏ ଦେଶକୁ ଅଣାଯାଉଛି ।’
ସେତେବେଳକୁ ଆଉ କିଛି ଶୁଣିବାକୁ ସୁନ୍ଦରଲାଲଙ୍କର ଧୈର୍ଯ୍ୟ ନ ଥାଏ । ସେ ସେଇଠି ଚଟାଣ ଉପରେ ଆଣ୍ଠେଇପଡ଼ି ଲୁହ ଛଳଛଳ ଆଖିରେ ପଚାରିଲେ, ‘ତା’ପରେ କ’ଣ ହେଲା? ମୋତେ ଜଲଦି କହ । ତା’ପରେ ଲାଜୋର କ’ଣ ହେଲା?’ ରସାଳୁ ତା’ ଖଟ ଉପରୁ ଡେଇଁପଡ଼ିଲା ଓ ଗଞ୍ଜୋଡ଼ଙ୍କ ପରି ଖୁଁ ଖୁଁ କାଶି ପଚାରିଲା, ‘ସତରେ କ’ଣ ଲାଜୋ ଭାଉଜ ଆମର ଫେରି ଆସିଛନ୍ତି?’
ଲାଲଚାନ୍ଦ ନିଜ କଥାକୁ ପୁଣି ଥରେ ଦୋହରାଇ କହିଲା, ‘ହଁ, ୱାଘା ବର୍ଡର ପାଖରେ ମୁଁ ତାଙ୍କୁ ନିଜ ଆଖିରେ ଦେଖିଛି । ପାକିସ୍ତାନ ଆମ ପଟର ଷୋହଳଜଣ ମହିଳାଙ୍କୁ ଫେରାଇଲା ଓ ତା’ ବଦଳରେ ଆମଠାରୁ ଷୋହଳଜଣ ମହିଳାଙ୍କୁ ନେଲା । ହେଲେ ଏମିତି ଅଦଳବଦଳ ବେଳେ ଉଭୟ ପକ୍ଷଙ୍କ ଭିତରେ ଢେର୍ ବଚସା ହୋଇଥିଲା … ଆମ ସ୍ୱେଚ୍ଛାସେବୀମାନେ ଅଭିଯୋଗ ବାଢ଼ିଥିଲେ ଯେ ପାକିସ୍ତାନୀମାନେ
ଫେରାଇଥିବା ଅଧିକାଂଶ ମହିଳା ବୟସ୍କା, କିମ୍ବା ମଧ୍ୟ ବୟସ୍କା ଅବା ନିହାତି ଅପାରଗ । ଦି’ଟା ଲୋକଙ୍କ ଭିତରେ ଏଇ କଥାକୁ ନେଇ ବେଶ୍ ଯୁକ୍ତିତର୍କ ଲାଗିଲା । ଉଭୟ ପକ୍ଷ ଉଚ୍ଚବାଚ୍ଚ ହେଲେ । ସେତିକିବେଳେ ଜଣେ ପାକିସ୍ତାନୀ ସ୍ୱେଚ୍ଛାସେବୀ ଲାଜୋ ଭାଉଜଙ୍କୁ ଦେଖାଇ କହିଲା,‘ଇଏ କ’ଣ ଜଣେ ବୁଢ଼ୀ? ଏ ମହିଳାଙ୍କୁ ଦେଖ… ତାଙ୍କ ଆଡ଼େ ଚାହଁ … ତୁମ ପଟୁ ଫେରାଯାଇଥିବା କେଉଁ ମହିଳାଜଣକ ୟାଙ୍କ ଭଳିଆ ଏତେ ସୁନ୍ଦରୀ କହିଲ?’ ଲାଜୋ ଭାଉଜ ସେଇଠି ଠିଆହୋଇ ତାଙ୍କ ମୁହଁର ସେ ଚିତାକୁ ଲୁଚାଇବାକୁ ଚେଷ୍ଟ କରୁଥାଆନ୍ତି । ବେଳକୁ ବେଳ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଥାଏ । ଉଭୟ ପକ୍ଷ ଶେଷରେ ସେମାନେ ପେଶ୍ କରିଥିବା ମହିଳାମାନଙ୍କୁ ଫେରାଇ ନେବାକୁ ଧମକ ଦେଲେ । ମୁଁ ଚିତ୍କାର କରିଉଠିଲିା, ‘ଲାଜୋ … ଲାଜୋ ଭାଉଜ!’ କିନ୍ତୁ ଆମ ପକ୍ଷର ପୁଲିସ ଆମ ଉପରେ ଲାଠିମାଡ଼ ଆରମ୍ଭ କରିଦେଲେ ଓ ଆମକୁ ସେଠାରୁ ଘଉଡ଼ାଇଦେଲେ ।’
ଏତିକି କହି ଲାଲଚାନ୍ଦ ତା’ର ହାତଟେକି ପୁଲିସ ଲାଠିମାଡ଼ର ଚିହ୍ନ ଦେଖାଇଲା । ରସାଳୁ ଓ ନେକିରାମ ନୀରବରେ ବସି ସବୁ କଥା ଶୁଣି ଚାଲିଥାଆନ୍ତି । ସୁନ୍ଦରଲାଲ କେବଳ ଆଁ କରି ଲାଲଚାନ୍ଦ ଆଡ଼େ ଚାହିଁ ରହିଥାନ୍ତି । ସମ୍ଭବତଃ ସେ ଲାଜୋ କଥା ମନେ ମନେ ଭାବି ଚାଲିଥାଆନ୍ତି ।
ଲାଜୋ ଫେରିଲା, ତଥାପି ତାଙ୍କ ପାଖରେ ପହଞ୍ଚି ପାରିଲାନି! ଏବେ ସେ କାହିଁ କେତେ ଦୂରରେ … ସେ ନିଜେ କେଡ଼େ କଷ୍ଟରେ ଆସି ଭାରତରେ ପହଞ୍ଚିଥିଲେ । କାହାକୁ ସାହାଯ୍ୟ ମାଗିବା ଲାଗି ସୁଦ୍ଧା ତାଙ୍କ ଦେହରେ ଆଉ ଶକ୍ତି ନ ଥିଲା । ଦେଶ ବିଭାଜନ ବେଳର ହିଂସା, ଦଙ୍ଗା ଦେଖି ତାଙ୍କୁ ଲାଗୁଥିଲା ସତେ ଯେମିତି ଏବେ ବି ତାହା ଜାରି ରହିଛି । ସେ କେବଳ ଏକ ନୂଆ ଶରୀର ଗ୍ରହଣ କରିଛନ୍ତି ମାତ୍ର । କେବଳ ତଫାତଟି ହେଲା- ଯେଉଁମାନେ ସେ ଦଙ୍ଗାରେ ଦୁଃଖକଷ୍ଟ ସହ୍ୟ କରିଥିଲେ, ସେମାନଙ୍କ ପ୍ରତି କାହାରି ମନରେ ସାମାନ୍ୟ ଦରଦ ନ ଥିଲା ଆଜିକାଲି ଯଦି କେହି ଲହନା ସିଂହ ଓ ତା’ର ଭାଉଜ କଥା କାହାକୁ ପଚାରେ, ସାଙ୍ଗେ ସାଙ୍ଗ ଉତ୍ତର ମିଳିବ, ‘ସେମାନେ ଦଙ୍ଗାରେ ମରି ଯାଇଛନ୍ତି ।’ ଏ ଦୁହେଁ ସମ୍ଭରୱାଲ ଇଲାକାରେ ରହୁଥିଲେ । ଏପରି ଉତ୍ତର ଦେଲାବେଳେ କାହାରି ମନରେ କିଛି ହେଲେ ଆତ୍ମଗ୍ଳାନି ନ ଥାଏ । ଯେମିତି କେହି ଜଣେ ମରିବା ଗୋଟିଏ ସାଧାରଣ କଥା!
ଆଜିକାଲି ଆଉ ଦରଦ କି ସମବେଦନା ବୋଲି କିଛି କଥା କାହାରି ମନରେ ଦେଖିବାକୁ ମିଳୁ ନ ଥିଲା । ଯେଉଁମାନେ ଦେହ ବ୍ୟବସାୟରେ ଲିପ୍ତ ଥିଲେ, ସେମାନେ ଲୋକଙ୍କ ଭଲମନ୍ଦ କେଉଁଥିରେ ହେଲେ ଧାର ଧାରୁ ନ ଥିଲେ । ସେମାନେ ସ୍ତ୍ରୀଲୋକମାନଙ୍କୁ ସତେ ଯେପରି ଗୋରୁହାଟର ଗାଈପରି ମନେ କରୁଥିଲେ ।
ଆଗକାଳେ କ୍ରୀତଦାସମାନଙ୍କୁ ବିକ୍ରି କରୁଥିବା ଲୋକମାନଙ୍କ ମନରେ ବରଂ କିଛି ସମବେଦନା, କରୁଣା ବୋଲି ଭାବ ଥିଲା । ସେମାନେ ପରମ୍ପରାକୁ ମାନି ସେମାନଙ୍କ ପ୍ରତି ସୌଜନ୍ୟ ପ୍ରଦର୍ଶନ କରୁଥିଲେ । ସେଇଥିପାଇଁ ତ କ୍ରୀତଦାସମାନଙ୍କୁ ହାଟରେ ବିକ୍ରୀ ନ କରି ଗୁପ୍ତ ଭାବେ ଏ ବ୍ୟବସାୟ ଚାଲୁଥିଲା ।
ଏବର ଏ ଭଡ଼ୁଆମାନେ ସେପରି ସାଧାରଣ ସୌଜନ୍ୟକୁ ସୁଦ୍ଧା ଭୁଲି ଯାଇଛନ୍ତି! ବିଚ୍ ବଜାରରେ ମହିଳାମାନଙ୍କୁ ନିଲାମ କରୁଛନ୍ତି । ସେମାନଙ୍କୁ ରାସ୍ତାକଡ଼ର କୌଣସି ପଣ୍ୟବସ୍ତୁ କରି ମୂଲଚାଲ କରୁଛନ୍ତି । ଉଜବେକିସ୍ତାନର କ୍ରେତାମାନଙ୍କ ସାମ୍ନାରେ ଏପରି ମହିଳାମାନଙ୍କୁ ଉଲଗ୍ନ କରି ଧାଡ଼ିରେ ଠିଆ କରାଯାଏ । ସେମାନେ ଏପରି ମହିଳାମାନଙ୍କ ଦେହମୁଣ୍ଡରେ ହାତବୁଲାଇ ବିଭିନ୍ନ ପ୍ରଶ୍ନ ପଚାରନ୍ତି । ଯେଉଁ ମହିଳାମାନଙ୍କୁ ସେମାନେ ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ଅସହାୟଭାବେ ଆଖିରୁ ଲୁହ ଗଡ଼ାଇ ଚାଲନ୍ତି । କେବଳ ନିଜ ମୁହଁକୁ ହାତ ପାପୁଲିରେ ଲୁଚାଇ ଧରିବା ଛଡ଼ା ସେମାନଙ୍କ ପାଖରେ ଆଉ କୌଣସି ଚାରା ନ ଥାଏ ।
ୱାଘା ସୀମାନ୍ତ ଅଭିମୁଖେ ଯାତ୍ରା ଆରମ୍ଭ କରିବା ଲାଗି ସୁନ୍ଦରଲାଲ ପ୍ରସ୍ତୁତ ହେଲେ । ଲାଜୋ ଫେରିବା କଥା ଶୁଣିବା ବେଳଠାରୁ ତାଙ୍କ ମନ ବେଳକୁ ବେଳ ଅସ୍ଥିର ହୋଇ ଉଠୁଥାଏ । ଖବରଟି ଏତେ ଆକସ୍ମିକଭାବେ ତାଙ୍କ ନିକଟରେ ପହଞ୍ଚି ଥିଲା ଯେ ସେ ପ୍ରଥମେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିଲେ । କ’ଣ କରିବେ, କିଛି ଚିନ୍ତାକରି ପାରି ନ ଥିଲେ । ସେଇ ମୁହୂର୍ତ୍ତରେ ଲାଜୋ ନିକଟକୁ ଧାଇଁ ଯିବାକୁ ତାଙ୍କ ଇଚ୍ଛା ହେଉଥିଲା, କିନ୍ତୁ ପୁଣି ମନରେ ଭୟ ଓ ଆଶଙ୍କା ଉପୁଜୁଥିଲା । ସେ ଏପରି ହତୋତ୍ସାହିତ ହୋଇ ପଡ଼ିଥିଲେ ଯେ ଘରେ ଜମା ହୋଇଥିବା ସବୁ ବ୍ୟାନର ଓ ପ୍ଲାକାର୍ଡକୁ ଘରସାରା ବିଛାଇ ଦେବାକୁ ତାଙ୍କର ଇଚ୍ଛା ହେଉଥିଲା । ଆଉ ସେଇ ପ୍ଲାକାର୍ଡ଼ ମଝିରେ ବସି ସେ କାନ୍ଦନ୍ତେ!
ତା’ପରେ କିଛି ସମୟ ମଧ୍ୟରେ ନିଜକୁ ପ୍ରକୃତିସ୍ଥ କରରାଇ ନେଇ ସେ ଏକମୁହାଁ ଚୌକି କାଲାନ ଆଡ଼େ ଚାଲିଲେ । ସେଠାରେ ଦୁଇ ଦେଶର ଅପହୃତା ମହିଳାମାନଙ୍କ ଅଦଳବଦଳ ଚାଲିଥାଏ । ହଠାତ୍ ସୁନ୍ଦରଲାଲ ଆବିଷ୍କାର କଲେ ଲାଜୋ ତାଙ୍କ ଆଗରେ ଠିଆ ହୋଇଚି ଓ ଗୋଟାପଣେ ବରଡ଼ାପତ୍ର ପରି ଥରୁଛି । କାରଣ, ସୁନ୍ଦରଲାଲଙ୍କୁ ସେ ଯେମିତି ଜାଣିଥିଲେ, ଆଉ କେହି ଜାଣି ନ ଥିଲେ । ସୁନ୍ଦରଲାଲ ତାଙ୍କୁ ସଦାବେଳେ ହତାଦର କରି ଆସିଥିଲେ । ଆଉ ଏବେ ସେ ଅନ୍ୟଜଣେ ପୁରୁଷ ସହିତ ଏତେ ଦିନ ରହି ତାଙ୍କ ନିକଟକୁ ଫେରିଛି । ଲାଜୋ ଚିନ୍ତା ସୁଦ୍ଧା କରିପାରୁ ନ ଥିଲା, ସୁନ୍ଦରଲାଲ ତା’ର କି ହାଲ କରିବେ!
ସୁନ୍ଦରଲାଲ ଲାଜୋ ମୁହଁକୁ ଚାହିଁ ରହିଲେ । ତା’ମୁଣ୍ଡ ଉପରେ ଏକ ଲାଲ ରଙ୍ଗର ଚୁନରୀ, ଠିକ୍ ଜଣେ ମୁସଲମାନ ମହିଳା ପରି ଓ ସେଇ ଚୁନରୀର ଗୋଟିଏ ପଟ ବାଁ କାନ୍ଧ ଉପରେ ପଡ଼ିଥାଏ । ତାକୁ ଅଟକ ରଖିଥିବା ଲୋକମାନଙ୍କ ଦୌରାତ୍ମ୍ୟ ଓ ଅତ୍ୟାଚାରରୁ ରକ୍ଷା ପାଇବା ଲାଗି ସେ ଏବେ ମୁସଲମାନ ବସ୍ତିରେ ରହୁଥିବା ଅନ୍ୟ ମହିଳାଙ୍କ ଚାଲିଚଳଣକୁ ଟିକିନିଖି ଭାବେ ଅନୁକରଣ କରିଥିଲା । କିନ୍ତୁ ଏଇ କିଛଦିନ ଭିତରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା । ତେଣୁ ସେ ସୁନ୍ଦରଲାଲ କଥା ସଦାବେଳେ ଭାବି ଚାଲିଥିଲା । କିମ୍ବା ସେପରି ଅବସର ପାଇ ନ ଥିଲା । ସେ ଯେ ମୁସଲମାନ ସ୍ତ୍ରୀଲୋକଟିଏ ପରି ଚୁନରୀ ପକାଇଥିଲା, ସେକଥା ସେ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିଲା । ଜଣେ ହିନ୍ଦୁ କି ମୁସଲମାନ ମହିଳାଙ୍କ ବେଶପୋଷାକ ଓ ଚାଲିଚଳଣ ଭିତରେ ଥିବା ଏପରି ପାର୍ଥକ୍ୟ କଥା ପ୍ରତି ସେ ଆଦୌ ସଚେତନ ନଥିଲା । ସେ ଚୁନରୀଟି ବାଁ ପଟ କାନ୍ଧରେ ପଡ଼ିଥିଲା କି ଡାହାଣପଟ କାନ୍ଧରେ ସେଥିପ୍ରତି ତା’ର ନଜର ନ ଥିଲା । ସୁନ୍ଦରଲାଲ ସାମ୍ନାରେ ସେ ଥରି ଥରି ଠିଆ ହୋଇଥିଲାବେଳେ ତା’ ମନ ଆଶା, ଆଶଙ୍କାରେ ଗୋଟାପଣେ ଉଦ୍ବେଳିତ ହେଉଥିଲା ।
ସୁନ୍ଦରଲାଲ ବି ଗୋଟାପଣେ ଆବାକାବା ହୋଇ ଯାଇଥିଲେ । କ’ଣ କରିବେ, କ’ଣ କହିବେ, ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନ ଥିଲା । ଲାଜୋ ତାଙ୍କ ସାମ୍ନାରେ ଠିଆ ହୋଇଥିଲା । ୟା’ଭିତରେ ଲାଜୋ ସାମାନ୍ୟ ସ୍ୱାସ୍ଥ୍ୟବତୀ ହୋଇଯିବା ପରି ଲାଗୁଥିଲା । ରଙ୍ଗ ବି ଅହୁରି ଫିଟି ଆସିଥିବା ପରି ଲାଗୁଥିଲା । ଆଖି ଯୋଡ଼ିକ ବେଶ୍ ସତେଜ ଦିଶୁଥିଲା । ସୁନ୍ଦରଲାଲଙ୍କୁ ଲାଗିଲା, ଲାଜୋ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦିଶୁଛି । ସେ ଭାବିଥିଲେ, ଦୁଃଖ,ବିଚ୍ଛେଦ ଓ ଦୁଶ୍ଚିନ୍ତାରେ ଲାଜୋ କଣ୍ଟା ହୋଇ ଯାଇଥିବ, କଳାକାଠ ପଡ଼ି ଯାଇଥିବ । ତା’ର କଥା କହିବାକୁ ସୁଦ୍ଧା ଜୁ ପାଉ ନ ଥିବ । କିନ୍ତୁ ପାକିସ୍ତାନରେ ଏତେଦିନ ଏକୁଟିଆ ରହି ସେ ଯେ ଏପରି ରୂପବତୀ, ସ୍ୱାସ୍ଥ୍ୟବତୀ ହୋଇ ଫେରିବ,
ସେକଥା ସୁନ୍ଦରଲାଲ ଚିନ୍ତା ସୁଦ୍ଧା କରିପାରୁ ନ ଥିଲେ । ତାଙ୍କ ମୁଣ୍ଡ ସତେ ଯେମିତି କାମ କରୁ ନ ଥିଲା । ସେ ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲେ- ଯଦି ପାକିସ୍ତାନରେ ସେ ଏତେ ସୁଖ ଶାନ୍ତିରେ ଥିଲା, ତା’ହେଲେ ଭାରତକୁ ଫେରି ଆସିବାକୁ ଚାହିଁଲା ଅବା କାହିଁକି? ସମ୍ଭବତଃ ଭାରତ ସରକାରଙ୍କ ବାଧ୍ୟବାଧକତାରେ ସେ ଫେରି ଆସିଥାଇପାରେ…!
କିନ୍ତୁ ସୁନ୍ଦରଲାଲ ଉଁ ଚୁଁ କିଛି କହି ନ ଥିଲେ । ଲାଜୋକୁ ଗାଳି ଦେବେନାହିଁ କି ତା’ଉପରେ ରାଗିବେନାହିଁ ବୋଲି ସେ ମନେ ମନେ ଶପଥ କରିଥିଲେ । ଏକଥା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ଯେ ଲାଜୋର ମୁହଁରେ ଉକୁଟି ଉଠୁଥିବା ଲଜ୍ଜା ଓ ଆତ୍ମଗ୍ଳାନିକୁ ସୁନ୍ଦରଲାଲ
ଠଉରାଇ ପାରୁ ନ ଥିଲେ । ସେ ଏକଥା ବି ଲକ୍ଷ୍ୟ କରିପାରୁ ନ ଥିଲେ ଯେ ତାଙ୍କ ମୁହଁର ସତେଜ ଭାବ କେମିତି ନିଷ୍ପ୍ରଭ ଲାଗୁଥିଲା । ଏପରିକି ତାଙ୍କ ଶରୀରରେ ପୂର୍ବର ସେ ଯୌବନର ମାଦକତା ବି ନ ଥିଲା । ସୁନ୍ଦରଲାଲଙ୍କୁ ଏବେ ତାଙ୍କ ଧର୍ଷିତା ଓ ଅପହୃତା ପତ୍ନୀଙ୍କୁ ସାମ୍ନା କରିବାର ଦ୍ୱନ୍ଦ୍ୱ ଗୋଟାପଣେ ଆକ୍ରାନ୍ତ କରି ରଖିଥିଲା । କିନ୍ତୁ ସେ ନିଜ କର୍ତ୍ତବ୍ୟରୁ ତିଳେ ହେଲେ ବିଚ୍ୟୁତ ହୋଇ ନ ଥିଲେ । ବରଂ
ନିଜର ପୁରୁଷାକାର ଓ ସାହସ ପ୍ରଦର୍ଶନ କରିବାକୁ ଦିନେ ହେଲେ ପଛାଇ ନ ଥିଲେ ।
ସୁନ୍ଦରଲାଲଙ୍କ ପରି ଥାନାରେ ଆହୁରି ଅନେକ ଲୋକ ରୁଣ୍ଡ ହୋଇଥିଲେ । ସେମାନଙ୍କ ଭିତରୁ କେହି ଜଣେ ଚିତ୍କାର ଛାଡ଼ିଲା, ‘ଆମେ ଏ ଚରିତ୍ରହୀନାମାନଙ୍କୁ କଦାପି ଗ୍ରହଣ କରିବୁନି… ମୁସଲମାନମାନେ ସେମାନଙ୍କ ଇଜ୍ଜତ ଲୁଟିଛନ୍ତି ।’ କିନ୍ତୁ ଏ ଲୋକଟିର ସ୍ୱର, ରସାଳୁ, ନେକି ରାମ ଓ ଚୌକୀ କଲାନର ସେ ବୁଢ଼ା ଓକିଲଙ୍କ ସ୍ଲୋଗାନରେ କୁଆଡ଼େ ହଜିଗଲା ।
ଏମାନଙ୍କ ସମସ୍ତଙ୍କ ସ୍ୱର ଠାରୁ ଅଧିକ ଉଚ୍ଚ ଶୁଭୁଥିଲା କାଲକା ପ୍ରସାଦର କଣ୍ଠସ୍ୱର । ଲାଉଡ ସ୍ପିକର ପାଖରେ ମୁହଁ ଗୁଞ୍ଜି ସେ ଖୁଁ ଖୁଁ ହୋଇ
କାଶି ଚାଲିଥାନ୍ତି ଓ ଏବେ ଆଉ ଏକ ନୂଆ ଶାସ୍ତ୍ର, ନୂଆ ବେଦ ରଚନାର ସମୟ ଆସିଛି ବୋଲି ସମସ୍ତଙ୍କୁ ଆହ୍ୱାନ ଜଣାଉଛନ୍ତି । ଏହା ଦ୍ୱାରା ସେମାନେ ଏପରି ଜଟିଳ ପରିସ୍ଥିତିର ମୁକାବିଲା କରିପାରିବେ ବୋଲି ସେମାନଙ୍କୁ ବୁଝାଉଥାଆନ୍ତି । ଲୋକମାନେ ଏପରି ସ୍ଲୋଗାନ ଓ ଭାଷଣ ଦେଉଥିଲାବେଳେ ସୁନ୍ଦରଲାଲ ଲାଜୋର ହାତଧରି ସିଧା ନିଜ ଘରମୁହାଁ ଚାଲିଲେ । ଏ ଦୃଶ୍ୟଟି ଦେଖି ସମସ୍ତେ ଯେପରି ରାମାୟଣର ସେଇ ଦୃଶ୍ୟଟି କଥା ମନେ ମନେ ଭାବିହେଲେ- ବନବାସ ସାରି ପ୍ରଭୁ ଶ୍ରୀରାମ ଦେବୀ ସୀତାଙ୍କୁ ଅଯୋଧ୍ୟାର ରାଜନଅରକୁ ବାଟ କଢ଼ାଇ ନେଉଛନ୍ତି । ରାମାୟଣ ପରି, ଏ ଘଟଣାରେ ଦୁଃଖ ଅଛି, ଆନନ୍ଦ ବି ଅଛି, ଉତ୍ସବ ଅଛି, ସ୍ୱାଗତ ବି ଅଛି । କାରଣ, ସେମାନେ ଅନେକ ଲଜ୍ଜା, ଦୁଃଖ ଓ କଷ୍ଟ ସ୍ୱୀକାର କରିଛନ୍ତି ।
ଲାଜବନ୍ତୀ ଘରକୁ ଫେରିବା ପରେ ସୁଦ୍ଧା, ସୁନ୍ଦରଲାଲ ପୂର୍ବ ଭଳି ଥଇଥାନ କମିଟିରେ କାର୍ଯ୍ୟକରିବାକୁ ଲାଗିଲେ । କେବଳ କଥାରେ ନୁହେଁ, କାର୍ଯ୍ୟରେ ସୁଦ୍ଧା ସେ ନିଜ ପ୍ରତିବଦ୍ଧତାକୁ ପ୍ରମାଣିତ କରିଚାଲିଲେ । ଏପରିକି ଯେଉଁମାନେ ତାଙ୍କୁ ଅତୀତରେ ଜଣେ ଭାବପ୍ରବଣ ବୋକା ବୋଲି କହି ଟାହି ଟାପରା କରୁଥିଲେ, ସେମାନେ ଏବେ ସୁନ୍ଦରଲାଲଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସ୍ୱୀକାର କରିବାକୁ ଆରମ୍ଭ କରିଥିଲେ ।
କିନ୍ତୁ, ଆଉ ଥୋକାଏ ଲୋକ ଥିଲେ ଯେଉଁମାନେ ଏପରି ଘଟଣାକ୍ରମକୁ ଆଦୌ ପସନ୍ଦ କରୁନଥିଲେ । ଗଳିର ୪୧୪ ନମ୍ବର ଘରେ ରହୁଥିବା ସେ ବିଧବା ମହିଳା ଜଣକ କେବଳ ଏକମାତ୍ର ମହିଳା ନଥିଲେ ଯିଏ ସୁନ୍ଦରଲାଲଙ୍କ ଘରଠରୁ ନିଜକୁ ଦୂରେଇ ରଖିଥିଲେ । ତାଙ୍କ ପରି ଅନେକ ଲୋକ ସୁନ୍ଦରଲାଲଙ୍କୁ ମନେ ମନେ ଘୃଣା କରୁଥିଲେ । କାରଣ, ନିଜ ଅପହୃତ ପତ୍ନୀଙ୍କୁ ସେ ପୁଣି ଥରେ ଗ୍ରହଣ କରି ଘରକୁ ଲେଉଟାଇ ଆଣିଥିଲେ ।
କିଏ ତାଙ୍କୁ ଗାଳିଦେଲା କି ପ୍ରଶଂସା କଲା, ସେଥିପ୍ରତି ସୁନ୍ଦରଲାଲ ଆଦୌ କାନ ପାତୁ ନ ଥିଲେ । ସେଥିପ୍ରତି ତାଙ୍କର ଖାତିର ନ ଥିଲା । ତାଙ୍କ ଘରର ରାଣୀ ଏବେ ତାଙ୍କ ଘରକୁ ଫେରି ଆସିଥିଲା, ତାଙ୍କ ହୃଦୟର ଶୂନ୍ୟସ୍ଥାନ ପୁଣି ଥରେ ଭରି ଉଠିଥିଲା । ବାସ୍, ସେତିକି ଯଥେଷ୍ଟ । ଏବେ ସେ ତାଙ୍କ ହୃଦୟ ମନ୍ଦିରରେ ସତେ କି ସୁବର୍ଣ୍ଣ ପ୍ରତିମାଟିଏ ପରି ଲାଜୋଙ୍କୁ ବସାଇଥିଲେ ଓ ଜଣେ ସ୍ୱାର୍ଥପର ଭକ୍ତ ପରି
ତାଙ୍କୁ ଜଗି ରହିଥିଲେ । ଦିନେ, ସୁନ୍ଦରଲାଲଙ୍କ ସାମ୍ନାରେ ଭୟରେ ଥରିଥରି ଠିଆ ହେଉଥିବା ଲାଜୋ ତାଙ୍କ ସ୍ନେହ ଆଦରରେ ପୁଣି ସ୍ୱାଭାବିକ ଅବସ୍ଥାକୁ ଲେଉଟି ଆସିଥିଲା । ଅତୀତର ସବୁ ଦୁଃଖ,ଯନ୍ତ୍ରଣା,ଲଜ୍ଜା ଓ ଗ୍ଳାନିକୁ ଭୁଲି ଯାଇଥିଲା ।
ସୁନ୍ଦରଲାଲ ଏବେ ତାକୁ ଲାଜୋ ବୋଲି ଡାକୁ ନ ଥିଲେ । ସେ ତାକୁ ‘ଦେବୀ’ବୋଲି ସମ୍ବୋଧନ କରୁଥିଲେ । ଏକଥା ଲାଜୋ ମନରେ ଅସମ୍ଭବ ଆନନ୍ଦ ଭରି ଦେଇଥିଲା । ଲାଜୋକୁ ଏପରି ଖୁସି ହେବାର ପୂର୍ବରୁ କେହି କେବେ ଦେଖି ନ ଥିଲେ । ଲୁହଭିଜା ଆତ୍କରେ ବେଳେବେଳେ ଲାଜୋର ସୁନ୍ଦରଲାଲଙ୍କୁ କହିବାକୁ ଇଚ୍ଛା ହୁଏ- ଜୀବନରେ ଏତେ ଦୁଃଖକଷ୍ଟ ସହ୍ୟକରି ସେ ଏବେ ସମ୍ପୂର୍ଣ୍ଣ ନିର୍ମଳ ପାଲଟି ଯାଇଛି । କିନ୍ତୁ, ସୁନ୍ଦରଲାଲ ତା’ମୁହଁରୁ ଏପରି କଥା ଶୁଣିବାକୁ ଆଦୌ ପସନ୍ଦ କରୁ ନ ଥିଲେ । ତେଣୁ କିଛି ନା କିଛି ବାହାନା କରି ସେ ଲାଜୋ ଏପରି କଥା କହିବା ଆଗରୁ ତାକୁ ଏଡ଼ାଇ ଯାଆନ୍ତି ।
ଏକଥା ଭାବିଲେ ଲାଜୋକୁ ତା’ନୂଆ ଜୀବନ ପ୍ରତି ଭାରି ଡର ମାଡ଼େ । ମନରେ ଆଶଙ୍କା ଉପୁଜେ । ଏପରିକି ସୁନ୍ଦରଲାଲ୍କ ସ୍ନେହ ଓ ଆଦର ତା’ମନରେ ଭୟ ସୃଷ୍ଟିକରେ । ରାତିରେ ସୁନ୍ଦରଲାଲ ନିଦରେ ଶୋଇ ପଡ଼ିଥିବାବେଳେ ଦିନେଦିନେ ଲାଜୋ ତାଙ୍କ ମୁହଁକୁ ଚାହିଁରହେ । ଯଦି କେତେବେଳେ ସୁନ୍ଦରଲାଲଙ୍କର ଅଚାନକ ନିଦ ଭାଙ୍ଗିଯାଏ ଓ ସେ ତାକୁ ଏପରି କରିବାର କାରଣ ପଚାରନ୍ତି, କଥାର ପ୍ରସଙ୍ଗ ବଦଳାଇନେଇ ଲାଜୋ ଆଉ କିଛି କହିବାର ବାହାନା କରେ । ସୁନ୍ଦରଲାଲ ତା’କଥାରେ ବିଶ୍ୱାସ କରି ପୁଣି ଶୋଇଯାଆନ୍ତି…
ହଁ, ଏକଥା ସତଯେ, ଲାଜବନ୍ତୀ ଫେରିଆସିବା ପରେ ସୁନ୍ଦରଲାଲ ତାକୁ ସେ ‘ଦୁର୍ଦିନ’ବିଷୟରେ କେଇଥର ପଚାରିଛନ୍ତି ।
:‘କିଏ ତୋତେ ଜୋର ଜବରଦନ୍ତ ଅଟକ ରଖିଥିଲା?’
ଲାଜବନ୍ତୀ ଆଖିପତା ତଳକୁ କରିନେଇ ଥୀରେ କହିଲା, ‘ଜମାଲ’ । ଏତିକି କହିସାରି ସେ ପୁଣି ମୁହଁ ଟେକି ଭୟରେ ସୁନ୍ଦରଲାଲଙ୍କ ମୁହଁକୁ ଚାହିଁଲା । ଆଉ କିଛି କହିବାକୁ ତା’ର ଇଚ୍ଛା ହେଉଥିଲା । କିନ୍ତୁ ସୁନ୍ଦରଲାଲଙ୍କ ଆଖିର ସେ ବିଚିତ୍ର ଭାବକୁ ଦେଖି ସେ ଚୁପ୍ ରହିଥିଲା ।
ଲାଜୋର କେଶକୁ ଆସ୍ତେ ସାଉଁଳେଇ ଆଣୁ ଆଣୁ ସୁନ୍ଦରଲାଲ ପଚାରିଲେ, ‘ସିଏ ତୋ ସାଙ୍ଗରେ ଭଲ ବ୍ୟବହାର କରୁଥିଲା ତ?’
:‘ହଁ ।’
:‘ତୋତେ ସିଏ ମରାମରି କରି ନାହିଁ ତ?’
ଲାଜବନ୍ତୀ ନଇଁଆସି ସୁନ୍ଦରଲାଲଙ୍କ ଛାତି ଉପରେ ମୁହଁ ଗୁଞ୍ଜି କହିଲା, ‘ନା’ । ତା’ପରେ ମୁହୂର୍ତ୍ତେ ରହି ପୁଣି କହିଲା, ‘ସିଏ ସିନା ମୋତେ ମାରୁ ନ ଥିଲେ, ମୁଁ କିନ୍ତୁ ତାଙ୍କୁ ଭାରି ଡରୁଥିଲି । ତୁମେ ମୋତେ ମାରଧର କର, ଗାଳିଗୁଲଜ କର । କିନ୍ତୁ ତୁମକୁ ମୋତେ ଡର ମାଡ଼େନି । ରାଣ ଖାଅ, ମୋତେ ଆଉ ଜମ୍ମା ମାରଧର କରିବନି ।’
ସୁନ୍ଦରଲାଲଙ୍କ ଆଖି ଲୁହ ଛଳଛଳ ହୋଇଉଠିଲା ଓ ଲଜ୍ଜା ଓ ଅନୁତାପଭରା କଣ୍ଠରେ ସେ କହିଲେ, ‘ନା, ଦେବୀ… ମୁଁ ତୁମକୁ ଆଉ କେବେ ମାରିବିନି । କେବେ ବି ନୁହେଁ ।’
‘ଦେବୀ!’ ଲାଜବନ୍ତୀ ଧୀରେ ଧୀରେ ଏଇ ନାଁଟିକୁ ଦୋହରାଇ କଇଁ କଇଁ ହୋଇ କାନ୍ଦିଉଠିଲା । ଲାଜବନ୍ତୀର ଇଚ୍ଛା ହେଉଥିଲା, ସେଇ ମୁହୂର୍ତ୍ତରେ ସେ ସୁନ୍ଦରଲାଲଙ୍କ ଆଗରେ ସବୁକିଛି ଫିଟେଇ କହିଦିଅନ୍ତା । କିନ୍ତୁ ସୁନ୍ଦରଲାଲ କହିଥିଲେ, ‘ଗଲା କଥା ଗଲାଣି । ସେକଥାକୁ ମନେପକେଇ ଆଉ ଲାଭ ନାହିଁ । ମୋର ବିଶ୍ୱାସ ଯେ ତୁ କିଛି ପାପ କରି ନାହୁଁ । ଆମ ସମାଜର ବରଂ ଦୋଷ ରହିଛି । କାରଣ, ତୋ ଭଳି ଦେବୀମାନଙ୍କୁ ଏ ସମାଜ ଗ୍ରହଣ କରି ନାହିଁ କି ସମ୍ମାନ ଦେଇ ଜାଣେନି । ଏ ସମାଜକୁ ଲାଜସରମ ନାହିଁ । ତେଣୁ ତୁ ନିଜକୁ ଅପରାଧୀ କି ଅପବିତ୍ର ବୋଲି ଭାବିବା ଦରକାର ନାହିଁ ।’
ସୁନ୍ଦରଲାଲଙ୍କ ମୁହଁରୁ ଏପରି କଥା ଶୁଣିଲା ପରେ ଲାଜବନ୍ତୀ ମନର ସବୁ ଦୁଃଖ ତା’ଛାତିତଳେ ଜମାଟ ବାନ୍ଧି ରହିଯାଏ । ଅସହାୟ ହୋଇ ସେ ନିଜ ଶରୀରକୁ ଚାହେଁ ଓ ତାକୁ ଲାଗେ, ଦେଶ ଭାଗ ଭାଗ ହେଲା ଦିନଠାରୁ ଏ ଶରୀର ଆଉ ତା’ନିଜର ହୋଇ ରହିନି । କୌଣସି ଜଣେ ଦେବୀଙ୍କ ଶରୀର ପାଲଟିଯାଇଛି! ଏଇ କଥା ଭାବି ସେ ମନେ ମନେ ଖୁସି ହୁଏ । ପୁଣି ପର ମୁହୂର୍ତ୍ତରେ ତା’ ଛାତି
ଆଶଙ୍କାରେ ଥରି ଉଠେ । ତା’ର ଭୟହୁଏ, ତା’ ସ୍ୱପ୍ନର ଦୁନିଆ ଦିନେ ନା ଦିନେ ଭାଙ୍ଗି ଚୁରମାର ହୋଇଯିବ, କେହି ଜଣେ ଅପରିଚିତ ବ୍ୟକ୍ତିର ପଦଧ୍ୱନି ତା’ ଦୁଆରମୁହଁକୁ ଖଟଖଟ କରିବ… ।
ସମୟକ୍ରମେ ଏପରି ସୁଖ ସନ୍ଦେହକୁ ପରିବର୍ତ୍ତିତ ହେଲା । ଏକଥା ନୁହେଁଯେ ସୁନ୍ଦରଲାଲ ତାକୁ ପୁଣିଥରେ ହତାଦର କରିବାକୁ ଆରମ୍ଭ କରିଥିଲେ । ବରଂ ତାଙ୍କର ଅତିରିକ୍ତ ସ୍ନେହରୁ ଲାଜବନ୍ତୀ ମନରେ ଏପରି ସନ୍ଦେହ ହୋଇଥିଲା । ସୁନ୍ଦରଲାଲ ଏପରି ସ୍ନେହ କରନ୍ତୁ, ସେକଥା ସେ ଚାହୁଁ ନ ଥିଲା, ନିଜକୁ ବିଶ୍ୱାସ ସୁଦ୍ଧା କରିପାରୁ ନ ଥିଲା । ସେ ଚାହୁଁଥିଲା, ଆଉ ଥରେ ସେଇ ଲାଜୋ ହୋଇ ବଞ୍ଚିବାକୁ । ଛୋଟ ମୋଟ କଥାକୁ ନେଇ ସେ ପୁଣି ଥରକୁ ଥର ତା’ସ୍ୱାମୀ ସାଙ୍ଗରେ ଝଗଡ଼ା କରନ୍ତା, ସିଏ ତାକୁ ଗାଳି ଦିଅନ୍ତେ, ପୁଣି ଆଦର କରନ୍ତେ ।
ଏବେ କିନ୍ତୁ ସେମାନଙ୍କ ଭିତରେ ଝଗଡ଼ା ଅସମ୍ଭବ ଥିଲା । ସୁନ୍ଦରଲାଲ ତାକୁ ସତେ ଯେପରି ଅମୂଲ୍ୟ ମଣିଟିଏ ପରି ଭଲ ପାଉଥିଲେ । ସାମାନ୍ୟ ଅସାବଧାନ ହେଲେ ଯେମିତି କାଚଖଣ୍ଡେ ପରି ଭାଙ୍ଗି ଚୂରମାର ହୋଇଯିବ! ଲାଜେ ବେଳେବେଳେ ଆଇନା ସାମ୍ନାରେ ନିଜକୁ
ନିଜେ ଚାହେଁ । ତା’ର ସନ୍ଦେହ ହୁଏ, ସିଏ ଆଉ ଲାଜୋ ହୋଇ ପାରିବନି । ସିଏ ଘରକୁ ଲେଉଟି ଆସିଛି ସିନା, କିନ୍ତୁ ସେ ସବୁକିଛି ହରାଇ ଆସିଛି… । ତା’ ଆଖିର ଲୁହକୁ ଦେଖିବା ଲାଗି କି ତା’ କଇଁ କଇଁ କାନ୍ଦଣାକୁ ଶୁଣିବା ସକାଶେ ସୁନ୍ଦରଲାଲଙ୍କ ଆଖି କି କାନର ଶକ୍ତି ନଥିଲା! ସବୁଦିନ ସକାଳେ ସୁ୍ନ୍ଦରଲାଲ ଅନ୍ୟମାନଙ୍କ ସାଥିରେ ମିଶି ମୋହଲ୍ଲା ସାକୁରରେ ପଟୁଆର ବାହାର କରନ୍ତି ଓ ରସାଳୁ ଓ ନେକି ରାମଙ୍କ ସାଙ୍ଗରେ ଏକ ସ୍ୱରରେ ରାସ୍ତାରେ ଗାଇ ଗାଇ ଚାଲନ୍ତି- ‘ଲାଜକୁଳି ଲତା ସିଏ, ଛୁଅନାହିଁ ତାକୁ କେହି, ଲାଜରେ ସେ ଦେବ ଆଖିବୁଜି, ଅକାଳରେ ଯିବ ହଜି ।’
ଓଡ଼ିଆ ରୂପାନ୍ତର: ସୁଭାଷ ଶତପଥୀ
Comments are closed.