ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଘୁଷୁରି, କୁକୁଡ଼ା ଆଦି ଜୀବଙ୍କୁ ପାଳିଲେ ସେଥିରୁ ପରିବାର ଚଳେ। ଘୁଷୁରି ପାଳିବା ସେମାନଙ୍କ ପାଇଁ ଏକ ବାଧ୍ୟ ବାଧକ ପେସା ଏଇଥି ପାଇଁ ଯେ, ସେମାନଙ୍କ ପାଖରେ ବାପା ଜେଜେ ଅମଳରୁ ଚାଷ କରିବା ପାଇଁ ଜମି ଖଣ୍ଡେ ନାହିଁ। ଆଉ ଜମି ନଥିଲେ ଗାଈ ପାଳିବା ଭାରି କଷ୍ଟ, ବିଶେଷକରି ଯଦି ଗାଁରେ ରହୁଛି ଜଣେ। ସିଧାଭାଷାରେ କହିଲେ ସେଥିପାଇଁ ହିଁ ଯୁଗ ଯୁଗ ଧରି ଘୁଷୁରି ପାଳି ଚଳି ଆସିଛନ୍ତି ସେମାନେ। ଘୁଷୁରି ପାଳୁଥିବାରୁ ବୋଧେ ସେମାନଙ୍କୁ ଘୁଷୁରିଆ ବୋଲି କହନ୍ତି ଲୋକେ।
ସାମାନ୍ୟ ଉଚ୍ଚ ଜାତିର ଲୋକମାନେ ନିଜର କୌଣସି ଶୁଭ କାର୍ଯ୍ୟ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟରେ ସେମାନଙ୍କୁ ସାଙ୍ଗରେ ବସାନ୍ତି ନାହିଁ। ଗାଁ ପାଖ ଜଙ୍ଗଲରୁ ଆରମ୍ଭ କରି ପଡ଼ିଆ ପଡ଼ିଥିବା ଅନାବାଦି ଗୋଚର ଭୂଇଁରେ ସେମାନେ ଆଣନ୍ତି ଘୁଷୁରି ଚରାଇବା ପାଇଁ। ଅନେକାଂଶରେ ଦେଖାଯାଇଛି, ସ୍ତ୍ରୀଲୋକମାନେ ବି ପିଠିପଟେ ଗାମୁଛାଟେ ଝୁଲା କରିଦେଇ ସେଥିରେ କ୍ଷୀରପିଆ ପିଲାଟିକୁ ବାନ୍ଧିଦେଇ, ହାତରେ ଠେଙ୍ଗା ଖଣ୍ଡେ ଧରି ଘୁଷୁରି ପଲ ପଛରେ ଏକ ବିଚିତ୍ର ଡାକ ଦେଇ ଦୌଡ଼ିଥାନ୍ତି। ଘୁଷୁରିମାନେ ବି ଚିହ୍ନି ପାରିଥାନ୍ତି ନିଜ ମାଲିକ ମାଲିକାଣୀଙ୍କୁ। କଥା ମାନନ୍ତି। ତା ନହେଲେ ବଡ଼ରୁ ପିଲା ଯାଏଁ ଶହ ଶହ ଘୁଷୁରିଙ୍କୁ କି ଜଣେ ସ୍ତ୍ରୀ ଲୋକ ନିୟନ୍ତ୍ରଣ କରିପାରନ୍ତା? ମାଆ ପିଠିରେ ଝୁଲୁଥିବା ସେଇ କୁନିପିଲାଟି ବି ଚାରି ପାଞ୍ଚ ବର୍ଷର ହେଲାବେଳକୁ ଶିଖି ଯାଇଥାଏ ଘୁଷୁରି ଚରାଇବା କାମଟି। ଯେଉଁ ବୟସରେ ପିଲାମାନଙ୍କ ବିଦ୍ୟାରମ୍ଭ ହେବା କଥା ବା ସେ ଅଙ୍ଗନୱାଡ଼ି କିମ୍ବା ସ୍କୁଲ ଯିବା କଥା, ସେହି ସମୟରେ ସେ କଣ୍ଟାଲଟା ଭିତରେ ଘୁଷୁରି ପଛରେ ଦୌଡ଼ିବା ଶିଖେ। ପୁଣି ବାପା ଜେଜେ ଭଳି ସେ ବି ବଡ଼ ହୋଇ ଘୁଷୁରିପାଳକ ପାଲଟିଯାଏ।
ନନ୍ଦପୁର ଗାଁର ତଳମୁଣ୍ଡକୁ ଥିବା ଘୁଷୁରିଆ ବସ୍ତି ବିଲୁଆଡିଆଁରେ ବି ରହୁଥାନ୍ତି ପ୍ରାୟ ପନ୍ଦରଟି ଘୁଷୁରିଆ ପରିବାର । ସେମାନଙ୍କ ସହିତ ଅନ୍ୟ କୌଣସି ଜାତିର ଲୋକ ରହନ୍ତି ନାହିଁ। ସେ ଗାଁର ଇତିହାସରେ ଶହ ଶହ ବର୍ଷ ଧରି କେହି ପାଠପଢ଼ିନି। କେବେ କୌଣସି ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ଚେଷ୍ଟା କରିନାହାନ୍ତି, ସେହି ଗାଁର ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ କୌଣସି ପଦକ୍ଷେପ ନେବାକୁ। ତେବେ ସମୟ ତ ସବୁବେଳେ ସମାନ ନଥାଏ। ବିଲୁଆଡିଆଁର ଚନ୍ଦୁରୁ ଦିନେ ନିଜର ଚାରି ବର୍ଷର ପୁଅ ପରଶୁକୁ ସାଙ୍ଗରେ ନେଇ ଘୁଷୁରି ଚରାଇବାକୁ ଯାଇଥାଏ ନନ୍ଦପୁର ବିଲମାଳ ଆଡ଼କୁ। ଗାଁ ପଛପଟେ ଥିବା ବିଲମାଳରେ ଚରୁଥିବା ଅବସ୍ଥାରେ ଗୋଟିଏ ପିଲା ଘୁଷୁରି ଆଗକୁ ଯାଇ ହରିହର ମହାପାତ୍ରଙ୍କ ବାଡ଼ିରେ ପଶିଗଲା।
ବାସ୍, ଏଇ କଥାଟା ଜାଣିଦେଲା ପରେ ହରିହର ମହାପାତ୍ର ଓ ତାଙ୍କ ପାଞ୍ଚଟା ଭେଣ୍ଡିଆ ପୁଅ ଏକା ସାଙ୍ଗରେ ଝପଟି ପଡ଼ିଲେ ଚନ୍ଦୁରୁ ଉପରକୁ। କି ଅକଥନୀୟ ମାଡ଼। ସେ ଦୃଶ୍ୟ ଦେଖୁଥାଏ ପରୁଶୁ। ଚାରି ବର୍ଷର ପିଲା। ସେ ବା କ’ଣ ଜାଣିଛି। ସେ ବରଡ଼ାପତ୍ର ଭଳି ଥରୁଥାଏ। ତା’ ସାଙ୍ଗକୁ ରାହା ଧରି ଅତି ଉଚ୍ଚସ୍ୱରରେ କାନ୍ଦୁଥାଏ। ତା ଦଦରା ଓଠରେ ବାରମ୍ବାର ତା ବାପାକୁ ଛାଡ଼ିଦେବା ପାଇଁ ନେହୁରା ହେଉଥାଏ। ତାକୁ ତା’ ବାପା ପିନ୍ଧାଇଥିବା ଛୋଟ ଗାମୁଛାଟାରେ ଭୟରେ ମୁତି ପକାଇଥାଏ ପରୁଶୁ। ଏ ସବୁ ସତ୍ତ୍ୱେ ମନ ଭରିନଥାଏ ଆକ୍ରମଣକାରୀ ହରିହର ମହାପାତ୍ର ଓ ତାଙ୍କ ପୁଅମାନଙ୍କର। ଚନ୍ଦୁରୁକୁ ତା ନିଜ ଚପଲକୁ ମୁଣ୍ଡାଇ ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଉଥିଲେ ସେମାନେ। ତା ପଛରେ ଚାଲୁଥାଏ ପରୁଶୁ। ଆଉ ତା ପଛକୁ କଥାମାନିଲା ଭଳି ଚାଲୁଥାନ୍ତି ତା ଘୁଷୁରିପଲ। ବିଚରା ଚନ୍ଦୁରୁ ସମ୍ପୂର୍ଣ୍ଣ ଅସହାୟ। ତା କଥା ଶୁଣିବା ପାଇଁ କେହି ନାହାନ୍ତି। ଯଦିଓ ନନ୍ଦପୁରର କିଛି ଲୋକ ଏହାକୁ ବିରୋଧ କରିବାକୁ ଚାହୁଁଥିଲେ, କିନ୍ତୁ ମହାପାତ୍ର ଘର ଔଧତ୍ୟ ଆଗରେ ସେମାନେ ଚୁପ୍ ।
ମାଡ଼ଗାଳି ଖାଇ ଘରକୁ ଫେରିଲା ଚନ୍ଦୁରୁ। ଆଉ ସେଦିନ ତା ପୁଅକୁ କହିଲା, ତୁ ଆଉ କେବେ ଘୁଷୁରି ଜଗିବାକୁ ଯିବୁନି। ଆମେ ମରିଯିବା ପଛେ, ତୁ କିନ୍ତୁ ଘୁଷୁରି ପାଳିବୁନି। ତତେ ପାଠ ପଢ଼ିବାକୁ ପଡ଼ିବ। ନନ୍ଦପୁର ମହାପାତ୍ର ଘରର ପିଲାଙ୍କଠୁ ବି ଅଧିକ ପାଠ ପଢ଼ିବୁ ତୁ। କହ, କଥା ଦେ। ମୋ କଥା ରଖିବୁନା ପରୁଶୁ ? ବିଚରା, ଚାରି ବର୍ଷର ପିଲା ପରୁଶୁ.. ସେ କ’ଣ ବା ବୁଝିବ? ତା ଗାଁରେ ତ କେହି ପାଠ ପଢ଼ିବା ସେ ଦେଖିନି। ହଁ, କେବେ କେମିତି ନନ୍ଦପୁର ଯଦି ବାପା କିମ୍ବା ମାଆ ସାଙ୍ଗରେ ଘୁଷୁରି ଚରାଇବାକୁ ଯାଇଛି, ସେତେବେଳେ ଦେଖିଛି ପିଲାମାନେ ବହି ବସ୍ତାନି ଧରି ସ୍କୁଲ ଯିବାର ଦୃଶ୍ୟ। ତା ଭିତରେ ବି ଉତ୍କଣ୍ଠା ଜାଗ୍ରତ ହୋଇଛି। କିନ୍ତୁ ତା ଗାଁରୁ କେହି ପଢୁନଥିବାରୁ ସେଥିପ୍ରତି ସେ କେବେ ଆଗ୍ରହ ଦେଖାଇନାହିଁ।
ଆଜି ଯେତେବେଳେ ବାପାକୁ ମାଡ଼ ହେବାର ଦେଖିଛି ସେ, ସେତେବେଳଠୁ ଅଧିକ ଡରିଯାଇଛି। ନନ୍ଦପୁର କ’ଣ, ଅନ୍ୟ କୌଣସି ପଡ଼ୋଶୀ ଗାଁକୁ ସେ ଘୁଷୁରି ସାଙ୍ଗରେ ଯିବାକୁ ନାରାଜ। ତେବେ ବାପା ଯେତେବେଳେ ପାଠପଢ଼ା କଥା କହିଲାଣି, ତା ମନରେ ଏକ ଅଲଗା ଅନୁଭବ। ସେ ପାଠ ପଢ଼ିବ। ଦୁନିଆ ଆଗରେ ବଡ଼ ମଣିଷ ହେବ। ସେ ବିଶ୍ୱାସ ତା ଭିତରେ ଗଜା ହୋଇସାରିଲାଣି। ନନ୍ଦପୁର ଗାଁ ସ୍କୁଲରେ ଯାଇ ନାଁ ଲେଖାଇବାକୁ ଠିଆହେଲା ଚନ୍ଦୁରୁ ତା ପୁଅ ପରୁଶୁକୁ ଧରି। ପ୍ରଧାନଶିକ୍ଷକ ଦେଖି ଏକ ବିଚିତ୍ର ନଜରରେ ଅନେଇଲେ ବାପାପୁଅଙ୍କୁ। କହିଲେ, ଚନ୍ଦୁରୁ.. ତମ ଗାଁରୁ ତ ଆଜି ଯାଏଁ କୌଣସି ପିଲା ପାଠ ପଢ଼ିବାକୁ ଆସିନି। ତମେ ଆଜି ତମ ପିଲାକୁ ଧରି କେମିତି ଆସିଲ? ହଉ ଭଲ ହେଲା। ଆମେ ନାଁ ତ ଲଗେଇଦେବୁ ତମ ପୁଅର। କିନ୍ତୁ ଏ ନନ୍ଦପୁର ଗାଁ ଲୋକ ଯଦି ଏହାକୁ ବିରୋଧ କରନ୍ତି, ତାହେଲେ କ’ଣ ହେବ?
ଚନ୍ଦୁରୁ କହିଲା, ଆଜ୍ଞା ତେମେ ଆପଣ ବଡ଼ନୋକ। ଯଦି ଏ ଗାଁର ପିଲା କି ବାପା ମାଆ ମନା କରନ୍ତି, ତା ହେଲେ ମୋ ପିଲାକୁ ଇସକୁଲ ଦୁଆରେ ବସେଇ ପଢ଼େଇ ଦେବ। ଯାହା ହେଲେ ବି ମୋ ପୁଅ ନିଶ୍ଚେ ପଢ଼ିବ। ତା ପରେ ପ୍ରଧାନଶିକ୍ଷକ ଚନ୍ଦୁରୁର ପୁଅ ପରୁଶୁକୁ ପାଖକୁ ଡାକି ପଚାରିଲେ, ବାବୁରେ ତୋ ନାଁ କଣ? ପରୁଶୁ ଅତି ନିର୍ଭୀକ ଭାବେ ଉତ୍ତର ଦେଲା, ମୋ ନାଁ ପରୁଶୁ। ତା ଜବାବ ଦେବାର ଠାଣି ଦେଖି ପ୍ରଧାନଶିକ୍ଷକ ଖୁସି ହୋଇଗଲେ। ପଚାରିଲେ, ଆରେ ଏମିତି ଗୋଟେ କଣ ନାଁ ରଖିଛ। ସ୍କୁଲରେ ପାଠ ପଢ଼ି ଯେତେବେଳେ ବଡ଼ହେବୁ, ସେତେବେଳେ ତତେ ପରୁଶୁ ବୋଲି କେହି ଡାକିଲେ କ’ଣ ଭଲ ଲାଗିବ? ଠିକ୍ ଅଛି। ଆଜିଠୁ ମୁଁ ତୋର ନାଁ ଲଗାଇ ଦେଉଛି ସ୍କୁଲରେ। ଆଜିଠୁ ତୋ ନାଁ ହେବ.. ଏକଲବ୍ୟ । ଏଇକଥାଟା ଶୁଣିବା ପରେ ଚନ୍ଦୁରୁ ଆସି ପ୍ରଧାନଶିକ୍ଷକଙ୍କ ପାଦ ତଳେ ନବଦଣ୍ଡା ହୋଇ ପଡ଼ିଗଲା। ତା ଆଖିରେ ଗୋଟିଏ ଅଦ୍ଭୂତ ଚମକ। ଆଜ୍ଞା … ମୋ ପରୁଶୁ ପଢ଼ିବ ନା? ପ୍ରଧାନଶିକ୍ଷକ କହିଲେ, ଚନ୍ଦୁରୁ .. ଏଣିକି ଆଉ ତାକୁ ପରୁଶୁ ଡାକିବ ନାହିଁ। ତା ନାଁ ପରା ଏକଲବ୍ୟ।
ଏକଲବ୍ୟ ନିୟମିତ ସ୍କୁଲ ଯିବାରେ ଲାଗିଲା। ପାଠପଢ଼ାରେ ତା ଆଗ୍ରହ ଦେଖି ସବୁ ଶିକ୍ଷକ ଖୁସି ହୋଇଯାଇଥିଲେ। ତେବେ ଗାଁ ଲୋକଙ୍କୁ କଥାଟା ହଜମ ହେଲାନି। ଦଳେ ମାମଲତିକାର ଆସି କହିଲେ, ମାଷ୍ଟ୍ରେ… ଏ ଚନ୍ଦୁରୁ ଘୁଷୁରିଆର ପୁଅ ଆମ ପିଲାଙ୍କ ସାଙ୍ଗରେ ବସି ପାଠ ପଢ଼ି ପାରିବ ନାହିଁ। ସେ ଯଦି ପଢ଼ିବ, ତା ହେଲେ ଆମ ପିଲାମାନେ ଆଉ ସ୍କୁଲ ଆସିବେ ନାହିଁ। ବଡ଼ ଧର୍ମ ସଙ୍କଟରେ ପଡ଼ିଲେ ପ୍ରଧାନଶିକ୍ଷକ। ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କହିଲେ, ଜାତିପ୍ରଥା ଗାଁରେ ଲୋକଙ୍କ ଭିତରେ ଥାଇପାରେ। କିନ୍ତୁ ସ୍କୁଲରେ ସମସ୍ତେ ସମାନ। ଏକଥାକୁ ଗାଁ ଲୋକେ ବିରୋଧ କଲେ। ସେତେବେଳେ ଏକଲବ୍ୟ ସାମ୍ନାକୁ ଆସି କହିଲା, କିଛି ଅସୁବିଧା ନାହିଁ। ମୁଁ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ିବି। ସମସ୍ତେ ସ୍କୁଲ ଭିତରେ ପଢ଼ନ୍ତୁ। ପିଲାଟିର କଥାଶୁଣି ସମସ୍ତେ ଚୁପ୍।
ଗାଁ ଲୋକେ ମୁଣ୍ଡନୁଆଁଇ ଚାଲିଗଲେ ଯିଏ ଯାହାର ଘରକୁ। ଦେଖୁ ଦେଖୁ ସମୟ ଗଡ଼ିଚାଲିଲା। ଅଧିକରୁ ଅଧିକ ପାଠ ପଢ଼ିଲା ଏକଲବ୍ୟ। ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହେଲା। ପ୍ରଥମେ ତୃତୀୟ, ତା ପରେ ପଞ୍ଚମ ଓ ସପ୍ତମ ଶ୍ରେଣୀରେ ଜାତୀୟ ସ୍ତରର ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଲା ଏକଲବ୍ୟ। ଏଣିକି ତାର ହାଇସ୍କୁଲ ପାଠ ପଢ଼ା ପାଇଁ ବି କୌଣସି ସମସ୍ୟା ନଥିଲା। ତାକୁ ମିଳୁଥିବା ବୃତ୍ତି ଅର୍ଥରେ ସେ ପାଠ ପଢ଼ିବା ପାଇଁ ସକ୍ଷମ ହୋଇପାରିଥିଲା। ନନ୍ଦପୁର ଗାଁରୁ ମାଟ୍ରିକ୍ ପାସ୍ କଲା ପ୍ରଥମ ଶ୍ରେଣୀରେ ଏକଲବ୍ୟ। ତା ପରେ ନନ୍ଦପୁର ସହିତ ତାର ଆଉ କୌଣସି ସମ୍ପର୍କ ନାହିଁ। ବାପା ଚନ୍ଦୁରୁ ବି ଆଉ ନନ୍ଦପୁର ଗାଁକୁ ଆସୁନଥିଲା ତା ଘୁଷୁରିପଲ ନେଇ।
ଏହାରି ଭିତରେ ବିତିଗଲାଣି ପ୍ରାୟ କୋଡ଼ିଏ ବର୍ଷ। ନନ୍ଦପୁର ଆଉ ବିଲୁଆଡିଆଁ ବସ୍ତିରେ ଅନେକ ପରିବର୍ତ୍ତନ ଆସିଛି। ଲୋକଙ୍କ ଘରଦ୍ୱାର, ଜୀବନଶୈଳୀ, ସବୁକିଛି ବଦଳିଯାଇଛି। ହେଲେ ଜାତିଆଣ ଭାବର ସେଇ ମାନସିକତାରେ ସେତେ କିଛି ପରିବର୍ତ୍ତନ ଆସିପାରିନି।
ନନ୍ଦପୁର ଗାଁର ମାମଲତିକାର ହରିହର ମହାପାତ୍ର ଏବେ ସତୁରୀ ବର୍ଷର ହେଲେଣି। ତଥାପି ତାଙ୍କ ଆଚାର ବ୍ୟବହାର କିଛି ବଦଳିନି। ସେଦିନ ରାତିରେ ହରିହରଙ୍କ ପୁଅମାନେ କୌଣିସ ସମ୍ପର୍କୀୟଙ୍କ ବାହାଘରେ ଯୋଗ ଦେବା ପାଇଁ ଗାଁଠୁ ପ୍ରାୟ ଶହେ କିଲୋମିଟର ଦୂରକୁ ଚାଲିଯାଇଥିଲେ। ହଠାତ୍ ହରିହର ମହାପାତ୍ରଙ୍କ ଛାତିରେ ଯନ୍ତ୍ରଣା ହେଲା। ଅସହ୍ୟ ଯନ୍ତ୍ରଣା। କିଛି ସମୟ ଭିତରେ ଅଚେତ୍ ହୋଇପଡ଼ିଲେ ସେ। ଗାଁରେ ହୁରି ପଡ଼ିଗଲା। ଗାଁ ପାଖ ଡାକ୍ତରଖାନାକୁ ଧରି ଦୌଡ଼ିଲେ ଗାଁର ତିନି ଚାରି ଜଣ ଯୁବକ। ହେଲେ ଡାକ୍ତର କହିଲେ, ମହାପାତ୍ରଙ୍କୁ ହୃଦଘାତ ହୋଇଛି। ତାଙ୍କୁ ବଡ଼ ମେଡିକାଲ ନେବାକୁ ହେବ। ସେଠାରୁ ହିଁ ଗାଡ଼ି ଖଣ୍ଡେ କରି ବଡ଼ ମେଡିକାଲକୁ ନିଆଗଲା ହରିହର ମହାପାତ୍ରଙ୍କୁ। ହୃଦଶଲ୍ୟ ବିଭାଗରେ ପହଞ୍ଚିଲା ବେଳକୁ, ଯିଏ ଡାକ୍ତରଥିଲେ, ସେ କହିଲେ, ସଙ୍ଗେ ସଙ୍ଗେ ଅପରେସନ୍ ଥିଏଟରକୁ ନେଇ ଚାଲନ୍ତୁ। ସେ ବଞ୍ଚିଛନ୍ତି। ଏବେ ଯଦି କିଛି କରାଯାଏ, ତାହେଲେ ହୁଏତ ସେ ବଞ୍ଚିଯିବେ।
ଦୀର୍ଘ ସମୟ ଧରି ଅପରେସନ୍ ଥିଏଟର ଭିତରେ ଚାଲିଥିଲା ହରିହର ମହାପାତ୍ରଙ୍କ ଅସ୍ତ୍ରୋପଚାର। ବାହାରେ ଅପେକ୍ଷା କରିଥିଲେ, ନନ୍ଦପୁର ଗାଁରୁ ଆସିଥିବା ସେହି ତିନି ଚାରି ଜଣ ଯୁବକ। ତା ପରେ, ଧୀରେ ଖୋଲିଲା ଅପରେସନ୍ ଥିଏଟରର କବାଟ। ବାହାରେ ଜଳୁଥିବା ନାଲିବତିଟା ଲିଭି ଯାଇଥିଲା। ଏକ ଷ୍ଟ୍ରେଚରରେ ଲଦି ମହାପାତ୍ରଙ୍କୁ ନେଇ ଆସୁଥିଲେ ନିଜେ ଡାକ୍ତର। ସାମ୍ନାରେ ଥିବା ଯୁବକମାନଙ୍କ ଆଡ଼କୁ ଦେଖି କହିଲେ, ତମେମାନେ ବ୍ୟସ୍ତ ହୁଅନି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିପଦମୁକ୍ତ। ମୁଁ ନିଜେ ତାଙ୍କର ଅସ୍ତ୍ରୋପଚାର କରିଛି। ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ। ତାଙ୍କୁ କିଛି ଦିନ ପାଇଁ ଆଇସିୟୁରେ ରଖିବାକୁ ହେବ। ତା’ ପରେ ଆମେ ତାଙ୍କୁ ଘରକୁ ଯିବାକୁ ଦେବା। ତେବେ କିଛି ଔଷଧ ମଗାଇବାର ଅଛି। ମୋ ଚାମ୍ବରକୁ ଆସନ୍ତୁ। ମୁଁ ଲେଖି ଦେଉଛି ଔଷଧ। ନେଇଆସିବେ।
ଯୁବକମାନେ ଡାକ୍ତରଙ୍କଠାରୁ ପ୍ରେସକ୍ରିପସନ୍ ନେବାପାଇଁ ଯାଇ କହିଲେ, ଆପଣ ଔଷଧ ଲେଖୁଛନ୍ତି ଯେ, ଆମେ ତ କିଛି ପଇସାପତ୍ର ନେଇ ଆସିନୁ। ଔଷଧ କେମିତି ଆଣିବୁ? ଡାକ୍ତର ପଚାରିଲେ, ତାଙ୍କର କେହି ପୁଅ ଆସିନାହାନ୍ତି? ଉତ୍ତର ମିଳିଲା ନା। ତାପରେ ନିଜେ ଡାକ୍ତର କହିଲେ, କିଛି ବ୍ୟସ୍ତ ହେବାର ନାହିଁ। ମୁଁ ପଇସା ଦେଉଛି। ଔଷଧ ନେଇକି ଆସ। ତା ପରେ ଦେଖିବା।
ଗାଁର ଯୁବକମାନେ ବଡ଼ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି। କୌଣସି ଡାକ୍ତର ଚିକିତ୍ସା କରିବା ପରେ ପୁଣି ନିଜେ ପଇସା ଦେଇ ରୋଗୀ ପାଇଁ ଔଷଧ କିଣିବାକୁ କହିବା, ଆମେ ତ କେବେ ଦେଖିନୁ। ହରିହର ମହାପାତ୍ରଙ୍କ ଚିକିତ୍ସା ଅତି ସୁରୁଖୁରୁରେ ଚାଲିଥାଏ। ପରଦିନ ଦିପହରକୁ ଡାକ୍ତରଖାନାରେ ଆସି ପହଞ୍ଚିଲେ ହରିହରଙ୍କ ପାଞ୍ଚପୁଅ। ସେମାନଙ୍କ ସାଙ୍ଗରେ ବୁଢ଼ୀ ମାଆ ଓ ପୂରା ପରିବାର। ନନ୍ଦପୁର ଗାଁର ଏତେବଡ଼ ମାମଲତିକାର ହରିହର ମହାପାତ୍ର ରୋଗଶଯ୍ୟାରେ, ତାଙ୍କୁ ଦେଖିବାକୁ ଯିବାଲାଗି ବି ତ ସେଭଳିଆ ଆଡ଼ମ୍ବର ଦରକାର। ପୁଅମାନେ ସେମିତି ଠାଠ୍ ଦେଖାଇ ପହଞ୍ଚିଥାନ୍ତି। ତେବେ ଡାକ୍ତରଖାନାର ନିୟମ ଅନୁସାରେ ଆଇସିୟୁ ଭିତରକୁ କେବଳ ଜଣେ ହିଁ ସମ୍ପର୍କୀୟ ଯାଇପାରିବେ। ହେଲେ ଯିବ କିଏ? ପୁଅମାନେ ପରସ୍ପର ଭିତରେ ସ୍ଥିର କରିପାରୁନଥାନ୍ତି, କିଏ ଯିବ ବାପାଙ୍କୁ ଦେଖିବାକୁ। ଏତିକିବେଳେ ହରିହରଙ୍କ ପତ୍ନୀ ଚାଲିଗଲେ ଭିତରକୁ। ଆଇସିୟୁ ଭିତରେ ମୁହଁରେ ଅକ୍ସିଜେନ୍ ମାସ୍କ ପିନ୍ଧିଥିବା ନିଜ ସ୍ୱାମୀଙ୍କୁ ଦେଖି ହଡ଼ବଡ଼େଇଗଲେ ସେ। ଜୀବନରେ ଏତେ ବଡ଼ ଡାକ୍ତରଖାନା, ଏମିତି ଅତ୍ୟାଧୁନିକ ଯନ୍ତ୍ରପାତି, ଏଭଳି ମୁହଁ, ହାତ ସବୁଠି ନଳୀ ଲାଗିଥିବା ରୋଗୀ ବି ସେ କେବେ ଦେଖିନାହାନ୍ତି। ଚିଲ୍ଲେଇ କାନ୍ଦି ଉଠିଲେ ହରିହରଙ୍କ ପତ୍ନୀ। କାଳେ ଅନ୍ୟରୋଗୀମାନଙ୍କ ଲାଗି ସମସ୍ୟା ହେବ, ସଙ୍ଗେ ସଙ୍ଗେ ସେଠାରେ ଥିବା ନର୍ସ ତାଙ୍କୁ ବାହାରକୁ ନେଇଆସିଲେ। ପ୍ରତିଦିନ ଜଣେ ଜଣେ କରି ପୁଅ ଯାଉଥାନ୍ତି ବାପାଙ୍କୁ ଦେଖିବାକୁ ଆଇସିୟୁ ଭିତରକୁ। ସପ୍ତାହେ ପରେ ଚଲାବୁଲା କରିପାରିଲେ ହରିହର। ସୁସ୍ଥ ଅନୁଭବ କରୁଥିଲେ ସେ। ଏଣିକି ଡାକ୍ତରଖାନାରୁ ଘରକୁ ଯିବାକୁ ତାଙ୍କର ଭାରି ମନ ହେଉଥିଲା। କିନ୍ତୁ ସେ କାହାରିକୁ କହିପାରୁନଥିଲେ।
ନର୍ସ ଆସି କହିଲେ, ଡାକ୍ତର କହିଛନ୍ତି, ଆପଣ ଘରକୁ ଯାଇପାରନ୍ତି। ତେବେ ଡାକ୍ତରଖାନା ଛାଡ଼ିବା ପୂର୍ବରୁ ଟିକିଏ ଡାକ୍ତରଙ୍କୁ ଭେଟି କୃତଜ୍ଞତା ଜଣାଇବାକୁ ଚାହୁଁଥିଲେ ହରିହର। ମୃତ୍ୟୁଦୁଆରୁ ଫେରି ଆସିବା ପରେ ତାଙ୍କର ସେ ଅହଙ୍କାର କି ଦମ୍ଭ ଆଉ ନଥିଲା। ବାହାରେ ଅପେକ୍ଷା କରିଥିବା ପିଲାମାନଙ୍କୁ ଡାକି ନିଜର ଇଚ୍ଛା ବ୍ୟକ୍ତ କଲେ ହରିହର। ସେମାନେ ବାପାଙ୍କ କଥାରେ ରାଜି ହୋଇ ଡାକ୍ତରଙ୍କ ଚାମ୍ବରକୁ ନେଇଗଲେ ତାଙ୍କୁ। ଡାକ୍ତରଙ୍କ ସାମ୍ନାରେ ଠିଆ ହୋଇ ଯୋଡ଼ ହସ୍ତରେ ମୁଣ୍ଡିଆଟିଏ ମାରିଲେ ହରିହର। କହିଲେ, ବାବୁ ଆପଣ ମୋ ପୁଅମାନଙ୍କଠୁ ବି ଢେର୍ ସାନ। କିନ୍ତୁ ମୋ ପୁଅମାନେ ନଥିଲା ବେଳେ ଆପଣ ଦେବତା ଭଳି ମୋ ଜୀବନ ବଞ୍ଚାଇଦେଲେ। ମୋ ପାଇଁ ନିଜ ହାତରୁ ପଇସା ଦେଇ ଔଷଧ ଆଣିଲେ। ମୁଁ କେଉଁଜନ୍ମରେ କିଛି ଭଲ କାମ କରିଥିଲି ବୋଲି ବୋଧେ ଭଗବାନ ଆପଣଙ୍କ ଭଳି ଜଣେ ଡାକ୍ତରଙ୍କୁ ମୋ ଜୀବନ ରକ୍ଷା ପାଇଁ ପଠାଇଦେଲେ।
ଡାକ୍ତର କହିଲେ, ନାଇଁ ସେମିତି କିଛି ନାହିଁ। ମୋ ସ୍ଥାନରେ ଆଉ କେହି ଥିଲେ ବି ସେଇଆ କରିଥାନ୍ତେ, ଯାହା ମୁଁ କଲି। ସେଇଟା ମୋର କର୍ତ୍ତବ୍ୟ। ତେବେ ଆପଣ ମୋ ଆଗରେ ହାତ ଯୋଡ଼ନ୍ତୁ ନାହିଁ। ଆପଣ ବୟସ୍କ.. ଗୁରୁଜନ। ତା ଛଡ଼ା ଆପଣଙ୍କ ଭଳି ଜଣେ ପ୍ରତିପତ୍ତିସମ୍ପନ୍ନ ବ୍ୟକ୍ତି ବିଲୁଆଡିଆଁ ଗାଁର ଚନ୍ଦୁରୁ ଘୁଷୁରିଆର ପୁଅ ଏକଲବ୍ୟ ଆଗରେ ମୁଣ୍ଡନୁଆଁଇ ନିଜକୁ ଛୋଟ କରନ୍ତୁ ନାହିଁ।
ଏଇତକ କଥା ଶୁଣିବା ପରେ, ହଠାତ୍ ଚମକି ଉଠିଲେ ହରିହର। ତାସାଙ୍ଗକୁ ସେଠାରେ ଥିବା ତାଙ୍କ ପାଞ୍ଚପୁଅଙ୍କୁ ଲାଗିଲା, ସତେ ଯେମିତି ବିଜୁଳି ଝଟକା ମାରିଲା। କ’ଣ କହିବେ, କି ପ୍ରତିକ୍ରିୟା ଦେବେ ସେମାନେ ଭାବି ପାରୁନଥିଲେ। ହରିହରଙ୍କ ଆଖି ଆଗରେ ନାଚିଉଠୁଥିଲା ସେଦିନ ତାଙ୍କ ନନ୍ଦପୁର ଗାଁ ଦାଣ୍ଡର ଦୃଶ୍ୟ। ଯେଉଁଠି ନିଜ ଚପଲକୁ ମୁଣ୍ଡରେ ମୁଣ୍ଡାଇ ଲହୁଲୁହାଣ ଚନ୍ଦୁରୁ ଘୁଷୁରିଆ ଚାଲୁଥିଲା ବେଳେ, ତା ପଛରେ ନିଜ ପରିସ୍ରାରେ ତିନ୍ତି ଯାଇଥିବା ଚାମୁଛାଟେ ପିନ୍ଧି କାନ୍ଦି କାନ୍ଦି ଚାଲୁଥିବା ଚାରି ବର୍ଷର ପରୁଶୁର ଚେହେରା। ଇଏ ସେଇ ପିଲା, ଯିଏ ଆଜି ତାଙ୍କୁ ଜୀବନ ଦେଇଛି।
ଅନୁଶୋଚନା, ଆତ୍ମଗ୍ଳାନିରେ ନଇଁ ଆସୁଥିଲା ତାଙ୍କ ମୁଣ୍ଡ। ସମୟ ଯେ ଦିନେ ତାଙ୍କୁ ପଶ୍ଚାତ୍ତାପ କରିବା ପାଇଁ ଏଭଳି ଏକ ମୁହୂର୍ତ୍ତର ସାମ୍ନା କରାଇବ, ସେ କଥା ସେ ଭାବି ପାରିନଥିଲେ। ଆଉ କିଛି ନଭାବି ଦୁଇ ପାଦ ଆଗକୁ ବଢ଼ି ହରିହର ମହାପାତ୍ର କୁଣ୍ଢାଇ ଧରିଲେ ଡାକ୍ତର ଏକଲବ୍ୟଙ୍କୁ। କହିଲେ, ଈଶ୍ୱର ମୋତେ ଯାହା ଦଣ୍ଡ ଦେବା କଥା ଦେଇସାରିଛନ୍ତି ବାପା। ଏବେ ତୁ ଯାହା ଦଣ୍ଡଦେବୁ, ତାକୁ ବି ମୁଁ ମୁଣ୍ଡନୁଆଁଇ ମାନିନେବି। ଏତିକି ବେଳେ ଅପରାଧିଙ୍କ ଭଳି ଠିଆ ହୋଇଥାନ୍ତି ହରିହରଙ୍କ ପାଞ୍ଚପୁଅ। ଏକଲବ୍ୟ କହିଲେ, ସେମିତି କାହିଁକି ଭାବୁଛନ୍ତି ଆପଣ? ଏସବୁଥି ପାଇଁ ସମୟ ଦାୟୀ। ସେଥିପାଇଁ ସମୟ ଉପରେ ସବୁକିଛି ଛାଡ଼ିଦିଅନ୍ତୁ। ଆପଣ ମନ ହାଲୁକା କରି ଘରକୁ ଯାଆନ୍ତୁ। ନିଜର ଯତ୍ନ ନିଅନ୍ତୁ। ସବୁ ଠିକ୍ ହୋଇଯିବ।
ହରିହର ମହାପାତ୍ରେ ଗାଁକୁ ଫେରିବା ପରଠୁ ଯାହାକୁ ଭେଟିଲେ, ତା ଆଗରେ କହିଲେ ଡାକ୍ତର ଏକଲବ୍ୟଙ୍କ କାହାଣୀ। ଆଉ ସେଦିନଠୁ ନନ୍ଦପୁର ଗାଁରେ କେବେ କୌଣସି ଘୁଷୁରିଆକୁ କେହି ଦୁର୍ବ୍ୟବହାର କରିଥିବା ଦେଖିନାହାନ୍ତି ଲୋକେ।
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ଫୋନ୍ ୯୯୩୭୨୫୨୪୬୪
Comments are closed.