Latest Odisha News

ସ୍ୱାଭିମାନ ଅଞ୍ଚଳରେ ନୂଆ ବିଏସଏଫ୍ କ୍ୟାମ୍ପ, ଲାଲବାହିନୀ ଉପରେ ରହିବ କଡ଼ା ନଜର

ମାଲକାନଗିରି: ଲାଲଗଡ଼ରେ ପଶୁଛି ସୁରକ୍ଷା ବାହିନୀ । ମାଲକାନଗିରିରେ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳରେ କାୟା ବିସ୍ତାର କରୁଛି ସୁରକ୍ଷା ବାହିନୀ । ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ପୋଲିସ ପୁଣି ଦୁଇ ପାଦ ଆଗକୁ ଯାଇଛି । ସାତ ଦଶନ୍ଦି ପରେ ସ୍ଵାଭିମାନ ଅଞ୍ଚଳରେ ପୁଣି ଏକ ନୂଆ ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି । ଏହାଦ୍ୱାରା ସ୍ଵାଭିମାନ ଅଞ୍ଚଳ ସମେତ ଆନ୍ଧ୍ର ଓଡିଶା ସୀମାନ୍ତରେ କାୟା ବିସ୍ତାର କରିଥିବା ଲାଲ ବାହିନୀ ଉପରେ କଡା ନଜର ରଖାଯିବ ।

ପୂର୍ବରୁ ୬ଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଥିବା ବେଳେ ବିଏସଏଫ୍ ବାହିନୀର ଏହି ନୂତନ କ୍ୟାମ୍ପ ପଛୁଆ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି । ୧୯୬୨ ମସିହାରେ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହେଲା ଦେଶର ସର୍ବବୃହତ ମାଟି ବନ୍ଧ ଯୋଜନା ଯାହାର ନାଁ ‘ବାଲିମେଳା ଜଳ ଭଣ୍ଡାର’ ରଖାଯାଇଥିଲା । ବୃହତ ଜଳ ଭଣ୍ଡାର ଯୋଗୁଁ ବିସ୍ତାପିତ ହେଲେ ୧୫୧ଟି ଗ୍ରାମର ହଜାର ହଜାର ଆଦିବାସୀ ।
ସାତ ଦଶନ୍ଦି ଧରି ଜଳ ବନ୍ଦୀ ହୋଇ ଜୀବନ କଟାଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆଦିବାସୀ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆଶା ନେଇ ୨୦୧୪ ମସିହାରୁ ଆରମ୍ଭ ହୋଇଥିଲା ଗୁରୁପ୍ରିୟା ସେତୁ ନିର୍ମାଣ । ଏହାର ସୁରକ୍ଷା ସହିତ ସ୍ଵାଭିମାନ ଅଞ୍ଚଳର ବିକାଶ ଲାଗି ମାଓବାଦୀଙ୍କ ଗଡ କୁହାଯାଉଥିବା ପଣସପୁଟ ପଞ୍ଚାୟତର ଘନବେଡା ଗ୍ରାମରେ ମାଲକାନଗିରି ପୋଲିସ ଓ ବିଏସଏଫର ମିଳିତ ଉଦ୍ୟମରେ ଏକ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।
ସ୍ଵାଭିମାନ ଅଞ୍ଚଳବାସୀଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ମାଲକାନଗିରି ଏସପିଙ୍କ ନେତୃତରେ ଶତାଧିକ ଯବାନଙ୍କୁ ନେଇ ସୁରକ୍ଷାକର୍ମୀଙ୍କ ଗାଡି ପହଞ୍ଚିଥିଲା ମାଓ ପ୍ରଭାବିତ ଘନବେଡା ଗାଁରେ । ପ୍ରଥମ କରି ଲାଲଗଡରେ ଉଡିଛି ତ୍ରିରଙ୍ଗା । ବୀର ଯବାନଙ୍କୁ ପାଖରେ ଦେଖି ଆଦିବାସୀ ଲୋକଙ୍କ ମୁହଁରେ ହସ ଫୁଟିଛି । ବର୍ଷ ବର୍ଷ ଧରି ବିକାଶଠୁ ଦୂରରେ ଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏହି ବିଏସଏଫ କ୍ୟାମ୍ପ ସହାୟକ ହେବ ବୋଲି ମାଲକାନଗିରି ଏସପି ପ୍ରହଲ୍ଲାଦ ସହାୟ ମୀନା କହିଛନ୍ତି ।

Comments are closed.