କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୨
ସମୟ ଆସି ଭୋର ହେଲାଣି। ସାରା ରାତି ଉଜାଗର ହୋଇ ଦେବ ବସିଛି ମୁହାଣ ପାଖରେ। ୟା ଭିତରେ ସହସ୍ର ଲହରୀ ଆସି ମିଳେଇ ଗଲେଣି ନଈ ଛାତିରେ । ନିର୍ବାକ ତାରା କେତୋଟି ସତେ ଯେମିତି ଦେବ ସହିତ ଉଜାଗର ହୋଇ ବସିଛନ୍ତି।ତା’ ଆଖି ଆଗରେ ବିସ୍ତୃତ ପାଟ ଜମି। ତା’ ଆଗକୁ ଯେଉଁଠି ଗୋଟିଏ ଉଚ୍ଚ ହୁଡା ଅଛି । ତା’ର ଟିକେ ଦୂରକୁ ଥିଲା ଗୋଟେ ପୋଖରୀ। ସେ ପୋଖରୀ କୂଳରେ ଗୋଟେ ଚାଳିଘର।
ସମୟ ସହିତ ବଦଳି ଗଲାଣି ଗୋଟିଏ ନିରୀମାଖି ପୃଥିବୀର ରମ୍ୟ ରୂପ। ଦିନେ ପକ୍ଷୀଙ୍କ କାକଳିରେ ନିଦରୁ ଉଠୁଥିଲା ନଈ। ନାଲି କଙ୍କଡାମାନେ ବୁଝେଇ ସୁଝେଇ ସମୁଦ୍ରକୁ ପଠେଇଦେଉଥିଲେ ଘରକୁ।
ଏବେ ଆଉ ଆଗକାଳର ସେ ନିରବତା ନାହିଁ। ଚଢେଇ ନାହାନ୍ତି। ନାହାନ୍ତି ନଈରେ ମାଛ। ଆଉ ମଣିଷ ବା କାହାନ୍ତି?
ନଈ ପେଟକୁ ଛୋଟ ମାଟି ଖଣ୍ଡେ ପକେଇ ଦେବ ଉଠି ଠିଆ ହେଲା। ଆଗରେ ମୁହଁ ଅନ୍ଧାର ଭିତରୁ ଦେଖା ଯାଉଥିଲା ତା’ ଗାଆଁ ପ୍ରୀତିପୁରର ମାଧବ ମନ୍ଦିର। ଦେବର ମନ ଭିତରେ ଚାଲିଥିଲା ଅତୀତ ଆଉ ବର୍ତ୍ତମାନ ଭିତରେ ମହା ସମର। ଗୋଟିଏ ଦିଗରେ ସଚେତନ ଭାବରେ ତା’ର ଦେହ କାମନା ବାସନା। ଆଉ ଗୋଟେ ଦିଗରେ ତାର ନିରୀହ ମନ ଓ ପ୍ରଶ୍ନାକୁଳ ନିରବତା। ମଝିରେ ପଡ଼ି ଛଟପଟ ହୁଏ ଦେବ। ଚାରିଆଡ଼କୁ ହାତ ବଢ଼େଇଲେ ନିଅଣ୍ଟ ପଡ଼େ।
ବାପା ବୋଉ ଥିଲେ। ଥିଲା ଗୋଟେ ସୁନା ପୁଅ। ଥିଲା ତାର କେବେ ବୟସ୍କ ହେଉନଥିବା ପିଲାଳିଆମୀ। ଥିଲା ଅଳି ଅଝଟ,ରାଗ ରୁଷା।ଏବେ ଆଉ କିଛି ନାହିଁ। ଏବେ ବୁଝି ସାରିଲାଣି ନିଜ ବେକରେ ସଂସାରର ଯୁଆଳି ପକେଇ ହଳରେ ଚାଲିବାକୁ ପଡିବ । ସାରା ଦୁନିଆର ବୋଝ ଲଦାହୋଇଥିବା ଶଗଡ଼ ବୋହିବାକୁ ହେବ। ଜୀବନ କହିଲେ ଆଉ କ’ଣ କି?
ତା’ ଆଖି ଆଗରେ ହଜିଗଲେଣି କେତେ ଲୋକ। ମିଳେଇ ଗଲାଣି କେତେ ଅହଙ୍କାର, ଗର୍ବ,ବ୍ୟଭିଚାର।କେତେ ପାହାଡ଼ ଚଢ଼ା , କେତେ ସ୍ୱର୍ଗକୁ ନିଶୁଣୀ ଵାନ୍ଧୁଥିବା ହାତ।କାଳ ଆଗରେ ସମସ୍ତେ ଅସହାୟ ।
ମୁକ୍ତାପୁର ମଶାଣୀ ପଡିଆର ସେ ଝଙ୍କା ବରଗଛରୁ ସକାଳର ପ୍ରଥମ ଶ୍ଲୋକ ଶୁଭିଲା। ତାକୁ ପାଳି ଧରିଲେ ପ୍ରୀତିପୂରର କୁକୁଡ଼ା କେତୋଟି। ଆଉ ଗୋଟିଏ ରାତିର ଆଶ୍ୱାସନା ଦେଇ ଶୋଇବାକୁ ଚାଲିଗଲେ ପରିଚିତ ତାରାମାନେ। ଦେବ ପଛକୁ ବୁଲି ଚାହିଁଲା। ତା ଆଗରେ ଗୋଟେ ସୀମାହୀନ ପଥ। ସେ ପାଦ ବଢ଼େଇଲା ବେଳକୁ ମନେ ପଡ଼ିଲା ଦେବୀ।
ଦେବୀ ସହିତ ତାର ପ୍ରଥମ ଦେଖା। ସେ ବର୍ଷା ବତୁରା ସଂଜବୁଡେ ତା ସହିତ କଟିଥିବା ଅବିସ୍ମୃତ ମୁହୂର୍ତ୍ତ।
କ୍ରମଶଃ…..
Comments are closed.