Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ଫନି’: ହାଇ ଆଲର୍ଟରେ ଭାରତୀୟ ନୌସେନା

ଭୁବନେଶ୍ୱର : ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଏହା ସୋମବାର ସକାଳ ୫.୩୦ ସୁଦ୍ଧା ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରତାରେ ରହିଥିଲା ।

ଏନେଇ ବିପର‌୍ୟ୍ୟୟର ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଉଥିବା ବେଳେ ଭାରତୀୟ ନୌସେନା ମଧ୍ୟ ଆଲର୍ଟ ରହିଛି । ଏହାବ୍ୟତିତ ଆବଶ୍ୟକୀୟ ମାନବୀୟ ସହାୟତା ପ୍ରଦାନ କରିବା ପାଇଁ ପୂର୍ବ ନୌସେନା କମାଣ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଥିବା ନେଇ ସୂଚନା ମିଳିଛି ।

ଚିକିତ୍ସା ସହାୟତା ସମେତ ଉଦ୍ଧାର କାର‌୍ୟ୍ୟ, ଲଜିଷ୍ଟିକ୍ସ, ମାନବୀୟ ସହାୟତା, ରିଲିଫ ଆଦି କାର‌୍ୟ୍ୟ ଲାଗି ସବୁଠାରୁ ଅଧିକ ପ୍ରଭାବିତ ଅଂଚଳକୁ ଯାତ୍ରା କରିବା ପାଇଁ ବିଶାଖାପାଟଣା ଏବଂ ଚେନ୍ନାଇଠାରେ ଦୁଇଟି ନୌସେନା ଜାହାଜ ପ୍ରସ୍ତୁତ ହୋଇ ରହିଛନ୍ତି ।

ଏହି ଜାହାଜମାନଙ୍କରେ ଅତିରିକ୍ତ ବୁଡାଳୀ, ଡାକ୍ତର, ଭାସମାନ ରବର ବୋଟ ଏବଂ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି । ରିଲିଫ ସାମଗ୍ରୀ ମଧ୍ୟରେ ଖାଦ୍ୟ ପଦାର୍ଥ, ତମ୍ବୁ, ଔଷଧ, କମ୍ବଳ ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି । ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଓ ବାୟୁ ମାର୍ଗରୁ ରିଲିଫ ଖାଦ୍ୟ ପକେଇବା ଲାଗି ନୌସେନାର ବାୟୁଯାନ ତାମିଲନାଡୁର ଆରାକ୍କୋନମଠାରେ ନାଭାଲ ଏୟାର ଷ୍ଟେସନ ରାଜାଲି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଇଏନଏସ ଦେଗାରେ ପ୍ରସ୍ତୁତ ହୋଇ ରହିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟ ଝଡ ଉପରେ ଇଏନଏସ ତୀକ୍ଷ୍ନ ଭାବେ ନଜର ରଖିଛି ଏବଂ ତାମିଲନାଡୁ ଓ ପୁଡୁଚେରୀର ଫ୍ଲାଗ ଅଫିସର ଓ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଭାରପ୍ରାପ୍ତ ନୌସେନା ପଦାଧିକାରୀମାନେ ଆବଶ୍ୟକୀୟ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ସଂପୃକ୍ତ ରାଜ୍ୟ ପ୍ରଶାସନ ସହିତ ନିୟମିତ ଭାବେ ଯୋଗାଯୋଗରେ ରହିଛନ୍ତି ।

Leave A Reply

Your email address will not be published.