Latest Odisha News

ଇନୋଭେସନ୍‍ ରାଙ୍କିଂ ୨୦୨୧, କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ବର : ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍‍ ବିଶ୍ବବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ବୀକୃତି । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଅଟଳ ରାଙ୍କିଂ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏଆରଆଇଆଇଏ-୨୦୨୧ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି । ନୂଆଦିଲ୍ଲୀରେ ଭର୍ଚୁଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁଭାଷ ସରକାର ଫଳାଫଳ ଘୋଷଣା କରିଛନ୍ତି ।

ଏହି ରାଙ୍କିଂର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚଣ୍ଡିଗଡ଼ର ଚିତକାରା ବିଶ୍ବବିଦ୍ୟାଳୟ ଓ ପଞ୍ଜାବର ଲଭଲୀ ପ୍ରଫେସନାଲ୍‍ ବିଶ୍ବବିଦ୍ୟାଳୟ ରହିଛନ୍ତି । ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ଓ ଅଧ୍ୟାପକଙ୍କ ମଧ୍ୟରେ ସର୍ଜନା ଓ ଔଦ୍ୟୋଗିକ ବିକାଶ ସମ୍ପର୍କିତ ମାନଦଣ୍ଡକୁ ଭିତ୍ତିକରି ଭାରତ ସରକାର ଏହି ରାଙ୍କିଂ ପ୍ରଦାନ କରିଥାନ୍ତି । ସୂଚନାଯୋଗ୍ୟ, ଏହି ରାଙ୍କିଂରେ ୨୦୨୦ରେ ମଧ୍ୟ କିଟ୍‍ ବିଶ୍ବବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିଲା । କିଟ୍‍ ସର୍ବଦା ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଇ ଆସୁଥିବା ବେଳେ, ଗବେଷଣା ଓ ଔଦ୍ୟୋଗିକ କେନ୍ଦ୍ର, ଅତ୍ୟାଧୁନିକ ପରୀକ୍ଷାଗାର, ଉତ୍କର୍ଷତା କେନ୍ଦ୍ର, ଶିଳ୍ପ ଓ ଆନ୍ତର୍ଜାତିକ ଅନୁଷ୍ଠାନ ସହ ସହବନ୍ଧନ ଓ ସହଭାଗିତା ଯେଗୁଁ ଏହି ରାଙ୍କିଂରେ କିଟ୍‍ ଲଗାତାର ଦ୍ବିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରହିଛି ।

ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସେମାନଙ୍କ ଅଧ୍ୟବସାୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଶ୍ରେଷ୍ଠତ୍ବ ବଜାୟ ରଖିବା କିଟ୍‍ର ସର୍ଜନା ଓ ଗବେଷଣାର ଉତ୍କର୍ଷତା ପ୍ରତିପାଦିତ ହୋଇଛି ବୋଲି କହିଛନ୍ତି ଅଚ୍ୟୁତ ସାମନ୍ତ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ, ଉପାଧ୍ୟକ୍ଷ ଡ. ଏମ୍‍.ପି. ପୁନିଆ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାକେଶ ରଞ୍ଜନ ଉପସ୍ଥିତ ଥିଲେ ।

Comments are closed.