Latest Odisha News

ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ତୃଣମୂଳସ୍ତରରେ ଚାଷୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୧ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି କିସ୍ତି ପ୍ରଦାନ କରିବେ । ଏହା ଦ୍ବାରା ୧୦ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ଖର୍ଚ୍ଚ ହେବ ୨୦ ହଜାର କୋଟିରୁ ଅଧିକ ଅର୍ଥ ।

ପିଏମ୍-କିଷାନ ଯୋଜନାରେ ପ୍ରତି ହିତାଧିକାରୀ କିଷାନ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ଏହି ଅର୍ଥ କିସ୍ତିୱାରୀ ୨ ହଜାର କରି ୩ଟି କିସ୍ତିରେ ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେବ । ଏପର୍ଯ୍ୟନ୍ତ ପିଏମ୍ କିଷାନ ଯୋଜନା ଅଧୀନରେ ଚାଷୀ ପରିବାରକୁ ୧.୬ ଲକ୍ଷ କୋଟି ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇ ସାରିଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନକୁ ୧୪ କୋଟିରୁ ଅଧିକ ଅର୍ଥ ଇକ୍ୟୁଟି ଗ୍ରାଣ୍ଟ ଆକାରରେ ପ୍ରଦାନ କରିବେ । ଏହାଦ୍ବାରା ୧.୨୪ ଲକ୍ଷ ଚାଷୀ ଉପକୃତ ହେବେ । ଏଥିସହ ପ୍ରଧାନମନ୍ତ୍ରୀ ଏଫପିଓଙ୍କ ସହ ମଧ୍ୟ କଥାବାର୍ତ୍ତା ହେବେ ।

Comments are closed.