କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୦
ଦେବ ତାକୁ ପାଣି ମାଗୁଛନ୍ତି ଏହା ଦେବୀ ପାଇଁ ଥିଲା ଏକ ଅବିଶ୍ଵାସନୀୟ ସତ୍ୟ। ସେ ପ୍ରଥମେ ବୁଝିପାରିଲା ନାହିଁ ପାଣି କଣ! ତାକୁ ନେଇ ଜଣେ କରିବ କଣ! ସେ କାହିଁକି ପାଣି ଦେବ!! ଅତିଶଯ୍ୟ ଆନନ୍ଦ ତାକୁ ଅନ୍ଧ କରିଦେବ ବୋଧେ।ତାକୁ ଭଲ ଲାଗୁଥିଲା ଏଇ ମଧୁର ଅନ୍ଧତ୍ବ।ତା ଆଗରେ ଠିଆ ହୋଇଥିଲା ଦେବ।ମୁହଁରେ ଚିରାଚରିତ ଅଳ୍ପ ହସ।
ଦେବୀ ମନେମନେ ଫୁଲଟିଏ ହେଉଥିଲା ପୁଣି କେତେବେଳେ ନଈ ତ ଆଉ କେତେବେଳେ ଲାଜକୁଳୀ ଲତା। ଦେବର ଉପସ୍ଥିତି ତା ତୁଷାର ଶୀତଳ ଦେହରେ ଭରିଦେଉଥିଲା କଅଁଳ ଖରାର କୋମଳ ଉଷ୍ମତା।ଏଇଟା ସମୟର ଏକ ବିଚିତ୍ର ଉପସ୍ଥିତି,ଯେଉଁଠି ଦେବୀର ସମଗ୍ର ସତ୍ତା କେନ୍ଦ୍ରୀଭୂତ ହୋଇଥିଲେ।ଚେତନାର ଯେଉଁ ଆଲୋକିତ ଦିଗ ତାହା ଭିତରୁ ଜନ୍ମନେଉଥିଲା ଏକ ପ୍ରଖର ବିଶ୍ୱାସ।
ଦେବୀ ପବନ ପରି ଘର ଭିତରକୁ ଯାଇ ପାଣି ନେଇଆସିଲା।ସେ ଧିରେ ଧିରେ ତାର ଉପସ୍ଥିତି ଭୁଲିବା ପାଇଁ ଚେଷ୍ଠା କରୁଥିବା ବେଳେ ଦେବର ମାଧ୍ୟମ ଆଙ୍ଗୁଳି ସହିତ ତା ଅନାମିକା ଆଙ୍ଗୁଳିର ସଂଘାତ ଯୋଗୁଁ ତା ସାରା ଦେହରେ ଏକ ଆଲୋଡନ ଖେଳିଗଲା। ସେ ଜାଣି ପାରୁନଥିଲା ତାର କର୍ମ ଆଉ ଉପସ୍ଥିତି ଭିତରୁ କେଉଁଟି ଗୁରୁତ୍ୱପୂର୍ଣ୍ଣ।
ସେ ଭିତରୁ ଭିତରୁ ତରଳିବାକୁ ଲାଗିଲା।ଯେଉଁ ଇଷ୍ଟ କାମନାଟି ତାକୁ ଆଜିଯାଏ ଏକ ସ୍ବପ୍ନିଳ ମାୟା ଭିତରେ ବଞ୍ଚେଇ ରଖିଛି ତା ଆଜି ସତ ହୋଇଯାଉଛି ।ସେ ମୁହୂର୍ତ୍ତେ ପାଇଁ ଭୁଲିଗଲା ଅତୀତ,ଭବିଷ୍ୟତ।ଟିକକ ବର୍ତ୍ତମାନ ହିଁ ତା ସମଗ୍ର ଆୟୁଷର ଭାଗ୍ୟ ନିଆନ୍ତା ।
ପାଣି ପିଇ ସାରି ଦେବ କିଛି କ୍ଷଣ ଅଟକି ରହିଲେ। ଦେବୀ କବାଟ ପାଖରୁ ଏକ କରୁଣ ଚିତ୍ରପରି ଠିଆ ହୋଇଥିଲା।ତା ଭିତରେ ଗଢା ହେଉଥିବା ଏକ ପବିତ୍ର ମନ୍ଦିର ଭିତରେ ବସିଥିଲା କେହିଜଣେ।
ଦେବ କଣ ସତରେ ଦେବତା ହୋଇଗଲେ।ନିଜର ନିରବତାକୁ ପଚାରିଲା ଦେବୀ।କେଇ ମୁହୂର୍ତ୍ତ ପରେ ଏକ ପକ୍ଷୀ କଣ୍ଠରେ ଶୁଣାଗଲା- ହଁ ହଁ ହଁ।
ତୁ ମୋ ଉପରେ ରାଗିଚୁ କି? ଆଉ କଥା ହେଉନୁ କାହିଁକି?
ଦେବୀ କୁ କାନ୍ଦ ଲାଗିଲା।ସେ କେମିତି ବୁଝେଇବ ଯେ ଦେବର ବିନା ଉପସ୍ଥିତିରେ ନିଜର ପ୍ରିୟ ଶବ୍ଦମାନଙ୍କୁ ନିରବତାର ଭାଷା ଶିଖେଇ କେବେଠୁ ପଠେଇ ସାରିଛି । ଦେବ କଣ ଦେଖୁ ନାହାନ୍ତି। ଦୁଇଟୋପା ଲୁହ ତା ଗଣ୍ଡଦେଶ ଦେଇ ଭୂଇଁରେ ପଡ଼ି ଗଲେ।
ଅନ୍ଧାର ଚରିଆସୁଥିଲା ଧୀରେଧୀରେ।ସମୁଦ୍ର ସେପାରି କେଉଁ ଏକ ନିଶଙ୍ଗ ଦ୍ଵୀପରେ ଢେଉ ସହ ଖେଳୁଥିଲା ପବନ। ଦେବୀ କୁ ଲାଗୁଥିଲା ସେ ଢେଉ ହେଉଛି ସେ ନିଜେ।ତା ଆଗରେ ଠିଆ ହୋଇଥିବା ବର୍ତ୍ତମାନ ତାକୁ ଖୁବ୍ ଧିରେ ପଚାରିଲା – ତୁ ଖୁସି ତ!
ସେ ନିଜେ ବୁଝିପାରିବା ଭାଷାରେ ନିଜକୁ କହିଲା – ଛି,ସୀମା ନଥିବା ଏକ ମଧୁର ଅନୁଭବକୁ କଣ ଏମିତି ପ୍ରଶ୍ନ ପଚରାଯାଏ!
କେଇ ମୁହୂର୍ତ୍ତ ପରେ ଦେବ ଆଉ ଥରେ ପଚାରିଲେ – ଆରେ ତୋତେ କଣ ପଚାରିଲି ପରା!
ଦେବୀ ପାଦତଳ ପୃଥିବୀରେ ନିଜର ସରଂକ୍ଷିତ ଅବସ୍ଥାନକୁ ଚାହିଁ ଖୁବ୍ ଧୀରେ କହିଲା – ଏମିତି କିଛି ନାହିଁ।ଆପଣ ତ ଆଉ ଆସୁନାହାନ୍ତି।
– ଆରେ ମୁଁ ତ ସବୁଦିନ ବିନୟ ପାଖକୁ ଆସେ।ହେଲେ ତୋର ଦେଖା ନାହିଁ।କେଉଁଠି ଲୁଚିଯାଉଛୁ।ଆଛା ହଁ ତୋତେ ଗୋଟେ ପ୍ରଶ୍ନ ପଚାରିବି ବୋଲି କହୁଥିଲି ନା, ପଚାରିବି?
ଦେବୀକୁ ଆଉଥରେ କାବୁକରି ନେଲା ଏକ ମଧୁର ବିସ୍ମୟ।କଣ ଏମିତି କଥା ଅଛି ଯେ ସେ ଦୁଇଦୁଇ ଥର ତାଠୁ ଅନୁମତି ମାଗୁଛନ୍ତି।ଧିରେ କହିଲା ଦେବୀ।
ମୁଁ କହୁଥିଲି ତୁ କାହାର ପ୍ରେମରେ ପଡ଼ିନୁ ତ!
କ୍ରମଶଃ…..
Comments are closed.