Latest Odisha News

BREAKING NEWS

ଏବେବି ଅଧିକାଂଶ ସ୍ଥାନ ଅନ୍ଧାର ଓ ପାଣି ଲାଗି ହାହାକାର, ରାସ୍ତାକୁ ଓହ୍ଲାଇଲେ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟାରେ ଭୁବନେଶ୍ୱର ସହର ଅଧିକ କ୍ଷତିଗ୍ରସ୍ତ ହେବା ସହିତ ସହରରେ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇପାରିନାହିଁ । ବିଜୁଳି ଅଭାବରେ ପାନୀୟ ଜଳ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି, ମାତ୍ର ଏପର୍ଯ୍ୟନ୍ତ ସ୍ୱାଭାବିକ ଅବସ୍ଥାକୁ ଫେରିପାରିନାହିଁ ଜନଜୀବନ । ପ୍ରଶାସନର ମନ୍ଥର କାର୍ଯ୍ୟାଧାରାକୁ ସବୁ ମହଲରେ ନିନ୍ଦା କରାଯିବା ସହିତ ତୁରନ୍ତ ବିଦ୍ୟୁତ ସେବା ସହିତ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଦାବୀ ହେଉଛି ।

ଏନେଇ ରାଜଧାନୀର ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ଗଛ ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏହି ରାସ୍ତା ଅବରୋଧ ହେବା ଫଳରେ ଯାନବାହନ ଚଳାଚଳ କିଛି ସମୟ ଲାଗି ବାଧାପ୍ରାପ୍ତ ହୋଇଥିଲା ।

ତେବେ ଆନ୍ଦୋଳନକାରୀଙ୍କୁ ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ପୋଲିସ ବୁଝାସୁଝା କରିବା ପରେ ସେଠାରୁ ହଟିଥିଲେ ଉତ୍ୟକ୍ତ ଜନସାଧାରଣ ।

ରାଜଧାନୀର ଅଧିକାଂଶ ସ୍ଥାନ ଏବେ ବିଜୁଳି ଅଭାବରୁ ସନ୍ଧ୍ୟା ବେଳୁ ଅନ୍ଧାରରେ ରହୁଛି । ଦିନରେ ବିଦ୍ୟୁତ ସେବା ଅଭାବରୁ ନା ପାଣି ନା କୌଣସି କାର୍ଯ୍ୟ ସମ୍ଭବ ହୋଇପାରୁନାହିଁ । ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିବା ଯୋଗୁଁ ଅନେକ ସ୍ଥାନରେ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଘରୋଇ ତଥା ବେସରକାରୀ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି ।

ରାଜଧାନୀର ପ୍ରାୟ ଅଧିକାଂଶ ସ୍ଥାନରେ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ଅଧିକ ବ୍ୟୟ ସାପେକ୍ଷ ହୋଇଥିବାରୁ ଜେନେରେଟର ଲଗାଇ ପାଣି ଉଠାଇବା ସବୁଆଡ଼େ ସମ୍ଭବ ହୋଇ ପାରୁନାହିଁ ।

ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave A Reply

Your email address will not be published.