କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୬
ବଡ଼ ନଈରେ ପାଣି ପରି ବହିବାରେ ଲାଗୁଥିଲା ସମୟ। ଦେବ ଭାଇ ସବୁଦିନ ଆସୁଥିଲେ ସାଙ୍ଗରେ କିଛି ଫୁଲ ଆଉ ପବିତ୍ରତା ଆଣି।ସବୁଦିନ ସଂଜବେଳକୁ ବି ଦେବୀ ମନେମନେ ପ୍ରତୀକ୍ଷା କରୁଥିଲା କେହିଜଣେ ଆପଣାର ଲୋକକୁ । ଟିକେ ବିଳମ୍ବ ହେଲେ ତା ମନକୁ ପାପ ଛୁଉଁଥିଲା। କାଳେ ଦେବଭାଇ ଆସିବା ବନ୍ଦ କରିଦେବେ।ସେ କେମିତି ବଞ୍ଚିପାରିବ।
ସେ ଆଜିକାଲି ପ୍ରବଳ ଅନ୍ୟମନସ୍କ ରହୁଥିଲା।ବୋଉ ପାଟିକରି ବାପାଙ୍କୁ ଶୁଣାଉଥିଲା – ଦେଖ,ତୁମ ଗେହ୍ଲିଝିଅକୁ। କେମିତି ଚୁପଚାପ୍ ବସୁଛି। ଏଡେ ପିଲାଟା ହେଲାଣି ଘରକରଣା ଶିଖିବା କଥା। ଖାଲି ପାଠ,ନହେଲେ ବାରଣ୍ଡାରେ ବସି କଣ ଭାବୁଛି କେଜାଣି।
ଦେବୀକୁ ଡର ଲାଗେ। ବୋଉ କଣ ତାକୁ ଅବିଶ୍ବାସ କଲାଣି କି! କାଳେ ସେ ଜାଣି ପକାଏ। ଆରମ୍ଭରୁ ଆରମ୍ଭରୁ ମରିଯିବ ଏକ ସମ୍ପର୍କ। ତା ସହିତ ମରିଯିବ ଏକ ମନ। ଏକଥା ମନକୁ ଆସିଲେ ସେ ମଙ୍ଗଳା ମାଆଙ୍କୁ ଡାକେ।ନିଜକୁ ମନେମନେ ବିରହିଣୀ କରେ।ଏକା ଅବଢ଼ା ଜାଣିପାରେ ସବୁ।
ଦେହରେ ଘଷିହୋଇ ପଚାରେ – କଣ କିଲୋ ଅବଢ଼ା!
କଣ ହୋଇଛି ତୁମର! ସୁନା ମୁହଁ କଳା ପଡିଗଲାଣି।ଝଡି ବି ଯାଇଛ। ରାଜଜେମା କଣ ପ୍ରେମରେ ପଡିଛନ୍ତି କି? କିଏ ମ!
ମତେ କହିବନି! ହଁ, ମୁଁ ତୁମର କିଏ ଯେ!
ବଉଳ ମୁଁହ ଫୁଲାଏ। ସେ ଏମିତି ପିଲାଦିନରୁ। ଅତି ଅଳ୍ପ ବୟସରେ ମାଆ ମରିଗଲେ। ଗରିବ ବାପର ଏକମାତ୍ର ଝିଅ ହୋଇ ବଡ଼ ହୀନିମାନ ହୋଇ ବଡ଼ ହେଲା। ହେଲେ ହୃଦୟ ଖୋଲା। ପର ପାଇଁ କାନ୍ଦିବାକୁ ତା ଆଖିରେ ଗୋଟିଏ ସମୁଦ୍ର ଅଛି।
ବଉଳ କଥା ଶୁଣିଲେ ତାକୁ ହସ ଲାଗେ।ଭାବେ କହିଦେବି। ହେଲେ କହିପାରେନା। କେମିତି କହିବ। ସେ ସିନା ଦେବ ଭାଇଙ୍କୁ ଭଲ ପାଏ ହେଲେ ଦେବ ଭାଇ ତାକୁ ଭଲ ପାଆନ୍ତି ବୋଲି କିଛି ପ୍ରମାଣ ଅଛି କି ତା ପାଖରେ।
ସତ କଥା ତ । ଏକଥା ଭାବିଲେ ଦେବୀ ର ମୁଣ୍ଡ ବୁଲେଇ ଦିଏ।ସେ ଆଗକୁ କିଛି ଭାବି ପାରେନା।ଲୁହ ମୟ ହୋଇଯାଏ ଆଖି।ଚେତନାର କେଉଁ ଏକ ଅଂଶରେ ଭୀଷଣ ଜଳାପୋଡା ହୁଏ।ତାକୁ ସାରା ସଂସାର ଧୁଆଁମୟ ହୋଇଯାଏ।ଆଗ ପଛ ବର୍ତ୍ତମାନ ଅତୀତର ସଜ୍ଞା ତା ପାଇଁ ବଦଳି ଯାଏ।ସେ ମଙ୍ଗଳା ମାଆଙ୍କୁ ଡାକେ।କେହି ଯେମିତି ତା ଭିତରେ କହିଦିଏ – ପ୍ରେମକୁ କଣ କାହା ଦେହ ଭିତରେ ବାନ୍ଧି ରଖାଯାଇପାରେ।ପ୍ରେମ ତ ନିଜ ହାତରେ ନିଜକୁ ବନ୍ଦିକରିବା କାମ।ସେ ମନକୁ ବୁଝାଏ।ସେ ତ ଦେବ ଭାଇକୁ ପଚାରି ପ୍ରେମ କରିନି।ତେଣୁ ତାଙ୍କ ଇଚ୍ଛା ଅନିଚ୍ଛା କଥା ଭାବିବ କାହିଁକି!
ଦେବ ଭାଇ ବି ସେମିତି କଥାକଥାକେ ହସୁଥିବେ,ହସାଉଥିବେ।ପଢେଇଲା ବେଳେ କେତେ କଥା କେତେ କାହାଣୀ କହୁଥିବେ।ଦେବୀ କୁ ଖୁବ୍ ଭଲ ଲାଗେ।ଦେବ ଭାଇ ଯାହା ପଢାନ୍ତି ତା ମନେ ରହିଯାଏ।ଆଗଭଳି ଗଣିତ ଆଉ ଭୂତ ହୋଇ ଡରାଇ ପାରେନା।ତାକୁ ପାଠ ସବୁ ଖୁବ୍ ସହଜ ଲାଗେ।
ଆଉ ଅଳ୍ପଦିନ ପାରେ ଟେଷ୍ଟ ପରୀକ୍ଷା ହେବାର ଥିଲା । ହଠାତ୍ ଦିନେ ଦେବ ଭାଇ କହିଲେ ସେ କିଛିଦିନ ପାଇଁ ପାଖ ସହରକୁ ଯିବେ।ତାଙ୍କ ପରୀକ୍ଷା ଆଗକୁ ଅଛି। କିଛି ବହିପତ୍ର ଆଣି ଘରକୁ ଆସିବେ।
ଏତକ କହିଲା ପରେ ଦେବ ଭାଇ ଦେବୀ କୁ ଚାହିଁଲେ। ସେ ଚାହାଣୀ ଭିତରେ ଦେବୀ ଦେଖିପାରୁଥିଲା ଏକ ଅଦୃଶ୍ୟ ଆତୁରତା। ସେ ଆତୁରତା ଭିତରେ ଥିଲା ଏକ ଗୋଲାପୀ ସମ୍ଭାବନା।ଦେବୀ କୁ ଲାଗୁଥିଲା ଯେମିତି ଦେବ ଭାଇ ତାକୁ ଜାଣିଶୁଣି କହୁଛନ୍ତି।
ଦେବ ଭାଇ ଏଥର ଦେବୀକୁ ଚାହିଁଲେ।ଦେବୀ ଦେବ ଭାଇଙ୍କୁ। କିଛି ଗୋଟେ ହେଲା ବୋଧେ ପରିଚିତ ଶୂନ୍ୟତା ଭିତରେ। ଦେବୀକୁ ଲାଗିଲା ଯେମିତି ସେ ଧିରେ ଧିରେ ଏକ ବାଦଲ ପାଲଟି ଯାଉଛି। ଏଇ ଯେମିତି ଲୁହର ଫୁଲକସି ଧରିଲାଣି ତା ଆଖିରେ।ସାରା ଦେହରେ ନିଶବ୍ଦ ଘଡଘଡି ର ନୀରବ କମ୍ପନ।ତା ମୁହଁରେ ଖେଳି ଯାଉଛି ବିନା ନିଆଁର ବିଜୁଳି।
ତୁ ମନ ଲଗେଇ ପଢ଼ିବୁ! ପରୀକ୍ଷା ଆଉ ଅଳ୍ପଦିନ ଅଛି। ତୁ ମୋର ଇଜ୍ଜତ ରଖିବୁ ନିଶ୍ଚୟ। ହଉ ମୁଁ ଯାଉଛି।
ଏତକ କହି ଦେବ ଭାଇ ବାହାରିଲା ବେଳକୁ ତା ଆଖିରୁ ଝରିବ ଝରିବ ହେଉଥିଲା ଲୁହ ବୁନ୍ଦେ। ତା ଭିତରୁ କେହିଜଣେ ବାହାରି ଦେବ ଭାଇ ଆଗରେ ପ୍ରାର୍ଥନା କରୁଥିଲା – ଯାଅନା ଦେବ ଭାଇ। ଯିବ ଯଦି ମତେ ନେଇ ଯାଅ।
କ୍ରମଶଃ……..
Comments are closed.