ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ
ତୁମେ ଦିନେ ମେଘକୁ ଡାକିବା ପାଇଁ
ମୋତେ ଯେଉଁ ବହିଟି ଦେଇଥିଲ
ଆଜି ଖୋଲି ଦେଖିଲା ବେଳକୁ
ତା ମଝିରେ ଆଣ୍ଠୁଏ ପାଣି,
ପର ପୃଷ୍ଠା ଖୋଲି ଦେଖିଲି
ସେ ଏକ ନଦୀର ଅଂଶ ପାଲଟି
ଦୂରକୁ ଯାଉଛି ବହି
ଅଙ୍କା ବଙ୍କା ହୋଇ।
ମୋତେ ଗଛଲତା ଭରା
ଯେଉଁ ବହିଟା ଦେଇଥିଲ
ଆଜି ସେଠି ପାଦଟିଏ ଆଗେଇ ପାରୁନାହିଁ,
ଏତେ ନିବିଡ଼ ଜଙ୍ଗଲ।
ଗଛ ଗୁଡ଼ିକ ଏତେ ବଡ଼ ହୋଇ ଯାଇଛନ୍ତି
ଯେ ମାଟିରେ ପଡୁନାହିଁ ସୂର୍ଯ୍ୟର ଆଲୁଅ।
ତୁମେ ମତେ ଝରଣା କ’ଣ ଜାଣିବାକୁ
ଯେଉଁ ବହିଟା ଦେଇଥିଲ ଆଜି ସେଇଠି ଏକ ମସ୍ତ ବଡ଼ ଜଳ ପ୍ରପାତ
ଲମ୍ଫମାରି ଝରୁଛି ସାରାଦିନ ଧରି।
ଏମିତିକି ପୃଷ୍ଠା ଅଙ୍କିତ ଚିହ୍ନ ପାଇଁ
ତୁମେ ଦେଇଥିବା ଧଳା ପରଟା
ଯେଉଁ ବହିରେ ରଖିଥିଲି
ଆଜି ସେଇଠି ଅନେକ ଚଢ଼େଇ
ଉଡ଼ୁଛନ୍ତି, ବସୁଛନ୍ତି, ପହଁରୁଛନ୍ତି।
ତୁମେ ଦେଇଥିବା ସବୁ ପୁସ୍ତକ
ଆଜି ମରୁଭୂମି , ପର୍ବତ ମାଳା
ସୂର୍ଯ୍ୟ ଓ ଦିଗନ୍ତ ….
ଅଥଚ ଆଜି ହିଁ ବନ୍ଧୁମାନେ ମୋର
ସେଇ ପୁସ୍ତକାଳୟଟିକୁ ଦେଖିବାକୁ ଆସିବେ,
ଜାଣିବାକୁ ଚାହିଁବେ , ମୋର ପଢ଼ାଶୁଣା
ଠିକଠାକ ଚାଲିଛି କି ନା,
ତାଙ୍କୁ ମୁଁ କ’ଣ ଦେଖାଇବି ?
ତାଙ୍କ ସାମନାରେ
କେଉଁ ମୁହଁ ନେଇ ଛିଡ଼ା ହେବି !
ଅନୁବାଦ : ମନୋରଞ୍ଜନ ହୋତା
Comments are closed.