Latest Odisha News

BREAKING NEWS

କବିତା : ଘର

ପୁଣ୍ୟପ୍ରଭା ଦେବୀ 

ଆଜିଠାରୁ ବହୁ ବର୍ଷ ପରେ ଏକ ଅଜଣା ଦିନରେ
ଆମେ ଦୁହେଁ ନ ଥିବା ତ ଯାଇଥିବା ଆଗ ପଛ ହୋଇ
ଆମ ଘରେ ରହୁଥିବ ପୁଅ ତାର
ପରିବାର ସାଥେ
ଆମର ଯା କିଛି ଥିବ
ସେ ସବୁର ସ୍ବାଧୀକାର ପାଇ।

ଥିବ ଏକ ଅପରାହ୍ନ
ନୀରବ ନିଶୁନ ଯେଣୁ ଛୁଟିଦିନ ଥିବ
କର୍ମ କ୍ଲାନ୍ତ ବୋହୂ ଆମ ଶୋଇଥିବ
ନିଘୋଡ ନିଦରେ
ପିଲା ତାର ଯାଇଥିବେ
କ୍ରିକେଟ ବା ଫୁଟବଲ ମ୍ଯାଚ ଦେଖିବାକୁ

ସେତେବେଳେ ପୁଅ ଆମ
ପାଇଯିବ ନିଜସ୍ବ ସମୟ
କୌତୁହଳ ବଶ ହୋଇ
ଖୋଲିବ ସେ ଆଲମିରା ଆମ
ଦେଖିବ ବିବର୍ଣ୍ଣ କିଛି
ଲୁଗାପଟା ବିଷର୍ଣ୍ଣ ମନରେ

ସାତତାଳ ପଙ୍କ ତଳୁ ଖୋଜିବାରେ
ଲାଗିବ ସେ ଦୁର୍ଲ୍ଲଭ ଫରୁଆ

ଯାହାକୁ ଦେଖିବ ବୋଲି
ଦୀର୍ଘ ଦିନ ପ୍ରତୀକ୍ଷାରେ ଥିଲା
ସେତେବେଳେ ଆବିଷ୍କାର କରିବ
ଆମର ଡାଏରୀ
ଜାଣିଥିବ ଯାହା ଆମେ ଲେଖୁଥିଲେ କଦବା କେମିତି

କବାଟ ବନ୍ଦ କରି ବସିଯିବ
ପଢିବା ପାଇଁ ସେ.
ମନେ କେତେ କୌତୁହଳ ଅଦମ୍ୟ ଉତ୍ସାହର ସହ

ତୁମର ଡାଏରୀ ପଢି ଦେଖିବ ସେ
କେତେ ରୂପ ରଙ୍ଗ
ଯାହା ସେ ନ ଥିବ ଜାଣି
କେତେ କେତେ ନିଷିଦ୍ଧ କାହାଣୀ
ମନେ ମନେ ହସୁଥିବ
ବାପା ତାର ଥିଲେ
କେତେ ରସିକ ପ୍ରବର
ଲାଗୁଥିବ ଯେମିତି ସେ ପଢୁ ଅଛି ଓମର ଖୟାମ

ତୁମର ଡାଏରୀ ପରେ ପଢ଼ିବ ସେ
ଡାଏରୀ ମୋ ଧରି
କେତେ ଦୁଃଖ, ଲୁହ ପଡି ଅସ୍ପଷ୍ଟ ହୋଇଛି

ପୃଷ୍ଠା ପରେ ପୃଷ୍ଠା ପଢ଼ ତା’ ଉପରେ
ପଡ଼ୁ ଥିବ ଟପ୍ ଟପ୍
ତା ଆଖିରୁ ଲୁହ

ଡାଏରୀ ସେ ପଢୁଥିବ ଦିନ ଦିନ ଧରି
ସେଇପରି ଚୁପ୍ ଚାପ୍ ସେଇପରି
ନିରୋଳା ପ୍ରହରେ

ଭାବୁଥିବ ଏହିପରି ଦୁଇଜଣ
ପାର୍ଥକ୍ୟ ମନର
ଦୁଇଟି ମଣିଷ ମିଶି କେଉପରି ହସିହସି
ରଚୁଥିଲେ ଘର ?

Comments are closed.