ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୨୧
ଲେଖାରେ ତ୍ରୁଟି ଓ ବିଚ୍ୟୁତି
କରେ ଭାଷାର ଖୁବ୍ କ୍ଷତି
ଲେଖାଳି ପାଇପାରେ ଖ୍ଯାତି
ବୁଝେନି ପାଠକର ମତି
ଲେଖକ ହେଲେ ପ୍ରତିଷ୍ଠିତ
ଯଦି ହୁଏନି ଭାଷା ହିତ
ସାହିତ୍ୟ ହୁଏ ମୂଲ୍ୟହୀନ
ପାଠକେ ଦିଅଂତିନି ଧ୍ୟାନ
ଏପରି ରଚନା ସଂଭାର
ଗ୍ରଂଥାଗାରରେ ଭରପୂର
ପଡ଼ିନି ପାଠକର ଆଖି
ସତରେ ସାହିତ୍ୟ ହେଲା କି?
ସାହିତ୍ୟ ହେଲେ ଶବ୍ଦଜ୍ଞାନ
ସ୍ବଭାବେ ଅନୁଭବହୀନ
ଜୀବନଧାରାରୁ ବିଚ୍ଛିନ୍ନ
କେବଳ ତତ୍ତ୍ବ ପରିପୂର୍ଣ
ହୁଏ ବସ୍ତୁତଃ ସୀମାୟିତ
କରିପାରେନା ବହୁହିତ
ନ ରହେ ଲୋକଂକ ସହିତ
ପାଠକ ହୁଏ ଭାଷାଚ୍ୟୁତ
ପଠିତ ନ ହୋଇଲେ ବହି
ଛାପା କାଗଜ ରୂପେ ରହି
ଆକର୍ଷି ଥାଏ ଧୂଳି, କୀଟ
ସମୟକ୍ରମେ ହୁଏ ନଷ୍ଟ
କାନରେ ପଡ଼େ ଯେଉଁ ଭାଷା
ତାହା ନ ହେଉ ଲୋକହସା
ଯାହା ବାସ୍ତବ ଉଚ୍ଚାରଣ
ତାହାର ନ ହୁଏ ମରଣ
ସାହିତ୍ୟ ପାଇଁ ଅନୁଭୂତି
ଅଟଇ ଅନନ୍ୟ ସଂପତ୍ତି
ବ୍ୟକ୍ତିର ସ୍ଥିତି ମତି ଗତି
ମନୋବୃତ୍ତିର ପରିଚିତି
ପ୍ରଶ୍ନ ଉଠିଲେ ନିରୁତ୍ତର
ରହିବା ଅଭ୍ୟାସ କବିର
ରହିଛି ଯେତେ ଦିନ ଯାଏଁ
ଭାଷାଟେ ଆଦର ନ ପାଏ
କବି ସହିତ ରହି କବି
ପାରେ ବହୁତ କଥା ଭାବି
ପାରସ୍ପରିକ ଟେକାଟେକି
ପ୍ରତିଭା ଉନ୍ନତ କରେ କି?
ବିବାଦରତ ବିଦ୍ୟାଧର
ମତ ଖଂଡନ କାରବାର
କରଇ ଯଦି ପ୍ରତିଦିନ
ଘଟେନି ଭାଷାର ଉତ୍ଥାନ
ଅଥଚ ଯେତେ ନିରକ୍ଷର
କରି ସ୍ବଭାଷା ବ୍ୟବହାର
କରଂତି ସମୃଦ୍ଧି ସଂପନ୍ନ
ତାହାଂକୁ ନ ମଣିବା ନ୍ୟୂନ
ଲୋକଂକ ପଠନ ପ୍ରବୃତ୍ତି
ସକ୍ରିୟ ହୋଇ ଦିନରାତି
ଭାଷାକୁ ଦିଏ ସ୍ଥିରଗତି
ତାହା ହିଁ ପ୍ରକୃତ ଉନ୍ନତି
Comments are closed.