Latest Odisha News

BREAKING NEWS

ବ୍ୟଙ୍ଗ : ଭାଲେଣ୍ଟାଇନସ୍ ଆପ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ… 

ଦିନଟି ସେମିତି-ବଡ଼ ରୋମାଣ୍ଟିକ୍ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , “ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ ।” ଶୁଭ କାମରେ ଘରୁ ବାହାରୁ ବାହାରୁ ପଛରୁ କୁହାଟମରା ଡାକରେ ଅନୁକୂଳକୁ ବେଙ୍ଗା କରିଦେବାର ଠିକା ମୋ ଘରମଣି ଯେମିତି ନେଇଛନ୍ତି ! ସବୁ ଶୁଭକାମରେ ବିଲେଇ ପାସ୍ କରିବା ତାଙ୍କ ଜନ୍ମସିଦ୍ଧ ଅଭ୍ୟାସ । ଆଜି ଭଳି ଦିନରେ କେତେ ସରାଗରେ ମଣିଷ ଘରୁ ବାହାରୁଛି କହିଲେ କ’ଣ ନା ବ୍ରେଡ଼ ନେଇକି ଆସିବ । କାହାକୁ ନଶୁଭିଲା ପରି ଚିଡିମିଡ଼ି ହୋଇ ବଡ଼ ବଡ଼ ପାହୁଣ୍ଡ ପକେଇ ଛକ ଆଡ଼କୁ ମୁହାଁଇଲି ।

ଆଗ ଛକ ପାଖରେ ଛିଡା ହେଇ ଆଜିପାଇଁ ଯୋଜନା ତିଆରି କରୁଛି ଏତିକି ବେଳେ ଏକ ଅଜଣା ନମ୍ବରରୁ ଫୋନ ଆସିଲା ।

“ହ୍ୟାଲୋ… ଆପଣ ଯାହାକୁ ଅପେକ୍ଷା କରିଛନ୍ତି ସେ ଆଉ ଆସିବନି । ସେ ବହୁତ ଖରାପ ଝିଅ। ତୁମେ ଫସିଯିବ । ତା’ ସହ ସମ୍ପର୍କ ରଖନି , ବଡ଼ ହୀନସ୍ଥା ହେବ ।”

— ଆଶ୍ଚର୍ଯ୍ୟ ହୋଇ ପଚାରିଲି, ସରି । କିଏ କହୁଛ ?

— ମୁଁ ତା’ ସାଙ୍ଗ । ଆପଣ ସରଳିଆ ଲୋକ । କିଛି ଜାଣିନାହାନ୍ତି । ତେଣୁ ମୁଁ ଭାବିଲି ଆପଣଙ୍କୁ ସବୁ କଥା ଜଣେଇଦେବା ଉଚିତ ।

— ନା.. ନା..ସେ ବହୁତ ଭଲ । ମୁଁ ତାଙ୍କୁ ବହୁତ ଭଲ ପାଏ । କେମିତି ମାନିବି ସେ ଖରାପ ? ତାଙ୍କ ବିଷୟରେ ମୁଁ କାହିଁ ଯେ ଶୁଣିବି ଆଉ କାହା ଠାରୁ ?” ଶେଷ ଆଡ଼କୁ ଗଳାକୁ ଚଢା କଲି ନିଜର ବିଶ୍ୱସ୍ତତା ଦେଖେଇବା ପାଇଁ ।

— ଆଚ୍ଛା ଏମିତି କଥା ତାହା ହେଲେ ! ସେପଟୁ ଗର୍ଜନ ଶୁଭିଲା । “ମୁଁ ବେବିନା , ତୁମ ଘରମଣୀ । ଅନେକ ଦିନ ହେଲାଣି ତୁମ ରଙ୍ଗ ଢଙ୍ଗ ଉପରେ ମୋର ଘୋର ସନ୍ଦେହ ଥିଲା । ସେଇଥିପାଇଁ ନୂଆ ସିମ୍ ଆଣି ଭଏସ ଚେଞ୍ଜର ଆପ ଡାଉନଲୋଡ଼ କରିଥିଲି । ହଉ ଘରକୁ ଆସ ଦେଖିବ ମୁଁ ବି ତୁମକୁ କେତେ ଭଲ ପାଉଛି ।

— ଆକାଶରୁ ତଳକୁ ଖସିପଡିବାର ହାଲତ ମୋର । ଫେବୃଆରୀ ଶୀତରେ ଦେହ ଏବଂ ମୁହଁ ଝାଳେଇ ଗଲା । “ହ୍ୟାଲୋ ..ହ୍ୟାଲୋ ..ଟିକେ ଶୁଣ । ଆରେ ମୁଁ ମଜାରେ…. ହ୍ୟାଲୋ ହ୍ୟାଲୋ..। ସେପଟୁ ଫୋନ କଟିଗଲା ।

ପାଟି ଖନି ମାରିଯାଉଥିଲା କଥା କହିଲାବେଳେ । କରିବି କଣ ? ଭୁଲ ତ ହେଇଯାଇଛି । ଆଜି ଘରକୁ ଗଲେ ମୋ ଅବସ୍ଥା କ’ଣ ହେବ କେଜାଣି ! ଘରକୁ ନଯାଇ ମାର୍କେଟ ଉପରେ ବାୟା କୁକୁର ଭଳି ମୋ ଅବସ୍ଥା ସେତିକିବେଳକୁ ।କିଛି ସମୟ ପରେ ପୁଣି ଥରେ ଆଉ ଏକ ନମ୍ବରରୁ କଲ ଆସିଲା ।

— ହ୍ୟାଲୋ କିଏ ରାଜନ ..

— ହାଁ ରାଜନ କହୁଛି ..।

— ତୁମେ କଣ ସତରେ ରୁବିନାକୁ ଭଲ ପାଉଛ ?

ଭାବିଲି ବେବିନା ବୋଧେ ପୁଣି ଆଉ ଗୋଟିଏ ନମ୍ବରରୁ ସ୍ୱର ବଦଳେଇ ଭକୁଆ ବନଉଛି ।

— ରୁବିନା କିଏ ମୁଁ ଜାଣିନି ..।

— ସତରେ ଜାଣିନ ?

— ନା । ଆଉ ତୁମେ କିଏ ମୋତେ କାହିଁକି ଫୋନ କରୁଛ ? ଏ କି ଫାଜିଲାମୀ ?

— ତୁମେ ଅବିକା ସେଇ ଦାଣ୍ଡ ସାହି ଛକ ପାଖ ମୋଡ଼ରେ ଛିଡା ହୋଇଛ ନା ? ଯଦି ରୁବିନାକୁ ଭଲ ପାଉନ ତେବେ ତାକୁ ସେଠି କାହିଁକି ଅପେକ୍ଷା କରିଛ ?

— ନା ବର୍ତ୍ତମାନ ମୁଁ ବ୍ରେଡ଼ କିଣୁଛି । ଆଉ ଶୁଣ …। ମୁଁ ମୋ’ ସ୍ତ୍ରୀକୁ ଜୀବନରୁ ଅଧିକା ଭଲ ପାଏ । ମୋତେ ଏମିତି ଆଉ ଫୋନ କରି ବିରକ୍ତ କରନି କି ମୋ ଘର ଭାଙ୍ଗନି ।

ସେପଟୁ କାନ୍ଦ କାନ୍ଦ ସ୍ୱରରେ ସେ କହିଲା ଏବେ ମୁଁ ଜାଣିଲି ତୁମେ ମୋ’ ସହ ଖାଲି ଟାଇମପାସ କରୁଥିଲ । ତୁମକୁ ଏଇ ଜନ୍ମ କଣ ଆଗତ ସାତ ଜନ୍ମ ଯାଏଁ ପ୍ରେମ ନମିଳୁ । ମୁଁ ରୁବିନା କହୁଥିଲି । ମୋର ସନ୍ଦେହ ସତ ଥିଲା । ତୁମ ଭିତରେ ମୋ’ ପାଇଁ ସେ ପ୍ରେମଫ୍ରେମ ପଇସାକର ନଥିଲା । ସେଥିପାଇଁ ଭଏସ ଚେଞ୍ଜର ଆପ ଡାଉନଲୋଡ଼ କରି ତୁମକୁ ପରୀକ୍ଷା କରୁଥିଲି ।”

ମୋ’ ଅକଲ ଗୁଡୁମ । କଣ ହେଉଛି ଆଜି ଭଳି ଦିନରେ ମୋ’ ସହ ? ଦୁଇ ନାଆରେ ଗୋଡ଼ ଥୋଇଛି ମୁଁ ।

— ହ୍ୟାଲୋ ହ୍ୟାଲୋ ରୁବିନା । ସତରେ ମୋତେ ବିଶ୍ୱାସ କର । ମୁଁ କେବଳ ତୁମକୁ ଭଲ ପାଏ ସୁଇଟହାର୍ଟ । କଥା କ’ଣ କି କିଛି ସମୟ ଆଗରୁ ମୋର ସେଇ ମୋଟୀ ଗେଡି ସନ୍ଦେହୀ ସ୍ତ୍ରୀ ଏଇ ଭଏସ ଚେଞ୍ଜର ଆପ ବ୍ୟବହାର କରି ମୋତେ ଫୋନ କରିଥିଲା । ଭାବିଲି ବୋଧେ ସେ ପୁଣି ଥରେ ଫୋନ କଲା । ବିଶ୍ୱାସ କର । ମା” ରାଣ ମୁଁ କେବଳ ତୁମକୁ ଭଲ ପାଏ , ଇନ୍ ଟ୍ରୁ ସେନ୍ସ ମୁଁ ତୁମକୁ ପ୍ରେମ କରେ । ଆଜି ଭାଲେଣ୍ଟାଇନସ୍ ଡେ ଡିଅର । ଟ୍ରଷ୍ଟ ମି ।

— ଆଚ୍ଛା ତାହାହେଲେ କଥା ଏତେବାଟ ଯାଇ ପହଂଚିଲାଣି । ଶୁଣ ମୁଁ ରୁବିନା ନୁହେଁ ବେବିନା କହୁଛି ତୁମର ସେଇ ମୋଟୀ , ଗେଡି ସନ୍ଦେହୀ ସ୍ତ୍ରୀ । ପ୍ରଥମେ ଜମାରୁ ବିଶ୍ୱାସ ହେଉନଥିଲା । ଭାବିଲି ଏତେବର୍ଷ ଧରି ଲୋକଟା ସାଙ୍ଗରେ ରହିଲି , ଏମିତି ଟିକେ ଟିକେ କଥାରେ ଅବିଶ୍ୱାସ କେମିତି କରିବି ! ତେଣୁ ଆଉ ଥରେ ଫୋନ କଲି ସତ ଜାଣିବାକୁ । ଏବେ ଘରକୁ ଆସିଵ ନା ମୁଁ ନିଜେ ଯାଇ ସେଇ ଛକ ପାଖରେ ଭାଲେଣ୍ଟାଇନ୍ ଡେ ପାଳିବି ??

ନୀତିବାଣୀ: ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ଭଲ । ତେଣୁ ଟିକେ ସତର୍କ ରହିଲେ ହାପି ଭଲେଣ୍ଟାଇନ ନଚେତ୍ ଖୋଦ ଭଗବାନ ବି ପିଠିରେ ପଡିବେନି ।

Comments are closed, but trackbacks and pingbacks are open.