ମସ୍କୋ : ଚରମ ସୀମାରେ ପହଞ୍ଚିଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଡୋନେସ୍କ ଓ ଲୁଗାନସ୍କକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଏହାସହ ମସ୍କୋକୁ ବ୍ଲାକମେଲ କରିବା ଚଳିବ ନାହିଁ ବୋଲି ଖୋଲା ଖୋଲି କହିଛନ୍ତି ପୁଟିନ୍ । ପୂର୍ବ ୟୁକ୍ରେନ ଭିତରେ ପ୍ରବେଶ ଲାଗି ଋଷ ନିଜ ସୈନ୍ୟ ବାହିନୀଙ୍କୁ ନିର୍ଦ୍ଦେଶ ଦେଇଛି ।
ସେପଟେ ଦୁଇ ବିବାଦୀୟ ଅଞ୍ଚଳକୁ ସ୍ବୀକୃତି ଦେବା ଯୁଦ୍ଧର ପୂର୍ବ ସୂଚନା ବୋଲି କହିଛି ଆମେରିକା । ଏହାର ଫଳାଫଳ ଅତି ଭୟଙ୍କର ହେବ ବୋଲି ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ । ୟୁକ୍ରେନ ପ୍ରସଙ୍ଗରେ ବସିଥିବା ୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦ ବୈଠକରେ ଋଷକୁ ଟାର୍ଗେଟ କରିଛି ଆମେରିକା । ଅନ୍ୟପଟେ ପୂର୍ବ ୟୁକ୍ରେନ ଅଭିମୁଖେ ସୈନ୍ୟ ପଠାଇଛି କରିଛି ଋଷ । ପୁଟିନ ଅଭିଯୋଗ କରିଛନ୍ତି ଯେ, ଆମେରିକା ଇସାରାରେ କାର୍ଯ୍ୟ କରୁଛି ୟୁକ୍ରେନ । ପାଶ୍ଚାତ୍ୟ ଦେଶ ସହଯୋଗରେ ୟୁକ୍ରେନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଓ ସେନାକୁ ମଜଭୁତ କରାଯିବା ଋଷର ସାର୍ବଭୌମତ୍ବ ଓ ନିରାପତ୍ତା ଲାଗି ଏକ ବୃହତ ଚାଲେଞ୍ଜ ହେବ ।
ଡୋନେତସ୍କ ଓ ଲୁହାନସ୍କର ହଜାର ହଜାର ଲୋକଙ୍କୁ ଏବେ ଋଷ ନିଜ ମାଟିରେ ଆଶ୍ରୟ ଦେବାରେ ଲାଗିଛି । ତେବେ ପୁଟିନଙ୍କ ଏଭଳି ନିଷ୍ପତ୍ତି ଅନ୍ତରାଷ୍ଟ୍ରୀୟ ଆଇନକୁ ଉଲ୍ଲଂଘନ କରିଛି ବୋଲି ଆମେରିକା କହିଛି । ଋଷର ଆକ୍ରମଣ ନିର୍ଦ୍ଦେଶ ପରେ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦ ସହ ବୈଠକ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଋଷ୍ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭାରତ ମଧ୍ୟ ଉପସ୍ଥିତ ଥିଲା । ୟୁରୋପରେ ସୃଷ୍ଟି ହୋଇଥିବା ଯୁଦ୍ଧ ସଙ୍କଟ ପୁରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି କରୁଛି । ଉଭୟ ପକ୍ଷ କୁଟନୈତିକ ସ୍ତରରେ ଆଲୋଚନା କରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛିନ୍ତି ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ।
Comments are closed.