ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…
ମୋର ବହୁ ଗୁଡିଏ ଭଲ ଅଭ୍ୟାସ ଭିତରୁ ଗୋଟିଏ ହେଲା ମୁଁ ଯେତେବେଳେ କହିବା ଆରମ୍ଭ କରେ ମୋତେ ଲାଗେ ଏକ ବିଶାଳ ଜନସମୁଦ୍ରକୁ ଏଇଟା ମୋ ଜୀବନର ଶେଷ ଭାଷଣ । ବାସ୍ କହି ଚାଲିଥାଏ । କିଛି ଜ୍ଞାନୀ ଲୋକଙ୍କ ମତ ହେଲା , ମୁଁ କହିଲାବେଳେ କାଳେ କମା ଫୁଲଷ୍ଟପ୍ କିଛି ମାନେନି । ଏକଆଖିଆ ବଳଦ ଭଳି ଯେଉଁ ବିଷୟରେ କହୁଥାଏ ସେଇ ବିଷୟର ଚଉଦ ପୁରୁଷ ଇତିହାସ ବର୍ଣ୍ଣନା ନ ସରିବା ଯାଏଁ ବାସ୍ ସେଇ ଦିଗରେ ମାଡି ଚାଲିଥାଏ । ଖାଲ ଢ଼ିପ କିଛି ମାନେନା । ଏହି ଭଲ ଅଭ୍ୟାସଟା ଯେ ମୋର ଜନ୍ମଗତ ତାହା ନୁହେଁ । କିନ୍ତୁ ଜୀବନ ପରିବର୍ତ୍ତିତ ପରିସ୍ଥିତି ଦେଇ ଗତି କଲା ବେଳେ ଏ ଭଲ ଗୁଣଟି ମୋ ଭିତରେ ବିକଶିତ ହୋଇଛି । ସ୍କୁଲରେ ବି ସେଇ ଅଭ୍ୟାସ ଥିଲା । ପରୀକ୍ଷା ପ୍ରଶ୍ନ ପତ୍ରରେ ପଚାଶ ଶବ୍ଦରେ ଉତ୍ତର ଲେଖ ପ୍ରଶ୍ନର ଉତ୍ତରରେ ମୁଁ ଅତି କମରେ ପଚାଶ ଧାଡି ଲେଖେ କାରଣ ମୋ ଭିତରେ ଏକତରଫା ବିଶ୍ୱାସ ଥିଲା ଯେ ବୁଝେଇ ନ ଲେଖିଲେ ହୁଏତ ମୋ କଥା ପରୀକ୍ଷକ ବୁଝିପାରିବେ ନାହିଁ । ଫଳ କିନ୍ତୁ ହୁଏ ଓଲଟା । ଶିକ୍ଷକ ଅଧିକ ବୁଝନ୍ତି ହେଲେ ଫଳ ଦିଅନ୍ତି କମ । ସେଇଟା ଶିକ୍ଷକଙ୍କ ସ୍ୱଳ୍ପ ବୁଦ୍ଧିର ଦୋଷ ଭାବି ମୁଁ ନିଜକୁ ସାନ୍ତ୍ୱନା ଦିଏ ।
ମାନସିକ ବିଶେଷଜ୍ଞଙ୍କ କହିବା କଥା , ଯେତେବେଳେ ଜଣଙ୍କୁ ପିଲାଟି ଦିନରୁ ପ୍ରଚୁର ବକ ବକ ହେବାର ସୁଯୋଗ ମିଳେନି ସେମାନେ ଥରେ ସୁଯୋଗ ପାଇଲେ ନିଜ ଭିତରେ ବହୁ ଦିନରୁ ଜମି ରହିଥିବା କଥା ସବୁ ଗପି ଚାଲନ୍ତି । ତେଣିକି ପ୍ରସଙ୍ଗ କିଛି ବି ଥାଉ । ଯଦି ତାଙ୍କୁ ମଝିରୁ ଅଟେଇବ ତେବେ ଉତକ୍ଷିପ୍ତ ହୋଇ କହିବେ ପୁଣି ମଝିରୁ କହିଲେ ପ୍ରଥମେ ମୋତେ ଶୁଣନ୍ତୁ । ଆଉ ଯଦି ଶୁଣିଲ ତେବେ ରାତି ପାହିଯିବ ପଛେ କଥା ସରିବନି । ଏମାନଙ୍କୁ ଗପୁଡି କୁହାଯିବ ନାହିଁ । ପିଲାଟି ଦିନରୁ ନିଜକୁ ବ୍ୟକ୍ତ କରିବାର ମୁକ୍ତ ପରିବେଶ ଅଭାବରୁ ଦୁଃଖୀ ବୋଲି କୁହାଯାଇପାରେ । ମୋର ଏହି ଭଲ ଗୁଣଟି ଯୋଗୁଁ ବହୁ ବନ୍ଧୁଙ୍କ ସହ ମୋ ସମ୍ପର୍କ ଅନ୍ ଅଫ୍ ରେ ଚାଲିଛି । ଏହି ଗୁଣ ଯୋଗୁଁ ଆଉ ଗୋଟେ ସମସ୍ୟା ବି ହେଉଛି ।
ଥରେ ମୋର ଏକ ଗପରେ ମୋ ନାୟକ କଟକରୁ ବସରେ ବ୍ରହ୍ମପୁର ଯାଉଥିଲା । ବ୍ରହ୍ମପୁରରୁ ଗପ ଆଗକୁ ବଢ଼ିବା ପୂର୍ବରୁ ମୋ ନାୟକ ବସ୍ ଷ୍ଟାଣ୍ଡରେ ଓହ୍ଲେଇ ପାଖ ପଡିଆକୁ ଡାକପାଣି ପାଇଁ ଗଲା । ଗପଟିକୁ ଏକ ପତ୍ରିକାକୁ ପଠେଇଲି । ସେପଟୁ ସମ୍ପାଦକ କହିଲେ, “ପତ୍ରିକା ପାଇଁ ଅନୁନ୍ୟ ତିନି ଚାରି ପୃଷ୍ଠାର ଗପ ହେଇଥିବା ଦରକାର । ଏହାକୁ ଆଉ ଟିକେ ଫେଣାନ୍ତୁ ଯେମିତି କଟକରୁ ବସରେ ବ୍ରହ୍ମପୁର ପହଁଞ୍ଚିବା ଭିତରେ ବସ୍ ଭିତର ଦୃଶ୍ୟ , ପାଖ ସହଯାତ୍ରୀ ସହ ଏକତରଫା ପ୍ରେମ ,କିଛି ବିରକ୍ତିକର ଅନୁଭୂତି , କିଛି ରାଗ କିଛି ସମ୍ବେଦନା ଇତ୍ୟାଦି ଅନୁଭୂତି ନେଇ ନାୟକ ବ୍ରହ୍ମପୁରରେ ପହଞ୍ଚୁ ।”
ବହୁ ଟାଣି ଓଟାରି ତାକୁ ତିନି ଚାରି ଫର୍ଦ୍ଦ ଲମ୍ବା କରୁ କରୁ ପତ୍ରିକା ପାଇଁ ସମୟ ସରିଗଲା । ତାକୁ ଗୋଟେ ସମ୍ବାଦପତ୍ରକୁ ପଠେଇଲି । ତାକୁ ପଢି ସମ୍ବାଦପତ୍ର ସମ୍ପାଦକ କହିଲେ ,”ଆପଣ କଣ ଭାବିପାରିନାହାନ୍ତି ଯେ ଡାକ ପାଣି ପାଇଁ ନାୟକ ଏତେ ଲମ୍ବା ଯାତ୍ରା କରିବା ଠିକ ହେବ ! ଆପଣ ଯେତିକି ଲମ୍ବା କରିଛନ୍ତି ମୋର ମନେହୁଏ ନାୟକର ବସ୍ ଭିତରେ ଦୁଇ ହେଇଯାଇଥିବ । ଶୁଣନ୍ତୁ ଆପଣଙ୍କ ନାୟକକୁ ଖୋର୍ଦ୍ଧା କି ପାଖ କେଉଁ ବସ୍ ଷ୍ଟାଣ୍ଡରେ ଓହ୍ଲାଇ ଦିଅନ୍ତୁ । ସବୁ ବସ୍ ଷ୍ଟାଣ୍ଡ ପାଖରେ ଉନ୍ମୁକ୍ତ ଡାକପାଣିର ବ୍ୟବସ୍ଥା ଅଛି । ନାୟକକୁ ସେଇଠି କାମ ସରେଇ ଆଗକୁ ନିଅନ୍ତୁ । ଏମିତିରେ ଆଜିକାଲି କେତେଟା ଲୋକ ଚାଳିଶ ପଚାଶ ବର୍ଷରୁ ଅଧିକ ବଞ୍ଚୁଛନ୍ତି ? ଛୋଟ ଜୀବନ ଛୋଟ ଜୀବନୀ । ଏହି ଗପକୁ କାଟିକୁଟି ଛୋଟ କରନ୍ତୁ ।”
ତେଣୁ କେଉଁଠି ଅଧିକ ଗପିବି କେଉଁଠି କମ ଏହି କଟା ଯୋଡ଼ା ବ୍ୟାପାର ଯୋଗୁଁ ମୋର ଅନେକ ଲେଖା ଆଜିଯାଏଁ ଅପ୍ରକାଶିତ ହେଇ ପଡିଛି ।
ମୋର ଏହି ଗୁଣରେ ଅତିଷ୍ଠ ମୋର ସ୍ୱଜନ ଥରେ ମୋତେ ଜଣେ ବିଖ୍ୟାତ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ଜଣଙ୍କର ଖ୍ୟାତି ବହୁତ । ରୋଗୀକୁ ଗୁଡେଇ ତୁଡେଇ ଅନେକ ସମୟ ପର୍ଯ୍ୟନ୍ତ ପଚାରିବା ପରେ ସେ ଔଷଧ ଲେଖନ୍ତି । ଜଣେ ସାଧାରଣ ଝାଡା ପାଇଁ ଔଷଧ ଆଣିବାକୁ ଯାଇଥିବା ରୋଗୀ ଶେଷରେ ଏନ୍ଜିଓସ୍କୋପି କରି ଫେରେ । ସେ ଯାହାହେଉ ବଡ଼ ଡାକ୍ତର କାଳେ ମୋର ଏହି ବଡ଼ ରୋଗଟିକୁ ଭଲ କରିପାରିବେ ସେଥିପାଇଁ ମୋତେ ସେଠିକି ନିଆଯାଇଥାଏ । ମୋ ଅସୁବିଧା ବିଷୟରେ ଶୁଣି ସେ ଢେର ସମୟ ଚୁପ୍ ବସିଲେ । ଏପଟ ସେପଟ ଅନେଇ ନମ୍ର ସ୍ୱରରେ କହିଲେ , ” ସତକଥା ହେଲା ମୋର ମଧ୍ୟ ସେଇ ବେମାରି ଅଛି । ପିଲାଟି ଦିନରୁ ବାପାଙ୍କ ଭୟ, ସ୍କୁଲରେ ଟିଙ୍ଗା ସାରଙ୍କ ଭୟ ଓ ବାହାଘର ପରେ ସ୍ତ୍ରୀଙ୍କ ଆକଟ , ଉଲୁଗୁଣାର ଭୟରେ କିଛି କହିପାରିଲିନି । ତେଣୁ ଯେତେବେଳେ ବାହାରକୁ ଆସି କ୍ଲିନିକରେ ରୋଗୀ ଦେଖେ ମୋତେ ଲାଗେ ରୋଗୀ ହିଁ ସବୁଠୁ ସହଜ ମାଧ୍ୟମ ଯାହାଙ୍କ ସାମ୍ନାରେ ମୁଁ ଅନବରତ ବକର ବକର ହେଇପାରିବି । ତେଣୁ ଝୁଣ୍ଟି ପଡି ଖଣ୍ଡିଆ ହେଇଥିବା ଲୋକକୁ ନିଓସ୍ପ୍ରିଂ ମଲମ ଲେଖିବା ପୂର୍ବରୁ ତାର ସମ୍ପୂର୍ଣ୍ଣ ପରିବାରର ରୋଗ ଇତିହାସ ପଚାରେ । ବାସ୍ ଏଇଥିରେ ମୋର କିଛି ସମୟ ଆରାମରେ କଟିଯାଏ । ରୋଗୀ ବି ଭାବେ ସାର୍ ଏତେକଥା ପଚାରୁଛନ୍ତି ମାନେ ବହୁତ ଜ୍ଞାନୀ ଡାକ୍ତର ହେଇଥିବେ । ସେ ନିଓସ୍ପ୍ରିଂଗ ମଲମ କିଣିଲା ବେଳେ ତାକୁ ଏମିତି ଅନୁଭବ ହୁଏ ଯେମିତି ବ୍ରେନ ଟ୍ୟୁମର ପାଇଁ ଔଷଧ କିଣୁଛି । ତେଣୁ ମୋ କଥା ମାନନ୍ତୁ ଏହାଙ୍କୁ କେବଳ ପ୍ରଚୁର କହିବାର ସୁଯୋଗ ଦିଅନ୍ତୁ । ଯଦି ପାରୁଛ ଜଣେ କାଲା ଲୋକକୁ ୟାଙ୍କ ପାଖରେ ଏକଲା ଛାଡିଦିଅ । ସେ କାଲା ଲୋକକୁ ବେଶି କିଛି କରିବାର ନାହିଁ ଖାଲି ନିୟମିତ ବ୍ୟବଧାନ ରେ ମୁଣ୍ଡ ଟୁଙ୍ଗରିବା ସହ କେବଳ ହୁଁ ଟିଏ କରୁଥିବ । କିଛି ଦିନ ପରେ ଏ ବେମାର ଆପେ ଭଲ ହେଇଯିବ ।
ଡାକ୍ତର ବାବୁଙ୍କ ପାଖରୁ ଫେରିବା ବାଟରେ ମୋ ପତ୍ନୀ ଖୁବ ବିଷର୍ଣ୍ଣ ଦେଖାଯାଉଥାନ୍ତି । କାରଣ ପଚାରିବାରୁ କହିଲେ,” ଛାଡ଼ ସେ ସବୁ ଏବେ ଭାବିଲେ କଣ ଲାଭ ! ନିଜ ଗୋଡ଼ରେ ତ ନିଜେ କୁରାଢ଼ୀ ମାରିଛି କାହାକୁ କହିବି ? ବାହା ପୂର୍ବରୁ ମୋ’ ଭାଉଜ ମୋତେ କେତେ ବୁଝେଇଛନ୍ତି । ଏ ଲେଖକଗୁଡାଙ୍କୁ ଜମାରୁ ବିଶ୍ୱାସ ନାହିଁ । କାମ ହାସଲ କରିବା ପାଇଁ ଏମାନେ ଶୂନ୍ୟରୁ ତାରା ତୋଳି ଏମିତି ଅଳଙ୍କାର ଶବ୍ଦ ଲଗେଇ ତୋତେ ଭାବସିକ୍ତ କରିଦେବେ ଯେ ତୁ ବି ବସି ଭାବୁଥିବୁ ଆହା କେତେ ନିର୍ମାୟା ନିରୀହ ଲୋକଟିକୁ ମୁଁ ବିରକ୍ତ ହେଉଥିଲି । ଏମାନେ ହେଲେ ସବୁ ଗପି ଗପି ଗାଳ୍ପିକ । ଏମାନଙ୍କ କଥାରେ କେତେ ସତ କେତେ ମିଛ ଖୋଦ ବ୍ରହ୍ମାଙ୍କୁ ଅଜଣା । ଏମାନଙ୍କୁ ଯେତିକି ଗୋଡେ ଗୋଡେ ଜଗିଥିବୁ ଓ ବେଶି କଥା କୁହାଇ ଦେଉନଥିବୁ ତ ଜାଣିବୁ ତୋ ସଂସାର ଠିକ ଚାଲିଛି । ଏବେ ଭାବୁଛି କେଉଁଠି କେମିତି ମୋର ଭୁଲ ରହିଗଲା ଯେ ତୁମେ ଏତେ ଗପିବାକୁ ସୁଯୋଗ ପାଇଲ !!
Comments are closed.