Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକୃତି ସ୍ୱରୂପ ମହାମାୟା ବା ଯୋଗମାୟା ଯେହେତୁ ସଂସାରର ସୃଷ୍ଟି ସ୍ଥିତି ଓ ବିଲୟ ର ମୁଖ୍ୟ କାରଣ। ତେଣୁ ସୃଷ୍ଟି ପ୍ରାରମ୍ଭରୁ ହିଁ ତାଙ୍କର ଆରାଧନା ଓ ସାଧନା ଥିଲା, କାଳକ୍ରମେ ଋଷି ପରମ୍ପରା ମାଧ୍ୟମରେ ଏହା ଚାଲି ଆସିଛି । ଏହି ପରମ୍ପରାର ମୁଖ୍ୟ ଉପଚାର ଗୁଡିକ ମନ୍ତ୍ର, ତନ୍ତ୍ର ଓ ଯନ୍ତ୍ର ଦ୍ୱାରା ସମାହିତ ହୁଏ। ଦେବୀ ସାଧନା ବା ଉପାସନା ତନ୍ତ୍ର ବିନା ସମ୍ଭବ ନୁହେଁ। ଏହି ତନ୍ତ୍ର ଶାସ୍ତ୍ର ମଧ୍ୟରେ “ନିର୍ବାଣତନ୍ତ୍ର “ସର୍ବୋଚ୍ଚ ତନ୍ତ୍ର ବିଧି ରୂପେ ପରିଗଣିତ ହୁଏ। ଏହା ବିଭିନ୍ନ ପଟଳ ରୂପରେ ହରଗୌରୀ ସମ୍ବାଦ ରୂପକ ପ୍ରତୀକ ଧାରଣ କରି ବର୍ଣିତ ଯଥା –“ଓଁ ନମଃ ପର ଦେବତା ୟେ କୈଳାସ ପର୍ବତେ ରମ୍ୟେ ନାନା ରତ୍ନ ପଶୋଭିତେ।”

ବିପରୀତ ରତା ସତ୍ତା ଚଣ୍ଡୀ ପ୍ରପଞ୍ଚ ଶଙ୍କର “ଅର୍ଥାତ କୈଳାସ ପର୍ବତ ରୂପକ ଯୋଗ ସଂସ୍ଥାନରେ, ବିପରୀତ ରତା ( ଉର୍ଦ୍ଦ୍ୱଗାମୀ କୁଣ୍ଡଳିନୀ )ଚଣ୍ଡୀ (କୌଳ ସାଧକ )ସହସ୍ରାରେ ସ୍ଥିତଉଜ୍ବଳ ବିନ୍ଦୁ ଶଙ୍କରଙ୍କୁ ଜିଜ୍ଞାସା କଲେ। ଆପଣଙ୍କ ଅବଗତି ନିମନ୍ତେ ଜଣାଉଛି ଯେ ଏଠାରେ ମାତୃ ଶକ୍ତି ପରଂବ୍ରହ୍ମଙ୍କ ସତ୍ତାରୁ ଉତ୍ପନ ହେବା ମାତ୍ରେ ଚଣ୍ଡୀ ରୂପେ, ଶଙ୍କରଙ୍କୁ ପ୍ରଶ୍ନ କଲେ “ନିରାକାର ନିର୍ଗୁଣ, ଅନିତ୍ୟ ଅବ୍ୟକ୍ତ ସୁନିଶ୍ଚଳ ସର୍ବକର୍ତ୍ତା ପରଂବ୍ରହ୍ମଙ୍କ ସ୍ୱରୂପ କିପରି?” ସେହି ପରମପୁରୁଷଙ୍କ ସୃଷ୍ଟି ରଚନାର କାରଣ ଆଦି ଶକ୍ତିଙ୍କ ସ୍ୱରୂପ କିପରି? ଏହାର ଉତ୍ତରରେ ଶଙ୍କର କହିଲେ “ନିରାକାର ପରଂବ୍ରହ୍ମଙ୍କଠାରୁ ପ୍ରଥମେ ଆକାଶ (ଚିଦାକାଶ )। ଆକାଶରୁ ବାୟୁ, ବାୟୁରୁ ଅଗ୍ନି (ସୂର୍ଯ୍ୟ ), ତାହାପରେ ଜଳ (ତୋୟ), ଏହି ଜଳରୁ ମହୀ (ତୋୟାଦ ମହୀ )କ୍ଷିତି ଉତ୍ପନ ହେଲେ। ଆଉ ମହାମାୟା ଶକ୍ତି ସ୍ୱରୂପିଣୀ ତ ଆକାର ରହିତା, ନିତ୍ୟା, ରୋଗ ଶୋକ ବର୍ଜିତା, ସମସ୍ତ ଉତ୍ପତିର କାରଣ ରୁପା ଓ ମହାଶୂନ୍ୟା ଅଟନ୍ତି। ଏଭଳି ପଟଳ ପରେ ପଟଳ ପ୍ରଶ୍ନ ଉତ୍ତର ମାଧ୍ୟମରେ ଜନ୍ମ ମୃତ୍ୟୁ ରହସ୍ୟ, ଗୁରୁଶକ୍ତି ରହସ୍ୟ, ଦେବଶକ୍ତି ରହସ୍ୟ, ବର୍ଣ୍ଣିତ ହୋଇ ସମଗ୍ର ବ୍ରହ୍ମ ଜ୍ଞାନର ରହସ୍ୟ ଉନ୍ମୋଚିତ ହୋଇଛି। କିନ୍ତୁ ସମଗ୍ର ନିର୍ବାଣ ତନ୍ତ୍ର ମହାଶକ୍ତି ମହାମାୟାଙ୍କ ଅଶେଷ ଗୁଣ ଗାନ କରିଛି । ଏ ସଂସାରରେ ମାତୃଶକ୍ତିର ପ୍ରାଧାନ୍ୟ ଓ ଆବଶ୍ୟକତା ମର୍ମେ ମର୍ମେ ଅନୁଭୂତ କରାଇଛି। ସେହି ମହାମାୟାଙ୍କ ଏକ ସ୍ୱରୂପ ମା ଦୁର୍ଗାଙ୍କ ଶାରଦୀୟ ପାର୍ବଣର ଅବସର ଶେଷ ହୋଇଛି। ଆଜି ମା ଧରାପୃଷ୍ଠରୁ ବିଦାୟ ନେବେ। ନିର୍ବାଣ ତନ୍ତ୍ରରେ ମା ଙ୍କ ସ୍ୱରୂପକୁ ଆମେ ନିତ୍ୟା, ଓ ମହାଶୂନ୍ୟ ରୁପା ବୋଲି ଜାଣିଲେ। ତେଣୁ ମା ଯିବେ କୁଆଡେ? ନିଜେ ମା ଦେବୀ ଭାଗବତରେ କହିଲେ :

“ସ ଦୈକତ୍ୱଂ ଭେଦୋଅସ୍ତି ସର୍ବ ଦୈବ ମମାସ୍ୟ ଚ, ଯୌ ସୌ ଶହଂ ଅହଂ ଯା ସୌ ଭେଦୋଅସ୍ତି ମତିବିଭ୍ରମlତ “

ଅର୍ଥାତ ମୁଁ ଏବଂ ବ୍ରହ୍ମ ଏକ, ଉଭୟଙ୍କ ମଧ୍ୟରେ ଭେଦ ନାହିଁ. ଯେ ବ୍ରହ୍ମ ସେ ମଧ୍ୟ ମୁଁ, ଅବା ମୁଁ ଯାହା ବ୍ରହ୍ମ ବି ତାହା। ତେଣୁ ଆସନ୍ତୁ ସେହି ପରଂବ୍ରହ୍ମ ସ୍ୱରୂପିଣୀ ମା ଦୁର୍ଗତିନାଶିନୀ ଜଗନ୍ମୟୀ ମା ଦୁର୍ଗଙ୍କୁ ପାର୍ଥନା କରିବା ଓଁ ପରଂବ୍ରହ୍ମ ସ୍ୱରୂପା ଚ ବେଦଗର୍ଭାଂ ଜଗନ୍ମୟୀ, ଶରଣ୍ୟl ତ୍ୱା ମହଂ କଳେ ଦୁର୍ଗା ଦୁର୍ଗତିନାଶିନୀ “ଜୟ ମା ଦୁର୍ଗା, ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ)

Comments are closed.