ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ
କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର
ଝୁଲନ୍ତ ଖରା
ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ
ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର
ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ
ଏ ଜାଗାରେ କିଏ ରହେ ?
ମୁହଁ ଓ ଛାତିରେ ତୁଷାରର ଶିହରଣ ନେଇ
ହାତରେ କ୍ରିସେନଥିମାମ ଫୁଲ ଧରି
ହସି ହସି କିଏ ଛିଡ଼ା ହୁଏ ?
ଉନ୍ନତ ବାହୁ ମେଲି ସମ୍ଭାଷଣ
ସୁନେଲି ନଖର ଆଂଗୁଳିରେ ଆଲିଙ୍ଗନ ?
ହୁଏତ ବା ତାର ଭୁରୁ ତଳେ
ଅନିଦ୍ରାର ହଳଦିଆ ଦାଗ।
ଅଙ୍କା ବଙ୍କା ସାପପରି ଶୋଇଥିବା ନଈ
ପଦ୍ମା, ନୀଳ, ହୋୟାଂହୋ ।
ତୁମ ଆଖିରେ ବି କି ନଦୀ ନୁହେଁ
ଭୀଷଣ ଜମିରହିଥିବା ଜଳ
ବରଫ ପରି ଥଣ୍ଡା ଦୀର୍ଘଶ୍ଵାସ ?
ବିଶ୍ରାମର ରାତିରେ ନିଃସଙ୍ଗ କ୍ଳାନ୍ତିରେ
ରନୱେ ପରି ଅନ୍ଧାରକୁ ଆଲିଙ୍ଗନ କରି
ଥର ଥର କମ୍ପୁଥିବା ଶୀତଳ ବ୍ୟଥାରେ,
ତୁମ ଆଖିରେ ବି ଠିକ ସେହିପରି
ଗଭୀର ଏକ ବର୍ଣ୍ଣହୀନ ଯନ୍ତ୍ରଣା
ହୃଦୟର କ୍ଷତ ପରି ତୁମେ ତାକୁ
ଲୁଚାଇ ରଖ ଅତି ଗୋପନରେ।
ଆଉ ସୁଦୁରର ଅଚିହ୍ନା ହସ
ଝଲସୁଛି ତୁମରି ଆଖିରେ ।
ଗନ୍ଧହୀନ ସ୍ପର୍ଶହୀନ ସାରାରାତି
ଜଳେ ନିଜ ଦେଶେ।
ଲକ୍ଷାଧିକ କ୍ଷୁଧିତ ଇଞ୍ଜିନ ଗର୍ଜିଉଠେ
ମନ ଗହନରେ।
ଏକ ଲକ୍ଷ ମତ୍ତ ପ୍ରପେଲାର
ଘୁରିବୁଲେ ମସ୍ତକ ଭିତରେ।
ତଥାପି
ପୃଥିବୀରେ ରାତି ଆସେ ନିବିଡ଼ ତୁଷାର ପରି
ତୁମେ ଖାଲି ଉଡ଼ିଚାଲ କ୍ଲାନ୍ତିହୀନ ନିଦ୍ରାହୀନ
ଅନ୍ୟ ଏକ ସକାଳ ଆଡ଼କୁ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.