Latest Odisha News

BREAKING NEWS

କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ଯବାନଙ୍କ ମୃତ୍ୟୁ, ମେ’ରେ ହୋଇଥାନ୍ତା ବାହାଘର

ପାଟଣା: ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବିହାରରେ ଜଣେ ଯୁବକ କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ବିହାରର ସ୍ପେଶାଲ ପୋଲିସର ଜଣେ ଯବାନ । ସେ ପାଟନାରେ ନିୟୋଜିତ ଥିଲେ । ମୁଣ୍ଡରେ କେଶ ପ୍ରତିରୋପଣ ପରେ ଯୁବକ ଜଣକ ତାଙ୍କ କ୍ୱାର୍ଟରକୁ ଯାଇଥିଲେ। ରାତିରେ ହଠାତ୍ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଏବଂ ଛାତି ଜଳିବା ପରି ଅନୁଭବ କରିଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ପରେ ତାଙ୍କୁ ଟ୍ରାନ୍ସପ୍ଲାଣ୍ଟ (ପ୍ରତିରୋପଣ) କେନ୍ଦ୍ରକୁ ନିଆଯାଇଥିଲା। ଯୁବକ ଜଣଙ୍କ ଗୁରୁତର ଥିବା ଦେଖି ପାଖରେ ଥିବା ହସ୍ପିଟାଲରେ ଭର୍ତି କରାଇଥିଲେ ହେୟାର ଟ୍ରାନ୍ସପ୍ଲାଣ୍ଟ କେନ୍ଦ୍ରର କର୍ମଚାରୀ । କିନ୍ତୁ ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ବିହାର ସ୍ପେଶାଲ ଆର୍ମଡ ପୋଲିସରେ ନିୟୋଜିତ ଥିବା ମନୋରଞ୍ଜନ ପାଶୱାନଙ୍କର ମେ ୧୧ରେ ବିବାହ କରିଥାନ୍ତେ। ତାଙ୍କ ମୁଣ୍ଡର ଆଗରେ ଥିବା କେଶ ଖସି ଯାଇଥିଲା। ତେଣୁ ସେ ବିବାହ ପୂର୍ବରୁ ହେୟାର ଟ୍ରାନ୍ସପ୍ଲାଣ୍ଟ ଏବଂ ସ୍କିନ୍ କେୟାର ସେଣ୍ଟରରେ ଚିକିତ୍ସା କରାଇଥିଲେ।

ମୃତକଙ୍କ ଭାଇ ବିହାର ପୋଲିସର ସବ୍-ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ । ମୃତକଙ୍କ ଭାଇ କହିଛନ୍ତି ଯେ ପାଟନାର ବୋରଙ୍ଗ ରୋଡରେ ଥିବା ହେୟାର ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ମନୋରଂଜନ ମାର୍ଚ୍ଚ ୯ରେ କେଶ ପ୍ରତିରୋପଣ କରାଇଥିଲେ। ଏହା ପରେ ସେ ଘରକୁ ଫେରିଯାଇଥିଲେ। ରାତିରେ କିନ୍ତୁ ତାଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ଏହାସହିତ ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତା’ପରେ ସହଯୋଗୀ ଯବାନ ତାଙ୍କୁ କେଶ ପ୍ରତିରୋପଣ କେନ୍ଦ୍ରକୁ ନେଇଯାଇଥିଲେ। ଗୁରୁତର ଅବସ୍ଥା ଦେଖି ସଂପୃକ୍ତ କେଶ ପ୍ରତିରୋପଣ କେନ୍ଦ୍ର ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା, କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ଭାଇ ଗୌତମ କହିଛନ୍ତି ଯେ ଭାଇଙ୍କ ବିହାଘର ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ବିବାର ନିମନ୍ତ୍ରଣ କାର୍ଡ ମଧ୍ୟ ତିଆରି ହୋଇଯାଇଥିଲା।

ଏବେ ମୃତ ଯବାନଙ୍କ ସମ୍ପର୍କୀୟମାନେ କେଶ ପ୍ରତିରୋପଣ କେନ୍ଦ୍ର ଉପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଛନ୍ତି। ମୃତକଙ୍କ ସାନଭାଇ କହିଛନ୍ତି ଯେ ଏବେ ସେହି କେଶ ପ୍ରତିରୋପଣ କେନ୍ଦ୍ର ଏବଂ ଅଫିସର ଫୋନ୍ ବନ୍ଦ ଅଛି। ମୃତ ଯବାନଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Comments are closed.