ଭୁବନେଶ୍ୱର: ଅକ୍ଟୋବର ଗରମରୁ ମିଳିବ ଆଶ୍ୱସ୍ତି । ରାଜ୍ୟରେ ୨ରୁ ୩ ଡିଗ୍ରୀ କମିବ ତାପମାତ୍ରା । ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ପାଇଁ ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ବଜ୍ରପାତ ଓ ଝଡ଼ପବନ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।
ସେପଟେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ଅଞ୍ଚଳରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଆସନ୍ତା ୩ରୁ ୪ ଦିନରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ମୌସୁମୀ ବାୟୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ୧୪ ତାରିଖ ଯାଏ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି। ସେହିଭଳି ୧୫ରୁ ୨୧ ତାରିଖ ଭିତରେ ପୂରା ଦେଶରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଆସନ୍ତା ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ଉତ୍ତର, ପଶ୍ଚିମ ଦିଗରେ ମୁହାଁଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଇପାରେ। ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିନପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ବିସ୍ତାରିତ ଆକଳନରୁ ଜଣାପଡ଼ିଛି।

