Latest Odisha News

BREAKING NEWS

Green Card freeze: ହାତରୁ ଚାଲିଯିବ ଆମେରିକା ଚାକିରୀ? ମିଳିବନି ଗ୍ରୀନ୍ କାର୍ଡ! TCS, Infosys, Wipro କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଆମେରିକା ଚାକିରି ସ୍ବପ୍ନ କ’ଣ ସ୍ବପ୍ନରେ ରହିଯିବ? ଏବେ କ’ଣ ପୁଣି ଆମେରିକା ଛାଡି ଘରକୁ ଫେରିବାକୁ ପଡିବ? ଆମେରିକାରେ ଚାକିରି କରିବା ସ୍ୱପ୍ନ ଦେଖୁଥିବା ଭାରତୀୟ ଆଇଟି ପେଶାଦାରଙ୍କ ପାଇଁ ବଡ଼ ଝଟକା! ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ନୂଆ ପଦକ୍ଷେପ ଯୋଗୁଁ TCS, Infosys, Wipro, HCL ସମେତ ଅନେକ ବଡ଼ କମ୍ପାନୀର କର୍ମଚାରୀଙ୍କ ଗ୍ରୀନ୍ କାର୍ଡ ପାଇବା ପଥ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି। କଗନିଜାଣ୍ଟ, କାପେମିନି, ମାଇକ୍ରୋସଫ୍ଟ ଓ ଆଡୋବ୍ ଭଳି କମ୍ପାନୀ ମଧ୍ୟ ଏହି ପଦକ୍ଷେପର ପରିସରରେ ରହିଛନ୍ତି।

ଆମେରିକାର ଶ୍ରମ ବିଭାଗ ଏହି କମ୍ପାନୀଗୁଡ଼ିକ ସହ ଜଡ଼ିତ PERM କାର୍ଯ୍ୟକ୍ରମରେ ନୂଆ ଆବେଦନ ଗ୍ରହଣ ଓ ବିଚାରାଧୀନ ଆବେଦନର ପ୍ରକ୍ରିୟାକୁ ସ୍ଥଗିତ ରଖିଛି। ଅଭିଯୋଗ ହେଉଛି, ଆମେରିକୀୟ କର୍ମଚାରୀଙ୍କ ବଦଳରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାରେ କେତେକ କମ୍ପାନୀ ଏହି ବ୍ୟବସ୍ଥାର ଦୁରୁପଯୋଗ କରିଛନ୍ତି।

କ’ଣ ଏହି PERM?

PERM(Permanent Labor Certification), ଓଡ଼ିଆରେ ଏହାକୁ ସ୍ଥାୟୀ ନିଯୁକ୍ତି ପାଇଁ ଶ୍ରମ ପ୍ରମାଣପତ୍ର କୁହାଯାଏ, ଯାହା ହେଉଛି ଗ୍ରୀନ୍ କାର୍ଡ ପାଇବାର ଏକ ପ୍ରକ୍ରିୟା, ଯାହାଦ୍ବାରା ଆମେରିକାରେ ସ୍ଥାୟୀ ଭାବେ ରହିବା ଓ କାମ କରିବାର ଅନୁମତି ମିଳିଥାଏ । ଆମେରିକାରେ ଥିବା କୌଣସି କମ୍ପାନୀ ଯଦି ଜଣେ ଭାରତୀୟ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଚାକିରିରେ ରଖି ତାଙ୍କ ପାଇଁ ଗ୍ରୀନ୍ କାର୍ଡ ଆବେଦନ କରିବାକୁ ଚାହେଁ, ତେବେ ଅନେକ କ୍ଷେତ୍ରରେ ପ୍ରଥମେ PERM ପ୍ରକ୍ରିୟା ପୂରଣ କରିବାକୁ ପଡ଼େ। ଏଥିରେ କମ୍ପାନୀକୁ ଆମେରିକାର ଶ୍ରମ ବିଭାଗକୁ ଜଣାଇବାକୁ ପଡ଼େ ଯେ ସେହି ଚାକିରି ପାଇଁ ଯୋଗ୍ୟ ଆମେରିକୀୟ କର୍ମଚାରୀ ଉପଲବ୍ଧ ନାହାନ୍ତି ଏବଂ ବିଦେଶୀ କର୍ମଚାରୀଙ୍କ ନିଯୁକ୍ତି ଦ୍ୱାରା ଆମେରିକୀୟଙ୍କ ଦରମା ଓ କାର୍ଯ୍ୟସ୍ଥିତି ପ୍ରଭାବିତ ହେବ ନାହିଁ।

ରଦ୍ଦ ହେବ କି H-1B ଭିସା?

ବୈଧ H-1B ଭିସା ଥିବା କର୍ମଚାରୀଙ୍କ ଭିସା ଏହି ନିଷ୍ପତ୍ତି ଯୋଗୁଁ ସ୍ୱତଃ ରଦ୍ଦ ହେବ ନାହିଁ। କିନ୍ତୁ ଗ୍ରୀନ୍ କାର୍ଡ ପାଇଁ PERM ପ୍ରକ୍ରିୟା ଆରମ୍ଭ କରିନଥିବା କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିପାରେ। ବିଶେଷକରି H-1B ଭିସାର ସାଧାରଣ ଛଅ ବର୍ଷର ସୀମା ପାଖାପାଖି ପହଞ୍ଚିଥିବା କର୍ମଚାରୀଙ୍କ ଚିନ୍ତା ବଢ଼ିପାରେ। ଯୋଗ୍ୟତା ଅନୁସାରେ କିଛି କର୍ମଚାରୀ ଏହି ସୀମା ପରେ ମଧ୍ୟ ଭିସା ବଢ଼ାଇପାରନ୍ତି। ଏହି ନିଷ୍ପତ୍ତିରେ ସବୁଠୁ ଅଧିକ ଚିନ୍ତାରେ ପଡ଼ିପାରନ୍ତି ସେହି ଭାରତୀୟ ଆଇଟି କର୍ମଚାରୀ, ଯେଉଁମାନେ ଆମେରିକାରେ H-1B ଭିସାରେ ଚାକିରି କରୁଛନ୍ତି ଏବଂ ଭବିଷ୍ୟତରେ ସେଠାରେ ସ୍ଥାୟୀ ଭାବେ ରହିବା ପାଇଁ ଗ୍ରୀନ୍ କାର୍ଡ ଆଶା କରିଛନ୍ତି। ଆମେରିକା ସରକାର TCS, Infosys, Wipro, HCLTech ଭଳି କମ୍ପାନୀ ସମେତ ୮ଟି ଟେକ୍ନୋଲୋଜି କମ୍ପାନୀର PERM ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି। ଫଳରେ ଏହି କମ୍ପାନୀଗୁଡ଼ିକ ଜରିଆରେ ଗ୍ରୀନ୍ କାର୍ଡ ପାଇବାର ପ୍ରକ୍ରିୟା ଅଟକିପାରେ କିମ୍ବା ବିଳମ୍ବ ହୋଇପାରେ।

କମ୍ପାନୀ ବଦଳାଇବେ ନିଯୁକ୍ତି ନୀତି?

ଇମିଗ୍ରେସନ୍ ବିଶେଷଜ୍ଞଙ୍କ ମତରେ, ଏହି ଅନିଶ୍ଚିତତା ଜାରି ରହିଲେ କମ୍ପାନୀଗୁଡ଼ିକ ଗ୍ରୀନ୍ କାର୍ଡ ପ୍ରାୟୋଜନ କମାଇପାରନ୍ତି କିମ୍ବା ଅଧିକ ଆମେରିକୀୟ କର୍ମଚାରୀ ନିଯୁକ୍ତି କରିପାରନ୍ତି। ପର୍ଯ୍ୟାୟକ୍ରମେ ଯୋଗ୍ୟ କର୍ମଚାରୀଙ୍କ ପାଇଁ L-1A ଭିସା ଭଳି ବିକଳ୍ପ ମଧ୍ୟ ବିଚାର କରାଯାଇପାରେ। ତେବେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ। ଭାରତୀୟଙ୍କ ପାଇଁ ସମସ୍ୟା ଆହୁରି ବଢ଼ିପାରେ, କାରଣ EB-2 ଓ EB-3 ଶ୍ରେଣୀରେ ଗ୍ରୀନ୍ କାର୍ଡ ପାଇଁ ପୂର୍ବରୁ ଦୀର୍ଘ ଅପେକ୍ଷା ରହିଛି। ବିଚାରାଧୀନ ଆବେଦନଗୁଡ଼ିକ ବାତିଲ ହୋଇନାହିଁ, କିନ୍ତୁ ଅଧିକ ଯାଞ୍ଚ ହେବାର ଆଶଙ୍କା ରହିଛି।

ତେବେ ଏହି ସ୍ଥଗିତାଦେଶ କେତେ ଦିନ ରହିବ, ଆବେଦନଗୁଡ଼ିକର ଭବିଷ୍ୟତ କ’ଣ ହେବ ଏବଂ କମ୍ପାନୀଗୁଡ଼ିକ ନିଜ ନୀତି ବଦଳାଇବେ କି ନାହିଁ, ତାହା ଏବେ ଅସ୍ପଷ୍ଟ। ସବୁଠାରୁ ବଡ଼ କଥା, ଆମେରିକାରେ ଚାକିରି କରିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାର ସ୍ୱପ୍ନ ମଧ୍ୟରେ ଏବେ ଆହୁରି ଅନିଶ୍ଚିତତା ସୃଷ୍ଟି ହୋଇଛି।

Leave A Reply

Your email address will not be published.