ଭୋପାଳ: ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଜଣେ ଚାଷୀଙ୍କ ପୁଅ ପ୍ରବୀଣ ରାଠୋରଙ୍କୁ ଆୟକର ବିଭାଗ ସମନ କରିଛି। 290 କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନକୁ ନେଇ ଆୟକର ବିଭାଗ ସମନ କରିଥିବା ସୂଚନା ରହିଛି । ମାର୍ଚ୍ଚ 15 ସୁଦ୍ଧା ଏ ନେଇ ଜବାବ ରଖିବାକୁ କୁହାଯାଇଛି। ଆୟକର ନୋଟିସ ଅନୁଯାୟୀ ମୁମ୍ବାଇ ସ୍ଥିତ ଆକ୍ସିସ ବ୍ୟାଙ୍କର ଦୁଇଟି ଆକାଉଣ୍ଟରୁ ଏହି ଟ୍ରାଞ୍ଜାକସନ ହେଉଛି। ଏପରି ନୋଟିସ ପାଇବା ପରେ ଚାଷୀଙ୍କ ପୁଅ ହତବାକ ହୋଇଛନ୍ତି। ସେ କହିଛନ୍ତି ଯେ ସେ ଏତେ ପରିମାଣର କାରବାର କେବେ କରି ନାହାନ୍ତି। ଏ ନେଇ ସେ ଆୟକର ବିଭାଗରେ ଅଭିଯୋଗ କରିଛନ୍ତି। ଏହା ସହିତ ଇନ୍ଦୋର ପୋଲିସ କମିଶନର ଏବଂ ଖଣ୍ଡୱା ପୋଲିସକୁ ମଧ୍ୟ ଅବଗତ କରାଇଛନ୍ତି।
2021 ମସିହା ମାର୍ଚ୍ଚ-ଏପ୍ରିଲରେ ପ୍ରଥମ ଥର ପାଇଁ ପ୍ରବୀଣ ରାଠୋର ଆୟକର ନୋଟିସ ପାଇଥିଲେ, ସେତେବେଳେ ସେ ଭାବିଥିଲେ କେହି ଜଣେ ଏପରି କରି ତାଙ୍କ ସହ ଥଟ୍ଟାମଜା କରୁଛନ୍ତି। କିନ୍ତୁ ନଭେମ୍ବର 2021ରେ ସେ ଏଭଳି ଦ୍ୱିତୀୟ ନୋଟିସ ପାଇଛନ୍ତି। ଏଥିରେ ସେ 290 କୋଟି ଟଙ୍କା କାରବାର କରିଥିବା କୁହାଯାଇଛି । ଏହାପରେ ପ୍ରବୀଣ ହତବାକ ହୋଇଛନ୍ତି । ପ୍ରବୀଣ କହିଛନ୍ତି ଯେ ସେ କେବେ ମୁମ୍ବାଇ ଯାଇ ନାହାନ୍ତି କିମ୍ବା ଆକ୍ସିସ ବ୍ୟାଙ୍କରେ ତାଙ୍କର କୌଣସି ଆକାଉଣ୍ଟ ନାହିଁ।
ଖଣ୍ଡଓ୍ୱା ପୋଲିସ କହିଛି, ଏହି ଘଟଣା ମୁମ୍ବାଇ ସହିତ ଲିଙ୍କ୍ ରହିଛି । ତେଣୁ ସେ କୌଣସି ପ୍ରକାର ସହଯୋଗ କରିପାରିବେ ନାହିଁ । ତେବେ ଅଧିକ ସୂଚନା ପାଇଁ ପ୍ରବୀଣ ସଂପୃକ୍ତ ବ୍ୟାଙ୍କ ଆକାଉଣ୍ଟ ବାବଦରେ ଅଧିକ ଖୋଳତାଡ କରିଥିଲେ। ଯାହାକି 2003ରେ ଖୋଲା ହେବା ପରେ କିଛି ଟ୍ରାଞ୍ଜାକସନ ହୋଇଛି ପରେ ବନ୍ଦ ହୋଇଛି । ତେବେ ଏହି ବ୍ୟାଙ୍କ ଆକାଉଣ୍ଟରେ ପ୍ରବୀଣଙ୍କ ପାନ୍ କାର୍ଡ ଲିଙ୍କ ହୋଇଥିବା ଜଣାପଡିଛି । ଏହାପରେ ପ୍ରବୀଣ ଖଣ୍ଡଓ୍ୱା ଥାନାରେ ଏ ନେଇ ଏତଲା ଦେଇଛନ୍ତି।
ସେ କହିଛନ୍ତି, କରୋନା ଲକଡାଉନ ବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ଘର ପୋଡି ହୋଇଯାଇଥିବାରୁ ଅନେକ କିଛି ପୋଡି ହୋଇଯାଇଛି । ତେଣୁ ତାଙ୍କର ପରିଚୟ ପତ୍ରକୁ ସେ କେଉଁଠି ରଖିଛନ୍ତି ଜାଣି ନାହାନ୍ତି ବୋଲି କହିଛନ୍ତି। କେହି ଜଣେ ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏପରି ବେଆଆଇନ କାରବାର କରୁଛି ବୋଲି ସେ କହିଛନ୍ତି।


Comments are closed.