Latest Odisha News

ରୁଷକୁ ନିଜ ଦେଶରେ ବିରୋଧ: ସରକାରୀ ଟିଭି ଚ୍ୟାନେଲ୍ ଲାଇଭରେ ପଶି ଯୁଦ୍ଧକୁ ବିରୋଧ କଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ସାରା ବିଶ୍ୱ ନିନ୍ଦା କରୁଛି । ରୁଷକୁ ନିଜ ଦେଶରେ ବି ବିରୋଧର ସାମନା କରିବାକୁ ପଡୁଛି । ରୁଷର ସରକାରୀ ଟିଭି ଚ୍ୟାନେଲର ଲାଇଭରେ ଜଣେ ମହିଳା ଯୁଦ୍ଧକୁ ବିରୋଧ କରିଛନ୍ତି । ଲାଇଭ୍ ସୋ ଚାଲିଥିବା ବେଳେ ଆଙ୍କର ପଛ ପଟରେ ହଠାତ୍ ଠିଆ ହୋଇଥିଲେ ଜଣେ ମହିଳା । ତାଙ୍କ ହାତରେ ଯୁଦ୍ଧ ବିରୋଧୀ ପୋଷ୍ଟର ଥିଲା ।

ପୋଷ୍ଟରରେ ଲେଖାଥିଲା, ‘ଯୁଦ୍ଧ କରନି । ଯୁଦ୍ଧକୁ ବନ୍ଦ କରାଯାଉ । ଏହି ଲୋକମାନେ ଆପଣଙ୍କୁ ମିଛ କହୁଛନ୍ତି’ । ୟୁକ୍ରେନ ଉପରେ ଯୁଦ୍ଧକୁ ବିରୋଧ କରିଥିବା ମହିଳା ହେଲେ ମରିନା ଓବସ୍ୟାନିକୋଭା । ସଂପୃକ୍ତ ଟିଭି ଚ୍ୟାନେଲର ସେ ଜଣେ ଏଡିଟର । ହଠାତ୍ ଟିଭି ସୋ ଭିତରେ ସେ ପଶି ଆସିବା ପରେ ପ୍ରୋଗ୍ରାମ୍ ବନ୍ଦ କରି ରେକର୍ଡିଂ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା ।

ରୁଷର ଟିଭି ନ୍ୟୁଜ୍ ଉପରେ ସରକାରଙ୍କ କଡ଼ା ନଜର ରହିଛି । ସେଠାକାର ନ୍ୟୁଜ୍ ଚ୍ୟାନେଲରେ ୟୁକ୍ରେନକୁ ନେଇ କେବଳ ରୁଷ ସପକ୍ଷରେ ଖବର ପ୍ରସାରଣ କରାଯାଉଛି । ଏଭଳି ସ୍ଥିତିରେ ମରିନା ରୁଷ୍ ବିରୋଧରେ ପୋଷ୍ଟର ଦେଖାଇଥିଲେ । ତାଙ୍କୁ ପୋଲିସ ଗିରଫ କରିଛି ।

ସେପଟେ ଯୁଦ୍ଧ ବିରୋଧୀ ପୋଷ୍ଟର ଧରି ରୁଷକୁ ବିରୋଧ କରିଥିବା ମହିଳାଙ୍କୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ସତ କହିବାକୁ କୁଣ୍ଠାବୋଧ କରୁ ନଥିବା ରୁଷିଆର ସେହି ଲୋକଙ୍କ ପ୍ରତି ସେ କୃତଜ୍ଞ । ବିଶେଷ କରି ଲାଇଭ୍ ଟିଭ୍ ସୋ’ରେ ଯୁଦ୍ଧ ବିରୋଧୀ ପୋଷ୍ଟର ଧରିଥିବା ମହିଳାଙ୍କୁ ବ୍ୟକ୍ତିଗତ ଭାବରେ କୃତଜ୍ଞତା ଜଣାଇଛନ୍ତି ଜେଲେନସ୍କି ।

Comments are closed.