Latest Odisha News

BREAKING NEWS

କିଛି ଦଳୀୟ କର୍ମୀଙ୍କ ଚକ୍ରାନ୍ତ ଯୋଗୁଁ ମୁଁ ନିର୍ବାଚନ ହାରିଲି: ମହେଶ୍ୱର ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ନିଜର କିଛି ଦଳୀୟ କର୍ମୀଙ୍କ ଚକ୍ରାନ୍ତ ଯୋଗୁଁ ସେ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

ପୁରୀର ଏହି ବରିଷ୍ଠ ନେତା ନିର୍ବାଚନ ପୂର୍ବରୁ ନିର୍ବାଚନ ଜିତିବା ନେଇ ବେଶ୍ ଆଶାବାଦୀ ରହିଥିଲେ, ଏପରିକି ଲଗାତର ଷଷ୍ଠଥର ଲାଗି ମହେଶ୍ୱର ନିର୍ବାଚନ ଜିତି ଏକ ରେକର୍ଡ଼ କରିବାକୁ ଯାଉଥିଲେ । ଏବେ ଏହି ପରାଜୟ ଲାଗି ସେ ମୁଖ୍ୟତଃ ୩ଟି ପ୍ରମୁଖ କାରଣ ସମ୍ପର୍କରେ ମୁହଁ ଖୋଲି କହିଛନ୍ତି ।

“ଯେଉଁ ତିନୋଟି ପ୍ରମୁଖ କାରଣ ଯୋଗୁଁ ମୁଁ ପରାଜିତ ହେଲି ସେଥିରୁ ପ୍ରଥମ କାରଣ ଥିଲା ମୋର ନିର୍ବାଚନ ଜିତିବା ନେଇ ମୋର ଅଧିକ ମାତ୍ରାରେ ଦୃଢ ବିଶ୍ୱାସ । ଦୁର୍ବଳ କଂଗ୍ରେସ ପ୍ରାର୍ଥୀ ଏବଂ ମୋ ନିଜ ଦଳୀୟ କର୍ମୀ ତଥା ସହଯୋଗୀଙ୍କୁ ମୁଁ ଅଧିକ ମାତ୍ରାରେ ବିଶ୍ୱାସ କରିନେବା ମୋର ପରାଜୟର କାରଣ । ମାତ୍ର ଶେଷ କାରଣଟି ମୋତେ ଅଧିକ ବ୍ୟଥିତ କରିଛି,” ବୋଲି ଗଣମାଧ୍ୟମକୁ କହିଛନ୍ତି ମହେଶ୍ୱର ମହାନ୍ତି ।

ନିର୍ବାଚନରେ ପରାଜିତ ହୋଇଥିବା ଏହି ବିଜେଡ଼ି ନେତାଙ୍କ ଆଶଙ୍କାକୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ସ୍ୱୀକାର କରିଛନ୍ତି । ଏହିି ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ମହେଶ୍ୱରଙ୍କୁ ପରାଜିତ କରିଥିଲେ ।

“କିଛି ଅସନ୍ତୁଷ୍ଟ ବିଜେଡ଼ି ନେତା ଏବଂ ଅନେକ ଦଳୀୟ କର୍ମୀ ମୋତେ ସମର୍ଥନ କରିଥିଲେ,” ବୋଲି ଏକ ଜାତୀୟ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

Leave A Reply

Your email address will not be published.