ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୯
ଗଛ ମୂଳେ ଢାଳିଲେ ପାଣି
ସ୍ବଭାବେ ନିଏ ତାହା ଟାଣି
କରଇ ସୁଷମ ବଂଟନ
ବଢ଼ଂତି ଡାଳ ପତ୍ରମାନ
କହିଲେ ଲେଖିଲେ ସ୍ବଭାଷା
ଆପେ ତା ହୁଅଇ ସରସା
କଳ୍ପନା ଯୋଜନା ବିଚାର
କରିପାରେନି ଉପକାର
ଲୋକଂକ କଥା ଦୈନଂଦିନ
ଭାଷାକୁ କରେ ଶ୍ରୀସଂପନ୍ନ
ନିତ୍ୟ ପ୍ରୟୋଗ ପାଉ ଧ୍ୟାନ
ଅଲୋଡ଼ା ଅନ୍ୟ ଆୟୋଜନ
ସ୍ବଭାଷୀ ରହିଲେ ନିରବ
ଲୁଂଠିତ ଭାଷାର ଗୌରବ
ସ୍ବଭାଷା କହୁ ଆମ ମୁଖ
ମିଳିବ ଦୀର୍ଘଜୀବୀ ସୁଖ
କରିଲେ ଭାଷା ବ୍ୟବହାର
ବଢ଼ଇ ମହତ୍ତ୍ବ ତାହାର
ଏ ନୁହେ ଚର୍ଚାର ପ୍ରସଂଗ
ମନୁଷ୍ଯ ସଂସ୍କୃତିର ଅଂଗ
ଭାଷାର ମୂଳେ ଢାଳୁଁ ଧ୍ବନି
ଅନେକ ଲୋକ ତାହା ଶୁଣି
ନିଜେ ବି ଲେଖି ଆଉ କହି
ଭାଷା ସହିତ ଥିବେ ରହି
ଶବ୍ଦର ନାହିଁ ଧର୍ମ ଜାତି
ସେ ସବୁ ସମୂହ ସଂପତ୍ତି
ଯିଏ ବି କରେ ବ୍ୟବହାର
ସେ ଶବ୍ଦ ହୁଅଇ ତାହାର
ଭାଷାଟେ ଆହରଣକ୍ଷମ
ହୋଇଲେ ଅଟଇ ଉତ୍ତମ
ଭାଷାରେ ଥିଲେ ବହୁ ଶବ୍ଦ
କୁହାଳି କରଂତି ପସଂଦ
ଲୋକମୁଖର ଶବ୍ଦମାନ
ନ କଲେ କେବେ ବି ଲିଖନ
କଥିତ ଲିଖିତ ପ୍ରଭେଦ
ଭାଷାରେ ପୂରାଏ ବିଭେଦ
ପ୍ରଥମେ ଏହି ତଥ୍ୟ ବୁଝୁଁ
ବଂଧନ ନୁହେ ଜ୍ଞାନ ରଜ୍ଜୁ
ତା’ପରେ ହୋଇ ସତ୍ୟାସୀନ
କରିବା ଜ୍ଞାନର ସଂଧାନ
ଜ୍ଞାନ ହିଁ ଅଟେ ମୁକ୍ତ ମାର୍ଗ
ନୁହଇ ଦୁଷ୍ପ୍ରବେଶ୍ୟ ଦୁର୍ଗ
ଜ୍ଞାନ ତ ସର୍ବଦା ଚଂଚଳ
ତାହା ହିଁ ବିଶ୍ବର ସଂବଳ
କଥିତ ଭାଷା ହିଁ ଆଧାର
ତଥ୍ୟ, ସୂଚନା, ଧାରଣାର
ସାହିତ୍ୟ ସ୍ବଭାବେ ସୀମିତ
ଭାଷାଂଶେ ତାହା ଅବସ୍ଥିତ
ଜ୍ଞାନୀଏ ପୋଥି ଗ୍ରଂଥ ଘାଂଟି
ପାରଂତି ଯାହା ବି ସାଉଁଟି
ତାହାକୁ କହିଥାଂତି ଜ୍ଞାନ
ମୁଖ୍ୟତଃ ତାହା ତତ୍କାଳୀନ
ସମକାଳୀନ ଜ୍ଞାନ କାହିଁ
ଖୋଜିଲେ ସୁଦ୍ଧା ମିଳୁନାହିଁ
ସର୍ବେ ହୋଇଲେ ଗ୍ରଂଥାଶ୍ରିତ
ମଉଳେ ଜ୍ଞାନର ଗୁରୁତ୍ୱ
ପ୍ରାଚୀନ ଗ୍ରଂଥାବଳି ଚେର
ହେଲେ ହେଁ ସକଳ ଜ୍ଞାନର
ଚେର ଦିଏନି ଫୁଲ ଫଳ
ତାର ନିବାସ ମାଟି ତଳ
ଗଛର ଗଂଡି ଶାଖା ଡାଳ
ଲାଗଇ କାମରେ କେବଳ
ମୂଳ ନ ହୁଏ ଦୃଶ୍ୟମାନ
ତେବେ ବି ଜଣାଉଁ ସମ୍ମାନ
କିଂତୁ ମୂଳର ବ୍ୟବହାର
କରେ ବ୍ୟାଧିର ଉପଚାର
ମୂଳ ନ ମାନେ ନିୟଂତ୍ରଣ
ବୁଝଂତୁ ସ୍ବଭାଷୀ ସ୍ବଜନ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.