Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୦ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆରାଧନାର ଚାରୋଟି ସରଳ ପନ୍ଥାର ଆଲୋଚନା କରି ଜପ, ହୁତ , ଧ୍ୟାନ, ଅର୍ଚ୍ଚନା କଥା ସଂକ୍ଷେପରେ ବର୍ଣ୍ଣନା କରିଥିଲି। ଜପ ପାଇଁ ଅଷ୍ଟାକ୍ଷର ବା ଦ୍ୱାଦଶଅକ୍ଷର ମନ୍ତ୍ର କଥା କୁହା ଯାଇଥିଲା । ଅନେକ ଭକ୍ତ ଏହାର ସମ୍ପୂର୍ଣ୍ଣ ସ୍ୱରୂପ ଜାଣିବାକୁ ଚାହିଁଲେ। ତେଣୁ ତାହା ପ୍ରଦାନ କରାଗଲା ।

ଅଷ୍ଟାକ୍ଷର ମନ୍ତ୍ର : “ଓଁ ନାରାୟଣlୟ ନମଃ “ବା “ଓଁ ଜଗନାଥାୟ ନମଃ ” । ଦ୍ୱାଦଶଅକ୍ଷର ମନ୍ତ୍ର : “ଓଁ ନମୋ ଭଗବତେ ବାସୁଦେବାୟ । “

ଏଠାରେ ବାସୁଦେବାୟ ଅର୍ଥ ବାସୁଦେବ ପୁତ୍ର ନୁହେଁ। କାରଣ ଲୌକିକ ଭାବରେ ଆମେ ଜାଣିଛେ ଭଗବାନ ଶ୍ରୀକୃଷ୍ଣଙ୍କ ମାତା ହେଲେ ଦେବକୀ ଓ ପିତା ହେଲେ ବାସୁଦେବ। କିନ୍ତୁ ବାସ୍ତବରେ ଶ୍ରୀକୃଷ୍ଣ ଚିନ୍ମୟ ସଚ୍ଚିଦାନନ୍ଦ ସତ୍ତା। ସେ ଶୁକ୍ର ଶୋଣିତ ସଂଯୋଗ ଦ୍ୱାରା ନିର୍ମିତ ସତ୍ତା ବା ରୁପ ନୁହଁନ୍ତି। ଶ୍ରୀମଦ ଭାଗବତ କହେ ସ୍ୱୟଂ ବିଷ୍ଣୁ କଂସର ଭୟ ନିବାରଣ କରି ଯଦୁବଂଶୀମାନଙ୍କ ଦୁଃଖ ଦୂରକରିବା ନିମିତ୍ତ ଧରାବତରଣ କରିବାର ନିର୍ଣ୍ଣୟ ନେବାପରେ ପ୍ରଥମେ ଯୋଗମାୟାଙ୍କୁ ନନ୍ଦ ଓ ଯଶୋଦାଙ୍କ କୋଳରେ ଉତ୍ପନ ହେବାକୁ ଆଦେଶ ଦେଇଥିଲେ।

“ଗଛ ଦେବୀ ବ୍ରଜଂ ଭଦ୍ରେ ଗୋପଗୋଭିରଳଙ୍କୃତମ “(ଭାଗବତ ୧୦/୨/୬)। ଏହାପରେ ସ୍ୱୟଂ ବାସୁଦେବଙ୍କ ମନରେ ଜ୍ୟୋତି ରୂପରେ ପ୍ରବେଶ କଲେ। ବାସୁଦେବଙ୍କ ଅଙ୍ଗ ସୂର୍ଯ୍ୟସମ ତେଜପ୍ରକାଶ କଲା । ସେହି ତେଜକୁ ମା ଦେବକୀ ନିଜ ମଧ୍ୟରେ (ମାନସିକ ଭାବେ ) ଧାରଣ କରିବା ପରେ ଚିନ୍ମୟ ସଚ୍ଚିଦାନନ୍ଦ ରୁପ ବାଳକୃଷ୍ଣଙ୍କ ଧରାବତରଣ ହୋଇଥିଲା। ତେଣୁ ମହାତ୍ମା ଶ୍ରୀଧର ସ୍ୱାମୀ ଲେଖିଲେ : “ମାନସ୍ତୋ ମନସୈବ ଦଧାର ଧାରଣୟl ଧୃତବତୀ, ଜୀବନାମିବ ନ ଧାତୁ ସମ୍ବଦ୍ଧ। “ ଏହି ତଥ୍ୟଟି ମଧ୍ୟ ସ୍ୱମୀ ପ୍ରଭୁପାଦ (ଭକ୍ତି ବେଦାନ୍ତ ) ତାଙ୍କ ରଚିତ “ଭଗବାନ ଶ୍ରୀକୃଷ୍ଣ ” ପୁସ୍ତକରେ ଉତ୍ତମ ରୂପେ ବୁଝାଇଛନ୍ତି। ଏହା ମଧ୍ୟ ସ୍ପଷ୍ଟ ଯେ ପ୍ରଭୁ ପରଂବ୍ରହ୍ମ ସର୍ବଦା ଅଯୋନି ସମ୍ଭୁତା। ତେଣୁ ଏଠାରେ ବାସୁଦେବାୟ ହେଉଛି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଚତୃବୁହ୍ୟ ରୂପର ବା ସତ୍ତାର ଏକ ଅଭିନ୍ନ ସତ୍ତା । ପ୍ରଭୁ ଶ୍ରୀକୃଷ୍ଣ ଓ ଯୋଗମାୟା ଏଠାରେ ଏପରି ଭାବରେ ଆବିର୍ଭୂତ ହୋଇ ଜଣେ ସର୍ବ ଶକ୍ତିମାନ ଓ ଜଣେ ପରମାଶକ୍ତି ରୂପେ ପରିଗଣିତ ହେଲେ। ବାସ୍ତବରେ ବୈଦିକ ରୀତିନୀତିରେ ଉଭୟ ଶକ୍ତିମାନ ଓ ଶକ୍ତିଙ୍କୁ ସମାନ ସ୍ତରରେ ବିବେଚନା କରିବା ବେଳେ, ଭୌତିକବାଦୀ ମାନେ  ଶ୍ରୀକୃଷ୍ଣଙ୍କ ବହିରଙ୍ଗା ଶକ୍ତିଙ୍କୁ ବିଶେଷ ଆରାଧନା କରନ୍ତି ଓ ସମସ୍ତ ଭୌତିକ ଉନ୍ନତି ଲାଭ କରନ୍ତି। କିନ୍ତୁ ଦିବ୍ୟତା ଲାଭ କରିବାକୁ ଆଶାୟୀ ସର୍ବଶକ୍ତିମାନ ଶ୍ରୀକୃଷ୍ଣଚେତନାର ଆରାଧନା ହିଁ କରିଥାଏ। ସେଥିପାଇଁ ଦ୍ୱାଦଶଅକ୍ଷର ମନ୍ତ୍ର ସବୁଠାରୁ ଉତ୍କୃଷ୍ଟ ଅଟେ। ଆସନ୍ତୁ ପ୍ରଭୁଙ୍କର ଆରାଧନା କରିବା “ତ୍ରାହି ବିଷ୍ଣୁ ଜଗନ୍ନାଥ ତ୍ରାହି ନଃ ପରମେଶ୍ୱର, ତତ୍ତ୍ୱାମୃତେ କମଳାକାନ୍ତ କଃ ଶକ୍ତ ପରିଭକ୍ଷଣେ, ଅନ୍ତର୍ଯ୍ୟାମୀନ୍ନ ମସ୍ତେଅସ୍ତୁ ସର୍ବତେଯୋନିଧେ ନମଃ। “

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.