Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଯୋଗମାୟା ସ୍ୱରୂପ ନୀଳସରସ୍ବତୀ (ବେଦଜ୍ଞାନ ଦାୟିନୀ )ଯାହାଙ୍କୁ ଆମେ ମା ଉଗ୍ରତାରା ରୂପେ ବର୍ତମାନ ବିବେଚନା କରୁଛେ ; ତାଙ୍କର ଉପସ୍ଥିତି ଶ୍ରୀମନ୍ଦିରରେ ବା ଶ୍ରୀକ୍ଷେତ୍ରରେ ବିଶେଷ ପ୍ରଭାବ ସୃଷ୍ଟି କରେନାହିଁ। କାରଣ କଳିଯୁଗର ପ୍ରଭାବରେ ବର୍ତ୍ତମାନ ଜ୍ଞାନ ଅପେକ୍ଷା ଧନର ପ୍ରଭାବ ଗୁରୁତ୍ୱ ବହନ କରେ। କିନ୍ତୁ ଶ୍ରୀକ୍ଷେତ୍ରରେ ମା ଚର୍ଚ୍ଚିକାଙ୍କ ବିଶେଷତ୍ୱ ଅନେକ। ଆମେ ଯଦି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ଲୀଳା କଥା ଅନୁଧ୍ୟାନ କରିବା ତେବେ ଉଭୟ ବିଦ୍ୟlପତି ଓ ଇନ୍ଦ୍ରଦ୍ୟୁମ୍ନ ମହାରାଜ ପରଂବ୍ରହ୍ମଙ୍କ ଦର୍ଶନ ନିମିତ୍ତ ନୀଳାଚଳ ଆଗମନ ସମୟରେ ପ୍ରଥମେ ମହାନଦୀ କୂଳରେ ବିରାଜିତ ପରମାଶକ୍ତି ମା ଚର୍ଚ୍ଚିକାଙ୍କୁ ପ୍ରଥମେ ଦର୍ଶନ କରି, ଏକାମ୍ର କ୍ଷେତ୍ର ଦେଇ ନୀଳାଚଳରେ ପହଁଞ୍ଚିଥିଲେ। ବାମଦେବ ସଂହିତା ଏହାର ପ୍ରମାଣ ଦିଏ ।

“ମହାନଦୀ ତଟେ ସ୍ଥିତ୍ୱା ଚର୍ଚ୍ଚିକାଂ ଚ ଵିଲୋକ୍ୟ ଶଃ, ତତୋ ଅପ୍ୟାଗତବାନ ବିପ୍ର ସାରଣୀଂ ନ ଚ ପ୍ରାପ୍ତବାନ “(ବାମଦେବ ସଂହିତା ୩ /୭ )।

ପୁରୁଷୋତ୍ତମ ମାହାତ୍ମ୍ୟ (ବୈଷ୍ଣବ ଖଣ୍ଡ )ଏକାଦଶ ଅଧୟରେ ଏହି କଥାର ବର୍ଣ୍ଣନା ଅଛି ଯଥା : ” “ସୀମାମୁତ୍କଳ ଦେଶସ୍ୟ ବିଭ୍ରାଜନ୍ତିଂ ବନାନ୍ତରେ, ମାର୍ଗସ୍ଥାଂ ଚଣ୍ଡୀକାଂ ପ୍ରାପ ଚର୍ଚ୍ଚିତାଂ ମୁଣ୍ଡମାଳୟା, ଚରାଚର ଗୁରୁଂ ଦେବଂ ନୀଳାଚଳ ନୀବାସୀନମ, ଅନୁଗୃହଣୀଷ୍ମ ମାଂ ଦେବୀ ଯଥା ପଶ୍ୟେ ସ୍ୱଚକ୍ଷୁଷl। ” ଏଠାରେ ଇନ୍ଦ୍ରଦ୍ୟୁମ୍ନ ମହାନଦୀ ତୀରରେ ମା ଚର୍ଚ୍ଚିକାଙ୍କୁ ଦର୍ଶନ କରି ପାର୍ଥନା କଲେ : “ହେ ଦେବୀ, ମୋତେ ଅନୁଗ୍ରହ କରନ୍ତୁ। ମୁଁ ଯେପରି ଚରାଚରର ଗୁରୁ ନୀଳାଚଳ ନାଥଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିବି। ଏହାର ଅନଏକ ତାତ୍ୱିକ ବିଶ୍ଳେଷଣ ହେଲା ଯୋଗମା୍ୟାଙ୍କ ଶରଣ ବିନା ପରଂବ୍ରହ୍ମଙ୍କ ଦର୍ଶନ ଅସମ୍ଭବ। ପ୍ରଥମେ ବିଦ୍ୟlପତି ମାଙ୍କ କୃପାରୁ ପରଂବ୍ରହ୍ମ ନୀଳମାଧବଙ୍କ ଦର୍ଶନ ପାଇଥିଲେ। କିନ୍ତୁ ଦୈବୀ ନିର୍ଦ୍ଦେଶ ପ୍ରକାରେ ମା’ଙ୍କ ଦର୍ଶନ ପରେ ମଧ୍ୟ ଇନ୍ଦ୍ରଦ୍ୟୁମ୍ନ ମହାରାଜ ନୀଳମାଧବଙ୍କ ଦର୍ଶନ ପାଇଲେ ନାହିଁ। ତାପର ଇତିହାସ ସଭିଙ୍କୁ ଜଣା। ତାହା ହିଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଗମନର ଇତିହାସ। ଆସନ୍ତୁ ଧ୍ୟାନ କରିବା ସେହି ପରମାଶକ୍ତି ମା ଚର୍ଚ୍ଚିକାଙ୍କୁ ।

“ସର୍ବସିଦ୍ଧି ପ୍ରଦଂ ଶୀଘ୍ରଂ ଚର୍ଚ୍ଚିକାପୀଠ ମୁଚ୍ୟତେ, ତସ୍ୟା ପ୍ରସାଦୋ ଯଦ୍ରlଷ୍ଟେ ନ ବିପତ୍ତିନର୍ବାଭୟମ୍ “(କପିଳ ସଂହିତା ) ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.