କୋଟିଆ: ଆଗକୁ କୋରାପୁଟ କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ବଡ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ସାଲୁରର ବିଧାୟକ ପି ରାଜାନ୍ନା ଦୋରାଙ୍କୁ ସେ ଉପମୁଖ୍ୟମନ୍ତ୍ରୀ କରାଇଛନ୍ତି । ଏଥିସହ ତାଙ୍କୁ ଆଦିବାସୀ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି । ରାଜାନ୍ନା ଦୋରା ହେଉଛନ୍ତି ସେହି ବ୍ୟକ୍ତି ଯିଏ କୋଟିଆରେ ପଶି ଓଡିଆଙ୍କୁ ଆନ୍ଧ୍ର ସରକାରର ବିଭିନ୍ନ ଯୋଜନାର ଅଂଶୀଦାର କରାଉଥିଲେ। ତାଙ୍କୁ ରୋକିବା ପାଇଁ କୋରାପୁଟ ବିଧାୟକ ଏବଂ ପ୍ରଶାସନ ବିଭିନ୍ନ ପ୍ରୟାସ କରୁଛନ୍ତି।
ଗତ ୪ ତାରିଖରେ ୧୩ ନୂଆ ଜିଲ୍ଲା ଗଠନ କରି ଥିଲେ ଜଗନ। ନୂଆ ଜିଲ୍ଲା ଗଠନ ପରେ ମନ୍ତ୍ରୀ ମଣ୍ଡଳରେ ବଡ ଅଦଳବଦଳ କରିଛନ୍ତି। କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ଆନ୍ଧ୍ର ପ୍ରଦେଶ ସରକାର ନିଜ ମାନଚିତ୍ରରେ ସାମିଲ କରିଛନ୍ତି । ଯେଉଁଥିରେ ୧୩ଟି ନୂଆ ଜିଲ୍ଲା ରହିଛି। ପାର୍ବତୀପୁରମ ମାନ୍ୟମ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ସାମିଲ କରିଛନ୍ତି । ତେଲୁଗୁ ଭାଷାରେ ମାନ୍ୟମର ଅର୍ଥ ପଛୁଆ ଅଞ୍ଚଳ। ତେବେ ବିବାଦୀୟ ଅଞ୍ଚଳକୁ ନିଜ ମାନଚିତ୍ରରେ ସାମିଲ କରାଇ ଆନ୍ଧ୍ର ସରକାର ନୂଆ ରଣନୀତି ଆପଣାଇଥିବା ଜଣାପଡିଛି। ୧୩ଟି ନୂଆ ଜିଲ୍ଲା ଘୋଷଣା ପରେ ଆନ୍ଧ୍ରରେ ଏବେ ମୋଟ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି।
କୋଟିଆରେ ଅନେକ ଆଦିବାସୀ ରୁହନ୍ତି । ଏହାକୁ ଲକ୍ଷ୍ୟ କରି ସାଲୁର ବିଧାୟକଙ୍କୁ ଜଗନ ଆଦିବାସୀ ମନ୍ତ୍ରଣାଳୟ ତିଆରି କରିଥିବା କୁହାଯାଉଛି। କୋଟିଆରେ ଅନେକ ସମୟରେ ସାଲୁର ବିଧାୟକଙ୍କ ଉପସ୍ଥିତି ଦେଖିବାକୁ ମିଳେ । ଏପରି ସ୍ଥିତିରେ ସାଲୁର ବିଧାୟକ ଉପମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର କ୍ଷମତା ବଢିବ । ଆଉ କୋଟିଆବାସୀଙ୍କୁ ନେଇ ଆନ୍ଧ୍ର ଯେଉଁ ଉଦ୍ଦେଶ୍ୟ ରଖିଛି ତାକୁ ପୂରଣ କରିବା ଦିଗରେ ଆଗକୁ ବଢ଼ିବ ବୋଲି ସୂଚନା ରହିଛି।
Comments are closed.