ଚର୍ଚ୍ଚା ନୁହେଁ, ସେବା ମନୋଭାବକୁ ଆପଣେଇଛି ବ୍ରହ୍ମପୁରର “ଟିମ୍ କ୍ଲିନ୍ ସିଟି”
ବିନା କୌଣସି ଅନୁଦାନରେ ଏହି ସଙ୍ଗଠନ ଦୀର୍ଘ ୨ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି
ବ୍ରହ୍ମପୁର: ଅନବରତ ମାନବ ସେବା କରି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ଟିମ୍ କ୍ଲିନ୍ ସିଟି । ବିନା କୌଣସି ଅନୁଦାନରେ ଏହି ସଙ୍ଗଠନ ଦୀର୍ଘ ୨ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ତେବେ ଚର୍ଚ୍ଚା ନୁହେଁ, ବରଂ ସେବା ମନୋଭାବ ପାଇଁ ଟିମ୍ କ୍ଲିନ୍ ସିଟି ଦକ୍ଷିଣ ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପାଲଟିଛି ।
ନିକଟରେ ଟିମ୍ କ୍ଲିନ୍ ସିଟି ଜଣେ ମାନସିକ ବିକୃତ ତାମିଲ ଯୁବକଙ୍କୁ ଉଦ୍ଧାର କରିଥିଲା । ଟାଟାବେଂଜ ଛକ ରାସ୍ତାକଡରେ ଦୀର୍ଘଦିନ ଧରି ଅଜ୍ଞାତ ଜୀବନ ବିତାଉଥିବା ଜଣେ ଯୁବକଙ୍କୁ ଟିମ୍ କ୍ଲିନ୍ ସିଟି ସାହା ହୋଇଥିଲା । ପ୍ରଥମେ ସ୍ୱେଚ୍ଛାସେବୀଙ୍କକୁ ସହଯୋଗ କରିନଥିଲେ ହେଁ ପରବର୍ତ୍ତୀ ସମୟରେ ସଙ୍ଗଠନର ସଦସ୍ୟମାନେ ଯୁବକଙ୍କ ଦାଢି କାଟିବା ସହ ତାଙ୍କୁ ଗାଧୋଇ ଦେଇଥିଲେ । ପରେ ନୂତନ ବସ୍ତ୍ର ପରିଧାନ କରାଯାଇ ଯୁବକଙ୍କୁ ଖାଦ୍ୟ ଓ ପାନୀୟ ଦେଇ ମାନବିକତାର ମୂଲ୍ୟ ବୁଝାଇଥିଲା ଟିମ୍ କ୍ଲିନ୍ ସିଟି ।
ଆଜି ପର୍ଯ୍ୟନ୍ତ ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ନିଃସ୍ୱାର୍ଥପର ଭାବେ ବିନା କୌଣସି ଅନୁଷ୍ଠାନଠାରୁ ଆର୍ଥିକ ସହାୟତା ପାଇ ଆଗେଇ ଚାଲିଛି । ଏହି ତାମିଲ ଯୁବକଙ୍କୁ ମିଶାଇ ୧୧୦ଜଣ ନିରାଶ୍ରୟ ତଥା ଅସହାୟ ମାନସିକ ବିକୃତ ଲୋକଙ୍କୁ ଟିମ୍ କ୍ଲିନ୍ ସିଟି ଉଦ୍ଧାର କରିଛି । ଏହି ସଙ୍ଗଠନର ମହାନ ଉଦ୍ଦେଶ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅନ୍ୟପଟେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ସଙ୍ଗଠନ ତରଫରୁ ସୂଚନା ମିଳିଛି ।
Comments are closed.