କିଭ୍: ଗତ ୨୪ ଘଣ୍ଟା ମଧ୍ୟରେ ରୁଷ ୟୁକ୍ରେନର ରାଜଧାନୀ କିଭ ସମେତ ଆଠଟି ସହରରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଅନେକ ୟୁକ୍ରେନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ୟୁକ୍ରେନ ଦାବି କରିଛି। ରୁଷ ଏୟାର ଷ୍ଟ୍ରାଇକ ଜରିଆରେ ୟୁକ୍ରେନବାସୀ ରହୁଥିବା ସ୍ଥାନ ଉପରେ ଆକ୍ରମଣ କରିଛି।
ଋଷ ସେନା କିଭ୍ ଛାଡିବାର ପ୍ରାୟ ଦଶ ଦିନ ପରେ ପୁଣି ଥରେ ରାଜଧାନୀ କିଭ ଉପରେ ଆକ୍ରମଣ କରିଛି। କିଭର ପୂର୍ବ ଭାଗର ଦାରିନିତସ୍କିରେ ଏହି ଆକ୍ରମଣ ହୋଇଛି। ସୋଶିଆଲ ମିଡିଆ ପୋଷ୍ଟରେ କିଭର ମେୟର ଭିଟାଲୀ କ୍ଲିଚକୋ ଏହି ଆକ୍ରମଣ ହୋଇଥିବା ନେଇ ସୁନିଶ୍ଚିତ କରିଛନ୍ତି। ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଏବଂ ମେଡିକାଲ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କ୍ଲିଚକୋ ଲୋକଙ୍କୁ ସାଇରନ୍ ଶବ୍ଦ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ଏବଂ ଯେଉଁମାନେ ସୁରକ୍ଷା ଦୃଷ୍ଟିରୁ ରାଜଧାନୀ ଛାଡିଛନ୍ତି ସେମାନେ କିଭକୁ ଫେରିବା ଉଚିତ୍ ନୁହେଁ ବୋଲିି ସେ କହିଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ୟୁକ୍ରେନର ଆଲେକ୍ସଜାଣ୍ଡାରିଆର ଏକ ସାମରିକ ଏୟାର ବେସରେ ଋଷ ମିସାଇଲ ଆକ୍ରମଣ କରିଥିଲା। ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସହରର ମେୟର ସେରହି କୁଜମେନକୋ ସୂଚନା ଦେଇଛନ୍ତି। ପୂର୍ବ ଲୁହାନସ୍କ ଅଞ୍ଚଳରେ ରାତାରାତି ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଥିବା ସେ କହିଛନ୍ତି।
ଶନିବାର ଋଷର ସୈନ୍ୟବାହିନୀ ଲିସିଖାନ୍ସର ତୈଳ ବିଶୋଧନାଗାର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବିଶୋଧନାଗାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ତେଲ ଡିପୋକୁ ଟାର୍ଗେଟ କରାଯିବା ଏହା ପ୍ରଥମ ନୁହେଁ ବୋଲି ଲୁହାନସ୍କ ଗଭର୍ଣ୍ଣର ସେରହି ହାଇଦାଇ କହିଛନ୍ତି। ଜରୁରୀକାଳୀନ ସେବାକୁ ବ୍ୟାଘାତ କରିବା ପାଇଁ ଋଷ ଏପରି ଆକ୍ରମଣ କରୁଛି ବୋଲି ସେ କହିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଏବଂ ଶନିବାର ଭୋର ସମୟରେ ୟୁକ୍ରେନର ଦକ୍ଷିଣ ମାଇକୋଲାଇଭରେ ହୋଇଥିବା ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ଏହି ସୂଚନା ଦେଇଛି।
ଋଷ ୭୦୦ ୟୁକ୍ରେନ ସୈନିକ ଏବଂ ୧୦୦୦ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି। ଅଧିକାଂଶ ବନ୍ଧକ ହେଉଛନ୍ତି ମହିଳା। ୟୁକ୍ରେନର ପ୍ରଧାନମନ୍ତ୍ରୀ ଇରିନା ଭେରେସ୍କୁକ୍ ଏହି ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରୁଷ ୟୁକ୍ରେନରୁ ସେନା ପ୍ରତ୍ୟାହାର କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବୁଧବାର ବିଳମ୍ବିତ ରାତିରେ ବ୍ଲାକ ସିରେ ରୁଷର ଗର୍ବ କୁହାଯାଉଥିବା ଯୁଦ୍ଧ ଜାହାଜ ମସ୍କୋଭାକୁ ଏୟାର ଷ୍ଟ୍ରାଇକ କରି ଧ୍ୱଂସ କରିଦେଇଥିଲା। ଏହାପରେ ରୁଷ ଅଧିକ ଆକ୍ରମଣାତ୍ମକ ହୋଇଯାଇଛି।
Comments are closed.