ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୨
ନାଁ , କିଛି ନାହିଁ । ତା’ର ମନେ ପଡ଼ିଲା, ଗତ କିଛି ଦିନ ହେବ ବାର୍ରେ ସମୟ କିଟୁଥିଲେ । କାହାକାହା ସହ ଫୋନ୍ରେ କଥା ହେଉଥିଲେ ।
ସେ ପୁଣି ଦୌଡ଼ିଲା ଟପ୍ ଫ୍ଲୋରକୁ । ଡୋର ଖୋଲି ଲାଇଟ୍ ଅନ୍ କରୁକରୁ ସାଇଡ଼୍ରେ ଥିବା କାଚ ଗ୍ଲାସଟିରେ ହାତବାଜି ଗଲା । ତଳେପଡ଼ି ଝନ୍ଝନ୍ ହେଇ ଚୁରମାର୍ ହେଇଗଲା । ନିଃସ୍ତବ୍ଦ ରାତିରେ ଝନ୍ଝନ୍ ଶବ୍ଦଟା ତା’କୁ ଭାରି ବିକଟାଳ ମନେହେଲା । ଭୟ ଲାଗିଲା । ସେ ସବୁ ଆଡ଼କୁ ଆଖି ବୁଲେଇଲା । ଆସ୍ଟ୍ରେରେ ଅଧାଜଳା ସିଗାରେଟ୍ ଭର୍ତ୍ତି । ରମ୍ , ୱାଇନ୍ର ଅଧା ଖାଲି ବଟଲ୍ ଥାକରୁ ବାହାରି କାଉଣ୍ଟରେ ଥୁଆ ହେଇଛିା ଯେମିତି କିଏ ଭାରି ଅବହେଳିତ ଭାବେ ଥାକରୁ ଓହ୍ଲାଇ ତଳେ ଛାଡ଼ି ଦେଇ କୁଆଡେ ପଳେଇଛି ।
ସେମିତି ଅବହେଳିତ ଭାବେ ଆଉ କିଛି ହେଲେ ଛାଡ଼ି ଥିବେ କି? ଯେଉଁ ଥିରୁ କିଛି ସୁରାକ୍ ପାଇବ । ଡ଼୍ରୟର ଖୋଲିଲା । ଅଳ୍ପ କିଛି କାଗଜ ପତ୍ର ମୋଚାକୋଚା ହେଇ ପଡିଛି । ଅତି ଧୈର୍ଯ୍ୟର ସହ ସେ ସବୁକୁ ଖୋଲି ଦେଖିଲା । କୋଉଟା କୋଉ ମଦର ବିଲ୍ ତ, କୋଉଟା କୋଉ ପୁରୁଣା ଟିକେଟ୍ । ପକେଟ୍ରୁ ଯାହା ବାହାରିଛି, ମୋଚାକୋଚା କରି ଏମିତି ଫିଙ୍ଗିବା ତାଙ୍କ ପୁରୁଣା ଅଭ୍ୟାସ । କିଛି ପାଇଲାନାହିଁ ।
ଶେଷରେ ଆଖିପଡିଲା ଗୋଟେ ଫୋଲ୍ଡିଙ୍ଗ୍ ପେପର୍ ଉପରେ । ଖୋଲି ପଢୁପଢୁ ସ୍ତବ୍ଧ ହେଇଗଲା । ସ୍ଥାଣୁ ପାଲଟିଗଲା । ବୈଭବଙ୍କର ମେଡ଼ିକାଲ ଟେଷ୍ଟ ରିପୋର୍ଟ । ଏତେ ବଡ କଥାଟେ ତା’କୁ ଲୁଚେଇ ଥିଲେ !
ସେ ଅକ୍ଷମ । ବାପା ହେବା ପାଇଁ ଅକ୍ଷମ । ବହୁତ ଆଗରୁ ସେ କହୁଥିଲେ, ନିଜର ଟେଷ୍ଟ କରେଇନେବେ । ତା’ ଅର୍ଥ ବୈଭବଙ୍କ ସନ୍ଦେହ ସତ ହେଇଛି । ଏ ମଝିରେ ସେ କେବେ ଯାଇ ଟେଷ୍ଟ କରିଛନ୍ତି । ଆଉ ତା’କୁ ଜଣେଇ ନାହାଁନ୍ତି ।
Comments are closed.