Latest Odisha News

ଭାଇରାଲ୍ ହେଲା ‘ଫନୀ’ ର‌୍ୟାପ୍ ସଙ୍ଗ୍ ‘ମୁଁ ଓଡ଼ିଶା’…

ମୁମ୍ବାଇ: ପୁଣି ଫେରିଲେ ର‌୍ୟାପର୍ ‘ବିଗ୍ ଡ଼ିଲ୍’ । ଏଥର ‘ବିଗ୍ ଡ଼ିଲ୍’ ଦ୍ୱାରା ପ୍ରସ୍ତୁତ ର‌୍ୟାପ୍ ସଙ୍ଗ୍ କେବଳ ଭାରତ ନୁହେଁ ସାରା ବିଶ୍ୱର ସୋସିଆଲ୍ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ସୁନ୍ଦର ଓଡ଼ିିଶା କିପରି ପୁଣି ସଳଖି ଛିଡ଼ା ହେଉଛି ତାହାକୁ ନେଇ ଲୋକପ୍ରିୟ ର‌୍ୟାପର୍ ରିଷୁ ମହାନ୍ତି ଗାଇଛନ୍ତି ‘ମୁଁ ଓଡ଼ିଶା’ ପରି ମର୍ମସ୍ପର୍ଶୀ ର‌୍ୟାପ୍ ସଙ୍ଗ୍ ।

ଗୀତଟି ସ୍ମୃତିମଧୁର ହେବା ସଙ୍ଗେ ସଙ୍ଗେ ବାତ୍ୟା ବିପର୍ଯ୍ୟସ୍ତ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଖୋର୍ଦ୍ଧା, ଜଗତସିଂହପୁର, ପାରାଦ୍ୱୀପ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଗଞ୍ଜାମର ଅନେକ ବ୍ୟାତ୍ୟାଞ୍ଚଳ ଏହି ର‌୍ୟାପସଙ୍ଗରେ ସ୍ଥାନ ପାଇଛି ।

ପପୁଲାର୍ ର‌୍ୟାପ୍ ସିଙ୍ଗର୍ ରିଷୁ ମହାନ୍ତି ଏହି ଗୀତ ମାଧ୍ୟମରେ ସାରା ଦୁନିଆକୁ ସାରା ଓଡ଼ିଶା ତରଫରୁ ଏକ ବାର୍ତ୍ତା ଜଣାଇଛନ୍ତି, “ ଜାତୀୟ ଗଣମାଧ୍ୟମ ଆମକୁ କେବେ ବି ଜାତୀୟ ଖବରରେ ସ୍ଥାନ ଦେଇନ’ଥାନ୍ତି, ଏପରିକି ମହାବାତ୍ୟାଠୁ ଅଧିକ ପ୍ରଳୟଙ୍କରୀ ଫନୀ ବାତ୍ୟାକୁ ମିଡ଼ିଆରେ କଭର୍ କରିବାକୁ ଏକପ୍ରକାର ଭୁଲି ଯାଇଛନ୍ତି । ସାରା ଦୁନିଆକୁ ଏହି ର‌୍ୟାପ୍ ସଙ୍ଗ୍ ମାଧ୍ୟମରେ ମୁଁ ଜଣାଇଦେବାକୁ ଚାହେଁ ଯେ, ଓଡ଼ିଶା କିପରି ଏହି ପ୍ରଳୟଙ୍କରୀ ବାତ୍ୟାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଏବଂ ସଂସ୍କୃତି ସମ୍ପନ୍ନ ସୁନ୍ଦର ଓଡ଼ିଶା ସହିତ ଓଡ଼ିଆ ଲୋକମାନଙ୍କର ଅବସ୍ଥା ଏହି ବାତ୍ୟା ଯୋଗୁଁ କିପରି ଦୟନୀୟ ହୋଇପଡ଼ିଛି ତାହାର ନିଚ୍ଛକ ଚିତ୍ର ମୁଁ ଆପଣମାନଙ୍କୁ ଦେଖାଇବାକୁ ଚାହେଁ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ଆମେ ଓଡ଼ିଶାକୁ ପୁନର୍ବାର ପୂର୍ବପରି ଜାଗ୍ରତ କରିବା । ”

ପର‌୍ୟାପର୍ ରିଷୁ ମହାନ୍ତିଙ୍କ ର‌୍ୟାପ୍ କହୁଛି, “ମୁଁ ମୋର ଏହି ର‌୍ୟାପ୍ ମାଧ୍ୟମରେ ଅନ୍ୟ ରାଜ୍ୟର ଜନସାଧାରଣଙ୍କୁ ଜଣାଇଦେବାକୁ ଚାହେଁ, ବାତ୍ୟା କିପରି ଓଡ଼ିଶାକୁ କ୍ଷତିଗ୍ରସ୍ତ କରିଦେଇଛି ଏବଂ ସବୁବେଳେ ଏହିପରି ବାତ୍ୟା ଓ ମହାବାତ୍ୟା ଓଡ଼ିଶାକୁ ବିପର୍ଯ୍ୟସ୍ତ କରିଦେଉଥିଲେ ମଧ୍ୟ ଓଡ଼ିଶା କିପରି ପୁଣି ସେହି ଦୟନୀୟ ଅବସ୍ଥାରୁ ସଳିଖି ଉଠି ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ ତାହା ଦେଖନ୍ତୁ । ”

ଏହି ୧ ମିନିଟର ର‌୍ୟାପସଙ୍ଗଟି ୧୯୯୯ ମହାବାତ୍ୟା ପରଠାରୁ ଯେଉଁସବୁ ଛୋଟ-ବଡ଼ ବାତ୍ୟା-ବନ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାକୁ କ୍ଷତିଗ୍ରସ୍ତ କରିଛି ତାହାର ହୃଦୟ ବିଦାରକ ଦୃଶ୍ୟଗୁଡ଼ିକ ଏଥିରେ ସ୍ଥାନପାଇଛି ।

ପୂର୍ବରୁ ର‌୍ୟାପର୍ ରିଷୁ ମହାନ୍ତି ଓଡ଼ିଶାର ସ୍ୱାର୍ଥକୁ ନେଇ ଅନେକ ଗୁଡିଏ ର‌୍ୟାପ୍ ସଙ୍ଗ ଗାଇଛନ୍ତି ଏବଂ ପ୍ରାୟତଃ ସବୁ ଗୀତ ଗୁଡ଼ିକ ସୋସିଆଲ୍ ମିଡ଼ିଆରେ ଉଚ୍ଚ ପ୍ରଶଂସିତ ହେବା ସହିତ ଦେଶବିଦେଶରେ ଭାଇରାଲ୍ ହୋଇଛି । ‘ମୁଁ ଓଡ଼ିଶା’ ବ୍ୟତୀତ ସେ ଗାଇଥିବା ଅନ୍ୟ ପ୍ରସିଦ୍ଧ ହିନ୍ଦି, ଓଡ଼ିଆ ଓ ଇଂରାଜୀ ର‌୍ୟାପସଙ୍ଗ୍ ଗୁଡ଼ିକ ହେଲା – ମୁଁ ହେଲି ଓଡ଼ିଆ, ଆପଣ ଖୁସି ତ ? ଏବଂ ‘ଆର୍ ୟୁ ଇଣ୍ଡିଆନ୍ ?’

ଏହି ଗୀତଟି ସମ୍ପୂର୍ଣ୍ଣ ଭାବେ ରେକର୍ଡ଼ିଂ ଏବଂ ସୁଟିଂ ହେବାକୁ ପ୍ରାୟ ଦୁଇ ସପ୍ତାହ ସମୟ ନେଇଥିଲା । ଏହାର ଅଡ଼ିଓ ରେକର୍ଡ଼ି ବେଙ୍ଗାଲୁରୁର ଏକ ମ୍ୟୁଜିକ୍ ଷ୍ଟୁଡ଼ିଓରେ ହୋଇଥିବା ବେଳେ ଭିଡ଼ିଓ ପ୍ରଡ୍ୟୁସିଂ ଭୁବନେଶ୍ୱରର ଇଆଇପିଏଲରେ ହୋଇଛି ବୋଲି ର‌୍ୟାପ୍ ସିଙ୍ଗର୍ ରିଷୁ କହନ୍ତି । ଆହୁରି ଅନେକ ହିନ୍ଦି ର‌୍ୟାପ୍ ଲାଗି ରିଷୁ ମହାନ୍ତି ଏବେ ବ୍ୟସ୍ତ ରହିଛନ୍ତି । ଖୁବ୍ ଶିଘ୍ର ଏହି ର‌୍ୟାପ୍ ସଙ୍ଗ ଗୁଡ଼ିକ ରିଲିଜ୍ ହେବାର ଯୋଜନା ରହିଛି ବୋଲି ସେ କହିଛନ୍ତି ।

Comments are closed.