Latest Odisha News

BREAKING NEWS

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଦେଶର ବହୁ ସାହିତ୍ୟିକ ଯୋଗ ଦେଇଥିଲେ।

ସଂସଦର ସଭାନେତ୍ରୀ ଅନୀତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ବନଜ ଦେବୀ ଏବଂ ପ୍ରତିଭା ଶତପଥୀ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ସାହିତ୍ୟିକମାନଙ୍କର ଲେଖାକୁ ସଂଗ୍ରହ କରି ପ୍ରକାଶ କରାଯାଇଥିବା ଉପହାର, ଅମୃତ ସନ୍ଧାନୀ ମନୋଜ ଏବଂ ଆମ ଜୀବନରେ କବି ରମାକାନ୍ତ ଆଦି ତିନୋଟି ପୁସ୍ତକ ବିଷୟରେ ଆଲୋଚନା କରି ଡଲ୍‍ସର ସଫଳତାର ବିଷୟରେ ଶ୍ରୀମତୀ ପଣ୍ଡା କହିଥଲେ । ପ୍ରବାସରେ ରହି ନିଜର ମାତୃଭାଷାକୁ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବାରେ ଡଲ୍‍ସର ପ୍ରୟାସ ଅଭିନନ୍ଦନୀୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦାନ କରିଥିବା ବାର୍ତ୍ତାକୁ ଏହି ସଭାରେ ପାଠ କରାଯାଇଥିଲା ।

ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ କବି ଓ କବୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ ଏବଂ ଭାରତୀ ଭୁଷଣ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ ଓ ସୌଦାମିନୀ ସାମନ୍ତରାୟ ସଂଗୀତ ପରିବେଷଣ କରିଥିଲେ । ପରିଶେଷରେ ସୁଜାତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଲ୍‍ସର ସମ୍ପାଦକ କଲ୍ୟାଣୀ ମିଶ୍ର, ବରିଷ୍ଠ କାର୍ଯ୍ୟକାରୀଣି ସଦସ୍ୟା ରମାରାଣି ହୋତା, କୋଷାଧ୍ୟକ୍ଷ ରୀତାରାଣୀ ନାୟକ, ସଂଯୋଜିକା ନିବେଦିତା ଗିରି ଓ ସଦସ୍ୟା ଶୁଭ୍ରଲୀନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.