ଭୁବନେଶ୍ୱର: AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର । ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ଏହି ପୁରସ୍କାର ମିଳିଛି । ଶିକ୍ଷାକ୍ଷେତ୍ରରେ ସାମଗ୍ରିକ ଉତ୍କର୍ଷତା ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ଲିଡରସିପ୍ ଆୱାର୍ଡ ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗୁଣାତ୍ମକ ମାନ , ନିଯୁକ୍ତି, ନେତୃତ୍ୱ, ଶିକ୍ଷା ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଆଦି ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଦର୍ଶନ ପାଇଁ AIPH ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ତରଫରୁ ଏଆଇପିଏଚ୍ ସ୍କୁଲ୍ ଅଫ୍ ପବ୍ଲିକ ହେଲ୍ଥ ବିଭାଗର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ।
ପୁରସ୍କାର ଗ୍ରହଣ ଅବସରରେ ଶ୍ରୀ ପଣ୍ଡା କହିଥିଲେ, ‘ ଆମ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଉଚ୍ଚତର ଶିକ୍ଷା ସହ ଅନ୍ତର୍ଜାତୀୟ ସ୍ତରର ଅଭିଜ୍ଞତା ହାସଲ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଥିବା ଅତ୍ୟାଧୁନିକ ତଥା ବିଏସ୍ଏଲ୍-୩ ଲାବୋରେଟୋରୀ ଦେଶରେ ସ୍ୱତନ୍ତ୍ର। ବିଶ୍ୱବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହିତ ଗବେଷଣା ଲାଗି ସୁଯୋଗ, ଉନ୍ନତ ପାଠାଗାର ଭଳି ଭିତ୍ତିଭୂମି ରହିଛି।
ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରାୟ ଗୋଟିଏ ଦଶନ୍ଧି ଧରି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଯେଭଳି କାମ କରିଆସୁଛି, ଏହି ପୁରସ୍କାର ତାହାର ଏକ ସ୍ୱୀକୃତି। ’ ଅନ୍ୟମାନଙ୍କ ମଧ୍ୟରେ, ‘ୱାର୍ଲ୍ଡ ସିଏସ୍ଆର୍ ଡେ ଆଣ୍ଡ ୱାର୍ଲ୍ଡ ସଷ୍ଟେନବିଲିଟି’ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଡକ୍ଟର ଆର୍.ଏଲ୍. ଭାଟିଆ ଏବଂ ସ୍ୟାଣ୍ଡିଜ୍ ଟାୱାରର ନିର୍ଦ୍ଦେଶିକା ଅର୍ଚ୍ଚନା ପାତ୍ର ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧି ତଥା ସରକାରୀ ଓ ଘରୋଇ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.