Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୫  

ଅନ୍ତର ଭିତରେ ଲୁଚିରହିଥିବା ଅବଦମିତ ଇଛାଟି ଆଜି କ’ଣ ତା’ ବୋଲ ମାନିବାକୁ ନାରାଜ! ଆଃ..କଣ ପାଇଁ ଅଟକାଇ ଦେଲା ଆରାଧ୍ୟା? ସେ ବରଂ ଭିଜିଭିଜି ଚାଲିଯାଇଥାଆନ୍ତା । ମାଡ଼ି ପଡ଼ିଲା ତା’କୁ । ନିଜ ଭାବନା ନିଜ ମୁହଁରେ ଝଟକି ଉଠିବା ପୂର୍ବରୁ ଝର୍କା ଆଡ଼କୁ ହାତ ବଢ଼ାଇଲା । ବନ୍ଦ କରିଦେଇ ଆରାଧ୍ୟା ପାଖରୁ ଯେତେ ଶିଘ୍ର ଘୁଞ୍ଚି ଯିବ, ସେତେ ଭଲ । ହାତ ବଢେଇଛି କି ନା’ ଚଟ୍ କରି ତା’ ହାତକୁ ଧରି ପକାଇଲା ଆରାଧ୍ୟା ।
ଥାଉ ନା କୁମାର । କିଛି ସମୟ ଖୋଲାଥାଉ । ବନ୍ଦ କାରନା କିଛି । ତିନ୍ତିଯାଉ ସବୁ କିଛି । ଆଜି ମନ ଭରି ଭିଜିବାକୁ ଦିଅନା । ଭାସିଆସୁ ଶୀତଳ ପବନ, ଥରିଯାଉ ଦେହମନ । ମୁଁ ଭିଜିବାକୁ ଚାହେଁ । ସର୍ବାଙ୍ଗକୁ ଭିଜେଇ ଦେବାକୁ ଚାହେଁ । ବର୍ଷା ଟୋପାରେ ଅତୀତକୁ ଧୋଇ ଦେବାକୁ ଚାହେଁ । ସେ ଅଧ୍ୟାୟ ଶେଷ ହେଇଛି କୁମାର । ସେ ଥିଲା ଗୋଟେ ଅଭିଶପ୍ତ ଅଧ୍ୟାୟ । ମୁଁ ନୂଆ କରି ବଞ୍ଚିବାକୁ ଚାହେଁ । ଗତ କିଛି ବର୍ଷ ହେଲା ମୁଁ ନିଜାକୁ ଭୁଲିଯାଇଥିଲି । ମେସିନ୍‌ ପାଲଟି ଯାଇଥିଲି । ମେସିନ୍ । ଖୁସି ସବୁ ମେକାନିକାଲ୍ ପରି ଲାଗୁଥିଲା । ଏମିତି ଶାନ୍ତି ବୋଧହୁଏ ଅନେକ ବର୍ଷ ପରେ ମିଳିଛି । ଆଜି ମୁଁ ମୁକ୍ତ ।
ହେଇ ଦେଖନା କୁମାର, ମେଘଭର୍ତ୍ତି ଆକାଶ । ଖଣ୍ଡ ଖଣ୍ଡ ବଉଦ ଭିତରେ ମୁଁ ଏକ ଉଦାସ ଯନ୍ତ୍ରଣା । ପାଣି ହୋଇ ବୋହିଯାଉ । ଯନ୍ତ୍ରଣାର ଅନ୍ତହେଉ । ଆକାଶ ସଫା ହେବା ଯାଏ ବରଷି ଯାଉ କୁମାର ।
ଆରାଧ୍ୟା, ତୁମେ ତ’ କବି ହେଇଗଲ ।
ଏମିତି ବର୍ଷା ଭିଜା ରାତିରେ, ଆଉ ପ୍ରକୃତିରେ ଭରା ସୌନ୍ଦର୍ଯ୍ୟ ରେ ଯେ କେହିବି କବି ହେଇଯିବ କୁମାର ।
ହଁ,  ତୁମେ ବି ସେୟା ଭାବୁଛ?
ନା ଅରୁ । ମୁଁ ଏତେ ସବୁ ଭାବି ପାରେନା । ସେଇଟା ନିଜ ନିଜ ଦୃଷ୍ଟିକୋଣ ।
ତେବେ ତୁମ ଦୃଷ୍ଟିରେ ଏ ସବୁ କ’ ଣ ?
କେବେ ବି ଭାବିନାହିଁ । କହିଲିନା, ତୁମ ପରି ଏତେ କେବେବି ଦେଖି ନାହିଁ ଆରାଧ୍ୟା ।
ମୋବାଇଲ ଟର୍ଚ୍ଚ ଲିଭିଗଲା । ଲୋ ବ୍ୟାଟରୀ । ଚଟ୍ କରି କୁମାରର ବାହୁକୁ ଧରି ପକାଇଲା ଆରାଧ୍ୟା । ଘନଘୋର ଅନ୍ଧକାର ଭିତରେ ଡହଡହ ଖର ନିଃଶ୍ୱାସ । କେଉଁଟା
କାହାର.. ପତ୍ତା ନାହିଁ । ବିଜୁଳି ଆଲୋକରେ ଝଟକି ଉଠୁଛି ଦୁଇଟି ମୁହଁ । ଜୁଡୁଜୁଡୁ ଶୀତରେ ଥରୁଛି ଦୁଇଟି ଓଦା ସର୍‌ସର୍ ଦେହ ।
ଭିଜାଭିଜା ମନ, ଆହତ ହୃଦୟ ।
ଏ କ’ଣ କରୁଛି ଅରୁ !

 

କ୍ରମଶଃ

Comments are closed.