Latest Odisha News

କବିତା : ଚେତନ ଅବଚେତନ

ଗଦାଧର ସାହୁ 

ଥରେ ସ୍ଵପ୍ନରେ
ମୋର ଭେଟ ହୋଇଥିଲା
ଗୋଟେ ବିରାଟକାୟ ଅସୁର ସହିତ ।

ସେ ତା ବଳିଷ୍ଠ, ଲୋମସ ହାଡୁଆ ହାତରେ
ମୋତେ ବାର ବାର ଟେକି ନେଉଥିଲା
ତଳୁ ଉପରକୁ ଆହୁରି ଉପରକୁ
ଆଉ ଫୋପାଡି ଦେଉଥିଲା ତଳକୁ
ଯେଉଁଠି ଥିଲା କୁଢ କୁଢ ହାଡ
କେଉଁଠି ଅକାତ କାତ କଳା ଡଅଁର ପାଣି ।

ଯେତେ ଥର ଟେକି ନେଉଥିଲା
ସେତେ ଥର ଫୋପାଡୁଥିଲା,
ସେତେ ଥର ମୋ ଲୋମ ଟାଙ୍କୁରି ଉଠୁଥିଲା
ଦେହ ଶିହରି ଉଠୁଥିଲା, କମ୍ପୁଥିଲା
ଥରୁଥିଲା ଅଜଣା ଆତଙ୍କ, ଅସୁମାରି ଭୟରେ ।

ଯେବେ ମୋ ନିଦ ଭାଙ୍ଗିଲା
ଦେଖିଲି ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ,
ଆଉ ନାଁ ଥିଲା ଡର
ନା ଥିଲା ଭୟ ,
ଠୋ ଠୋ ହସିବା ବେଳକୁ
ସେ ଆକାଶ ଛୁଆଁ ଅସୁର ନ’ଥିଲା ।

ମୋ ହସ ବାର ବାର
ଉଠୁଥିଲା ଉର୍ଦ୍ଧରୁ ଉର୍ଦ୍ଧତ୍ତରକୁ
ଅବଚେତନରୁ ଚେତନାରେ ରୂପାନ୍ତର ହୋଇ ।

 

Comments are closed.