Latest Odisha News

BREAKING NEWS

ରାଜ୍ୟର ଶାସକ ଦଳ ବିଜେଡିର ଆୟ କେତେ ?

ଭୁବନେଶ୍ୱର: ପ୍ରକାଶ ପାଇଛି ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳର ଆୟ, ବ୍ୟୟ ରିପୋର୍ଟ । ଯେଉଁଥିରେ ବିଜେଡିର ଆୟ ଦେଶର ଅନ୍ୟାନ୍ୟ ଆଞ୍ଚଳିକ ଦଳ ଆପ୍, ଟିଆରଏସ, ଶିବସେନାଠୁ ଢେର ଅଧିକ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି।

ତେବେ ରାଜନୈତିକ ଦଳଗୁଡିକର ଅର୍ଥର ଏକାଧିକ ଉତ୍ସ ଅଛି ଏବଂ ଏହିପରି ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ସେମାନଙ୍କ କାର୍ୟ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ତେଣୁ ନିର୍ବାଚନ କମିଶନଙ୍କ ନିକଟରେ ରାଜନୈତିକ ଦଳ ଗୁଡିକ ପ୍ରତ୍ୟେକ ବର୍ଷ ଆୟ, ବ୍ୟୟ ରିପୋର୍ଟ ଦାଖଲ କରିଥାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ସମୟରେ ୫୪ ଟି ଆଞ୍ଚଳିକ ଦଳ ମଧ୍ୟରୁ ୩୧ଟି ଦଳ ସେମାନଙ୍କର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସୂଚନା ରହିଛି। ରିପୋର୍ଟ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ ବିଜେଡି ମୋଟ୍ ଆୟରୁ ୬୭ ପ୍ରତିଶତ ନିର୍ବାଚନୀ ବଣ୍ଡ ଜରିଆରେ ପାଇଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ବିଜେଡି ୭୩. ୩୪୭ କୋଟି ଆୟ କରି ଦେଶର ତୃତୀୟ ସର୍ବାଧିକ ଆୟ କରିଥିବା ଦଳ ହୋଇଥିବା ବେଳେ ଏହା ଉପରେ ୧୦୭ କୋଟି ୯୯ ଲକ୍ଷ ସହ ରହିଛି ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ। ସେହିପରି ଏକ ନମ୍ୱରରେ ସବୁଠାରୁ ଆଗରେ ରହିଛି ଡିଏମକେ । ଡିଏମକେର ଆୟ ୧୪୯ କୋଟି ୯୫ଲକ୍ଷ ଟଙ୍କା ।  ସେହିପରି ବିହାରର ଶାସକ ଦଳ ଜେଡିୟୁର ବାର୍ଷିକ ଆୟ ୬୫ କୋଟି ୩୧ ଲକ୍ଷ, ତେଲେଙ୍ଗାନାର ଶାସକ ଦଳ ଟିଆରଏସ ୩୭ କୋଟି ୬୫ ଲକ୍ଷ, ଦିଲ୍ଲୀ ଏବଂ ପଞ୍ଜାବରେ ସରକାରରେ ଥିବା ଆମ୍ ଆଦମୀ ପାର୍ଟିର ଆୟ ୧୭ କୋଟି ରହିଛି । ମହାରାଷ୍ଟ୍ରର ମେଣ୍ଟ ସରକାରରେ ଥିବା ଶିବସେନା ୧୩ କୋଟିରୁ ଅଧିକ ରହିଛି।

ତେବେ ୨୦୧୯-୨୦ରେ ବିଜେଡି ୯୦ କୋଟି ୩୫ ଲକ୍ଷ ଆୟ କରିଥିବା ବେଳେ ୨୦୨୦-୨୧ରେ ୧୯ ପ୍ରତିଶତ ଆୟ କମିଛି। ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଜେଡିୟୁର ଆୟ ୪୧ କୋଟିରୁ ଅଧିକ ରହିଥିବା ବେଳେ ଟିଆରଏସର ଆୟ ୭୧ ପ୍ରତିଶତ କମିଛି । ଆପର ୬୫ ପ୍ରତିଶତ ଏବଂ ଶିବସେନାର ୮୮ ପ୍ରତିଶତ ଆୟ କମିଛି।

Comments are closed.