Latest Odisha News

BREAKING NEWS

ବିଶ୍ୱ ପରିବେଶ ଦିବସରେ AIPH ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ ।

ରବିବାର ଦିନ ସକାଳେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ୟୁନିଟ୍‌-୩ ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ଉଚ୍ଚବିଦ୍ୟାଳୟଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଣ୍ଟିନ ଛକରେ ଶେଷ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପଥପ୍ରାନ୍ତ ନାଟକ ଏବଂ ନୃତ୍ୟ ମାଧ୍ୟମରେ ବର୍ତ୍ତମାନର ପରିବେଶ ସଙ୍କଟ ଏବଂ ଏହାର ସମାଧାନ ପାଇଁ ବାର୍ତ୍ତା ଦେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ପବ୍ଲିକ ହେଲଥ୍‌, ଆଲାଏଡ୍ ହେଲଥ୍ ସାଇନ୍ସସେସ, ବାୟୋଲୋଜିକାଲ ସାଇନ୍ସସେସ ଏବଂ ହେଲଥ୍ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

“ପରିବେଶ ସୁରକ୍ଷା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଉଛି । ଆଜିର ଦିନରେ ପରିବେଶ ସନ୍ତୁଳନ ବିଗୁଡୁଥିବାରୁ ପୃଥିବୀର ତାପମାତ୍ରା ବଢ଼ିବା ସହିତ ଅନେକ ରୋଗ ବ୍ୟାପୁଛି, ଯାହାକି ଜନସ୍ୱାସ୍ଥ୍ୟକୁ ବିଶେଷ ଭାବେ ପ୍ରଭାବିତ କରୁଛି ।  ଏହି ୱାକାଥନ୍ ଅବସରରେ ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ପକ୍ଷରୁ ଛାତ୍ରଛାତ୍ରୀମାନେ ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ହିମ୍ମତ ରାମ ଭାମ୍ଭୁଙ୍କ ଜୀବନ ଉପରେ ଆଧାରିତ ‘ପରିବେଶ ବଞ୍ଚାଅ, ପୃଥିବୀ ବଞ୍ଚାଅ’ ଶୀର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।

ସେହିପରି ବ୍ୟାପକ ଜଙ୍ଗଲ କ୍ଷୟ ଫଳରେ ପରିବେଶ ଏବଂ ଜଳବାୟୁ ଉପରେ ଏହାର କିପରି କୁପ୍ରଭାବ ପଡୁଛି ତାହା ଦର୍ଶାଇ ଆଲାଏଡ୍ ହେଲଥ୍ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ‘ସେଭ୍ ଅସ୍ ଟୁ ସେଭ୍ ୟୁ’ ଶୀର୍ଷକରେ ଆଉ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଏଥିସହିତ ମଣିଷ କିପରି ପରିବେଶ ବିନାଶର କାରଣ ହେଉଛି ସେ ସମ୍ପର୍କରେ ବାୟୋଲୋଜିକାଲ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ‘ଆୱାର ଆର୍ଥ ଆୱାର ପ୍ରାଇଡ୍‌’ ଶୀର୍ଷକରେ ଏକ ମିଳିତ ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଦର୍ଶକମାନଙ୍କୁ ବାର୍ତ୍ତା ଦେଇଥିଲେ ।

 

Comments are closed.