ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୦
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ, ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା କରିଛେ। ସେହିଭଳି ଉପାସନା କ୍ଷେତ୍ରରେ ମଧ୍ୟ ସାକାର ସଗୁଣ ଉପାସନା ଓ ନିର୍ଗୁଣ ନିରାକାର ଉପାସନାର ଚର୍ଚ୍ଚା କରିଛେ। ଅଧିକାଂଶ ଭକ୍ତ ସଗୁଣ ସାକାର ଉପାସନାକୁ ଆପଣେଇଥାନ୍ତି।କାରଣ ଏହା ସହଜଲଭ୍ୟ ଓ ଶୀଘ୍ର ଫଳବତୀ ହୁଏ। କିନ୍ତୁ ନିର୍ଗୁଣ ନିରାକାର ରୂପେ ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବା କଷ୍ଟସାଧ୍ୟ ଓ ଫଳ ପ୍ରାପ୍ତି ମଧ୍ୟ ବିଳମ୍ବ। କେତେକ କ୍ଷେତ୍ରରେ ଏହା କ୍ଳେଶ ଦାୟକ ହୋଇଥାଏ। ଏହାର ପ୍ରମାଣ ଗୀତା କହେ “କ୍ଳେଶୋଅଧିକତରସ୍ତେଷାମ ବ୍ୟକ୍ତlସକ୍ତଚେତସାମ, ଅବ୍ୟକ୍ତl ହି ଗତିଦୁଃଖଂ ଦେହବଦ ଭିରବାପ୍ୟତେ (ଗୀତା ୧୨ /୫ )। ଅର୍ଥାତ ନିର୍ଗୁଣଠାରେ ଆସକ୍ତଚିତ୍ତ ଭକ୍ତ ମନେ, ସାକାର ଉପାସକଙ୍କ ତୁଳନାରେ ଅଧିକ କ୍ଳେଶଦାୟକ ଉପାସନାରେ ଲିପ୍ତ ହୁଅନ୍ତି। କାରଣ ଦେହୀମାନେ ଅବ୍ୟକ୍ତ ବିଷୟରେ ନିଷ୍ଠା କରିବା ପାଇଁ ଅନେକ କ୍ଳେଶଯୁକ୍ତ ସାଧନାରେ ଲିପ୍ତ ହୁଅନ୍ତି। ସେଥିପାଇଁ ସାଧାରଣ ଭକ୍ତମାନେ ଏହାକୁ ଆପଣେଇ ନଥାନ୍ତି। କେବଳ ଜ୍ଞାନୀ, ଯୋଗୀ ଓ ତତ୍ତ୍ୱଦର୍ଶୀମାନେ ଏହି ଉପାସନା ମାର୍ଗକୁ ଆପଣାର କରିବାକୁ ସାହସ କରନ୍ତି ସଗୁଣ ସାକାର ବ୍ରହ୍ମଙ୍କ ଉପାସନା ଶ୍ରୀବିଗ୍ରହ ମାନଙ୍କ ପୂଜା ଅର୍ଚ୍ଚନାରେ ସମାପ୍ତ ହୁଏ। କିନ୍ତୁ ନିର୍ଗୁଣ ନିରାକାର ବ୍ରହ୍ମ ଉପାସନା ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସ୍ୱରୂପ ବା ସତ୍ତାକୁ ଧ୍ୟ୍ୟନ କରିବାକୁ ପଡେ। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ନିର୍ଗୁଣ ବ୍ରହ୍ମଙ୍କୁ ପରିଚିତ କରିବା ପାଇଁ କିଛି ବିଶେଷଣ ପ୍ରୟୋଗ କରିଛନ୍ତି। ସେଗୁଡିକ ହେଲା ଅକ୍ଷର, ଅନିଦ୍ଧ୍ରେଶ, ଅବ୍ୟକ୍ତ,ଅଚିନ୍ତ୍ୟ, ଅଚଳ, କୂଟସ୍ଥ, ଧ୍ରୁବ ଓ ସର୍ବବ୍ୟାପୀ।
“ଯେ ତ୍ବକ୍ଷରମନିର୍ଦ୍ଧେଶ୍ୟମବ୍ୟକ୍ତଂ ପର୍ଜୁପlସତେ, ସର୍ବତ୍ରଗମ ଚିନ୍ତ୍ୟଞ୍ଚ କୂଟସ୍ଥମଚଲଂ ଧ୍ରୁବମ (ଗୀତା ୧୨ /୩ ) ।
ଜଗତର ଏକମାତ୍ର ସଦବସ୍ତୁ ହିଁ ବ୍ରହ୍ମ। ଆମେ ତାଙ୍କୁ ଆତ୍ମ ସ୍ୱରୂପ ମଧ୍ୟ ଚିନ୍ତା କରି ପରିବା ଏହିକଥା ଅନେକ ସମୟରେ ଆଲୋଚିତ ହୋଇଛି। ଆଜି ଆସନ୍ତୁ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ସେହି ରୂପରେ ଆରାଧନା କରି ଗାଇବା “ସତେ ଜଗନ୍ନାଥ ହେବେ ମୋହରି, ରତ୍ନ ସିଂହାସନ ଛାଡି ପ୍ରାଣଧନ ବସିବେକି ମୋ ହୃଦେ ଆସନ ପାରି (ପକାଇ ), ସତେ ଜଗନ୍ନାଥ ହେବେ ମୋହରି।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )