Latest Odisha News

BREAKING NEWS

ବଢ଼ିବ ଏମକେସିଜି ଶିଶୁ ବିଭାଗର ପିଜି ସିଟ୍, ଭିତ୍ତିଭୂମି ପରଖିଲେ ଏନଏମସି ପ୍ରତିନିଧି

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଶିଶୁ ବିଭାଗ ପିଜି ସିଟ ୮ରୁ ୧୨କୁ ବୃଦ୍ଧି ହେବ । ଏ ନେଇ ଜାତୀୟ ଭେଷଜ ପରିଷଦ(ଏନଏମସି)ର ପ୍ରତିନିଧି ତଥା ଆକ୍ସେସର ଶିଶୁ ବିଭାଗ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏମକେସିଜି ଶିଶୁ ବିଭାଗରେ ଥିବା ୮ଟି ପିଜି ସିଟକୁ ୧୨କୁ ବୃଦ୍ଧି କରିବାକୁ ପୂର୍ବରୁ ଏମକେସିଜି ପକ୍ଷରୁ ଏନଏମସି ନିକଟରେ ଆବେଦନ କରାଯିବା ସହ ଫି’ଦାଖଲ କରାଯାଇଥିଲା । ସେହିକ୍ରମରେ ଆକ୍ସେସର ତଥା ଦିଲ୍ଲୀର ଶିଶୁ ରୋଗ ପ୍ରଫେସର ଆରଏନ ମଣ୍ଡଳ ଏମକେସିଜିରେ ପହଞ୍ଚିଥିଲେ ।

ସେ ଶିଶୁ ବିଭାଗର  ବର୍ହିବିଭାଗ, ଆନ୍ତଃବିଭାଗ, ଜରୁରୀକାଳୀନ ଚିକିତ୍ସା ବିଭାଗ ସହ ଏସଏନସିୟୁ, ନିକୁ, ପିକୁ, କଙ୍ଗାରୁ ମା’କକ୍ଷ  ପରିଦର୍ଶନ କରିଥିଲେ । ପ୍ରଫେସର ମଣ୍ଡଳ ଏଠାରୁ ଫେରିବା ପରେ ପରିଷଦ ନିକଟରେ ନିଜ ରିପୋର୍ଟ ଦାଖଲ କରିବେ । ଯଦି ପରିଷଦ ପକ୍ଷରୁ ଏଠାରେ ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଏ । ତାହେଲେ ଆସନ୍ତା ବର୍ଷ ଠାରୁ ଏମକେସିଜିରେ ୧୨ଟି ପିଜି ସିଟରେ ନାମଲେଖା ହେବ ବୋଲି ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଅବନୀକାନ୍ତ ମିଶ୍ର କହିଛନ୍ତି । ପ୍ରଫେସର ମଣ୍ଡଳଙ୍କ ଗସ୍ତ ବେଳେ ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ନରେନ୍ଦ୍ର ବେହେରାଙ୍କ ସମେତ ବିଭାଗର ଅନ୍ୟାନ୍ୟ ଡାକ୍ତର ଉପସ୍ଥିତ ଥିଲେ ।

Comments are closed.