Latest Odisha News

BREAKING NEWS

‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କଲେ ନବୀନ

ଭୁବନେଶ୍ୱର: ସଂଘୀୟ ବ୍ୟବସ୍ଥା ତଥା ଗଣତାନ୍ତ୍ରିକ ରାଷ୍ଟ୍ରରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଦେଶର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାହକତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଦଳର ସଭାପତି ତଥା ଦଳମୁଖ୍ୟମାନେ ଯୋଗଦେବା ସହିତ ଅନେକ ସାଂସଦ ଅଂଶଗ୍ରହଣ କରିଥିଲେ ।

ନୂଆଦିଲ୍ଲୀଠାରେ ଅନୁଷ୍ଠିିତ ସର୍ବଦଳୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀରେ ଅହିଂସାକୁ ଦେଶର ସମ୍ବିଧାନର ମୁଖବନ୍ଧରେ ଅନ୍ତଭୃକ୍ତ କରିବାକୁ ଅନୁରୋଧ କରିଥିଲେ ।

“ଆଗାମୀ ପିଢୀ, କେବଳ ଭାରତୀୟ ନୁହଁନ୍ତି ସମଗ୍ର ବିଶ୍ୱର ଜନସାଧାରଣ ସତ୍ୟର ଏହି ଶୃଙ୍ଖଳା ଧାରାକୁ ଅନୁସରଣ କରିପାରିବେ,” ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ।

ଏହି ସର୍ବଦଳୀୟ ବୈଠକରେ ନବୀନଙ୍କ ଭାଷଣର ମୁଖ୍ୟାଂଶ:
– ଅର୍ଦ୍ଧାଧିକ ଜନସାଧାରଣଙ୍କୁ ସଶକ୍ତ ନ’କରି କୌଣସି ରାଷ୍ଟ୍ର ଆଜି ପର୍ଯ୍ୟନ୍ତ ଅଗ୍ରଗତି କରିପାରିନାହିଁ । ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳା ଆରକ୍ଷଣ ବ୍ୟବସ୍ଥାକୁ ବିଜେଡ଼ି ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିବ ।

– ପ୍ରତ୍ୟେକ ରାଜ୍ୟରେ ଜିଲ୍ଲାସ୍ତରରେ ବ୍ୟାଙ୍କିଂ, ରେଳ ସେବା ସହିତ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ସହାୟତା ଅଧିକ ଭାବେ ଗୁରୁତ୍ୱ ବହନ କରୁଛି ।

– ୨୦୧୩ ଆକ୍ଟକୁ ଭିତ୍ତି କରି ରେଳବାଇ ଏବଂ ରାସ୍ତା ନିର୍ମାଣର ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଆମ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡ଼ିବ ।

– ସେହିପରି ୨୦୧୩ ଆକ୍ଟ ଅନୁଯାୟୀ ଆଇନକୁ ସଂଶୋଧନ କରାଯାଉ ଏବଂ ବନ ସଂରକ୍ଷଣ ଏବଂ ଦେଶର ଆର୍ଥିକ ଅଗ୍ରଗତି ପରସ୍ପର ପରିପୂରକ ହୋଇଥିବା ଯୋଗୁଁ ଏହାକୁ କେନ୍ଦ୍ର ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ ।

– କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ଉଦ୍ୟୋଗକୁ ସମାନ ଗୁରୁତ୍ୱ ଦେବା ସହିତ ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ରାଜ୍ୟକୁ ‘ଫୋକସ୍ ରାଜ୍ୟ’ର ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

– ଦେଶର ଜନସାଧାରଣଙ୍କ ହିତ ତଥା ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ଲାଗି ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ ତାହାକୁ ବିଜୁ ଜନତା ଦଳ (ବିଜେଡ଼ି) ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିବ ।

Leave A Reply

Your email address will not be published.