ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ
ନିର୍ବାସିତା, ନିର୍ବାସିତା
ମୁଁ ତୁମକୁ ଡାକିଚାଲେ ବାରମ୍ବାର
ସହରର ଘୁମନ୍ତ ରାତିରେ
କେହି ହେଲେ ନାହିଁ ଉଜାଗର
ରାତ୍ରି ବି ତ ଅଚେତନ ନିଦର ନିଶାରେ
ମୋହାଛନ୍ନ ଅନିଦ୍ରାରେ
ଚଷମାରେ ଆଖି ଢାଙ୍କି
ମୁଁ ଖାଲି ଡାକି ଚାଲେ ନିର୍ବାସିତା, ନିର୍ବାସିତା…
ପରିଚିତ ସମୟ ଗଳିରେ
ଗୋଟି ଗୋଟି ସବୁ କବାଟରେ।କରିଯିବି କରାଘାତ
ଝରକାମାନେ ଜାଗି ଉଠିବେ କ୍ରମଶଃ
ପର୍ଦ୍ଦା ହଲେଇ ହଲେଇ କହିବେ
ଏ ନାମରେ କେହି ବି ତ ନାହାନ୍ତି ଏଠାରେ !
ସହରରୁ ଫେରିଯିବି ସାଗର ବେଳାକୁ
ଢେଉ ଭିତରେ ପ୍ରଶ୍ନଟି ଦେଲେ ପଚାରି
ହଠାତ ବନ୍ଦ ହୋଇଯିବ
ସାଗରର ସପ୍ରତିଭ ଗୁଞ୍ଜନ
ନା ତ ଏ ନାମରେ କେବେ ହେଲେ
କେହି ତ ଆସିନି
ମୁଁ ପୁଣି ଥରେ ଚିତ୍କାର କରି
ଭାଙ୍ଗିଦେବି ରାତିର ଝର୍କାର କାଚ
ନିର୍ଜନତା
ରାତି କହିବ ନାହିଁ,
ନକ୍ଷତ୍ର କହିବ ନାହିଁ
ସହର କହିବ ନାହିଁ
ସମୁଦ୍ର କହିବ ନାହିଁ
ହୃଦୟ କହିବ
ଅଛି, ଅଛି ନିର୍ବାସିତା ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.