ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖରେ ବ୍ରହ୍ମପୁର ସହର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ମୟୂରୀ ବିହାର ଏକ ତାଲା ବନ୍ଦ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଚୋରି ଘଟଣାରେ ସଂପୃକ୍ତ ଦୁଇ ପେଶଦାର ଏବଂ ଦୁଇ ନାବାଳକ ଚୋରଙ୍କୁ ଗିରଫ କରାଯାଇଛି ।
ଏହି ୪ ଜଣିଆ ଦୁର୍ଦ୍ଧାନ୍ତ ଚୋର ଗ୍ୟାଙ୍ଗ ନିକଟରୁ ପୁଲିସ ଚୋରି ହୋଇଥିବା ୧୦ ଗ୍ରାମ ସୁନା, ୮୫୦ ଗ୍ରାମ ରୂପା ଅଳଙ୍କାର, ନଗଦ ୩୫ ହଜାର ଟଙ୍କା, ୪ଟି ବାଇକ, ୪ଟି ଭ୍ୟାନିଟ ବ୍ୟାଗ, ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ସାମଗ୍ରୀ, ଗୋଟିଏ ମୋବାଇଲ, ଦୁଇଟି ହାତ ଘଣ୍ଟା, ବିଭିନ୍ନ ଦେଶର ମୂଦ୍ରା, ୧୦୦୦ ଟଙ୍କାର ଭାରତୀୟ କଏନ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବଡବଜାର ଥାନା ଅନ୍ତର୍ଗତ ଗଣେଷ ନଗରର ସାଗର ମୂଳି(୨୩) ଓ ଜଗବନ୍ଧୁ ସାହିର ସନ୍ତୋଷ ସାହୁ(୧୯)। ଅଭିଯୁକ୍ତ ସାଗର ନାଁରେ ୨୨ଟି ଚୋରି ଓ ଡକାୟତି ମାମଲା ରହିଥିବା ବେଳେ ସନ୍ତୋଷ ନାଁରେ ପୂର୍ବରୁ ଗୋଟିଏ ଚୋରି ମାମଲା ରହିଛି।
ସେହିପରି ପୁଲିସ କାବୁ କରିଥିବା ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ନାବାଳକ ନାଁରେ ୧୭ଟି ଚୋରି ମାମଲା ରହିଥିବା ବ୍ରହ୍ମପୁର ଏସପି ଶର୍ବଣା ବିବେକ ଏମ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
ମୟୁରୀ ବିହାର ସ୍ଥିତ ଟୁନି ସାହୁଙ୍କ ତାଲା ବନ୍ଦ ଘରୁ ୨୧ ତାରିଖ ରାତିରେ ଚୋରି ହୋଇଥିଲା। ଟୁନି ଓ ତାଙ୍କ ପରିବାର ଲୋକେ ସହର ବାହାରକୁ ଯାଇଥିବା ବେଳେ ଉପରୋକ୍ତ ୪ ଜଣିଆ ଗ୍ୟାଙ୍ଗ ତାଙ୍କ ଘରର ଗ୍ରୀଲ ତାଲା ଭାଙ୍ଗି ଭିତରକୁ ପଶି ଚୋରି କରିଥିଲେ । ସକାଳୁ ଘରର ତାଲା ଭଙ୍ଗା ଯାଇଥିବା ଦେଖି ଟୁନିଙ୍କ ଭଣଜା ଶେଖର ମହାନ୍ତି ଥାନାରେ ସୂଚନା ଦେଇଥିଲେ ।
ଟୁନିଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ କେସ ନଂ ୧୨୪/୨୨ରେ ଏକ ମାମଲା ରୁଜୁ ହେବା ସହ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା ।
ଏହି ଘଟଣାରେ ଦୁଇ ନାବାଳକଙ୍କ ସମେତ ଉପରୋକ୍ତ ଦୁଇ ଯୁବକ ସଂପୃକ୍ତ ଥିବା ପୁଲିସ ଜାଣିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରୁ କାବୁ କରିଥିଲା। ସାବାଳକ ଚୋର ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇ ନାବାଳକଙ୍କ କିଶୋର ନ୍ୟାୟ(ଜେଜେ) ବୋର୍ଡରେ ହାଜର କରାଯାଇଥିଲା ।