Latest Odisha News

BREAKING NEWS

ଭାଷା ଭାଗବତ : ଆତ୍ମଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୮ 

ଆତ୍ମଜ୍ଞାନର ଆଦି ଅଂତ
ଅଜଣା ଅଛି ଏ ପର୍ଯଂତ
ପ୍ରତି ମୁହୂର୍ତେ ନୂଆ କିଛି
ମୋହର ମନକୁ ମିଳୁଛି

ପରିବର୍ତନ ଘନଘନ
ସହିତ ଆତ୍ମସଂଶୋଧନ
କାମରେ ନିଯୁକ୍ତ ମୋ ମନ
ପାଏ, କରେ ଆନଂଦ ଦାନ

ଏପରି ଜୀବନ ଯାପନ
ପଦ୍ଧତି କରୁଛିଁ ପାଳନ
ପାଉଛିଁ ସୁଖରୂପୀ ଧନ
ଲୋଡ଼ୁନି ମାନ, ଉପାୟନ

ଯାହା ମିଳିଲା, ତାହା ବେଶି
ଭାବି ମୁଁ ହୁଏଁ ଖୁବ୍‌ ଖୁସି
ଭାଷାରେ ଭାବନା ପ୍ରକାଶ
କରିଲେ ମିଳୁଛି ସଂତୋଷ

ଆଦ୍ୟ ଭାଷା ଓ ସଦ୍ୟ ଭାଷା
ପଦ୍ୟ ଭାଷା ଓ ଗଦ୍ୟ ଭାଷା
ଦେବ ଭାଷା, ମାନବ ଭାଷା
ସ୍ବଭାଷା ସବୁ ଗୋଳା ମିଶା

ସେବାଳୟ ଓ ଦେବାଳୟ
ବିଦ୍ୟାଳୟ ଓ ଦ୍ରବ୍ୟାଳୟ
ଯେଉଁଠି ଚଳେ ଯେଉଁ ଭାଷା
ପ୍ରତିଟି ସୂଚାଏ ସୁଦଶା

ଏପରି ଭାବନା ତରଂଗ
ଦେଖାଏ ବହୁ ରୂପ ରଂଗ
ସର୍ବଦା ଲାଗେ ଅଭିନବ
ଏହା ଏ ଭାଷାର ସ୍ବଭାବ

ଜାଣିନି କିଏ ଓ କେଉଁଠି
ପଢ଼ିବ ଯାହା ଲେଖେଁ ଏଠି
ସ୍ବଭାଷା ପାଇଁ ଖଟି ବେଠି
ଗଢ଼ୁଛିଁ ଭାବଭରା କୋଠି

 

Comments are closed.