Latest Odisha News

BREAKING NEWS

ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଖସିଥିବା ଲାଇମ ପ୍ଲାଷ୍ଟର କାମ ଆସନ୍ତା ରଥଯାତ୍ରା ସମୟରେ କରିବ ASI

ପୁରୀ: ସମ୍ପୂର୍ଣ୍ଣ ସୁରକ୍ଷିତ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ । କେବଳ ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ଏଏସ୍ଆଇ ଏହାର ଅନୁଧ୍ୟାନ କରିଛି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଂ କାର୍ଯ୍ୟ କରାଯିବ । ଗତ କିଛି ମାସ ଧରି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗ ଦେଇ ନଥିବା ଏଏସ୍ଆଇ ଆଜି ଆଲୋଚନାରେ ଅଂଶଗ୍ରହଣ କରି ଏହା କହିଛି । ତେବେ ଭିତର ରତ୍ନ ଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଚିଠି ଲେଖାଯାଇ ନଥିବା ସ୍ପଷ୍ଟ କରିଛନ୍ତି ଏଏସଆଇ ସୁପରିଟେଡେଣ୍ଟ । ଆଜି ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଚଳିତବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାର ସମୀକ୍ଷା କରାଯାଇ ଆସନ୍ତାବର୍ଷ କିଭଳି କୌଣସି ସେବାୟତ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ନରହିବେ ସେ ନେଇ ପ୍ରସ୍ତାବ ଆସିଛି । ଛତିଶା ନିଯୋଗ ସହ ଏନେଇ ଖୁବଶୀଘ୍ର ଆଲୋଚନା କରାଯିବ । ଦୀର୍ଘ ଅଢେଇ ବର୍ଷ ହେବ ବନ୍ଦ ରହିଥିବା ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ସରିବା ପରେ ଖୁବଶୀଘ୍ର ଏହା ଭକ୍ତଙ୍କ ପାଇଁ ଖୋଲାଯିବ । ତେବେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଓ ରୋଷଘର ଭିତରକୁ ଭକ୍ତ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ ।

ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିମନ୍ତେ ଗଠିତ ହୋଇଥିବା ସୋସାଇଟି ଓ MOU ସମ୍ପର୍କରେ ପରିଚାଳନା କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ମାଟିତୋଟାରେ ଏଥିପାଇଁ ୧୪ ଏକରରରୁ ଅଧିକ ଜମି ଚିହ୍ନଟ ହୋଇଛି । ବିର୍ଲା ଏଜୁକେସନ୍ ସୋସାଇଟି ସହ ଏମଓୟୁ କରାଯାଇ ଖୁବଶୀଘ୍ର କାମ ଆରମ୍ଭ ହେବ । ଗୁରୁକୁଳ ଏମଓୟୁ ସର୍ତ୍ତାବଳୀ ଓ ଚିଠା ଏମଓୟୁକୁ ପରିଚାଳନା କମିଟି ମୋହର ମାରିଛି । ଗୁରୁକୂଳ ନିର୍ମାଣର ବାକି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଗୁରୁକୁଳ ନିର୍ମାଣରେ ରାଜ୍ୟ ସରକାର ଅବଢ଼ା ଯୋଜନାରୁ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ କରିଛନ୍ତି । ବୈଠକରେ ସେବାୟତ ବାସଗୃହ ଯୋଜନାକୁ ମଧ୍ୟ ମୋହର ଲାଗିଛି ।

ହରଚଣ୍ଡି ସାହି ଓ ମାଟି ମଣ୍ଡପ ସାହି ମୌଜାରେ ୫ ଏକରରୁ ଅଧିକ ଜମି ଚିହ୍ନଟ ହୋଇଛି । ହରଚଣ୍ଡି ସାହି ମୌଜାରେ ଜମି ମାପଚୁପ୍ ଓ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଖୁବଶୀଘ୍ର କାମ ଆରମ୍ଭ ହୋଇ ପ୍ରାଥମିକ ଭାବେ ୪୦୦ ବାସହୀନ ଓ ଗରିବ ସେବାୟତଙ୍କୁ ବାସଗୃହ ଯୋଗାଇ ଦିଆଯିବ । ଆଜିର ପରିଚାଳନା କମିଟିର ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଏଏସ୍ଆଇକୁ ଏଯାବତ୍ ଚିଠି ନ ଲେଖିବା ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି । ଆଜି ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.